Kolkata RG Kar Medical College Rape Case Verdict: କୋଲକାତାରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କ ବିରୋଧରେ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କୁ ଦଣ୍ଡତ କରାଯିବା ପରେ କାହିଁକି ଫାଶୀଦଣ୍ଡାଦେଶ ଲାଗୁ କରାଗଲା ନାହିଁ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଅଦାଲତ କାହିଁକି ଏହାକୁ ବିରଳତମ ବିରଳ ବୋଲି ବିଚାର କଲେ ନାହିଁ? ବାସ୍ତବରେ ୧୯୮୦ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟ ପ୍ରଥମେ ଏ ନେଇ ନିଜର ମତ ରଖିଥିଲେ।
କୋଲକତାର ଆରଜି ମେଡିକାଲ କଲେଜରେ ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସୋମବାର ପଶ୍ଚିମବଙ୍ଗର ଏକ ଅଦାଲତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ଆଜୀବନ ଜେଲରେ ରହିବାକୁ ପଡ଼ିବ। ଅଦାଲତ ସ୍ପଷ୍ଟଭାବେ ଦୋଷୀ ସଂଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ ବୋଲି ତାଙ୍କ ଆଦେଶରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏହି ମାମଲାରେ ଦୋଷୀକୁ ଫାଶୀ ଦଣ୍ଡ ନ ମିଳିବାରୁ ପୀଡ଼ିତାଙ୍କ ପରିବାର ଲୋକେ କେବଳ ନିରାଶ ନୁହଁନ୍ତି, ବରଂ ସାରା ଦେଶର ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଦୋଷୀକୁ କାହିଁକି ଫାଶୀ ଦିଆଗଲା ନାହିଁ?
ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଦଣ୍ଡାଦେଶ ଶୁଣାଣି ବେଳେ ପ୍ରତିପକ୍ଷ ଯୁକ୍ତି ବାଢ଼ିଥିଲେ ଯେ ଏହା ଏକ ବିରଳତମ ମାମଲା ନୁହେଁ। ତେଣୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ନୁହେଁ। ଜଷ୍ଟିସ ଅନିର୍ବାଣ ଦାସ ଦଣ୍ଡାଦେଶ ଶୁଣାଇ କହିଛନ୍ତି ଯେ ଏହି ମାମଲା ‘ବିରଳତମ’ ଶ୍ରେଣୀରେ ଆସୁନାହିଁ। ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ବିରଳତମ ମାମଲା କ’ଣ?
ଆଇନ ଦୃଷ୍ଟିରେ ଏହାର ସଂଜ୍ଞା କ’ଣ? ଗୋଟିଏ ମାମଲା ବିରଳତମ ବର୍ଗରେ ଆସୁଛି କି ନାହିଁ ତାହା କିପରି ସ୍ଥିର କରାଯାଏ? ଆଉ ସବୁଠାରୁ ବଡ଼କଥା ହେଲା ଏହି ବିରଳତମ ମାମଲା ବିବେଚନା କେଉଁଠାରୁ ଓ କେବେ ଆରମ୍ଭ ହୋଇଥିଲା? ଆସନ୍ତୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା।
ଯେଉଁଠାରେ ଏହା ଆରମ୍ଭ ହୋଇଥିଲା
ବାସ୍ତବରେ, ୧୯୮୦ ରେ ପଞ୍ଜାବରେ ଏକ ମାମଲା ସାମ୍ନାକୁ ଆସିଥିଲା ଯାହା ଭାରତରେ ମୃତ୍ୟୁଦଣ୍ଡକୁ ନେଇ ଏକ ନୂତନ ବିତର୍କ ସୃଷ୍ଟି କରିଥିଲା । ଭାରତର ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବଞ୍ଚିବାର ଅଧିକାର ଦେଇଛି। ଏଭଳି ପରିସ୍ଥିତିରେ କେଉଁ ପରିସ୍ଥିତିରେ ଫାଶୀ ଦଣ୍ଡାଦେଶ ଦିଆଯିବା ଉଚିତ ତାହାକୁ ନେଇ ଅନେକ ବିଚାରବିମର୍ଶ ହୋଇଥିଲା। ସେତେବେଳେ ଦେଶରେ ଫାଶୀର ସଂଜ୍ଞା ବଦଳାଇ ଦେଇଥିବା ଏକ ମାମଲା ଥିଲା ‘ବଚ୍ଚନ ସିଂହ ବନାମ ପଞ୍ଜାବ ରାଜ୍ୟ’।
ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ବଚ୍ଚନ ସିଂହଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ଜେଲରୁ ବାହାରିବା ପରେ ସେ ତାଙ୍କ ଭାଇଙ୍କ ସହ ନିଜ ଘରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ଭାଇ ହୁକୁମ ସିଂହ ଏବଂ ତାଙ୍କ ପତ୍ନୀ ଓ ପିଲାମାନେ ଏହାକୁ ପସନ୍ଦ କରିନଥିଲେ। ତେଣୁ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ୧୯୭୭ ମସିହା ଜୁଲାଇ ୪ ତାରିଖରେ କ୍ରୋଧରେ ବଚ୍ଚନ ସିଂହ ତାଙ୍କ ଦୁଇ ଝିଆରୀ ଓ ପୁତୁରାଙ୍କୁ ଟାଙ୍ଗିଆରେ ହତ୍ୟା କରିଥିଲେ। ହୁକୁମ ସିଂଙ୍କ ଆଉ ଜଣେ ଝିଅକୁ ଛୁରି ମାଡ଼ ହୋଇଥିଲା, କିନ୍ତୁ ସେ ବଞ୍ଚି ଯାଇଥିଲେ।
ଅଦାଲତ ଶୁଣାଇଥିଲେ ଫାଶୀଦଣ୍ଡ
ସେସନ୍ସ କୋର୍ଟ ବଚ୍ଚନ ସିଂହଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ହାଇକୋର୍ଟରେ ମଧ୍ୟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ବଚ୍ଚନ ସିଂହ ସମ୍ବିଧାନର ଧାରା ୧୩୬ ଆଧାରରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ (ଏସ୍ଏଲପି) ଦାଖଲ କରିଥିଲେ। ସମ୍ବିଧାନର ଧାରା ୧୪, ଧାରା ୧୯ ଏବଂ ଧାରା ୨୧କୁ ଉଦାହରଣ ଦେଇ ମୃତ୍ୟୁଦଣ୍ଡ ବିରୋଧରେ ସେ ଆବେଦନ କରିଥିଲେ। ଏହାପରେ ଧାରା ୩୦୨ରେ ଦଣ୍ଡକୁ ନେଇ ବିତର୍କ ଆରମ୍ଭ ହୋଇଥିଲା।
ସୁପ୍ରିମକୋର୍ଟ ବଚ୍ଚନଙ୍କ ଫାଶୀ ଦଣ୍ଡାଦେଶ ଉପରେ ମାରିଥିଲେ ମୋହର
ସୁପ୍ରିମକୋର୍ଟର ୫ ଜଣବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଫାଶୀ ଦାଣ୍ଡାଦେଶକୁ କାଏମ ରଖିଥିଲେ। ଏକ ଐତିହାସିକ ରାୟ କ୍ରମରେ ସୁପ୍ରିମକୋର୍ଚ ବଚ୍ଚନ ସିଂହଙ୍କ ଫାଶୀ ଦଣ୍ଡାଦେଶକୁ ବଜାୟ ରଖିବା ସହିତ ମୃତ୍ୟୁଦଣ୍ଡର ପରିଭାଷାକୁ ବ୍ୟାଖ୍ୟା କରିଥିଲେ। ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ଜୀବନ ଅଧିକାରକୁ ବିରଳତମ ମାମଲାରେ ପ୍ରତ୍ୟାହାର କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ। ଭାରତର ଇତିହାସରେ ଏହା ଥିଲା ପ୍ରଥମ ଘଟଣା, ଯେତେବେଳେ ବିରଳତମ ମାମଲା ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଆଇନ ଦୃଷ୍ଟିରେ ସବୁଠାରୁ ବିରଳତମ ମାମଲା କ’ଣ?
୧୯୮୦ମସିହାରେ ସୁପ୍ରିମ୍ କୋର୍ଟ ନିଜ ରାୟ ଦେଇ ଫାଶୀକୁ ବିରଳତ ମାମଲା ଶ୍ରେଣୀଭୁକ୍ତ କରିଥିଲେ। ଆଜୀବନ କାରାଦଣ୍ଡ ଯଥେଷ୍ଟ ନହେଲେ ହିଁ ଫାଶୀ ଦଣ୍ଡ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ।
ଯଦି ହତ୍ୟା କିମ୍ବା ଅପରାଧ କରିବାର ପଦ୍ଧତି ଅତ୍ୟନ୍ତ ବର୍ବର ହୁଏ, ତେବେ ମୃତ୍ୟୁଦଣ୍ଡ ଦିଆଯାଇପାରେ । ଉଦାହରଣ ସ୍ୱରୂପ, କାହାକୁ ଜୀବନ୍ତ ଜାଳି ଦେବା କିମ୍ବା ନିର୍ଯାତନା ଦେଇ ହତ୍ୟା କରିବା କିମ୍ବା ଖଣ୍ଡ ଖଣ୍ଡ କାଟି ହତ୍ୟା କରିବା ମାମଲା ବିରଳତମ ଶ୍ରେଣୀଭୁକ୍ତ ବୋଲି ଅଦାଲତ କହିଥିଲେ।
- ଜଣେ ନିରାଶ୍ରୟ ମହିଳା, ଶିଶୁ କିମ୍ବା ଜଣେ ସାଧାରଣ ବ୍ୟକ୍ତିଙ୍କୁ ହତ୍ୟା କରିବା।
- ହତ୍ୟାର ତରିକା ନିଷ୍ଠୁର,ବର୍ବର ହୋଇଥିଲେ ଫାଶୀ ଦଣ୍ଡ ଦିଆଯାଇ ପାରିବ।
- କେବଳ ଟଙ୍କା ପାଇଁ କାହାକୁ ହତ୍ୟା କରିବା ,କାହାର ସମ୍ପତ୍ତି ହଡ଼ପ କରିବା ପାଇଁ କିମ୍ବା ଅନ୍ୟ କୌଣସି ଫାଇଦା ପାଇଁ କାହାକୁ ହତ୍ୟା କରିବା ମାମଲା ମଧ୍ୟ ବିରଳତମ ଶ୍ରେଣୀଭୁକ୍ତ।
- ସମାଜ ଉପରେ ଅପରାଧର ପ୍ରଭାବ। ଉଦାହରଣସ୍ୱରୂପ, ଯୌତୁକ ପାଇଁ ବଧୂହତ୍ୟା, ସଂରକ୍ଷିତ ଜାତିର ବ୍ୟକ୍ତିଙ୍କୁ ହତ୍ୟା କରିବା ବିରଳତମ ମାମଲା ଶ୍ରେଣୀଭୂକ୍ତ।
ମୋଦି ଓ ଭାରତର ପ୍ରଶଂସା କରିବାରୁ ଏହି ଦୁଇ ୟୁଟ୍ୟୁବରଙ୍କୁ ଫାଶୀ ଦେଇଛି କି ପାକିସ୍ତାନୀ ସେନା ?
