ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଆନୁଷ୍ଠାନିକ ଭାବେ ୨୬ ଡିସେମ୍ବର, ୧୯୨୫ରେ କାନପୁରରେ ଗଠିତ ହୋଇଥିଲା। ୨୦୨୫ରେ ଏହାର ଶତବାର୍ଷିକୀ ପାଳନ କରାଯାଉଛି। ସିପିଆଇ ବିଚାରଧାରା ମାର୍କସବାଦ-ଲେନିନବାଦରେ ନିହିତ।ଏହି ବିଚାରଧାରା ଦଶନ୍ଧି ଦଶନ୍ଧି ଧରି ଭାରତୀୟ ପ୍ରସଙ୍ଗ ସହିତ ଖାପ ଖୁଆଇ ଚାଲିଛି। ଉଭୟ ଐତିହାସିକ ଏବଂ ସମସାମୟିକ ଦିଗ ପ୍ରତି ଦୃଷ୍ଟି ଦେଇ ସିପିଆଇ ବିଚାରଧାରାର ମୂଳ, ଏହାର ବିବର୍ତ୍ତନ ଏବଂ ଆଜି ଏହା କେଉଁଠାରେ ଛିଡ଼ା ହୋଇଛି ତାହାର ଏକ ଆକଳନ କରାଯାଇପାରେ।
ସିପିଆଇର ଚିନ୍ତା ଓ ବିଚାର ମାର୍କ୍ସବାଦୀ-ଲେନିନ୍ବାଦୀ ନୀତି ଉପରେ ଆଧାରିତ। ଦଳ ମୂଳରୁ ହିଁ ଏହା ଉପରେ ଗୁରୁତ୍ୱ ଦେଇଆସିଛି। ଶ୍ରେଣୀ ସଂଘର୍ଷ ସେଥି ମଧ୍ୟରୁ ଅନ୍ୟତମ। ବାମପନ୍ଥୀ ବିଚାରଧାରାର ବିଶ୍ୱାସ ହେଉଛି ଯେ ସମାଜଟି ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ : ଶ୍ରମିକ ବର୍ଗ/ଶ୍ରମିକଶ୍ରେଣୀ ଏବଂ ବୁର୍ଜୁଆ/ପୁଞ୍ଜିପତି। ଏବଂ ,ଇତିହାସ ଏହି ଦୁଇ ଶ୍ରେଣୀର ସଂଘର୍ଷ ଦେଇ ଅଗ୍ରଗତି କରିଆସିଛି। ସିପିଆଇର ଲକ୍ଷ୍ୟ ହେଉଛି ପୁଞ୍ଜିବାଦୀ ଶୋଷଣକୁ ମୂଳପୋଛ କରି ଶ୍ରମିକ ବର୍ଗଙ୍କ ନେତୃତ୍ୱରେ ଏକ ସମାଜବାଦୀ ରାଷ୍ଟ୍ର ପ୍ରତିଷ୍ଠା କରିବା।
ସମାଜବାଦ ହେଉଛି ଏହାର ଅନ୍ୟ ଏକ ବିଶେଷତ୍ୱ। ଏହାର ଅନ୍ତିମ ଲକ୍ଷ୍ୟ ହେଉଛି ଏକ ଶ୍ରେଣୀହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା (କମ୍ୟୁନିଜ୍ମ)। ତେବେ ତତକ୍ଷଣାତ ଲକ୍ଷ୍ୟ ହେଉଛି ସମାଜବାଦ, ଯେଉଁଠି ଉତ୍ପାଦନର ମାଧ୍ୟମ (ଜମି, କାରଖାନା ଇତ୍ୟାଦି) ସାମୂହିକ ମାଲିକାନାଧୀନ ରହିବ, ଏବଂ ଧନ ବ ସମ୍ପତ୍ତିକୁ ସମାନ ଭାବରେ ବଣ୍ଟନ କରାଯିବ। ସାମ୍ରାଜ୍ୟବାଦକୁ ବିରୋଧ ହେଉଛି ପରବର୍ତ୍ତୀ ବିଚାରଧାରା। ସିପିଆଇ ସାମ୍ରାଜ୍ୟବାଦ ଏବଂ ଉପନିବେଶବାଦକୁ ବିରୋଧ କରିଆସିଛି ।
ଐତିହାସିକ ଦୃଷ୍ଟିକୋଣରୁ ବ୍ରିଟିଶ ଶାସନକୁ ଟାର୍ଗେଟ କରିଆସିଛି ଦଳ ଏବଂ ପରେ ଆମେରିକା ପରି ବିଶ୍ୱ ପୁଞ୍ଜିବାଦୀ ଶକ୍ତି ବିରୁଦ୍ଧରେ ମିଳିତ ହେବା ପାଇଁ ଆହ୍ଵାନ ଦେଇଛି । ତାପରେ ଆସୁଛି ଗଣତାନ୍ତ୍ରିକ ବିପ୍ଳବ। କେତେକ କମ୍ୟୁନିଷ୍ଟ- ଆନ୍ଦୋଳନ ହିଂସାତ୍ମକ ବିପ୍ଳବକୁ ସମର୍ଥନ କରୁଥିବା ବେଳେ, ଭାରତର ସ୍ୱାଧୀନତା ପରଠାରୁ ସିପିଆଇ ମୁଖ୍ୟତଃ ସମାଜବାଦ ପାଇଁ ଏକ ସଂସଦୀୟ ପଥ ଅନୁସରଣ କରିଛିଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଗଣତାନ୍ତ୍ରିକ ଢାଞ୍ଚା ମଧ୍ୟରେ କାର୍ଯ୍ୟ କରିଆସିଛି।
ଭୂମି ସଂସ୍କାର ଏବଂ ଶ୍ରମିକ ଅଧିକାର ହେଉଛି ସିପିଆଇର ଅନ୍ୟ ଏକ ପ୍ରମୁଖ ଦିଗ। ଭୂମିହୀନ କୃଷକମାନଙ୍କୁ ଜମି ପୁନଃବଣ୍ଟନ କରିବା, ଜମିଦାରୀ ବ୍ୟବସ୍ଥା ଭଳି ସାମନ୍ତବାଦୀ ପ୍ରଥାକୁ ଉଚ୍ଛେଦ କରିବା,ଶ୍ରମିକମାନଙ୍କ ପାଇଁ ଉଚିତ ମଜୁରୀ, ନିରାପଦ କାର୍ଯ୍ୟ ବ୍ୟବସ୍ଥା ଏବଂ ସଂଘ ଗଢିବାର ଅଧିକାର ସୁନିଶ୍ଚିତ କରିବା – ଏସବୁକୁ ବି ସିପିଆଇ. ସମର୍ଥନ କରେ। ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ତ ବିଚାରଧାରାର ମୂଳଦୁଆ ହୋଇ ଆସିଛି।
ସିପିଆଇ ଜାତି, ବର୍ଗ, ଲିଙ୍ଗ ଏବଂ ଧର୍ମ ମଧ୍ୟରେ ସମାନତାକୁ ପ୍ରୋତ୍ସାହିତ କରେ। ଏହା ସାମ୍ପ୍ରଦାୟିକତାକୁ ବିରୋଧ କରେ (ଉଦାହରଣ ସ୍ୱରୂପ, ହିନ୍ଦୁ ଜାତୀୟତାବାଦ) ଏବଂ ଦଳିତ, ମହିଳା ଏବଂ ସଂଖ୍ୟାଲଘୁଙ୍କ ପରି ଅବହେଳିତ ଗୋଷ୍ଠୀ ପାଇଁ ଲଢେଇ କରେ ।
୧୯୧୭ ମସିହାର ରୁଷୀୟ ବିପ୍ଳବ ଦ୍ୱାରା ଅନୁପ୍ରାଣିତ ହୋଇ ଏମ୍ଏନ ରୟଙ୍କ ଭଳି ମୂଳ ଭାରତୀୟ କମ୍ୟୁନିଷ୍ଟମାନେ ଉପନିବେଶବାଦ-ବିରୋଧୀ ଜାତୀୟତାବାଦକୁ ମାର୍କ୍ସବାଦୀ ବିଚାରଧାରା ସହିତ ମିଶ୍ରଣ କରିବାକୁ ଉଦ୍ୟମ କରିଥିଲେ। ସିପିଆଇ ପ୍ରଥମେ ବ୍ରିଟିଶ ଶାସନ ବିରୁଦ୍ଧରେ ଶ୍ରମିକ ଏବଂ କୃଷକମାନଙ୍କୁ ଏକତ୍ରିତ କରିବା, ଧର୍ମଘଟ ଆୟୋଜନ କରିବା ଏବଂ ଅଖିଳ ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ (ଏଆଇଟିୟୁସି) ଏବଂ ଅଖିଳ ଭାରତୀୟ କିଷାନ ସଭା ଭଳି ଗୋଷ୍ଠୀ ଗଠନ କରିବା ଉପରେ ଧ୍ୟାନ ଦେଇଥିଲା। ଦଳର ଉଗ୍ର ଆଭିମୁଖ୍ୟ ମିରଟ ଷଡ଼ଯନ୍ତ୍ର ମାମଲା (୧୯୨୯-୧୯୩୩) ଭଳି ବ୍ରିଟିଶ ଦମନକୁ ଆଗେଇ ନେଇଥିଲା।
