ଦୁଇ ଦିନ ତଳେ ଇନ୍ଫୋସିଟି ଅଞ୍ଚଳର ଶିକ୍ଷାନୁଷ୍ଠାନର ବି-ଫାର୍ମା ଛାତ୍ର ତଥା ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅଙ୍କନ ତ୍ରିପାଠୀ(୧୯)ଙ୍କର କୁଆଖାଇ ନଦୀରେ ବୁଡି ମୃତ୍ୟୁଘଟିଛି। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି । ମାର୍ଚ୍ଚ ମାସରେ ସମାନ ସ୍ଥାନରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ସମୁଦାୟ ୪ରୁ ଅଧିକ ଲୋକ କୁଆଖାଇରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକମାନଙ୍କ ମଧ୍ୟରେ ୩ ଜଣ ମାତ୍ର ୨୦ ବର୍ଷ ବୟସର ଛାତ୍ର ଗତ ୭ ବର୍ଷ ମଧ୍ୟରେ କୁଆଖାଇ ନଦୀରେ ବୁଡ଼ି ପ୍ରାୟ ୬୦ ଜଣଙ୍କର ଜୀବନ ଯାଇଛି।
ସୂଚନାନୁସାରେ ବି ଫାର୍ମା ବିଭାଗର ଆଜି ୫ ଜଣ ଛାତ୍ର ଅପରାହ୍ନରେ ବରିମୁଣ୍ଡ ନିକଟ ଜରିପାଟଣା ବାଲିଯାତ୍ରାପଡ଼ିଆ ପଠାକୁ ବୁଲି ଆସିଥିଲେ। ପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ମାତ୍ର ପହଁରା ଜାଣି ନଥିବାରୁ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ। ଉଭୟଙ୍କୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାମାନେ ଡାକ ପକାଇଥିଲେ। ପାଟି ଶୁଣି ପାଖରେ ଥିବା ଗାଁ ଲୋକେ ନଦୀକୁ ଯାଇ ଜଣକୁ ଉଦ୍ଧାର କରିଥିଲେ । କିନ୍ତୁ ଅନ୍ୟ ଜଣକୁ ପାଇ ନଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିବା ପରେ ଅଳ୍ପ ଦୂରରେ ଅଙ୍ଗନକୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଙ୍ଗନକୁ ଡାକ୍ତର ମୃତ ଘୋଷଣାକରିଥିଲେ।
ଭୁବନେଶ୍ବର ଦେଇ ଯାଇଥିବା କୁଆଖାଇ ନଦୀରେ ବୁଡ଼ି ବାରମ୍ବାର ଲୋକଙ୍କ ମୃତ୍ୟୁ ଘଟୁଛି । କୁଆଖାଇ ନଦୀରୁ ବାଲିଉଠାଣ ଫଳରେ ବିଭିନ୍ନ ସ୍ଥାନରେ ଗଭୀର ଗର୍ତ୍ତ ହୋଇଛି । କେଉଁଠି ଅଧିକ, କେଉଁଠି କମ୍ ପାଣି ରହିଛି ତାହା ଜଣାପଡୁନି। ଫଳରେ ଏହି ସବୁ ଗଣ୍ଡରେ ବୁଡ଼ି ଚଳିତ ବର୍ଷ ୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।
ଫେବ୍ରୁଆରି ମାସରେ ବାଲିଅନ୍ତା ରଙ୍ଗବଜାର ନିକଟସ୍ଥ କୁଆଖାଇ ଗଣ୍ଡରେ ସରସ୍ଵତୀ ମୂର୍ତ୍ତି ଭସାଣ ବେଳେ ବୁଡ଼ିଯାଇ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ପରେ ମାର୍ଚ୍ଚ ମାସରେ ବରିମୁଣ୍ଡ ବାଲିଯାତ୍ରାପଡ଼ିଆ ନିକଟ କୁଆଖାଇ ନଦୀକୁ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧ ମଧ୍ୟ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ।
ବାରମ୍ଵାର କୁଆଖାଇ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ହେଉଥିବା ବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସତ୍ୟଭାମାପୁର, କଣ୍ଟାଗୋଠ, ଧବଳାହାର, ବଇଁଚୁଆ, ରଙ୍ଗ ବଜାର, ଟଙ୍କପାଣି ବ୍ରିଜ୍ ନିକଟରେ କୁଆଖାଇ ନଦୀରେ ଗଭୀର ଗଣ୍ଡ ରହିଛି। ଗଣ୍ଡର ନୀଳ ଜଳରାଶି ଆକର୍ଷିତ ହୋଇ ଯୁବପିଢ଼ି ଏଠାରେ ଗାଧୋଇବାକୁ ଆସିଥାନ୍ତି। ଯୁବଗୋଷ୍ଠୀ ଏଠାକୁ ଭୋଜି କରିବାକୁ ଆସିବା ସହିତ ନଦୀରେ ଗାଧୋଇଥା’ନ୍ତି। ମାତ୍ର ସେମାନେ ନଦୀ ବାବଦରେ ଜାଣି ନଥିବାରୁ ଗଭୀର ଜଳକୁ ଯାଇ ମୃତ୍ୟୁମୁଖରେ ପଡ଼ନ୍ତି ।
ବାରମ୍ବାର ଏପରି ଅଘଟଣ ଘଟିବାରୁ ୨୦୨୩ ମସିହାରେ ପୁଲିସ ଓ ରାଜସ୍ବ-ପ୍ରଶାସନ ପକ୍ଷରୁ ବିଭିନ୍ନ ନଦୀପଠାରେ ସତର୍କ ସୂଚନା ଫଳକ ଲଗାଯାଇଥିଲା। କିନ୍ତୁ ସେ ସବୁ ଭାଙ୍ଗିଗଲାଣି। ବହୁ ସ୍ଥାନରେ ସତର୍କ ସୂଚନା ଲିଭିଗଲାଣି। ଏହା ସହିତ ବାରମ୍ବାର ବାଲିଚାଲାଣ ଦ୍ବାରା ଆହୁରି ବହୁତ ନୂଆଗଣ୍ଡ ସୃଷ୍ଟି ହେଲାଣି। ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ସତର୍କ ସୂଚନା ଫଳକ ଲଗାଇବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏନେଇ ସୂଚନା ଦେବାକୁ ଲୋକେ ଦାବି କରିଛନ୍ତି।
Also Read https://purvapaksa.com/earth-in-danger-from-incoming-alien-spacecraft/
Earth in danger from incoming ‘alien spacecraft ।। ନଭେମ୍ବରରେ ଆସୁଛନ୍ତି ଅନ୍ୟଗ୍ରହର ବୁଦ୍ଧିମାନ ଜୀବ !
