ବୁଧବାର ସ୍ନାନ ଯାତ୍ରା ସାରିଥିବା ବେଳେ ୧୦୮ କଳସ ପବିତ୍ର ଜଳରେ ଦିବ୍ୟ ସ୍ନାନ କରିବା ପରେ, ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା, ଏବେ ଶ୍ରୀମନ୍ଦିରର ‘ଅଣସର ପିଣ୍ଡି’ରେ ଏକାନ୍ତରେ ଅଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ‘ସ୍ନାନ ଯାତ୍ରା’ର ପୂର୍ଣ୍ଣିମା ରାତିରୁ ପରବର୍ତ୍ତୀ ଅମାବାସ୍ୟା ଦିନ ‘ନବଜୌବନ’ ଦର୍ଶନ ପର୍ଯ୍ୟନ୍ତ ‘ଅଣସର ପିଣ୍ଡି’ରେ ରୁହନ୍ତି ଚତୁର୍ଦ୍ଧା ମୂର୍ତ୍ତି। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଅତ୍ୟଧିକ ସ୍ନାନ କରିବା ହେତୁ ଜରରେ ପଡନ୍ତି ବୋଲି ବିଶ୍ବାସ ରହିଛି। ଯେଉଁ ଗୃହରେ ଦାରୁ ବିଗ୍ରହମାନେ ରୁହନ୍ତି ତାହାକୁ ଅନବସର ବା ଅଣସର ଗୃହ କୁହାଯାଏ। ଏଠାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରାଯାଏ।
ଅଣସର କ’ଣ?
ଅଣସର ପ୍ରଭୁଙ୍କ ଏକ ଲୀଳା, ଯେଉଁଥିରେ ବିଶ୍ଵାସ କରାଯାଏ ଦେବ ସ୍ନାନ ଉତ୍ସବ ପରେ ଜ୍ୱରରେ ପୀଡିତ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ଏହା ୧୫ ଦିନ ପାଇଁ ପ୍ରତିବର୍ଷ ଗୁଣ୍ଡିଚା ପୁର୍ବରୁ ପାଳିତ ହୁଏ।
ଅଣସର ସେବା କ’ଣ?
ଦଇତାପତି ସେବକମାନଙ୍କର ଏକ ପ୍ରମୁଖ କର୍ତ୍ତବ୍ୟ ହେଉଛି ଅଣସର ସେବା। ଜ୍ଵର ହେବା ପରେ ଅଣସର ଗୃହରେ ରଖି ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିକିତ୍ସା ହେବା ବିଧି ରହିଛି । ଏହି ସମୟରେ, ବିଶେଷ ଚେରମୂଳୀ ଔଷଧ ଏବଂ ଫୁଲୁରି ତେଲ (ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ) ଲାଗି କରାଯାଏ, ଏବଂ ଆରୋଗ୍ୟ ପାଇଁ ସେମାନଙ୍କୁ ପଣା ପ୍ରଦାନ କରାଯାଏ। ଅଣସର ପଞ୍ଚମୀ ଦିନ ଠାକୁରମାନଙ୍କୁ ‘ଫୁଲୁରି’ ତେଲ ଲାଗି କରାଯାଏ। ଶ୍ରୀଜିଉଙ୍କ ଜ୍ୱର ଉପଚାର ପାଇଁ ବ୍ୟବହୃତ ଏହି ତେଲ ଅତ୍ୟନ୍ତ ସୁବାସିତ ଅଟେ। ତେଲ ଓ ବିଭିନ୍ନ ପ୍ରକାର ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ଘଣାପେଡ଼ା ରାଶି ତେଲରୁ ଏହା ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ ।
ସେହିପରି, ଅଣସର ସେବାର ଷଷ୍ଠୀ ଦିନରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲାଗି କରାଯାଏ। ଅଣସର ସମୟରେ ମହାପ୍ରଭୁଙ୍କୁ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲାଗି କରାଯାଇଥାଏ। ଏହି ଚାରିଦିନ ମଧ୍ୟାହ୍ନ ଧୂପ ସରିବା ପରେ ଅଣସର ଘର ଖୋଲିଥାଏ। ଅଣସର ଶୁଦ୍ଧୁସୁଆର ଝୁଣା, ରାଶିତେଲରେ ପ୍ରସ୍ତୁତ କରିଥିବା ଓଷୁଅ ଦଇତାପତିମାନେ ନେଇ ଶ୍ରୀଅଙ୍ଗରେ ଲେପ ଦିଅନ୍ତି। ଏହାପରେ ଠାକୁରଙ୍କ ଚକଟା ଭୋଗ, ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି କରାଯାଏ।