ସ୍ୱାଧୀନତା ପରେ, ସିପିଆଇ ଭୂ-ସଂସ୍କାର, ଶ୍ରମ ଅଧିକାର ଏବଂ ବୁର୍ଜୁଆ ବର୍ଗ ସପକ୍ଷରେ ଯାଉଥିବା ଆର୍ଥିକ ନୀତିକୁ ବିରୋଧ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ୧୯୫୭ ମସିହାରେ ଇଏମ୍ଏସ୍. ନମ୍ବୁଦିରିପଦଙ୍କ ନେତୃତ୍ୱରେ କେରଳରେ ପ୍ରଥମ ଅଣ-କଂଗ୍ରେସ ସରକାର ଗଠନ କରି ଜମି ଏବଂ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲା। ସମୟ କ୍ରମେ ଏହି ସ୍ଥିତି ବଦଳିବାକୁ ଲାଗିଲା ।
ଆଂଶିକ ଭାବେ ଚୀନ-ସୋଭିଏତ ବିଭାଜନ (ସୋଭିଏତ ସଂଯମତା ବନାମ ଚୀନ ଉଗ୍ରବାଦ) ଏବଂ ୧୯୬୨ ଭାରତ-ଚୀନ ଯୁଦ୍ଧ ଉପରେ ସିପିଆଇର ଆଭିମୁଖ୍ୟକୁ ନେଇ ଆଦର୍ଶଗତ ପାର୍ଥକ୍ୟ ଏବଂ ଫାଟ ସୃଷ୍ଟି ହେଲା। ଅଧିକ ଉଗ୍ରବାଦୀ ଗୋଷ୍ଠୀଙ୍କୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି – ମାର୍କ୍ସବାଦୀ (ସିପିଏମ୍) ଗଠନ ହେଲା ଯାହା ଉଗ୍ର ସାମ୍ରାଜ୍ୟବା- ବିରୋଧୀ ଏବଂ ବୁର୍ଜୁଆ- ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିଲା। ପ୍ରଗତିଶୀଳ ବୁର୍ଜୁଆ ଭାଗିଦାରୀ ସହିତ ଏକ “ଜାତୀୟ ଗଣତାନ୍ତ୍ରିକ ବିପ୍ଳବ” କୁ ସମର୍ଥନ କରି ସିପିଆଇ ସୋଭିଏତ୍ ସମର୍ଥକ ଭାବରେ ରହିଲା, ଯେତେବେଳେ କି ସିପିଆଇ -ଏମ୍ ଶ୍ରମିକ ଏବଂ କୃଷକଙ୍କ ନେତୃତ୍ୱରେ ଏକ “ଜନ ଗଣତାନ୍ତ୍ରିକ ବିପ୍ଳବ”କୁ ଆଗେଇ ନେଇଥିଲା।
ସିପିଆଇ ବେଳେବେଳେ କଂଗ୍ରେସ ଦଳ ସହିତ ମେଣ୍ଟ କରିଥିଲା ( ୧୯୭୦-୧୯୭୭ରେ କେରଳରେ ଜରୁରୀକାଳୀନ ପରିସ୍ଥିତି ସମୟରେ)। ମୂଳ ନୀତି ସହିତ ଆପୋଷ ବୁଝାମଣା କରିଥିବାରୁ ଦଳ ସମାଲୋଚନାର ଶିକାର ବି ହୋଇଥିଲା। ପରବର୍ତୀ ସମୟରେ ସିପିଆଇ ୟୁନାଇଟେଡ୍ ଫ୍ରଣ୍ଟ (୧୯୯୬-୧୯୯୮) ଭଳି ମେଣ୍ଟ ସରକାରକୁ ସମର୍ଥନ କରିଥିଲା ଏବଂ ୟୁପିଏ (୨୦୦୪ -୨୦୦୯) କୁ ବାହ୍ୟ ସମର୍ଥନ ଦେଇଥିଲା। କ୍ରମଶଃ,ଏହାର ପ୍ରଭାବ କେରଳ, ପଶ୍ଚିମବଙ୍ଗ ଏବଂ ତ୍ରିପୁରା ଭଳି ରାଜ୍ୟରେ ବୃଦ୍ଧି ପାଇଥିଲା, ଯେଉଁଠାରେ ବାମପନ୍ଥୀ ସରକାରମାନେ ସଂସ୍କାରମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ।
