ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ସମ୍ବିଧାନ ବଚାଓ ସମାବେଶକୁ ସମ୍ବୋଧିତ କରି ଓଡ଼ିଶା ସରକାର ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ। ଏହାସହ ବିଜେଡି ଉପରେ ମଧ୍ୟ ଆଖିବୁଜା ଆକ୍ରମଣ କରିଛନ୍ତି। ଉଭୟ ବିଜେଡି ଓ ବିଜେପି ଉପରେ ଦୁର୍ନୀତି, ଦାଦନ ଏବଂ ଲୋକଙ୍କ ବିଶ୍ୱାସଘାତକତାର ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ।
ଓଡ଼ିଶାରେ ପୂର୍ବରୁ ବିଜେଡି ସରକାର ଆଉ ଏବେ ବିଜେଡି ସରକାର, “ଲୋକଙ୍କଠାରୁ ଚୋରି” କରିଛନ୍ତି ଏବଂ ସେମାନଙ୍କ ଅଧିକାର ହଡ଼ପ କରିଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । “ଏହା ଲୋକଙ୍କ ସରକାର ନୁହେଁ। ଏହା ଆଦାନୀ ଭଳି ୫-୬ ଜଣ କୋଟିପତିଙ୍କ ସରକାର। ସେମାନେ ଆପଣଙ୍କ ଜମି, ଆପଣଙ୍କ ଜଙ୍ଗଲ, ଆପଣଙ୍କ ଭବିଷ୍ୟତ ଚୋରି କରନ୍ତି”। ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ବିଜେପି ଉପରେ ଅଭିଯୋଗ କରି ରାହୁଲ ଗାନ୍ଧୀ କହିଛନ୍ତି, “ବିଜେପି ଯୋଜନାବଦ୍ଧ ଭାବରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଏହାକୁ ସୁରକ୍ଷା ଦେବା ପାଇଁ ଲଢ଼େଇ କେବଳ ଲୋକଙ୍କ ସମର୍ଥନରେ ଜିତିହେବ।”
ଭୋଟର ଜାଲିଆତିର ଅଭିଯୋଗ ଆଣି ଗାନ୍ଧୀ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଭୋଟର ତାଲିକାରେ ହେରଫେର ହୋଇଛି ଏବଂ ବିହାରରେ ସମାନ ଯୋଜନା ଚାଲିଛି। “ମହାରାଷ୍ଟ୍ରରେ ଯେପରି ଭୋଟର ତାଲିକା ଚୋରି ହୋଇଥିଲା, ସେହିପରି ବିହାରରେ ମଧ୍ୟ ସେହିପରି ଘଟୁଛି” ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିବା ସହ, ଓଡ଼ିଶାକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। କଂଗ୍ରେସ ନେତା ଆଦିବାସୀଙ୍କ ଭୂମି ଅଧିକାର ଏବଂ ବିସ୍ଥାପନର ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଧିକାର, କିନ୍ତୁ ପେସା ଆଇନ କାର୍ଯ୍ୟକାରୀ ନକରି ଏଗୁଡ଼ିକ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି। “ପେସା ଆଇନ କାର୍ଯ୍ୟକାରୀ ନକରି ଆଦିବାସୀମାନଙ୍କୁ ବିତାଡ଼ିତ କରାଯାଉଛି। ଏହା ଘୋର ଅନ୍ୟାୟ” ବୋଲି ସେ କହିଛନ୍ତି।
ଖାଲି ସେତିକି ନୁହେଁ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଶିଳ୍ପପତି ଆଦାନୀଙ୍କ ପରିବାର ପାଇଁ ଜଗନ୍ନାଥଙ୍କ ରଥ ଟଣା ଜାଣିଶୁଣି ବନ୍ଦ କରାଯାଇଥିଲା, ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ, ସେ ଅଭିଯୋଗ କରିଛନ୍ତି ଯେ, ଏହା ରାଜ୍ୟ ଶାସନ ଉପରେ କର୍ପୋରେଟ୍ ନିୟନ୍ତ୍ରଣର ପରିମାଣକୁ ଦର୍ଶାଉଛି। “ରଥଯାତ୍ରା ସମୟରେ ଏକ ନାଟକ ହୋଇଥିଲା। ଆଦାନୀଙ୍କ ପରିବାର ପାଇଁ ରଥ ବନ୍ଦ କରାଯାଇଥିଲା। ଏହା ଓଡ଼ିଶା ସରକାରଙ୍କ ବିଷୟରେ ସବୁକିଛି ଦର୍ଶାଉଛି” ବୋଲି ସେ କହିଛନ୍ତି।
ଏହାସହ ମହିଳା ସୁରକ୍ଷା ନେଇ ସରକାରଙ୍କୁ ଘେରିଛନ୍ତି। ରାଜ୍ୟରେ ମହିଳା ସୁରକ୍ଷାର ଏକ ଗମ୍ଭୀର ସଙ୍କଟରେ ରହିଥିବା ଅଭିଯୋଗ କରି ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ୪୦,୦୦୦ରୁ ଅଧିକ ମହିଳା ନିଖୋଜ ହୋଇଛନ୍ତି। “ଏଠାରେ ପ୍ରତିଦିନ ପନ୍ଦର ଜଣ ମହିଳାଙ୍କୁ ବଳାତ୍କାର କରାଯାଏ, ତଥାପି ସରକାର ନୀରବ। କାହିଁକି?”। ଏହାସହ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ଉଚିତ୍ ବୋଲି ରାହୁଲ କହିଛନ୍ତି । ଏହାସହ ସେ କାହିଛନ୍ତି, ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି ।ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ପ୍ରଶାସନରେ । ତେଣୁ ଓଡ଼ିଶାରେ ଜାତି ଜନଗଣନା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଏହା ଦଳିତମାନଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି ।
ତେବେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, “ବିଜେପି ହେଉଛି ଏକମାତ୍ର ଦଳ ଯାହା ପ୍ରକୃତରେ ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ କାମ କରୁଛି। ରାହୁଲ ଗାନ୍ଧୀ କେବଳ ବିରୋଧୀ ଦଳରେ ଥିବାରୁ ଏପରି କହୁଛନ୍ତି। ଧାନର ୩୧୦୦ ଟଙ୍କା ଏମଏସପି ପାଇ ଓଡ଼ିଶାର ଚାଷୀମାନେ ଖୁସି, ସୁଭଦ୍ରା ଯୋଜନାରୁ ମହିଳାମାନେ ଉପକୃତ ହେଉଛନ୍ତି। ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକମାନେ ମାସିକ ୩,୫୦୦ ଟଙ୍କା ଭତ୍ତା ପାଉଛନ୍ତି। ମୋହନ ମାଝୀ ସରକାର ଅନେକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଥିବାରୁ ରାଜ୍ୟ ସାରା ଲୋକମାନେ ସନ୍ତୁଷ୍ଟ ଅଛନ୍ତି ।”
