ଓଡ଼ିଆ ଆଧୁନିକ ସଙ୍ଗୀତ ଦୁନିଆରେ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ନାଁ ବେଶ୍ ପରିଚିତ। ଏବେ ବି ଓଡ଼ିଆ ଢଗ ଏବଂ ଲୋକକଥାକୁ ନେଇ ସେ ଅନେକ ସୁମଧୁର ସଙ୍ଗୀତ ସୃଷ୍ଟି କରିଛନ୍ତି। ଆଜି ପ୍ରସଙ୍ଗକୁ କହିବାବେଳକୁ ଏମିତି ଏକ ସଙ୍ଗୀତ ମନେପଡ଼ୁଛି। ତାହାର ପ୍ରଥମ ପଙ୍କ୍ତିକୁ ଆପଣ ଶୁଣନ୍ତୁ ଆଉ ପରେ ଆପଣଙ୍କୁ ଆଜିର ବିଷୟ ବାବଦରେ କହିବି।
ନଈରେ ବାଳିଆ ଚହଟିଲା ସାଙ୍ଗ |
ନଈରେ ବାଳିଆ ଚହଟିଲା |
ଫୁଲେଇ ଚନ୍ଦିରି ଯାଇଛି ଗାଧେଇ ଯାଇ ତ |
ସଙ୍ଗାତରେ ଚନ୍ଦରା ସାଙ୍ଗରେ ପଳେଇଲା। |
ଗତ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଅନୁଧ୍ୟାନ କଲେ ଏ ସଂଯୋଜନାଟି ଭାରି ଉପାଦେୟ ମନେହେଉଛି। ସେତେବେଳେ ଲୋକକଥାକୁ ଉଦ୍ଧାର କରି ଶିବବ୍ରତ ଦାସ ଏହି ଗୀତ ରଚନା କରିଥିଲେ। ଆଜି ଏହା ଅମର। ଆଉ ଯେତେବେଳେ ଓଡ଼ିଶା ରାଜନୀତିରେ ବିରଳ ଘଟଣାଗୁଡ଼ିକ ସବୁ ଘଟୁଛି ଏହି କଥାକୁ ମନେପକାଇ ଦେବାକୁ ବାଧ୍ୟ କରୁଛି ।
ସେତେବେଳେ ଗାଁ ବାତାବରଣକୁ ନେଇ ଏହି ଗୀତଟି ରଚନା କରାଯାଇଥିଲା। ଗାଁର ଫୁଲେଇ ଝିଅଟି କେମିତି ସମସ୍ତଙ୍କୁ ଧୋକା ଦେଇ ଆଉ କାହା ସାଙ୍ଗରେ ଚାଲିଗଲା ତାହାକୁ ଏଠାରେ କବି ବର୍ଣ୍ଣନା କରିଛନ୍ତି।
ଆଜି ବିଜୁ ଜନତା ଦଳରେ ଯେମିତି ଘଟଣାସବୁ ଘଟୁଛି ଏହି ଲୋକକଥାଟି ଭାରି ପ୍ରଯୁଜ୍ୟ ମନେହେଉଛି। ଗୋଟି ଗୋଟି କରି ଏସବୁକୁ ଏଠାରେ ଉପସ୍ଥାପନ କରିବି।
ଓଡ଼ିଆ ନେତାଙ୍କୁ ହତାଦର
ବାସୁଦେବ ରଥଙ୍କ ସଂଗୀତ ଅନୁସାରେ ନବୀନଙ୍କ ପାଖ ଲୋକ ହେବା ସହିତ ତାଙ୍କ ବିଶ୍ୱାସ ଜିତିବା ପାଇଁ ବିଜୁ ଜନତା ଦଳର ଅନେକ ନେତା ପ୍ରୟାସରେ ଥିଲେ। କିନ୍ତୁ ସେମାନଙ୍କର ଫନ୍ଦିଫିକର କିଛି କାମ ଦେଉନାହିଁ। ନବୀନ ପରିଣତ ବୟସରେ ଏହି ନେତାମାନଙ୍କ ମଧ୍ୟରୁ କାହାକୁ ଜଣେ ନିଜର ସେମାନେ ଆଶା ପ୍ରକଟ କରିଥିଲେ। କିନ୍ତୁ ବିଜେଡିର ଏହି ନେତାମାନଙ୍କ ଯୋଜନା ଉପରେ ନିଜେ ନବୀନ ପଟ୍ଟନାୟକ ପାଣି ପକାଇ ଦେଇଛନ୍ତି। ଏହି ବିଜେଡି ନେତାମାନେ ଯେଉଁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିଜର ଶତ୍ରୁ ବୋଲି ଭାବିବା ପାଇଁ ଗତ ନିର୍ବାଚନ ପରଠାରୁ ଅଳ୍ପ ଟିକେ ସାହାସ ପାଇଛନ୍ତି, ସେହି ପାଣ୍ଡିଆନଙ୍କ ହାତ ଧରି ନବୀନ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ନବୀନ ଦଳର ଓଡ଼ିଆ ନେତାମାନଙ୍କୁ ବିଶ୍ୱାସକୁ ନେଇ ନାହାନ୍ତି। ବରଂ ଜଣେ ଅଣ ଓଡ଼ିଆ କର୍ମଚାରୀରୁ ଆତ୍ମଘୋଷିତ ଶିଷ୍ୟ ଉପରେ ଅତ୍ୟଧିକ ଭରଷା କରିଛନ୍ତି।
