Lalu Yadav Vs Nitish Kumar: ୧୯୯୦ମସିହାରେ ଲାଲୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାମସୁନ୍ଦର ଦାସଙ୍କୁ ପରାସ୍ତ କରି କ୍ଷମତାକୁ ଆସିଥିଲେ। ଦେବୀଲାଲ ଓ ଚନ୍ଦ୍ରଶେଖରଙ୍କ ସମର୍ଥନରେ ସେ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲେ।
ବର୍ତ୍ତମାନ ବିହାର ବିଧାନସଭା ଅଧିବେଶନ ଚାଲିଛି। ଗୃହ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଚାଲିଛି। ବଜେଟ୍ ଉପରେ ବିତର୍କ ପରେ ନୀତିଶ କୁମାର ଯେତେବେଳେ ତାଙ୍କ ସରକାରଙ୍କୁ ପ୍ରଶଂସା କରୁଥିଲେ, ତେଜସ୍ୱୀ ବାଧା ଦେଇଥିଲେ। ଏହାକୁ ନେଇ ନୀତିଶ ଉତ୍କ୍ଷିପ୍ତ ହୋଇ କହିଥିଲେ ଯେ, ତୁମେ କିଛି ଜାଣି ନାହଁ, ତୁମେ ପିଲାଲୋକ, ତୁମ ବାପାଙ୍କୁ ପଚାର, ମୁଁ ତୁମ ବାପାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲି। ଯଦିଓ ତୁମ ଜାତିର ଲୋକମାନେ ମୋତେ କହୁଥିଲେ ଯେ କାହିଁକି ଏହାକୁ ମୁଖ୍ୟମନ୍ତ୍ରୀ କରୁଛ। ପ୍ରକୃତରେ ନୀତିଶ କୁମାର ଅନୁପ ଲାଲ ଯାଦବଙ୍କ କଥା କହୁଥିଲେ। ୧୯୯୦ ମସିହାରେ ଲାଲୁ ଯାଦବ ସମସ୍ତ ଯାଦବଙ୍କୁ ପଛରେ ପକାଇ ବିହାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ନୀତିଶଙ୍କ ବୟାନ ପରେ ତେଜସ୍ୱୀ ଯାଦବ ତାଙ୍କ ବାପା ଲାଲୁ ଯାଦବଙ୍କୁ ଟାର୍ଗେଟ କରିବାକୁ ନେଇ ନୀତିଶଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଆମେ ନୀତିଶ ବାବୁଙ୍କୁ ଦୁଇଥର ମୁଖ୍ୟମନ୍ତ୍ରୀ କରିଛୁ। ସେମାନେ କାହାକୁ କ’ଣ ମୁଖ୍ୟମନ୍ତ୍ରୀ କରିବେ? ତେଜସ୍ୱୀ ୨୦୧୫ ଓ ୨୦୨୨ରେ ଆରଜେଡି-ଜେଡିୟୁ ମେଣ୍ଟ ସରକାର କଥା କହୁଥିଲେ। ତେବେ ଆଜି ଆମେ ସେହି କାହାଣୀ ବିଷୟରେ କହିବୁ, ଯାହାବାବଦରେ ସିଏମ ନୀତିଶ ବିଧାନସଭାରେ କହିଥିଲେ। ଏହା ହେଉଛି ଲାଲୁଙ୍କୁ ମୁଖ୍ୟମନ୍ତ୍ରୀ ହେବାର କାହାଣୀ।
ବିହାରରେ ଲାଲୁ ରାଜ
ଲାଲୁ ଯାଦବ ୧୯୯୭ରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଗଠନ କରିଥିଲେ, କିନ୍ତୁ ଏହା ପୂର୍ବରୁ ସେ ୭ ବର୍ଷ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଥମେ ସେ ଜନତାଦଳ ତରଫରୁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ଦଳରେ ବିଭାଜନ କରି ନିଜର ଦଳ ଗଠନ କରିଥିଲେ। ସମାଜବାଦୀ ଆଦର୍ଶ ସତ୍ତ୍ୱେ ସେ ପରିବାରବାଦକୁ ଗ୍ରହଣ କରିଥିଲେ। କର୍ପୂରୀ ଠାକୁରଙ୍କ ଦେହାନ୍ତ ପରେ ଲାଲୁ ଯାଦବ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ। ସେହି ସମୟରେ କଂଗ୍ରେସ ବିରୋଧରେ ଲହର ସୃଷ୍ଟି ହୋଇଥିଲା ଏବଂ ଲୋକସଭା ନିର୍ବାଚନ ହେଉଥିଲା। ଲାଲୁ ଏହି ସୁଯୋଗର ଫାଇଦା ଉଠାଇ ଛପ୍ରାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ଦିଲ୍ଲୀରେ ପହଞ୍ଚିଥିଲେ।
ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୌଡ଼
ଏହାର ୪ ମାସ ପରେ ୧୯୯୦ରେ ବିହାର ବିଧାନସଭା ନିର୍ବାଚନ ହୋଇଥିଲା। ଜନତା ଦଳ ୧୩୨ଟି ଆସନରେ ବିଜୟୀ ହୋଇଥିବାବେଳେ ସହଯୋଗୀ ସିପିଆଇ ସହ ମିଶି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହାପରେ ଲାଲୁ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ସମର୍ଥନ ମିଳିବ ବୋଲି ସେ ଆଶା ରଖିଥିଲେ, କିନ୍ତୁ ଭିପି ସିଂହ ଚାହୁଁଥିଲେ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ରାମସୁନ୍ଦର ଦାସଙ୍କୁ ତାଙ୍କର ସମର୍ଥନ ଥିଲା। ଅଜିତ ସିଂହ, ଜର୍ଜ ଫର୍ଣ୍ଣାଣ୍ଡିଜ୍ ଓ ସୁରେନ୍ଦ୍ର ମୋହନଙ୍କୁ ପାଟନା ପଠାଇ ରାମସୁନ୍ଦର ଦାସଙ୍କ ଦାବିକୁ ଦୃଢ଼ କରିବାକୁ ଚେଷ୍ଟା କରିଥିଲେ ଭିପି ସିଂହ।
ଲାଲୁଙ୍କ ରଣନୀତି
ଲାଲୁ ଯାଦବ ଜନତା ଦଳର ଗୋଷ୍ଠୀକନ୍ଦଳର ଫାଇଦା ଉଠାଇ ବିଧାୟକ ଦଳ ନେତା ନିର୍ବାଚିତ କରିବାକୁ ଦାବି କରିଥିଲେ। ତାଙ୍କୁ ଦେବୀଲାଲଙ୍କ ସମର୍ଥନ ମିଳିଥିଲା ଯିଏ କି ଭିପି ସିଂଙ୍କ ବିରୁଦ୍ଧରେ ଥିଲେ। ଏହାର ଜବାବରେ ହରିୟାଣାର ଜାଟମାନେ ଦୁଇଜଣ ଯାଦବଙ୍କୁ ତିଆରି କରିଥିଲେ। ଜଣେ ଥିଲେ ଶରଦ ଯାଦବ ଓ ଅନ୍ୟଜଣକ ଥିଲେ ମୁଲାୟମ ସିଂହ ଯାଦବ। ଲାଲୁଙ୍କ ସମର୍ଥନରେ ସେମାନଙ୍କୁ ପାଟନା ପଠାଯାଇଥିଲା। ଚନ୍ଦ୍ରଶେଖରଙ୍କଠାରୁ ମଧ୍ୟ ଲାଲୁ ସାହାଯ୍ୟ ମାଗିଥିଲେ। ଚନ୍ଦ୍ରଶେଖରଙ୍କୁ ସେ ବିନତୀ କରିଥିଲେ ଯେ, ଯଦି ସାହାଯ୍ୟ ନ କରିବେ ତେବେ ଗରିବର ପୁଅ ରାସ୍ତାରେ ରହିଯିବ। ଦୟାକରି ଆମକୁ ସାହାଯ୍ୟ କରନ୍ତୁ, ନଚେତ୍ ଭିପି ସିଂହ ତାଙ୍କ ବ୍ୟକ୍ତିଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିଦେବେ। ଏହା ଶୁଣି ଚନ୍ଦ୍ରଶେଖର ବି ବିବ୍ରତ ହୋଇଯାଇଥିଲେ ଓ ଲାଲୁଙ୍କ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ। ଏମିତିରେ ବି ତାଙ୍କର ଭିପି ସିଂଙ୍କ ସହ ପଟୁନଥିଲା। ଏହି ମୌକାରେ ସେ ଭିପିଙ୍କ ସହ ନିଜ ରାଜନୈତିକ ହିସାବ ନିକାଶ କରିବାକୁ ଚାହୁଁଥିଲେ। ଯାହାର ଫାଇଦା ଲାଲୁଙ୍କୁ ମିଳିଥିଲା।