ସିପିଆଇ ଭାରତର ନବ-ଉଦାରବାଦୀ ଆର୍ଥିକ ସଂସ୍କାରକୁ ବିରୋଧ କରି ଯୁକ୍ତି ଦର୍ଶାଇଥିଲା ଯେ ଏହା ଅସମାନତା ବୃଦ୍ଧି କରୁଛି ଏବଂ କର୍ପୋରେଟ ଜଗତକୁ ସମର୍ଥନ କରୁଛି। ଘରୋଇକରଣ, ବିଦେଶୀ ପୁଞ୍ଜି ପ୍ରବାହ ଏବଂ ସହଯୋଗୀ ପୁଞ୍ଜିବାଦକୁ (କ୍ରୋନି କ୍ୟାପିଟାଲିଜ୍ମ )ସମାଲୋଚନା କରି ପ୍ରମୁଖ ଶିଳ୍ପଗୁଡ଼ିକର ଜାତୀୟକରଣ ପାଇଁ ଦଳ ଓକିଲାତି କରିଥିଲା। ଆଜିର ଦିନରେ , ସିପିଆଇ ମାର୍କ୍ସବାଦ-ଲେନିନ୍ବାଦ ପ୍ରତି ପ୍ରତିବଦ୍ଧ ରହିଛି ସତ । କିନ୍ତୁ ସମାଜବାଦୀ ନୀତି ଉପରେ ଗୁରୁତ୍ୱ ଦେଇ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରୁଛି। ପ୍ରମୁଖ ଶିଳ୍ପଗୁଡ଼ିକର ସାର୍ବଜନୀନ ମାଲିକାନା, ସମ୍ପତ୍ତିର ପୁନଃବିତରଣ ଏବଂ ବଜାର ଲାଭ ତୁଳନାରେ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବା ପାଇଁ ଏକ ଯୋଜନାବଦ୍ଧ ଅର୍ଥବ୍ୟବସ୍ଥା ପାଇଁ ସିପିଆଇ ଆଜି ବି ଆହ୍ୱାନ ଦିଏ ।
ପ୍ରଶ୍ନ ଉଠେ, ଭାରତର ସାଂପ୍ରତିକ ରାଜନୈତିକ ବ୍ୟବସ୍ଥାରେ ସିପିଆଇର ପ୍ରାସଙ୍ଗିକତା କଣ? କହିବା ଅନାବଶ୍ୟକ ଯେ ,ସିପିଆଇର ନିର୍ବାଚନୀ ପ୍ରଭାବ ଜାତୀୟ ସ୍ତରରେ ସାଂଘାତିକ ଭାବେ ହ୍ରାସ ପାଇଛି। ଲୋକସଭାରେ ମାତ୍ର ଅଳ୍ପ କିଛି ଆସନ ( ୨୦୧୯ରେ ୨ଟି ଓ ୨୦୨୪ରେ ଶୁନ) ସହିତ ଦଳ ସଂଘର୍ଷ କରୁଛି। ତେବେ କେରଳ (ବାମ ଗଣତାନ୍ତ୍ରିକ ଫ୍ରଣ୍ଟ ସରକାରର ଅଂଶବିଶେଷ ଭାବରେ ), ତାମିଲନାଡ଼ୁ (ଡିଏମକେ ସହିତ ଏସପିଏ ମେଣ୍ଟର ଅଂଶୀଦାର ଭାବରେ ) ଏବଂ ତେଲେଙ୍ଗାନା (କଂଗ୍ରେସ ସହିତ ମେଣ୍ଟରେ) ଆଦି ରାଜ୍ୟ ସରକାରରେ ଏହାର ଗୁରୁତ୍ୱ ରହିଛି। ଟ୍ରେଡ ୟୁନିଅନ, କୃଷକ ଗୋଷ୍ଠୀ ଏବଂ ଛାତ୍ର/ଯୁବ ଶାଖାରେ ଏହାର ସାଂଗଠନିକ ଶକ୍ତି ବଜାୟ ରହିଛି।