ଅଣସର ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୁଅନ୍ତି ଶ୍ରୀଜିଉ ।ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି। ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ହୁଏ । ଚନ୍ଦନ, କେସର ଏବଂ କର୍ପୂରର ପେଷ୍ଟ ଚାରି ମୂର୍ତ୍ତିଙ୍କୁ ଲଗାଯାଏ। ଏହାପରେ ଅଣସର ତ୍ରୟୋଦଶୀରେ ‘ଘଣା ଲାଗି’ ନୀତି ଅନୁଷ୍ଠିତ ହୁଏ। ଏହାସହ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ।
ଶୁଦ୍ଧ ସୁଆରଙ୍କ ଘରୁ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହୁଏ । ସ୍କନ୍ଦପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ ଓ ଦେଉଳତୋଳା ଗ୍ରନ୍ଥ ଅନୁଯାୟୀ ବିଦ୍ୟାପତି ଓ ଲଳିତାଙ୍କ ବିବାହ ପରେ ଜନ୍ମଲାଭ କରିଥିବା ସନ୍ତାନ ଶୁଦ୍ଧ ସୁଆର ଭାବେ ବିଦିତ। ସେମାନେ ସ୍ବଗୃହରେ ଖଳି ପ୍ରସ୍ତୁତ କରି ଅଧିବାସ ପୂଜା କରାଇ ଶ୍ରୀଅଙ୍ଗରେ ଦିବ୍ୟ ଲେପନ ଦେଲେ ପ୍ରଭୁ ଆରୋଗ୍ୟ ଲାଭ କରିଥାଆନ୍ତି। ଏନେଇ ଦେବସ୍ନାନ ପୂର୍ଣ୍ଣିମା ଦିନଠୁ ଶୁଦ୍ଧ ସୁଆରମାନେ ଶୋଧ ହୋଇଥାଆନ୍ତି। ଶୁଦ୍ଧ ସୁଆରଙ୍କ ଘରେ ଅଧିବାସ କରାଯାଇ ଖଳି ପ୍ରସ୍ତୁତ କରାଯିବାର ବିଧି ରହିଛି। ବିଶେଷକରି ଅଟା, କର୍ପୂର, ଚନ୍ଦନ ଓ କେଶରକୁ ମିଶାଇ ଖଳି ପ୍ରସ୍ତୁତ କରାଯାଏ।
ଚତୁର୍ଦ୍ଦଶୀରେ, ଦତ୍ତ ମହାପାତ୍ର ସେବକମାନେ ଦେବତାମାନଙ୍କର ‘ବନକ ଲାଗି’ ନୀତି କରନ୍ତି। ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଶ୍ରୀଜୀଉଙ୍କର ମୁଖସିଂହାର କରନ୍ତି । ଏହା ଏକ ଗୁପ୍ତ ନୀତି। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୁଏ। ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ ।
ନବ ଯୌବନ ଦର୍ଶନ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ହୋଇଥାଏ। ଅଣସର ଘରୁ ବାହାରି ୧୫ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତିନି ଠାକୁର। ତେଣୁ, ଏହାକୁ ‘ନବ ଯୌବନ ଦର୍ଶନ’ କୁହାଯାଏ।
ଅଲାରନାଥରେ ଭିଡ଼
ଚତୁର୍ଦ୍ଧା ମୂର୍ତ୍ତି ପୁରୀ ଶ୍ରୀମନ୍ଦିରର ଅଣସର ଘରେ ପଡିବା ପରେ , ପୁରୀରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ଭକ୍ତମାନେ ଭିଡ଼ ଜମାନ୍ତି। ଏହି ଅଣସର ସମୟରେ, ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତୀକ ଭାବରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରନ୍ତି। ଆଗାମୀ ୧୫ ଦିନ ଅଲାରନାଥରେ ଭିଡ଼ ଅନୁମାନ କରି ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି। ମନ୍ଦିର ଦ୍ୱାର ସକାଳ ୪ଟାରେ ଖୋଲିବ ପରେ ପରେ ମଙ୍ଗଳ ଆଳତୀ, ତଡ଼ପ ଲାଗି, ବେଶ, ଅବକାଶ ଏବଂ ଗୋପାଳ ବଲ୍ଲଭ ପୂଜା କରାଯାଇ ସାଧାରଣ ଦର୍ଶନ ଆରମ୍ଭ ହୋଇଛି।
