Ranya Rao News: କନ୍ନଡ଼ ଅଭିନେତ୍ରୀ ରଣୟା ରାଓକୁ ବେଙ୍ଗଲୁରୁ ବିମାନ ବନ୍ଦରରେ ୧୪.୮ କିଲୋ ସୁନା ଚୋରାରେ ଆମଦାନୀ କରିବା ଅଭିଯୋଗରେ ଗିରଫ କରାଯାଇଛି। ରାଓ ଦୁବାଇରୁ ଆସୁଥିଲେ ଏବଂ ସେ ସୁନାକୁ କପଡ଼ାରେ ଲୁଚାଇଥିଲେ।
୧୪.୮ କେଜି ସୁନା ଚୋରାଚାଲାଣ ଅଭିଯୋଗରେ କନ୍ନଡ ଅଭିନେତ୍ରୀ ରଣୟା ରାଓଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଗିରଫ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ମଙ୍ଗଳବାର କହିଛି ଯେ ସୋମବାର ରାତିରେ ଦୁବାଇରୁ ଏମିରେଟ୍ସ ବିମାନରୁ ଅବତରଣ କରିବା ପରେ ରାଓଙ୍କୁ ଗିରଫ କରାଯାଇଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ରାଓ ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ତାଙ୍କ ଉପରେ ନଜର ରଖାଯାଇଥିଲା। ସୂଚନାଯୋଗ୍ୟ ଯେ, ୧୫ ଦିନ ଭିତରେ ରାଓ ୪ ଥର ଦୁବାଇ ଯାଇଥିଲେ। ଆଉ ସେଠାରୁ ସୁନା ଆଣୁଥିଲେ। ଏଥର କିନ୍ତୁ ଧରା ପଡ଼ିଥିଲେ। ଏହି ଘଟଣା ପରେ ବିମାନରେ କେତେ ସୁନା ବହନ କରାଯାଇପାରିବ ତାକୁ ନେଇ ସାରାଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି।
ହିରୋଇନଙ୍କ କଳା କାରନାମା
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ରାଓ ଏକ ବଡ଼ ସୁନା ଗହଣା ପିନ୍ଧିଥିଲେ ଏବଂ ତାଙ୍କ ପୋଷାକରେ ସୁନା ବିସ୍କୁଟ୍ ଲୁଚାଇ ରଖିଥିଲେ। ରାଓ ୧୫ ଦିନ ମଧ୍ୟରେ ୪ ଥର ଦୁବାଇ ଯାଇଥିବା ଜାଣିବା ପରେ ଅଧିକାରୀମାନଙ୍କୁ ସନ୍ଦେହ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିନେତ୍ରୀ କଷ୍ଟମ ଚେକିଂରୁ ବର୍ତ୍ତିବା ପାଇଁ ତାଙ୍କ ସମ୍ପର୍କକୁ ବ୍ୟବହାର କରିବାକୁ ଚେଷ୍ଟା କରିଥାଇ ପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଓ ଅବତରଣ କରିବା ପରେ ନିଜକୁ କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକଙ୍କ ଝିଅ ବୋଲି ଦାବି କରିବା ସହ ତାଙ୍କୁ ଘରକୁ ନେବା ପାଇଁ ସ୍ଥାନୀୟ ପୁଲିସ ସହ ଯୋଗାଯୋଗ କରିଥିଲେ।
ବିମାନରେ ଜଣେ ବିଦେଶରୁ କେତେ ସୁନା ଆଣି ପାରିବେ?