ସୋଭିଏତ ୟୁନିଅନର ପତନ ଏବଂ ବିଶ୍ୱ ସାମ୍ୟବାଦର ଅବନତି ସିପିଆଇ ପାଇଁ ଆଦର୍ଶଗତ ଆହ୍ୱାନ ସୃଷ୍ଟି କରିଆସିଛି । ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଏକ ଉଦାରୀକୃତ, ଆକାଂକ୍ଷୀ ଭାରତରେ ମାର୍କ୍ସବାଦ-ଲେନିନ୍ବାଦ ପ୍ରତି ସିପିଆଇର କଠୋର ପ୍ରତିବଦ୍ଧତା ତାର ଆବେଦନ ଓ ଉପସ୍ଥିତିକୁ ସୀମିତ କରି ଦେଇଛି। ୧୯୬୪ର ବିଭାଜନ ଏବଂ ପରବର୍ତ୍ତୀ ଗୋଷ୍ଠୀବାଦ (ସିପିଏମ୍ ଓ ମାଓବାଦୀ ଗୋଷ୍ଠୀ) କମ୍ୟୁନିଷ୍ଟ ଆନ୍ଦୋଳନକୁ ଖଣ୍ଡବିଖଣ୍ଡିତ କରିଦେଇଥିଲା ଏକଥା ଯେକେହି ସ୍ଵୀକାର କରିବେ।
ନିଜକୁ ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟର ରକ୍ଷକ ଭାବରେ ବିଜେପି-ଆରଏସ୍ଏସ୍ ମିଳିତ ମଞ୍ଚର ‘ଫାସିବାଦୀ’ ପ୍ରବୃତ୍ତି ବିରୁଦ୍ଧରେ ସିପିଆଇ ସ୍ୱର ଉତ୍ତୋଳନ କରିଆସିଛି। ଦଳ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ ପ୍ରତିରୋଧ/ଆନ୍ଦୋଳନରେ ଅଂଶଗ୍ରହଣ କରିଛି ଏବଂ ନାଗରିକତା ସଂଶୋଧନ ଆଇନ (ସିଏଏ) କିମ୍ବା କୃଷି ଆଇନ ରଦ୍ଦ ଭଳି ନୀତିକୁ ବିରୋଧ କରିଛି। ସିପିଆଇର ଛାତ୍ର ଶାଖା (ଏଆଇଏସଏଫ) ସାଂସ୍କୃତିକ ପଦକ୍ଷେପ ମାଧ୍ୟମରେ ଯୁବ ବର୍ଗଙ୍କୁ ନିୟୋଜିତ କରୁଛି ସତ ହେଲେ ଜାତୀୟତାବାଦ ଏବଂ ଉପଭୋକ୍ତାବାଦର ପ୍ରଭାବକୁ ପ୍ରତିହତ କରିବା କ୍ଷେତ୍ରରେ ବିଶେଷ କୃତକାର୍ଯ ହୋଇନାହିଁ। ଜଳବାୟୁ ପରିବର୍ତ୍ତନ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥାର ଶୋଷଣ ଭଳି ଆଧୁନିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏହା ନିଜର ସନ୍ଦେଶକୁ ପୁନଃଉପସ୍ଥାପନ କରିବାକୁ ଚାହୁଁଛି, ଯଦିଓ ତାହାର ପ୍ରଭାବ ଆଦୌ ନାହିଁ ।
ସିପିଆଇର ବିଚାରଧାରା ସମାନତାବାଦରେ ନିହିତ ଥିବାବେଳେ, ଏବେ ଏହା ଅନେକ ଆହ୍ୱାନ ଓ ପରୀକ୍ଷାର ସମ୍ମୁଖୀନ ହେଉଛି। ଭାରତର ସ୍ୱାଧୀନତା ସଂଗ୍ରାମ, ଶ୍ରମ ଅଧିକାର ଏବଂ ଧର୍ମନିରପେକ୍ଷତାରେ ଦଳର ଭୂମିକାକୁ ସିପିଆଇର ସମର୍ଥକମାନେ ପ୍ରଶଂସା କରନ୍ତି। ଅପରପକ୍ଷରେ, ସମାଲୋଚକମାନେ ସୋଭିଏତ ୟୁନିଅନ୍ ସହିତ ଏହାର ଐତିହାସିକ ସମ୍ପର୍କ ଓ ମେଣ୍ଟ ଉପରେ ନକାରାତ୍ମକ ମତ ଦିଅନ୍ତି ।କାରଣ ? ଅନେକ ସମୟରେ ଦେଶର ପ୍ରାଥମିକତାକୁ ପଛରେ ପକାଇଦେବା ଭଳି ପଦକ୍ଷେପ ବି ସିପିଆଇ ନେଇ ଆସିଛି।
