Joranda Magha Mela: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳଚଞ୍ଚଳ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳର ମହିମା ଗାଦି।
ଅଲେଖ ମହିମା ଧ୍ୱନିରେ କମ୍ପୁଛି ପୂରା ପରିବେଶ । ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ଯୋରନ୍ଦା ମହିମା ଗାଦି ମୁହାଁ ହୋଇଛନ୍ତି । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି ।

ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ୧୫୨ ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନି ଜାଳିବା ସାଙ୍ଗକୁ ସାରାବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁପାର୍ଶ୍ଵରେ ବିଶାଳକାୟ ଝାଡବତୀ ଜଳାଇଥାନ୍ତି ମହିମା ସାଧୁ । ଫଳରେ ସାରା ବିଶ୍ୱରେ ପ୍ରସାରିତ ଏହି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମା ଗାଦିକୁ ଦେଶ ବ୍ୟାପି ମହିମା ସାଧୁ ଓ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିବାରେ ଲାଗିଛି । ଏନେଇ ସଜେଇ ହୋଇଛି ମହିମା ଗାଦି ।

ପ୍ରତ୍ୟେକ ବର୍ଷ ପରି ମାଘ ଶୁକ୍ଳ ଚତୁଦର୍ଶୀ ଠାରୁ ଏହି ମେଳା ଆରମ୍ଭ ହୋଇଛି । ଏହି ମେଳାକୁ ମହିମା ସାଧୁମାନେ ତିନି ଦିନ ଧରି ପାଳୁଥିବା ବେଳେ ୫ ରୁ ୬ ଦିନ ଧରି ବେଶ ଧୁମଧାମରେ ପାଳିଥାନ୍ତି ସ୍ଥାନୀୟ ବାସିନ୍ଦା । ବ୍ରହ୍ମ ମୁହୂର୍ତ୍ତରୁ ମହିମା ଧର୍ମର ବିଭିନ୍ନ ନୀତିକାନ୍ତି ପାଳନ କରାଯାଉଛି । ଏହା ମଧ୍ୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ଅଖଣ୍ଡ ଧୁନିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ଭୋଗ ଅର୍ପଣ କରି ନିଜ ପରିବାର ତଥା ଜଗତବାସୀଙ୍କ କଲ୍ୟାଣ ପାଇଁ ପ୍ରଭୁ ଶୁନ୍ୟଦେହୀଙ୍କ ସରଣାଗାମୀ ହେଉଛନ୍ତି । ଅନ୍ୟ ପଟେ ମାନସିକଧାରୀମାନେ ନିଜ ପିଲାଙ୍କ ନିରାମୟ ଓ ସୁସ୍ଥ ଜୀବନ କାମନା କରି ହଜାର ହଜାର ହଜାର ସଂଖ୍ୟାରେ ମୁଣ୍ଡନ କରାଇଥାନ୍ତି ।

ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହୋଇଛି । ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିଛନ୍ତି । ବୁଧବାର ମାଘ ପୂର୍ଣ୍ଣିମା ଦୁଇ ଦିନ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ମଧ୍ୟ ଝାଡ଼ବତୀ ପ୍ରଜ୍ଜ୍ୱଳନ କରାଯିବ । ପୂର୍ଣ୍ଣମୀ ପରଦିନ ଗୁରୁବାର ସ୍ଥାନୀୟ ଅଞ୍ଚଳର ଭକ୍ତ ମାନଙ୍କ ଅନୁରୋଧରେ କେବଳ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ବତୀ ଜଳିବ ।

ମେଳାରେ ଲକ୍ଷ ଲକ୍ଷ ଜନ ସମାଗମ ଓ ବ୍ୟବସାୟକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାରର ଦୋକାନୀ ମାନେ ବ୍ୟବସାୟର ପସାରା ମେଲିଛନ୍ତି । ଅପରପକ୍ଷରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ତଥା ମେଳା ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ପରେ ପରେ ଜନ ସମାଗମ ଅପେକ୍ଷାକୃତ ବଢୁଥିବା ବେଳେ ଝାଡ଼ବତୀର ଆଲୁଅରେ ବେଶ ଆକର୍ଷଣୀୟ ହୋଇପଡୁଛି ମୁଖ୍ୟ ଗାଦି ମନ୍ଦିର । ସାଧୁ ଓ ସନ୍ୟାସୀଙ୍କ ଭଜନ କୀର୍ତ୍ତନ ସାଙ୍ଗକୁ ଅଲେଖ ମହିମା ଶରଣ ଧ୍ୱନୀରେ ପ୍ରକମ୍ପିତ ହୋଇଉଠୁଛି ସମଗ୍ର ମହିମାଗାଦି ।
ସିଏଚଏସଇ ଯୁକ୍ତ ୨ ପରୀକ୍ଷା: ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବା ଆରମ୍ଭ

