ଓଡ଼ିଶାରେ ବିଭିନ୍ନ ନଦୀର ଜଳ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଜଳର ଅନ୍ୟ ନାମ ଜୀବନ ବୋଲି ତ କୁହାଯାଇ ଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହି ନଦୀର ଜଳ ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିଥାଏ , ନଦୀର ଜଳ ଓ ଜଳର ଉତ୍ସ ଉପରେ ତେଣୁ ଏବେ ଗୁରୁତ୍ୱ ଦିଆଯାଉଛି ଏବଂ ନଦୀର ପ୍ରବାହିତ ଜଳକୁ ନେଇ ବହୁମୁଖୀ ଯୋଜନାମାନ କରାଯାଉଛି । ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଇଥାଏ ଯେ ମୌର୍ଯ୍ୟଙ୍କ ଶାସନ କାଳରେ ପଶ୍ଚିମ ଭାରତରେ ନଦୀମାନଙ୍କରେ ଚେକ୍ ଡ୍ୟାମ ବା ବନ୍ଧମାନ ନିର୍ମାଣ କରାଯାଇଥିଲା । ଓଡ଼ିଶାରେ ପ୍ରବାହିତ ନଦୀଗୁଡିକ ମଧ୍ୟରେ ମହାନଦୀ ହିଁ ସବୁଠାରୁ ବଡ଼ ନଦୀ । ଅନ୍ୟାନ୍ୟ ନଦୀଗୁଡ଼ିକ ମଧ୍ୟରେ ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜମ୍ଭୀରା, ଋଷିକୁଲ୍ୟା, ବାହୁଦା, ବଂଶଧାରା, ନାଗାବଳି, ଇନ୍ଦ୍ରବତୀ, କୋଲାବ ପ୍ରଭୃତି ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ଵିତ କରି ଆସିଛନ୍ତି ।
ଏବେ ମହାନଦୀର ଜଳ ବଣ୍ଟନକୁ ନେଇ ଯେଉଁ ବିବାଦ କିଛି ବର୍ଷ ହେଲା ଆରମ୍ଭ ହୋଇଛି, ତାହାର ସମାଧାନ ହୋଇ ପାରୁନାହିଁ । ହୀରାକୁଦ ନଦୀବନ୍ଧ ଯୋଜନା ଆରମ୍ଭ ଓଡ଼ିଶା ପକ୍ଷରୁ ଆରମ୍ଭ କରାଗଲା । ୧୯୫୭ରେ ହୀରାକୁଦ ବନ୍ଧ ଉଦ୍ଘାଟିତ ହୋଇଥିଲା । ଏହାର ପ୍ରାୟ ଛବିଶ ବର୍ଷ ପରେ ୧୯୮୩ରେ ଓଡ଼ିଶା ଓ ତତ୍କାଳୀନ ମଧ୍ୟପ୍ରଦେଶ ଏ ଦୁଇଟି ରାଜ୍ୟ ମଧ୍ୟରେ ଦ୍ୱିପାକ୍ଷିକ ସହମତିରେ ଜଳଭଣ୍ଡାର ନିର୍ମାଣ ପାଇଁ ବୁଝାମଣା ଆରମ୍ଭ ହୋଇଥିଲା ।
ଏହା ମଧ୍ୟରେ ଦୀର୍ଘ ଦିନ ଅତିକ୍ରାନ୍ତ ହେବା ପରେ ଗତ ୨୦୦୫ରେ ତାପଜ ବିଦ୍ୟୁତ କେନ୍ଦ୍ର ତଥା ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କୁ ମହାନଦୀ ଜଳ ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ବିଭିନ୍ନ ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ। କାଳକ୍ରମେ ମଧ୍ୟପ୍ରଦେଶ ରାଜ୍ୟ ଦ୍ଵିଖଣ୍ଡିତ ହୋଇ ଛତିଶଗଡ ରାଜ୍ୟ ସୃଷ୍ଟି ହେଲା ଓ ଛତିଶଗଡ଼ ରାଜ୍ୟ ହୀରାକୁଦ ବନ୍ଧର ଉପରମୁଣ୍ଡରେ ଓଡ଼ିଶାକୁ ନ ପଚାରି ମନଇଚ୍ଛା ବେଆଇନ ଭାବେ ବନ୍ଧ ନିର୍ମାଣ କରିବାରୁ ଓଡ଼ିଶା ସରକାର ସେ ବିଷୟରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆପତି କରିଥିଲେ ।
ALSO READ https://purvapaksa.com/eu-targets-russias-energy-revenues/
EU targets Russia’s energy revenues ।। ରୁଷିଆର ଶକ୍ତି ରାଜସ୍ୱକୁ ଇୟୁର ଟାର୍ଗେଟ