କଂଗ୍ରେସ ସହିତ କେରଳରେ ଜରୁରୀକାଳୀନ ସମୟର ମେଣ୍ଟକୁ ବି ସମାଲୋଚକମାନେ ଦଳର ଦମନ-ବିରୋଧୀ ଆଭିମୁଖ୍ୟର ବିଶ୍ୱାସଘାତକତା ଛଡା ଆଉ କିଛି ନୁହେଁ ବୋଲି କହନ୍ତି। ଦ୍ରୁତ ଗତିରେ ବଦଳୁଥିବା ଭାରତର ଆର୍ଥିକ ଏବଂ ସାଂସ୍କୃତିକ ପରିଦୃଶ୍ୟ ସହିତ ମାର୍କସବାଦକୁ ଖାପ ଖୁଆଇବାରେ ଏହାର ଅକ୍ଷମତା ମଧ୍ୟ ଜନସାଧାରଣଙ୍କ ନିକଟରେ ଏହାକୁ ଅପ୍ରାସଙ୍ଗିକ କରିଦେଇଛି । ନିର୍ବାଚନୀ ରାଜନୀତିରେ ଭାଗ ନେବା ସମୟରେ ବିପ୍ଳବକୁ ସମର୍ଥନ କରିବାର ବୈପରୀତ୍ୟ ବା ବିରୋଧାଭାସକୁ କିଛି ସମାଲୋଚକ ସିପଆଇ କଟୁରୀର ଉଗ୍ର ଧାର ଆଉ ନଥିବା କଥା କହନ୍ତି।
ଶ୍ରେଣୀ ସଂଘର୍ଷ, ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ଉପରେ ଧ୍ୟାନ ଦେଇ ଗଣତାନ୍ତ୍ରିକ ଉପାୟରେ ଏକ ସମାଜବାଦୀ ଭାରତ ପାଇଁ ଲକ୍ଷ୍ୟ ରଖିଥିବା ସିପିଆଇର ବିଚାରଧାରା ଏବେ ବି ମାର୍କସବାଦ-ଲେନିନ୍ବାଦରେ ସ୍ଥିର ହୋଇ ରହିଛି। ୧୦୦ ବର୍ଷରୁ ଅଧିକ ସମୟ ଧରି, ଉପନିବେଶବାଦ-ବିରୋଧୀ ଶକ୍ତିରୁ ଏକ ସଂସଦୀୟ ଖେଳାଳି ଭାବରେ ଏହା ବିକଶିତ ହୋଇଆସିଛି। ଭାରତର ଅନନ୍ୟ ସାମାଜିକ-ଅର୍ଥନୈତିକ ଢାଞ୍ଚା ସହିତ ଖାପଖୁଆଇବା ପାଇଁ ଦଳ ଉଦ୍ୟମ କେବଳ କରିଛି, ସଫଳ ହୋଇନାହିଁ।
ଯଦିଓ ସିପିଆଇର ପ୍ରଭାବ ଜାତୀୟ ସ୍ତରରେ ହ୍ରାସ ପାଇଛି, ଏହାର ଆଞ୍ଚଳିକ ସ୍ଥିତି ଦୃଢ ରହିଛି ଏବଂ ଅସମାନତା ଏବଂ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ତାର ନୈତିକ ସ୍ୱରକୁ ଦଳ ବଜାୟ ରଖିଛି। ଜଗତୀକରଣ ଭିତରେ ଏବଂ ଧୃବିକୃତ (ପୋଲାରାଇଜ୍ଦ) ଭାରତରେ ନିଜର ପ୍ରାସଙ୍ଗିକତାକୁ ବଜାୟ ରଖିବା ଓ ଆଦର୍ଶଗତ ଶୁଦ୍ଧତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହେଉଛି ବର୍ତ୍ତମାନ ଦଳ ପାଇଁ ସବୁଠାରୁ ବଡ ଆହ୍ୱାନ ।
ଭାସ୍କର ପରିଚ୍ଛା
Also readhttps://purvapaksa.com/elon-musks-starlink-gets-licenses-in-india/