୧୨ ମାସିଆ ବନବାସ
ଏଇଠି ଟିକେ ପଛକୁ ଫେରିବା। ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଗତବର୍ଷ ଜୁନ୍ ୯ତାରିଖରେ ଆକ୍ଟିଭ ରାଜନୀତିରୁ ସନ୍ୟାସ ନେବା ଘୋଷଣା କରିଥିଲେ ପାଣ୍ଡିଆନ। ରାମଚନ୍ଦ୍ର ଯେପରି ୧୨ ବର୍ଷ ବନବାସ ଯାଇ ଫେରିଥିଲେ ଠିକ୍ ସେହିଭଳି ଏହି ଘୋଷଣାର ୧୨ ମାସ ପରେ ପାଣ୍ଡିଆନ ପୁଣି ଥରେ ଆତ୍ମପ୍ରକାଶ କରିଥିଲେ। ସେହି ତାରିଖ ଥିଲା ଜୁଲାଇ ୧୨ ତାରିଖ। ସେହିଦିନ ନବୀନ ପଟ୍ଟନାୟକ ମୁମ୍ବାଇରେ ଚିକିତ୍ସିତ ହୋଇ ଓଡ଼ିଶା ଫେରଥିଲେ। ସେହିଦିନ ସେ ନବୀନ ନିବାସରେ ପ୍ରବେଶ କରୁଥିବାର ଚିତ୍ର ଦେଖିବାକୁ ମିଳିଥିଲା।
୧୨ ମାସିଆ ବନବାସରୁ ଫେରିବାର ଠିକ୍ ମାସକ ପରେ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ପୁଣି ଡାକ୍ତରଖାନାରେ ଦାଖଲ ହେଲେ। ଏହି ସମୟରେ ତାଙ୍କୁ ଦେଖା କରିବାକୁ ନେଇ ପାଣ୍ଡିଆନଙ୍କ ସହିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର କଥା କଟାକଟି ହୋଇଥିଲା, ଯାହାକି ଗଣମାଧ୍ୟମର ଶିରୋନାମା ପାଲଟି ଥିଲା। ଏହି ଘଟଣା ପରେ ନବୀନ ପଟ୍ଟନାୟକଙ୍କର ଦୁଇଟି ଭିଡିଓ ଡାକ୍ତରଖାନାରେ ସୁଟ୍ କରାଯାଇ ସେ ସୁସ୍ଥ ହେଉଥିବାର ବାର୍ତ୍ତା ରାଜ୍ୟବାସୀ ଓ ଦଳୀୟ ନେତାଙ୍କୁ ଦିଆଗଲା।
ବିରୋଧୀଙ୍କ ପ୍ରତି ଅଟହାସ୍ୟ
ଡାକ୍ତରଖାନାରୁ ବାହାରିବା ପରେ ନବୀନ ଯେପରି ପାଣ୍ଡିଆନଙ୍କ ହାତଧରି ପଦାକୁ ଆସିଲେ ଓ ଏହି ସମୟରେ ପାଣ୍ଡିଆନଙ୍କ ମୁହଁରୁ ଯେଉଁ ହସ ବାହାରୁଥିଲା ତାହା ତାଙ୍କ ବିରୋଧୀଙ୍କ ପ୍ରତି ଅଟହାସ୍ୟ ଥିଲା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ବନ୍ଦନା ପର୍ବ ଆରମ୍ଭ
ନବୀନ ପଟ୍ଟନାୟକ ସୁସ୍ଥ ହୋଇ ତାଙ୍କ ନିବାସକୁ ଫେରିବା ପରେ ପାଣ୍ଡିଆନପନ୍ଥୀ ନେତାମାନଙ୍କର ଏବେ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ନେତାମାନେ ନବୀନଙ୍କ ସୁସ୍ଥକାମନା କରିବା ବାହାନାରେ ପାଣ୍ଡିଆନଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି।
ପାଣ୍ଡିଆନଙ୍କୁ ନିକଟରେ କେନ୍ଦ୍ରପଡ଼ାର ଜ୍ୱାଇଁ ବୋଲି କହି ତାଙ୍କୁ ସୁରକ୍ଷା ଦେଇଥିବା ମହାକାଳପଡ଼ାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ନିଜର ସୁରକ୍ଷା ବଳୟକୁ ସୁଦୃଢ଼ କରିବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ତ ହେଉଛି। ନବୀନ ବାବୁ ଅସୁସ୍ଥ ଥିବାବେଳେ ପାଣ୍ଡିଆନଙ୍କୁ ନେଇ ରାଜନୀତି ପ୍ରସଙ୍ଗ ଆସୁଛି କଉଉଁଠୁ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।
ସେହିପରି ଉପକୂଳ ଅଞ୍ଚଳର ଆଉ ଜଣେ ନେତା ହେଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ। ସେ ପାଣ୍ଡିଆନଙ୍କ ସମ୍ପର୍କରେ କହିଛନ୍ତି, ପାଣ୍ଡିଆନଙ୍କୁ ନେଇ ମସ୍ତବଡ଼ ଚକ୍ରାନ୍ତ ଚାଲିଛି। ବିଜେପି ଭାବୁଛି ନବୀନଙ୍କ ପାଖରୁ ଗୋଟିଏ ଲୋକ ପାଣ୍ଡିଆନଙ୍କୁ ବାହାର କରିଦେଲେ ସେମାନେ ଆଉଥରେ ନିର୍ବାଚନ ଜିତିଯିବେ। ଗୋଟିଏ ଲୋକଙ୍କୁ ଏତେ କାହିଁକି ଭୟ କରୁଛନ୍ତି। କେବଳ ବିରୋଧି ନୁହଁନ୍ତି ଆମ ଦଳର ଲୋକମାନେ ମଧ୍ୟ ଭୟ କରୁଛନ୍ତି।
ବିଧାନସଭାରେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଭରପୂର ପ୍ରୟାସ କରିଛନ୍ତି। ସେ କହିଛନ୍ତି ନବୀନ ବାବୁ କାହାକୁ ନିଜ ପାଖରେ ରଖିବେ ସେଇଟା ତାଙ୍କର ବ୍ୟକ୍ତଗତ କଥା। ବର୍ତ୍ତମାନର ମୁଖ୍ୟୃମନ୍ତ୍ରୀଙ୍କ ଘରେ କେତେ ଅଣଓଡ଼ିଆ ଅଛନ୍ତି ତାହା ମଧ୍ୟ ଖୋଳ ତାଡ଼ କରାଯାଉ।
ଏପରିକି ଦିବ୍ୟଶଙ୍କର ମିଶ୍ର, ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଟୁକୁନି ସାହୁ ମଧ୍ୟ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି।
ଆମେ ଗତ ୧୪ ତାରିଖରେ କହିଥିଲୁ ଯେ ବିଜେଡିରେ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ଭବ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ କେନ୍ଦ୍ରାପଡ଼ା ଓ ପୁରୀରେ ଭବ୍ୟ ଆୟୋଜନ କରାଯାଉଛି। ତେଣୁ ସୁଜାତା ନବୀନଙ୍କ ସେବା କରିବା ସହିତ ସମ୍ମୁଖକୁ ଆସିଛନ୍ତି।
ପାଣ୍ଡିଆନପନ୍ଥୀ ବିଜେଡି ନେତାମାନଙ୍କର ଏହି ବକ୍ତବ୍ୟକୁ ଶୁଣିଲା ପରେ ଯାହା ଜଣାପଡ଼ୁଛି; ପାଣ୍ଡିଆନ ତାଙ୍କ ଯୋଜନାରେ ଅଛନ୍ତି। ଏପରିକି ପାଣ୍ଡିଆନଙ୍କ ଏହି ଘୋଷଣାକୁ ନବୀନଙ୍କ ଦୃଢ଼ ସମର୍ଥନ ରହିଛି। ଯଦି ଏପରି ହୁଏ ବିଜେଡିରେ ଥିବା ପାଣ୍ଡିଆନ ବିରୋଧୀ ନେତାମାନେ ଏବେ କ’ଣ କରିବେ ବୋଲି ଆଲୋଚନା ହେଉଛି। ସେମାନେ ପାଣ୍ଡିଆନଙ୍କ ଅପମାନକୁ ସହି ଦଳରେ ପଡ଼ି ରହିବେ ନା ତାହା ସମୟ ହିଁ କହିବ।
Also readhttps://purvapaksa.com/bjp-surrender-to-rss-in-era-of-modi-shah/
BJP Surrender To RSS In Era Of Modi shah ।। ମୋଦୀ-ଶାହ ଯୁଗ; ଆରଏସଏସ ନିକଟରେ ବିଜେପିର ଆତ୍ମସମର୍ପଣ
