ଗ୍ରାମର ନାମ ପୁରୁଷୋତ୍ତମପୁର। କଟକ ଜିଲ୍ଲାର ଉତ୍ତର-ପୂର୍ବ ଦିଗରେ ମାତ୍ର ଦଶ କିଲୋମିଟର ଦୂରରେ। ଛୋଟ ଗାଆଁଟିଏ। ଇତିହାସ କି ଭୂଗୋଳରେ ନାଆଁ ନ ଥିଲା । ଏ ଗାଁର ନା ଥିଲା ଧନବଳ, ନା ଥିଲା ଜନବଳ, ନା ଥିଲା କିଛି। ବିଲ ଗହିରୀ ଭିତରେ ଆମ୍ବତୋଟା, ବାଉଁଶ ବଣ, କିଆ ଗୋହିରି ଘେରା ଛାୟା ନିବିଡ଼ ଗୋଟିଏ ଦ୍ବୀପ ପରି ଦୂରରୁ ଦେଖାଯାଏ। ଗାଆଁ ବରଗଛ ମୂଳେ ଗାଆଁ ମୂରବିମାନେ ଗର୍ବରେ କୁହନ୍ତି, ରାଜା ପୁରୁଷୋତ୍ତମ ଦେବ ଗ୍ରାମଟି ସ୍ଥାପନ କରିଥିଲେ, ତେଣୁ ଗ୍ରାମଟିର ନାମ ପୁରୁଷୋତ୍ତମପୁର । ତା’ ପାଖ ଗାଆଁଟି ପାଟରାଣୀ ସତ୍ୟଭାମା ଦେବୀଙ୍କ ନାମରେ ସତ୍ୟଭାମାପୁର। ସତ୍ୟଭାମାପୁର ମାଟିରେ ଜନ୍ମନେଇଥିଲେ କୁଳବୃଦ୍ଧ ମଧୁସୂଦନ ଦାସ, ଔପନ୍ୟାସିକ ଗୋପାଳ ବଲ୍ଲଭ ଦାସ ଓ ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ।
୧୯୨୨ ମସିହା ଜୁନ୍ ୨୧ ଆଷାଢ଼ କୃଷ୍ଣପକ୍ଷ ଦଶମୀ ଗୁରୁବାର ଦିନ ଜନ୍ମ ନେଇଥିଲେ ମୋ ଗଳ୍ପର ନାୟକ ସୁରେନ୍ଦ୍ର। ଏକୋଇଶିଆ ଦିନ ସତ୍ୟନାରାୟଣ ପୂଜା ପରେ ନାହାକ କୋଷ୍ଠୀ ଗଣନା କରି କହିଥିଲେ ଶ୍ରୀ ଶ୍ରୀ ଲୋକନାଥ ମହାନ୍ତିଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଗର୍ଭରୁ ପ୍ରଥମ ପୁତ୍ର ସନ୍ତାନ ଜାତ । ଶ୍ରଦ୍ଧାନାମ – ସୁରେନ୍ଦ୍ର, ରାଶି – ମେଷ, ନକ୍ଷତ୍ର – ଅଶ୍ବିନୀ।
‘ପଥ ଓ ପୃଥିବୀ’ରେ ସୁରେନ୍ଦ୍ର ଲେଖିଛନ୍ତି ତାଙ୍କ ଜନ୍ମ ମହାନ୍ତି ସାହିର ତହସିଲଦାରଙ୍କ ଘରେ। ସେ ଜନ୍ମ ହେବା ବେଳକୁ ତହସିଲଦାର ଘରର କ୍ଷମତା ବଳ, ଧନ ବଳ କର୍ପୂର ପରି ଉଡ଼ିଯାଇଥିଲା। କନାଟି ପଡ଼ି ରହିଥିଲା ତହସିଲଦାର ଘରର ଆଭିଜାତ୍ୟର ସଂକେତ ରୂପେ। ପଥର ପାହାଚ, ଦାଣ୍ଡ ପିଣ୍ଡାଟି ଥିଲା ବେଶ୍ ଚଉଡା। ଏ ଦାଣ୍ଡ ପିଣ୍ଡା ଉପରେ ଚାଳ ଛପରରୁ ଝୁଲୁଥିଲା ସବାରି ଓ ଚିତ୍ରବିଚିତ୍ର ଜଗତର ପେଡ଼ି । ଖଞ୍ଜାର ବୋହୂମାନେ ବାହାହେବା ବେଳେ ସେସବୁ ଜିନିଷ ଯୌତୁକ ଧରି ଆସୁଥୁଲେ।
ସୁରେନ୍ଦ୍ରଙ୍କ ପୂର୍ବପୁରୁଷ ଥିଲେ ମରହଟ୍ଟା ଅମଳର। ତାଙ୍କ ପୂର୍ବ ପୁରୁଷ କେହି ସେଠି ତହସିଲଦାର ଥିଲେ। ପୁରୁଷୋତ୍ତମପୁର ଗାଁ ପାଖରେ ଲକ୍ଷ୍ମୀନାରାୟଣପୁର ଗାଁ। ସେ ଲକ୍ଷ୍ମୀନାରାୟଣପୁର ଗାଁର ମଠଟି ବେଶ୍ ବଡ଼ ମଠ ଥିଲା ଏବଂ ମହନ୍ତ ମଧ୍ୟ ଲୋକଙ୍କ ବିଶ୍ୱାସଭାଜନ ଥିଲେ। ସେ ମଠର ଜମିବାଡ଼ି କଥା ବୁଝିବାପାଇଁ ସୁରେନ୍ଦ୍ରଙ୍କ ବଂଶର ଜଣଙ୍କୁ ତହସିଲଦାର ରୂପେ ନିଯୁକ୍ତି ଦେଇଥିଲେ ଏବଂ ସମସ୍ତ କ୍ଷମତା ମଧ୍ୟ ଦେଇଥିଲେ। ହଠାତ ମହନ୍ତଙ୍କ ମୃତ୍ୟୁ ହୁଏ। ତଞ୍ଚକତା କରି ତହସିଲଦାର ମଠର ସମସ୍ତ ଭୂ-ସମ୍ପତ୍ତି ନିଜ ନାମରେ କରେଇ ନେଇଥିଲେ।
ଅଭାବ ଅନଟନ ସହିତ ସଂଗ୍ରାମ କରି ମହନ୍ତଙ୍କର ବିଧବା ପତ୍ନୀ ଆଖିର ଲୁହ, ଅନ୍ତରର କୋହରେ ଅଭିସମ୍ପାତ ବର୍ଷଣ କରି ଶୂନ୍ୟରେ ଧୂଳି ଛାଟି କହିଥିଲେ – ‘ହେ ଧର୍ମ ! ତୁ ଥିଲେ ବୁଝିବୁ।’ ଅନେକ ଥର ସୁରେନ୍ଦ୍ର କହିଛନ୍ତି, ଯେଉଁଠି ମହନ୍ତଙ୍କର ବିଧବା ପତ୍ନୀ ଅଭିସମ୍ପାତ କରିଥିଲା, ସେଇଠି ଦୁଇଟି ଫଳନ୍ତି ଗଛ ଥିଲା। ବେଶ୍ ରସାଳ ଆମ୍ବଗଛ ଦୁଇଟି। ମାତ୍ର ମହନ୍ତଙ୍କର ବିଧବା ପତ୍ନୀଙ୍କର ଅଭିଶାପ ପରେ ସେ ଗଛରେ ନା କେବେ ବଉଳ ହୋଇଛି ନା କେବେ ଆମ୍ବ ଫଳିଛି ନା କେବେ କୁଆ କୋଇଲି ବସିଛନ୍ତି। ସୁରେନ୍ଦ୍ର ଏ କାହାଣୀ ଶୁଣିଥିଲେ ତାଙ୍କ ଜେଜେମା ଓ ଜେଜେଙ୍କ ପାଖରୁ ।
ଶୈଶବରୁ ସୁରେନ୍ଦ୍ରଙ୍କୁ ଭୟାଚ୍ଛନ୍ନ କରି ରଖିଥିଲା ସେଇ ଅଭିଶାପ । ଅନେକ ଥର ସେ ନିରୀକ୍ଷଣ କରନ୍ତି ସେହି ଆମ୍ବ ଗଛ ଦୁଇଟିକୁ। ଆମ୍ବ ଦିନେ ଖୋଜନ୍ତି, କାଳେ ବଉଳ ଆସିବ, ଆମ୍ବ ଫଳିବ, ପକ୍ଷୀ କିଚିରିମିଚିରି କରିବ। ନା, କିଛି ହୁଏନି। କାରଣ ଅଭିଶାପ ପାଇଛନ୍ତି ତହସିଲଦାର ବଂଶ। ସୁରେନ୍ଦ୍ରଙ୍କ ବିଶ୍ଵାସ, ପୂର୍ବପୁରୁଷଙ୍କର ପ୍ରାରବ୍ଧ, ଅପହରଣ ଜନିତ ଦୃଷ୍ଟିରୁ ପରିଣତି ତାଙ୍କ ପରିବାର ହିଁ ଭୋଗୁଛନ୍ତି ।
୧୯୮୬ ମସିହାଠାରୁ ତାଙ୍କ ଦିହ ଖରାପ ହେବା ପରେ ସେ ହାତ ଯୋଡ଼ି ଜଗନ୍ନାଥଙ୍କୁ ମାଗୁଣି କରନ୍ତି, ‘ମଣିମା ! ବହୁତ ହୋଇଗଲା ଆମ ବଂଶର ଅଭିଶାପ। ଅଭିଶାପ ମୋରିଠାରେ ଶେଷ କରହେ।’
୧୯୯୦ ଡିସେମ୍ବର ୨୨ ତାରିଖରେ ଓଡ଼ିଶାର ସମସ୍ତ ସମ୍ବାଦପତ୍ରରେ ଏକ ମୃତ୍ୟୁ ସମ୍ବାଦ ଥିଲା। ଗତକାଲି ୧୯୯୦ ଡିସେମ୍ବର ୨୧ ରାତି ୧୨ ଟା ୧୫ ମିନିଟରେ ଓଡ଼ିଶାର ପ୍ରଖ୍ୟାତ ଲେଖକ, ସାମ୍ବାଦିକ, ରାଜନେତା ସୁରେନ୍ଦ୍ର ମହାନ୍ତି ତୁଳସୀପୁର ବାସଭବନ ‘ଶିବାନୀ’ରେ ଇହଲୀଳା ସମ୍ବରଣ କରିଛନ୍ତି ।
ସତୀଚଉରାରେ ପଞ୍ଚଭୂତର ଶରୀର ମିଶିଗଲା ମାଟିରେ। ତା ସହିତ ତାଙ୍କର ଗୋଟିଏ ପରିଚୟ ଲିଭିଗଲା। ସେ ଥିଲେ ପୁରୁଷୋତ୍ତମପୁର ଲୋକନାଥ ମହାନ୍ତି ଓ ସୁଶୀଳା ଦେବୀଙ୍କର ଜ୍ୟେଷ୍ଠ ସନ୍ତାନ। ୧୯୯୧ ମସିହାରେ ତାଙ୍କର ପ୍ରଥମ ଶ୍ରାଦ୍ଧ ଉତ୍ସବ ଦିନ ସତୀଚଉରାରେ ତାଙ୍କର ସମାଧ୍ ଲୋକାର୍ପଣ ହୋଇଥିଲା। ସେ ସମାଧୁ ଟିକେ ଭିନ୍ନ ଥିଲା। ଏକ ଗୋଲାକାର ପିଣ୍ଡି ଉପରେ ଠିଆ ହୋଇଥିଲା ଗୋଟିଏ କଳା ମାର୍ବଲ। ସେଇଥିରେ ଲେଖା ହୋଇଥିଲା, ‘ଶେଷ ସ୍ତମ୍ଭ’। ତା ତଳକୁ ଥିଲା ସୁରେନ୍ଦ୍ର ମହାନ୍ତି, ଜନ୍ମ ୨୧/୦୬/୧୯୨୨ । ମୃତ୍ୟୁ ୨୧/୧୨/ ୧୯୯୦ । ଏଇଟା କହିବାର ମାନେ ହେଉଛି ମଣିଷଟା ମରିଗଲା। ସଶରୀରେ ଆଉ ଦେଖା ଯିବନି। ନୂଆ ବହି ଆଉ ଲେଖିବନି କି ଆଉ ସଭାରେ ଭାଷଣ ସେ ଦେବନି। ମାତ୍ର ସ୍ମୃତିରେ ହିଁ ରହିଗଲା ସେହି ସ୍ମୃତି, ସୁରେନ୍ଦ୍ର ମରିବାର ୩୪ ବର୍ଷ ପରେ ଓଡ଼ିଶାରେ କାହିଁକି ସାରା ପୃଥିବୀରେ ଯିଏ ସୁରେନ୍ଦ୍ରଙ୍କୁ ଭଲ ପାଏ, ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସୁରେନ୍ଦ୍ର ମହାନ୍ତିଙ୍କ ନାମ ଉଚ୍ଚାରଣ କରେ ବା ତାଙ୍କ ବହି ପଢ଼େ।
ଭାଗବତ କହେ ଯିଏ ଜନ୍ମ ନିଏ ସିଏ ମରେ । ଏଥରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ମଣିଷର କାମ ତାକୁ ଅମର କରେ। ତେଣୁ ଗୀତାର ଅଷ୍ଟାଦଶ ଶ୍ଳୋକରେ ବର୍ଣ୍ଣିତ ଅଛି, ମଣିଷ ଜନ୍ମ ପୂର୍ବରୁ ଅଦୃଶ୍ୟ ଥାଏ ମାତୃଗର୍ଭରେ, ମଲା ପରେ ପୁଣି ମିଶିଯାଏ ମାଟି ମା’ ସାଙ୍ଗରେ। ମାତ୍ର ତା କର୍ମ ତାକୁ ଅମର କରେ। ଚିରଞ୍ଜୀବୀ କରେ।
୧୯୮୪ ମସିହାରେ ସୁରେନ୍ଦ୍ର ଦୈନିକ ଖବରକାଗଜ ସମ୍ବାଦର ପ୍ରଥମ ସମ୍ପାଦକ ଭାବରେ ଦାୟିତ୍ଵ ଗ୍ରହଣ କଲେ। ଏବଂ ସେହି ସମ୍ବାଦର ସାହିତ୍ୟ ପୃଷ୍ଠାରେ ଲେଖା ହେଲା ‘ଶେଷ ସ୍ତମ୍ଭ’।
ସୁରେନ୍ଦ୍ରଙ୍କ ସାନ ପୁଅ କିଟୁ ଡ଼ିସେମ୍ବର ୨୧, ୧୯୯୦ ମସିହାରେ ତାଙ୍କ ଠାରୁ ଶେଷ ଡିକ୍ଟେସନ ନେଇଥିଲା ‘ଶେଷ ସ୍ତମ୍ଭ’ ପାଇଁ। ସୁରେନ୍ଦ୍ର ଗଦ୍ୟ ସାହିତ୍ୟ ପାଇଁ ପ୍ରାୟତଃ ୪୨ଟି ପୁସ୍ତକ ରଚନା କରିଛନ୍ତି। ‘ଶେଷସ୍ତମ୍ଭ’ ଗୋଟିଏ ସ୍ତମ୍ଭ ଭାବରେ ବେଶ୍ ଜନାଦୃତ ଥିଲା। ସାମ୍ବାଦିକତା, ପ୍ରତ୍ୟକ୍ଷ ରାଜନୀତି, ମଣିଷ ସମାଜର ତତ୍କାଳୀନ ପରିସ୍ଥିତି, ପରିବେଶ ସହ ସୁରେନ୍ଦ୍ରଙ୍କ ନିବିଡ଼ ଅନୁଭବ ଥିଲା, ଯାହାକି ଥିଲା ‘ଶେଷସ୍ତମ୍ଭ’ର ମୂଳଭିତ୍ତି।
କ୍ଷୁଦ୍ର ଅଖ୍ୟାତ ପଲ୍ଲୀ ଗୋବରଲିପା ମାଟିପିଣ୍ଡାର ଆବେଗମୟ ଅନୁଭବରୁ ପାର୍ଲିଆମେଣ୍ଟର ବୌଦ୍ଧିକ ବିଚାର ଚିନ୍ତନ ସବୁ କିଛି ତାଙ୍କ ସାହିତ୍ୟରେ ହିଁ ମିଳେ। ଏହା କେବଳ ବୈଚିତ୍ର ବିମଣ୍ଡିତ ନୁହେଁ, ଏହା ବେଶ୍ ଚମତ୍କାରିତାରେ ପରିପୂର୍ଣ। କିଛି ନିର୍ଭିକ ନିରପେକ୍ଷ ମତ, କିଛି ଶାଶ୍ଵତ ଚିରନ୍ତନ ବାଣୀ, କିଛି ପ୍ରଜ୍ଞା ଟିପ୍ପଣୀ ତ କିଛି ସରସ ସୁନ୍ଦର କାତ୍ୟିକ ଉଚ୍ଚାରଣ। କିଛି ନିଜସ୍ଵ ଜୀବନ ଦର୍ଶନ।
ଅନେକ କୁହନ୍ତି ସେ ଲେଖକ ସୁରେନ୍ଦ୍ର ନୁହେଁ, ସିଏ କଥାସମ୍ରାଟ ଫକୀରମୋହନଙ୍କ ଦାୟାଦ । ତେଣୁ ଲୋକମୁଖରେ ସେ କଥାସମ୍ରାଟ ସୁରେନ୍ଦ୍ର। ନା, ମୋ ନାୟକ ସୁରେନ୍ଦ୍ର ମରି ନାହିଁ। ମୋ ଗଛଟି ବି ମରିନି। ଆହୁରି ଅଛି ମୋ ନାୟକର କଥା।
ଭଲ ଲାଗିଲେ ଜଣେଇବେ। ଲେଖିବି ଲୋକାପୁଅ ସୁରିଆ କଥା…
(ଲୋପାମୁଦ୍ରା ମହାନ୍ତିଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ଲୋକାପୁଅ ସୁରିଆ’ର କିୟଦଂଶ। ପ୍ରକାଶକ ବିକେ କ୍ଲାସିକ୍ସ ଭୁବନେଶ୍ଵରଙ୍କ ଅନୁମତି କ୍ରମେ।)
Also Read https://purvapaksa.com/more-than-31-lakh-motor-vehicle-rule-violation-e-challans-pending-in-odisha/