ଭାରତକୁ ବିମାନରେ ସୁନା ଆଣିବା ପାଇଁ ଭାରତୀୟ ସୀମା ଶୁଳ୍କ ବିଭାଗ ପକ୍ଷରୁ ନିୟମ ଧାର୍ଯ୍ୟ କରାଯାଇଛି। ଏହି ନିୟମ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ପାଇଁ ଲାଗୁ ହେବ। ଘରୋଇ ବିମାନରେ ସୁନା ପରିବହନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ। ତେବେ ଯଦି ଆପଣ ବିପୁଳ ପରିମାଣର ସୁନା ନେଇ ଯାଉଛନ୍ତି ତେବେ ଆପଣଙ୍କୁ ଏହାର ଉତ୍ସ ଓ ଉଦ୍ଦେଶ୍ୟ ବିଷୟରେ କଷ୍ଟମ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପଡ଼ିବ। ବ୍ୟକ୍ତିଗତ ବ୍ୟବହାର ପାଇଁ ସୁନା ଅଳଙ୍କାର ନେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ।
ଅନ୍ତର୍ଜାତୀୟ ବିମାନକୁ ନେଇ କ’ଣ ରହିଛି ନିୟମ?
ଅନ୍ତର୍ଜାତୀୟ ବିମାନରେ କେତେ ପରିମାଣର ସୁନା ଆଣିପାରିବେ ତାହା ଯାତ୍ରୀଙ୍କ ବାସସ୍ଥାନ ଏବଂ ଯାତ୍ରା ଉଦ୍ଦେଶ୍ୟ ଉପରେ ନିର୍ଭର କରେ। ଏହାବ୍ୟତୀତ ପ୍ରବାସୀ ଭାରତୀୟମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁନା ଶୁଳ୍କ ମୁକ୍ତ ଆଣିପାରିବେ, କିନ୍ତୁ ସେମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ପର୍ଯ୍ୟଟକମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁନା ମଧ୍ୟ ଆଣିପାରିବେ, କିନ୍ତୁ ସେମାନଙ୍କୁ ସୀମା ଶୁଳ୍କ ଦେବାକୁ ପଡିବ। ମହିଳାମାନେ ୪୦ ଗ୍ରାମ ପର୍ଯ୍ୟନ୍ତ ସୁନା ନେଇ ଯାଇପାରିବେ ଏବଂ ପୁରୁଷମାନଙ୍କୁ ୨୦ ଗ୍ରାମ ପର୍ଯ୍ୟନ୍ତ ସୁନା ନିଜ ସହ ନେବାକୁ ଅନୁମତି ରହିଛି। ଏହାଠାରୁ ଅଧିକ ସୁନା ପାଖରେ ଥିଲେ ଯାତ୍ରୀଙ୍କୁ ସୀମା ଶୁଳ୍କ ଦେବାକୁ ପଡ଼ିବ। କଷ୍ଟମ ବିଷୟରେ କହିବାକୁ ଗଲେ ସମୟ ସମୟରେ ନିୟମ ବଦଳିଥାଏ, ତେଣୁ ଯାତ୍ରା କରିବା ପୂର୍ବରୁ ସଦ୍ୟତମ ନିୟମ ଯାଞ୍ଚ କରିବା ଜରୁରୀ ଅଟେ।
ସୁନା ନେବାବେଳେ ଧ୍ୟାନ ରଖନ୍ତୁ…
ଯଦି ଆପଣ ବିମାନରେ ସୁନା ନେବାକୁ ଚାହୁଁଛନ୍ତି ତେବେ ସବୁବେଳେ ରସିଦ ଓ କାଗଜପତ୍ର ନିଜ ପାଖରେ ରଖନ୍ତୁ। ଯଦି ଆପଣ ଅଧିକ ପରିମାଣର ସୁନା ନେଇ ଯାଉଛନ୍ତି, ତେବେ କଷ୍ଟମ କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚନା ଦିଅନ୍ତୁ। ସୀମା ଶୁଳ୍କ ନିୟମ ଉଲ୍ଲଂଘନଠାରୁ ଦୂରେଇ ରୁହନ୍ତୁ। ଭାରତୀୟ ସୀମା ଶୁଳ୍କ ୱେବ୍ସାଇଟକୁ ଯାଇ ଆପଣ ନୂଆ ନିୟମ ଯାଞ୍ଚ କରିପାରିବେ।
