ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜନୀତିକ କ୍ୟାରିୟରରେ ଲାଗିପାରେ ବଡ଼ ବ୍ରେକ୍। ଆସନ୍ତା ମନ୍ତ୍ରିମଣ୍ଡଳ ଅଦଳବଦଳରେ ସେ ହୋଇପାରନ୍ତି ସବୁଠାରୁ ଅଧିକ ପ୍ରଭାବିତ। ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କୁ ଭେଟି ବିଭାଗ ବିଷୟରେ ଆଲୋଚନା କରିବା ଏହାକୁ ଇଙ୍ଗିତ କରୁଛି। ଏ ପଛରେ ସବୁଠାରୁ ବଡ଼ ପ୍ଲଟ ହେଉଛି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର କିଛିକ୍ଷଣ ଭିତରେ ରାଜ୍ୟପାଳ ପୃଥ୍ୱୀରାଜଙ୍କୁ ଭେଟିଛନ୍ତି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମୋହନଙ୍କ କିଛି ଗୋଟିଏ ରାଜନୀତିକ ଗୋଟି ଚାଳନାକୁ ଏହା ସୂଚୀତ କରୁଛି।
ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣ୍ଡଳର ଖାଲିଥିବା ପଦବୀ ବି ପୂରଣ ହୋଇପାରେ। ହଠାତ୍ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ହରିବାକୁ କମ୍ଭମପତିଙ୍କୁ ସାକ୍ଷାତ୍ ଓ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଏବେ ରାଜନୀତିକ ମହଲକୁ ମୁଖର କରିଛି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଶ୍ରୀ କମ୍ଭମପତି ଆଇନମନ୍ତ୍ରୀଙ୍କ ଘରକୁ ଆସି ତାଙ୍କ ସହ ବିଭାଗର ଦକ୍ଷତା କିପରି ବୃଦ୍ଧି ପାଇପାରିବ ସେ ବିଷୟ ଆଲୋଚନା କରିଛନ୍ତି। ଏହାସହ ପୃଥ୍ୱୀରାଜ କହିଛନ୍ତି, ରାଜ୍ୟପାଳଙ୍କ ଏହି ଗସ୍ତ ରାଜନୀତିକ ଖୋରାକ ଯୋଗାଉନି କିନ୍ତୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମିଡିଆ ଯେଉଁ ଖୋରାକ ଦେଉଛି ତାହା ବନ୍ଦ ନ କରନ୍ତୁ। ଏହା ଏକ ବହୁତ ବଡ଼ ବୟାନ। ଏଠାରେ ପୃଥ୍ୱୀରାଜ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ସବୁକିଛି ସ୍ପଷ୍ଟ କରିଛନ୍ତି।
ଆଜି ଯାଏ ମନ୍ତ୍ରିମଣ୍ଡଳକୁ ୧୩ ମାସ ବିତିଲାଣି। ରାଜ୍ୟପାଳ କେବେ କୌଣସି ମନ୍ତ୍ରୀଙ୍କ ଘରକୁ ଯାଇ ତାଙ୍କ ବିଭାଗ ବିଷୟରେ ଆଲୋଚନା କରିବା ପୂର୍ବରୁ ଦେଖାଯାଇନାହିଁ ନାହିଁ। ରାଜ୍ୟପାଳ ମଧ୍ୟ ଏକ୍ସରେ ଏହି ଆଲୋଚନାକୁ ସ୍ପଷ୍ଟ କରିଛନ୍ତି। ଏଣୁ ଏଠାରୁ ଏହି ସିଦ୍ଧାନ୍ତ ଅଣାଯାଇପାରେ ଯେ ପୃଥ୍ୱୀରାଜଙ୍କୁ ନେଇ ରାଜନୀତିକ ସ୍ତରରେ କିଛି ବଡ଼ ଧରଣର ପରିବର୍ତ୍ତନ ହୋଇପାରେ।
ପୃଥ୍ୱିରାଜ ହେଉଛନ୍ତି ପୂର୍ବତନ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ, ରାଜ୍ୟରେ ବିଜେପିକୁ ରୂପ ଦେଇଥିବା ବରିଷ୍ଠ ନେତା ବିଶ୍ୱଭୂଷଣଙ୍କ ପୁତ୍ର। ପ୍ରଥମଥର ପାଇଁ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ନିର୍ବାଚିତ ପ୍ରତିନିଧି ଭାବେ ତାଙ୍କ ଅଭିଜ୍ଞତା ନାହିଁ। କିନ୍ତୁ ସେ ଏବେ ରାଜ୍ୟର ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି। ଏହି ବିଭାଗଗୁଡ଼ିକ ହେଉଛି ପୂର୍ତ୍ତ, ଆଇନ ଏବଂ ଅବକାରୀ। କୁହାଯାଏ ସରକାରୀ ପ୍ରଶାସନରେ ଏହି ତିନିଟିଯାକ ବିଭାଗ ଅତ୍ୟନ୍ତ ଲାଭକାରୀ ବିଭାଗ। ଏହାତ ମନ୍ତ୍ରୀ, ପ୍ରଶାସନ ଉପରେ ନିର୍ଭର କରୁଥିବ ଯେ ସେ କେତେ ଲାଭ ଏଥିରୁ ଅର୍ଜନ କରିଛନ୍ତି କିନ୍ତୁ ପୃଥ୍ୱୀରାଜଙ୍କୁ ପ୍ରଥମ ଦଫାରେ ଏପରି ତିନିଟି ବିଭାଗ ମିଳିବା ସମସ୍ତଙ୍କୁ ଚକିତ କରିଛି।
ଏହାଯେ କେବଳ ବିଶ୍ୱଭୂଷଣଙ୍କ ପୁଅ ବୋଲି ତା’ ନୁହେଁ। ରାଜନୀତିକ ସମୀକରଣକୁ ନଜର ପକାଇଲେ ଏହା ସ୍ପଷ୍ଟ ଯେ ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବଛାଯାଇଥିବା ଜଣେ ସୈନିକ, ଯିଏ ମନ୍ତ୍ରିମଣ୍ଡଳର ସଦସ୍ୟ। ଅର୍ଥାତ୍ କେନ୍ଦ୍ରମନ୍ତ୍ରୀଙ୍କ ଆଶୀର୍ବାଦ, ଲବି, ଧମକ ଯାହା ବି ଆପଣଙ୍କ ମନକୁ ଆସୁଛି ତାହାର ପ୍ରଭାବରେ ସେ ଏହି ତିନୋଟି ବିଭାଗକୁ ଅକ୍ତିଆର କରିବା ପାଇଁ ସକ୍ଷମ ହୋଇଛନ୍ତି।
ଗଲା ୧୩ ମାସ ଭିତରେ ରାଜ୍ୟରେ ମଦ ମୃତ୍ୟୁ, ରଥଯାତ୍ରା ବିଶୃଙ୍ଖଳା ଏବଂ ପୂର୍ତ୍ତ ବିଭାଗକୁ ନେଇ ଅମୂଳକ ଘୋଷଣା ତାଙ୍କୁ ଅଡ଼ୁଆରେ ପକାଇଛି। ଏପରିକି ହରଦମ୍ ଟିଭିରେ ଛାଇ ହୋଇ ରହୁଥିବା ପୃଥ୍ୱୀରାଜ ଓରଫ ଟିଟ ଅନେକ ସମୟରେ ଅବାନ୍ତର ଯୁକ୍ତି ବାଢ଼ିବା, ତାକୁ ଫେରାଇବା ଭଳି ଅନେକ ଉଦାହରଣ ଦେଖାଯାଇଛି। ଅର୍ଥାତ୍ ପୃଥ୍ୱୀରାଜ ସରକାରଙ୍କୁ ବିବାଦ, ଅପବାଦ ମୁଣ୍ଡାଇବାରେ ସହାୟକ ହୋଇଛନ୍ତି। କିଛି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହୋଇଛନ୍ତି। ନିଜର ଅପରିପକ୍ୱତା ହେତୁ ମିଡିଆରେ ରହିବା ଲାଗି ଅଫିସରମାନେ ତାଙ୍କୁ ଭୁଲ୍ ତଥ୍ୟରେ ପ୍ରେରିତ କରାଇଥିବା କୁହାଯାଇଛି ଓ ସେ ଏଥିରେ ବି ପ୍ରବାହିତ ହୋଇଛନ୍ତି। ଏହା ଜଣେ ଅପରିପକ୍ୱ ମନ୍ତ୍ରୀଙ୍କ ଉଦାହରଣ ଦେଇଛି। ଏଣୁ ହୁଏତ ଆସନ୍ତା ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ତାଙ୍କ ଉପରେ ମୋହନ-ମନମୋହନ ଖଣ୍ତା ପଡ଼ିପାରେ। ଏ ଖଣ୍ଡା ପଡ଼ିବା ପୂର୍ବରୁ ରାଜ୍ୟପାଳ ତାଙ୍କୁ ଆଭାସ ଦେବାକୁ ଆସିଥାଇପାରନ୍ତି। ଆଉ ଆଗକୁ କ’ଣ ହେବ, ଏହା ପଚାରୁଛନ୍ତି? ଖଣ୍ଡା ପଡ଼ିବା ପରେ ତାହା ଜଣାପଡ଼ିବ। ପୂରା ଚୋଟ ଖାଇ ମନ୍ତ୍ରୀ ବିଦାୟ ନେଇପାରନ୍ତି ଅଥବା କିଛି ଅଙ୍ଗ ବା ବିଭାଗ କଟିଯାଇପାରେ, ଏହା କିନ୍ତୁ ସମୟ କହିବ।
ଏବେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା। ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଜ୍ୟର ୬ ମନ୍ତ୍ରି ପଦବୀ ପୂରଣ କରାଯାଇପାରି ନାହିଁ। ଅପରପକ୍ଷେ ଅନେକ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବାରମ୍ବାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅପରପକ୍ଷେ ରାଜ୍ୟ ସଭାପତି ନିର୍ବାଚନ ପରେ ରାଜ୍ୟ ବିଜେପିରେ ଗଣିତ ବା ସମୀକରଣ ବଦଳିଛି। ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବକୁ ହ୍ରାସ କରାଯାଇ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭାପତିଙ୍କ ଯୋଡ଼ିକୁ ଗୁରୁତ୍ୱ ଦେଇଛନ୍ତି।
ପୁଣି ସଭାପତି ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ପରେ ମନମୋହନ ସାମଲ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଖୁବ ଶୀଘ୍ର ହେବ ବୋଲି ସୂଚନା ଦେଇଛନ୍ତି। ଏ ଭିତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇ ବିଭିନ୍ନ ନେତାଙ୍କୁ ଭେଟି ୨୦୨୯ ପାଇଁ ସରକାରଙ୍କୁ ପ୍ରସ୍ତୁତ କରିବାର ପୂରା ସ୍ୱାଧୀନତା ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସଂଘ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ, ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପ୍ରଭୃତିଙ୍କୁ ଭେଟିଛନ୍ତି। ଓଡ଼ିଶା ରାଜନୀତି ବାବଦରେ ଚର୍ଚ୍ଚା କରିଛନ୍ତି। ଏପରିକି ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପାଇଁ ସବୁଜ ସଙ୍କେତ ପ୍ରାପ୍ତ କରିଥିବା କୁହାଯାଏ।
ଏଣୁ ଆସନ୍ତା କିଛିଦିନ ଭିତରେ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଦେଖିବା ନିଶ୍ଚିତ। ଏଥିରେ କିଛି ପୁରୁଣା ମୁହଁ ବଦଳି ପାରନ୍ତି ଆଉ କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେ, କିଛି ମନ୍ତ୍ରୀଙ୍କ ବିଭାଗ ଛେଦନ ବି ହୋଇପାରେ। ଏ ତାଲିକାରେ ୬ରୁ ଅଧିକ ମନ୍ତ୍ରୀଙ୍କ ନାଁ ରହିଛି। ଏଣୁ ୬ ନୂଆ ମୁହଁ ଭିତରେ କେଉଁମାନେ ଆସିବେ ଆଉ ୧୫ ପୁରୁଣା ମୁହଁରୁ କେଉଁମାନେ ଯିବେ ତାହା କେବଳ ସମୟ ହିଁ କହିବ।
Also Readhttps://purvapaksa.com/balanga-minor-girl-set-ablaze-supreme-court-says-we-are-in-shame/


