ରଜରେ ବର୍ଷା ହେବାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୌସୁମୀ ସକ୍ରିୟ ହେବାକୁ ନେଇ ଆଶା କରାଯାଉଛି । ଏନେଇ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏଵେ ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୪ ରୁ ୧୬ ଜୁନ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ୧୨ ଜୁନ ପରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବଢିପାରେ । ଏଥିସହ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀଜନିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ପାଇଁ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଚେତାବନୀ ମିଳିଛି । ଏହାର ପ୍ରଭାବରେ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ,ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାହା କ୍ରମଶଃ ଘନୀଭୂତ ହେବ । ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ଭିତରକୁ ପ୍ରବାହିତ ହେବ ।
ଏହାପରେ ୧୪ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହା ମୌସୁମୀକୁ ଆହୁରି ସକ୍ରିୟ କରିବ। ଫଳରେ ଅଧାରେ ଅଟକିଥିବା ମୌସୁମୀ ବାୟୁ ସାରା ରାଜ୍ୟରେ ପ୍ରବେଶ କରିବ । ତେବେ ଲଘୁଚାପ ସୃଷ୍ଟି ହେଲେ କେଉଁ ଦିଗରେ ଗତି କରିବ କେଉଁ ଜିଲ୍ଲାରେ ଏହାର ପ୍ରଭାବ କିଭଳି ରହିବ ତାହା ସ୍ପଷ୍ଟ ହୋଇନାହିଁ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଦିନରେ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅଣାୟତ୍ତ କରୁଛି । କାଲି ଯାଏଁ ଏଭଳି ପାଗ ଲାଗି ରହିବ । ଏହା ପରେ ଦିନରେ ଖରା ଏବଂ ଅପରାହ୍ନରେ କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା ।
ଆସନ୍ତା ୨୪ ଘଣ୍ଟାରେ ୨୬ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ହାଲୁକା ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧକୁ ବାଦ୍ ଦେଲେ ସବୁଠି କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ୧୩ ତାରିଖ ଯାଏଁ କାଳବୈଶାଖୀ ବର୍ଷା ଜାରି ରହିବ । ଚଳିତବର୍ଷ ୧୬ ବର୍ଷ ପରେ ମେ’ ମାସରେ ଓଡ଼ିଶା ଆସିଥିଲା ମୌସୁମୀ । ବେଶ କିଛି ଦିନ ଭଲ ବର୍ଷା ବି ହୋଇଥିଲା । ହେଲେ ଜୁନ ପହିଲାରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରୁ ଆଗକୁ ବଢ଼ି ପାରିନି ମୌସୁମୀ । ଏବେ ପୁଣି ମୌସୁମୀ ଅଗ୍ରସର ହେବା ନେଇ ଆକଳନ କରାଯାଉଛି ।
ALSO READ https://purvapaksa.com/the-fate-of-the-union-minister/
The fate of the Union Minister ।। କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟଚକ୍ର!
2 Comments
Pingback: starlink ଭାରତ ସରକାର ଷ୍ଟାରଲିଙ୍କକୁ କାହିଁକି ଅନୁମତି ଦେଲେ ?
Pingback: starlink ଭାରତ ସରକାର ଷ୍ଟାରଲିଙ୍କକୁ କାହିଁକି ଅନୁମତି ଦେଲେ ?