ବିଧାୟକ ଦଳ ବୈଠକ ଦିନ ରଘୁନାଥ ଝା ହଠାତ୍ ପ୍ରାର୍ଥୀ ହୋଇଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ଜଣ ପ୍ରାର୍ଥୀ ମୈଦାନରେ ଥିଲେ- ଲାଲୁ ଯାଦବ, ରାମସୁନ୍ଦର ଦାସ ଓ ରଘୁନାଥ ଝା। ଅନୁପ ଲାଲ ଯାଦବ ଏବଂ ଗଜେନ୍ଦ୍ର ହିମାଂଶୁ, ଯେଉଁମାନେ ୧୯୬୭ ମସିହାରୁ ବିଧାନସଭା ନିର୍ବାଚନ ଜିତି ଆସୁଥିଲେ, ସେମାନେ ପୂର୍ବରୁ ଦୌଡ଼ରୁ ବାଦ୍ ପଡ଼ିଥିଲେ। ରଘୁନାଥ ଝାଙ୍କୁ ଚନ୍ଦ୍ରଶେଖରଙ୍କ ସମର୍ଥନ ମିଳିଥିଲା କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା ବିରୋଧୀ ଭୋଟ୍ ବିଭାଜନ କରିବା। ଭୋଟ୍ ଜାତି ଭିତ୍ତିରେ ବିଭକ୍ତ ହୋଇଥିଲା- ହରିଜନମାନେ ରାମସୁନ୍ଦର ଦାସଙ୍କୁ ସମର୍ଥନ କରିଥିଲେ, ଉଚ୍ଚ ଜାତି ରଘୁନାଥ ଝାଙ୍କୁ ସମର୍ଥନ କରିଥିଲେ ଏବଂ ପଛୁଆ ଜାତିଲାଲୁ ଯାଦବଙ୍କୁ ସମର୍ଥନ କରିଥିଲେ। ଛାତ୍ର ରାଜନୀତିରେ ନୀତିଶ କୁମାର ନିଜର ଭୂମିକା ଜାରି ରଖିଥିଲେ। ସେ ଲାଲୁ ଯାଦବଙ୍କୁ ସମର୍ଥନ କରିଥିଲେ। ତେବେ ନୀତିଶ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ କହିଲେ ଅଧିକ ହେବ। କାରଣ ସେ ଲାଲୁଙ୍କ ମୁଖ୍ୟମନ୍ତ୍ରୀ ଦୌଡରେ ବିଜୟୀ ହେବାରେ କୌଣସି ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିନଥିଲେ । ଯାହା ହେଉ ଲାଲୁ ସାମାନ୍ୟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ଶପଥ ଗ୍ରହଣରେ ବାଧା
ଲାଲୁଙ୍କ ଶପଥ ଗ୍ରହଣ ବନ୍ଦ କରିବାକୁ ଅଜିତ ସିଂହ ରାଜ୍ୟପାଳ ମହମ୍ମଦ ୟୁନୁସ ସଲିମଙ୍କୁ ଅନୁରୋଧ କରିଥିଲେ । ହାଇକମାଣ୍ଡଙ୍କ ଠାରୁ ସମ୍ମତି ନେବାକୁ ପଡ଼ିବ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଯେତେବେଳେ ଲାଲୁ ଏହି ଖବର ପାଇଲେ, ସେ ରାଗି ଯାଇ ରାଜ୍ୟପାଳଙ୍କୁ ଅନୁସରଣ କରି ବିମାନବନ୍ଦରକୁ ଯାଇଥିଲେ, କିନ୍ତୁ ସେତେବେଳକୁ ତାଙ୍କ ବିମାନ ଉଡ଼ାଣ ଭରି ସାରିଥିଲା। ଦେବୀଲାଲଙ୍କ ହସ୍ତକ୍ଷେପ ପରେ ରାଜ୍ୟପାଳ ପାଟନା ଫେରି ଆସିଥିଲେ ଏବଂ ୧୦ ମାର୍ଚ୍ଚ, ୧୯୯୦ରେ ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ। କିନ୍ତୁ ଲାଲୁ ଯାଦବ ରାଜଭବନରେ ନୁହେଁ, ପାଟନାର ଗାନ୍ଧୀ ମଇଦାନରେ ଶପଥ ନେଇଥିଲେ। ସେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀଭାବେ ଖୋଲା ପଡ଼ିଆରେ ଜନସାଧାରଣଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିଲେ। ଜେପିଙ୍କ ପ୍ରତିମୂର୍ତ୍ତି ନିକଟରେ ସେ ବିହାରର ଶାସନ ଭାର ସମ୍ଭାଳିବାକୁ ଘୋଷଣା କରିଥିଲେ, ଯେଉଁଠାରେ ସେ ପ୍ରତ୍ୟେକ ଆନ୍ଦୋଳନ ପୂର୍ବରୁ ପ୍ରେରଣା ନେବାକୁ ଯାଉଥିଲେ।
Also readhttps://purvapaksa.com/woman-cant-claim-rape-after-being-in-live-in-for-16-years-supreme-court/
ବିବାହର ପ୍ରତିଶ୍ରୁତି ଦେଇ ୧୬ ବର୍ଷ ଶାରିରିକ ସମ୍ପର୍କ ରଖିବା ବିଶ୍ୱାସଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ
