କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଡିସେମ୍ବର ୧୮ ତାରିଖ ଦିନ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୟନ ହୋଇଥିବା ୨୧ଟି ବିଭିନ୍ନ ଭାଷାର ଲେଖକଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ତାଙ୍କର ପ୍ରବନ୍ଧ-ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ଚଳିତ ବର୍ଷର ଏହି ପୁରସ୍କାର ପାଇବେ। ଓଡ଼ିଆ ବିଭାଗର ପୁରସ୍କାର ମନୋନୟନ ପାଇଁ ଦେବଦାସ ଛୋଟରାୟ, ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ପାରମିତା ଶତପଥୀଙ୍କୁ ନେଇ ଗଠନ କରାଯାଇଥିବା ଏକ ତିନିଜଣିଆ ବିଚାରକମଣ୍ଡଳିର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ପୁରସ୍କାର ପାଇଥିବା ବିଷୟ ଜାଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ପ୍ରଫେସର ସାମଲ କହିଛନ୍ତି, “୮୭ ବର୍ଷର ବୁଢ଼ା ହେବାପରେ ଏହି ପୁରସ୍କାର ପାଇଲି। ଆଜି ଏହା ଘୋଷିତ ହେବା ପରେ ଶୁଭେଚ୍ଛୁମାନଙ୍କଠାରୁ ପ୍ରାୟ ୫୦୦ ଫୋନ୍ ପାଇଲିଣି। ପାଠକମାନଙ୍କର ଏହି ଭଲପାଇବା ମୋତେ ଅଭିଭୂତ କରିଛି।” ୧୯୩୭ ମସିହାରେ ଜନ୍ମିତ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ନିଜର ଅଜସ୍ର ରଚନାବଳୀରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରାୟ ୧୩୦ଟି ପୁସ୍ତକ ପ୍ରକାଶିତ। ତାଙ୍କର ସମାଲୋଚନାତ୍ମକ ପ୍ରବନ୍ଧଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକାମାନଙ୍କରେ ପ୍ରକାଶ ପାଇ ବିଶେଷ ଭାବରେ ଆଦୃତ ହୋଇଛି। ପରିଣତ ବୟସରେ ମଧ୍ୟ ସେ ବେଶ୍ ରଚନାପ୍ରବଣ ଅଛନ୍ତି।
ପ୍ରଫେସର ସାମଲ ୧୯୬୬ ମସିହାରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଚାକିରୀ ଜୀବନ ଆରମ୍ଭ କରିଥିଲେ ଏବଂ ତତ୍ପରେ ବିଭିନ୍ନ ବିଶିଷ୍ଟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଦୀର୍ଘ ୩୮ ବର୍ଷ କାଳ ଅଧ୍ୟାପନା କରିବାପରେ ୨୦୦୪ ମସିହାରେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଥିଲେ। ‘ଓଡ଼ିଆ ଗଳ୍ପ: ଗତି ଓ ପ୍ରକୃତି’, ‘ଓଡ଼ିଆ କାବ୍ୟ କବିତାର ଧରା ଓ ଧାରା’, ‘ଓଡ଼ିଆ ସାହିତ୍ୟର ଇତିହାସ’ ତାଙ୍କର ବହୁଚର୍ଚ୍ଚିତ ସୃଷ୍ଟିଗୁଡିକ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ‘ଏକା ଏକା ନକ୍ଷତ୍ର’ ଓ ‘ଶେଷ ଶୃଙ୍ଗାର’ ନାମରେ ତାଙ୍କର ଦୁଇଟି ଗଳ୍ପ ସଂକଳନ ଓ କେତୋଟି କବିତା ସଂକଳନ ମଧ୍ୟ ପ୍ରକାଶିତ। ସେ ୨୦୦୯ ମସିହାରେ ନିଜର ପୁସ୍ତକ ‘ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି’ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ।
ଆମ୍ବେଦକର ବିବାଦ: ଅମିତ ଶାହାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ, ୧, ୨, ୩ ନୁହେଁ, କଂଗ୍ରେସର ୮ଟି ଅପମାନ
