ଦେଶ ପହଲଗାମ ଆକ୍ରମଣକୁ ନେଇ ବ୍ୟଥିତ। ୨୬ ଜଣ ମହିଳା ନିଜ ମଥାର ସିନ୍ଦୁର ଏହି ଆକ୍ରମଣରେ ହରାଇଛନ୍ତି। ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ଆପଣଙ୍କୁ ଚମକାଇ ଦେବ। ଖବର ହେଉଛି ଯେ,ଟଙ୍କା ପାଇଁ ଦେଶ ବିକିଦେଲେ ମହିଳା ୟୁଟ୍ୟୁବର। ଠିକ୍ ଶୁଣିଛନ୍ତି ଆପଣ। ଜଣେ ମହିଳା ଭାରତୀୟ ୟୁଟ୍ୟୁବର କିଛି ଟଙ୍କା ପାଇଁ ନିଜ ଦେଶ ସହ କରିଛନ୍ତି ବିଶ୍ୱାସଘାତକତା। ହରିଆନାର ଏହି ଅବିବାହିତା ମହିଳାଙ୍କ ନାମ ହେଉଛି ଜ୍ୟୋତି ମାହ୍ଲୋହୋତ୍ରା। ଯିଏ ଆଇଏସଆଇ ଟଙ୍କାରେ ବିଦେଶ ବୁଲିବା ସହିତ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ।
ଗିରଫ ପାକିସ୍ତାନୀ ଏଜେଣ୍ଟ ହେଉଛନ୍ତି ହିସାରର ବାସିନ୍ଦା ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା। ଏହା ପୂର୍ବରୁ, ଗତକାଲି କୈଥଲରୁ ଜଣେ ଯୁବକଙ୍କୁ ପୁଲିସ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରିଥିଲା। ମହିଳା ୟୁଟ୍ୟୁବରଙ୍କୁ ପାନିପତରୁ ଗିରଫ କରାଯାଇଛି। ଜ୍ୟୋତି ନାମକ ଏହି ଯୁବତୀ ପ୍ରାୟ ତିନିଥର ପାକିସ୍ତାନ ଯାତ୍ରା କରିସାରିଛନ୍ତି। ଗିରଫ ପରେ ତାଙ୍କୁ ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ହରିୟାଣା ଏବଂ ପଞ୍ଜାବରୁ ପୁଲିସ ଏ ପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି, ଯେଉଁମାନେ ଭାରତର ଗୁଇନ୍ଦାଗିରି କରୁଥିଲେ।
ଆଇଏସଆଇ ଟଙ୍କାରେ ଅଏସ
ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ୟୁଟ୍ୟୁବର ଏବଂ ଅନ୍ୟ ବ୍ୟକ୍ତିମାନେ ପାକିସ୍ତାନର ଆଇଏସଆଇ ସହ ଯୋଗାଯୋଗରେ ଥିଲେ। ଏହା ପୂର୍ବରୁ, ହରିୟାଣା ପୁଲିସ କୈଥଲରୁ ୨୫ ବର୍ଷୀୟ ଯୁବକ ଦେବେନ୍ଦ୍ର, ପାନିପତରୁ ଜଣେ ମୁସଲିମ ଯୁବକ ଏବଂ ନୁଂହରୁ ଅନ୍ୟଜଣଙ୍କୁ ଗିରଫ କରିଥିଲା। ଏବେ ମହିଳା ୟୁଟ୍ୟୁବରଙ୍କୁ ପାନିପତରୁ ଗିରଫ କରାଯାଇଛି। ପୁଲିସ ସମସ୍ତଙ୍କୁ ପଚରାଉଚରା କରୁଛି। ଏହା ସହ ପଞ୍ଜାବର ମାଲେରକୋଟଲା ଏବଂ ଭଟିଣ୍ଡାରୁ ମଧ୍ୟ ଗୁଇନ୍ଦାଗିରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
ହିସାରର ବାସିନ୍ଦା ଜ୍ୟୋତି ମଲହୋତ୍ରାଙ୍କର ଇନଷ୍ଟାