ଓଡ଼ିଶା ପ୍ରଶାସନିକ ଅଳିନ୍ଦରେ ରୁଚି ରଖୁ ନ ଥିବା ଲୋକମାନେ ବି ଗଲା କିଛିଦିନ ଭିତରେ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ଭଲ ଭାବେ ଚିହ୍ନି ସାରିଥିବେ। ସେ ସେ କୃଷି ସଚିବ, ସେଥିପାଇଁ ନୁହେଁ ବରଂ ୧୨ଶ ଶତାବ୍ଦୀରେ ନିର୍ମିତ ଓଡ଼ିଆମାନଙ୍କ ପ୍ରାଣକେନ୍ଦ୍ର ଶ୍ରୀମନ୍ଦିରରର ମୁଖ୍ୟ ପ୍ରଶାସକ ଭାବେ। କାରଣ ଗଲା ଏକବର୍ଷ ହେଲା ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ବିଶୃଙ୍ଖଳାର ପ୍ରତିଟି ଅଧ୍ୟାୟରୁ ଯେମିତି ନିଜକୁ ବାହାର କରିବା ଅନ୍ୟ ଉପରେ ଦୋଷ ଲଦିବାରେ ସକ୍ଷମ ହୋଇଛନ୍ତି ତାହା ପୂର୍ବରୁ କେହି କେବେ କରିପାରିନଥିଲେ କି ଆଗକୁ କିଏ କରିପାରିବେ ତାହା ଆକଳନ କରାଯାଇନପାରେ। କାରଣ ତାଙ୍କ ଦ୍ୱାରା ଘଟଣା, ତଦନ୍ତ ଓ ବୟାନକୁ ଏତେ ଚତୁର ଢଙ୍ଗରେ ଉପସ୍ଥାପନ କରାଯାଏ ଯେ, କେହି କେବେ ତାଙ୍କ କଥାରୁ ବାହାରକୁ ଯିବାର ସମ୍ଭାବନା ନ ଥାଏ। ବିଶେଷକରି ଗଣମାଧ୍ୟମରେ ସର୍ବଦା ସେ ହେଡ୍ ଲାଇନ ପାଲଟନ୍ତି।
୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହେଉଛନ୍ତି ଡ. ଅରବିନ୍ଦ ପାଢ଼ୀ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ଆଉ କେନ୍ଦ୍ରୀୟ ଡେପ୍ୟୁଟେସନରେ ଦୀର୍ଘଦିନ ଧରି ରହିବା ପରେ ଫେରିଛନ୍ତି। ଏବେ ସେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ। କୃଷି ଶିକ୍ଷାରେ ପିଏଚ୍ଡି ହାସଲ କରିଥିବା ଏ ଅଧିକାରୀ କିନ୍ତୁ ଏ ବିଭାଗରେ ଯେତିକି ପରିଚିତ ନୁହଁନ୍ତି ଶ୍ରୀମନ୍ଦିର ପରିଚାଳନାକୁ ନେଇ ସବୁବେଳେ ଚର୍ଚ୍ଚିତ। ପୁଣି ଏହା ଯେ ତାଙ୍କର ପ୍ରଥମ ଦାୟିତ୍ୱ ଗ୍ରହଣ ତା’ ନୁହେଁ।
କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବା ପୂର୍ବରୁ ତାଙ୍କୁ ୨୦୧୨ରୁ ୨୦୧୪ ଯାଏ ଏହି ଦାୟିତ୍ୱ ମିଳିଥିଲା। ଏହି ସମୟରେ ସେ ଅନେକ ପରିଚିତି ହାସଲ କରିଥିଲେ। ଶ୍ରୀମନ୍ଦିରରେ ସଂସ୍କାର ଆଣୁଛନ୍ତି ବୋଲି ପ୍ରଚାର ହୋଇଥିଲା। ଯେଉଁ ରଥ ଉପରେ ଦିନେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିଲା ତାହାକୁ ସେ ରଦ୍ଦ କରିଥିଲେ। ଏହା ଆମର ପୁରାଣ ଓ ଶାସ୍ତ୍ର ସମ୍ମତ ବୋଲି କୁହାଗଲା।
ଆଉ ଏଥିରେ କିଏ ଲାଭବାନ ହୋଇଥିଲେ ଜାଣନ୍ତି? ଦଇତାପତି ସେବାୟତକୂଳ। କାରଣ ଭକ୍ତମାନେ ରଥ ଉପରକୁ ଗଲେ ତାଙ୍କର ଆୟ ହୋଇଥାଏ। ଏଣୁ ଭକ୍ତ ରଥ ଉପରକୁ ନ ଆସିଲେ ସେମାନଙ୍କର କ୍ଷତି ହେବେ ବୋଲି ଦଇତାମାନେ ଯୁକ୍ତି ବାଢ଼ିବାରୁ ତାଙ୍କୁ ରାଜକୋଷରୁ ଅଧିକ ପୁରସ୍କାର ବା କ୍ଷତିଭରଣା ଦେବାର ବ୍ୟବସ୍ଥା ହୋଇଥିଲା। ଅର୍ଥାତ୍ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ବଦଳରେ ଦଇତାଙ୍କ ବିଶୃଙ୍ଖଳାକୁ ପଇସା ଦେଇ ଶୃଙ୍ଖଳାରେ ପରିଣତ କରିଥିଲେ ଶ୍ରୀ ପାଢ଼ୀ। ଆଜି ବି ସେ ପରମ୍ପରା ଜାରି ରହିଛି।
ନିକଟରେ ଏକଥା ସ୍ପଷ୍ଟ ଭାବରେ ଜଣାପଡ଼ିଛି। ପଶ୍ଚିମବଙ୍ଗର ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ନ ଦେବାକୁ ପୁରୀ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ସେବକମାନଙ୍କୁ ବାରଣ କରାଯାଇଥିଲା। ଏହି ବାରଣକୁ ନ ମାନି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମକୃଷ୍ଣ ଦାସମହାପାତ୍ର ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହିତ ନବେକଳେବର ସମୟର ଦାରୁ କାଠରେ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କରି ଆଣିଥିବା ବେଙ୍ଗଲି ଟିଭି ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କହିଥିଲେ।
ଏହି ଘଟଣାକୁ ନେଇ ବିରୋଧ ହେବାରୁ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ଆଇନମନ୍ତ୍ରୀଙ୍କ ମୁହଁରେ ଅସତ୍ୟ କୁହାଇ ତାଙ୍କୁ ବଦନାମ କରିଛନ୍ତି। ଏପରି ଢଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ସେବାରୁ ନିଲମ୍ବିତ କଲେ ଯେ ତାଙ୍କର କିଛି କ୍ଷତି ହେଲା ନାହିଁ ବରଂ ସରକାର ନିନ୍ଦିତ ହେଲେ।
ଅଭିଯୋଗ ଅନୁସାରେ ଗୋଷ୍ଠିବିବାଦ କରି ସେବାୟତଙ୍କ ଅସନ୍ତୋଷକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ରୀ ପାଢ଼ୀଙ୍କୁ ନବକଳେବର ସମୟରେ ହଠାତ୍ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ଏକଦା ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଥିବା ସୁରେଶ ମହାପାତ୍ରଙ୍କୁ ପୁଣି ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା। ସେ ଏହାପରେ ଡେପ୍ୟୁଟେସନ କେନ୍ଦ୍ରୀକୁ ପଳାଇ ଯାଇଥିଲେ।
ହେଲେ କେନ୍ଦ୍ରୀୟ ଡେପ୍ୟୁଟେସନ ସାରି ରାଜ୍ୟକୁ ଫେରିବାବେଳକୁ ରାଜ୍ୟରେ ଅନେକ ପରିବର୍ତ୍ତନ ମୁଣ୍ଡ ଟେକୁଥାଏ। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ସହ ନୂଆ ସରକାରରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ବାବୁ ଜୋରଦାର ଲବି କରି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ।
ଆଉ ଯେମିତି ବଡ଼ ଦାଣ୍ଡରେ ରଥଯାତ୍ରା ସେବା କରୁଥିବାବେଳେ ତାଙ୍କୁ ୨୦୧୪ରେ ବଦଳି କରାଯାଇଥିଲା ସେମିତି ୨୦୨୪ରେ ତାଙ୍କୁ ରଥଯାତ୍ରା ଦାୟିତ୍ୱ ଅର୍ପଣ କରାଯାଇଥିଲା।
ହେଲେ ନିଜର ପବ୍ଲିସିଟି ପାଇଁ ଶ୍ରୀ ପାଢ଼ୀ ଏହାକୁ ବ୍ୟବହାର କରିଥିବା କୁହାଯାଏ।
ଏପରିକି ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ସେ ଏଥିନେଇ ପାଠ ପଢ଼ାଇବାକୁ ସଙ୍କୁଚିତ ହୋଇ ନାହାନ୍ତି। ମନ୍ତ୍ରୀଙ୍କ ବୟାନକୁ ମିଛ ବୋଲି ପ୍ରମାଣିତ କରିବାରେ ତାଙ୍କର ଭୂମିକା ରହିଥିବା ଅଭିଯୋଗ ହୁଏ।
ବଡ଼ ବଡ଼ ଶୃଙ୍ଖଳା ନିୟମ ସେ ମନ୍ତ୍ରୀଙ୍କ ମାଧ୍ୟମରେ ଘୋଷଣା କରାଇଥିଲେ ମଧ୍ୟ ତାହା ଲାଗୁ ହୋଇପାରିନାହିଁ। ଏଥିରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଅନ୍ୟତମ। ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ପରମ୍ପରାକୁ ପ୍ରୟୋଗ କରିବା ଲାଗି ଉଦ୍ୟମ କରି ଏଯାଏ ବିଫଳ ରହିଛି ପ୍ରଶାସନ।
ଅନେକ ଦିନ ହେଲା ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା ବୋର୍ଡ ଭାଙ୍ଗିଥିଲେ ମଧ୍ୟ ତାହାର ପୁନର୍ଗଠନ ହୋଇପାରୁନାହିଁ।
ରତ୍ନ ଭଣ୍ଡାର ମାମଲାରେ ସରକାର ଟ୍ରୋଲ ହେବା ପଛରେ ପ୍ରଶାସନର ବିଫଳତା ବି ଦାୟୀ ରହିଛି। କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ଏବଂ ଗଣତି ମଣତି ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ଷେରୁ ଅଧିକ ସମୟ ବିତିଥିଲେ ବି ରତ୍ନଭଣ୍ଡାରରେ କେତେ ରତ୍ନ ରହିଛି ତାହା ଜଣାପଡ଼ି ନାହିଁ।
ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା, ହେଲେ, ଅହେତୁକ ବିଳମ୍ବ ଏହାକୁ ଲୋକଙ୍କ ମନରୁ ଭୁଲାଇ ଦେବାକୁ ସକ୍ଷମ ହୋଇଛି। ଗୋଟିଏ ରଥଯାତ୍ରା ଯାଇ ଆଉ ଏକ ରଥଯାତ୍ରା ଶେଷ ହୋଇଗଲାଣି କିନ୍ତୁ ରତ୍ନ ଭଣ୍ଡାରକୁ ରତ୍ନ ଫେରି ପାରିବାର ମୁସ୍କିଲ ହୋଇଛି।
ଶ୍ରୀମନ୍ଦିରକୁ ପାଣ୍ଠି ଆସୁ ନାହିଁ, ତାହା ନୁହେଁ କିନ୍ତୁ ପାଣ୍ଠି କେବଳ କିଛି ନିର୍ଦ୍ଧିଷ୍ଟ ସେବାୟତଙ୍କୁ ତୁଷ୍ଟ କରିବା ଲାଗି ହିଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ପୁଣି ‘ବିପତ୍ତିରେ ସମ୍ପତ୍ତି’ ଖୋଜିବା ନ୍ୟାୟରେ ଶ୍ରୀ ପାଢ଼ୀ ପ୍ରତିଟି ଅବ୍ୟବସ୍ଥାରେ ନିଜର ସୁବିଧା ଖୋଜିବାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହୁଏ।
ନିକଟ ଅତୀତରେ ଶ୍ରୀମନ୍ଦିର ରଥଯାତ୍ରା ପରିଚାଳନାରେ ଅନେକ ବିଭ୍ରାଟ ହୋଇ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଜିଲ୍ଲାପାଳ, ଏସ୍ପିଙ୍କୁ ସରକାର ବଦଳି କରିଛନ୍ତି କିନ୍ତୁ ମୁଖ୍ୟ ପ୍ରଶାସକଙ୍କ ଉପରେ ଆଞ୍ଚ ଆସିପାରି ନାହିଁ।
ଅର୍ଥାତ୍ ସେ ଏମିତି ସାଞ୍ଜୁ ପିନ୍ଧିଛନ୍ତି ଯେ, ତାହା ସବୁ ପ୍ରକାର ବିଭ୍ରାଟକୁ ତାଙ୍କ ପାଖରେ ପ୍ରବେଶ କରିବାକୁ ଦେଉ ନାହିଁ। ଫଳରେ ରଥ ଚାଳନାରେ ବିଳମ୍ବ ହେଉ କି ଦଥ ଦାଣ୍ଡରେ ଦଳାଚକଟା ସବୁକିଛି ସତ୍ତ୍ୱେ ତାଙ୍କ ଧୋବ ଫରଫର ପୋଷାକରେ ଦାଗ ଲାଗିପାରି ନାହିଁ।
ଏହାକୁ ତାଙ୍କ ବିଚକ୍ଷଣତା ଛଡ଼ା ଆଉ କଣ କୁହାଯାଇପାରେ?
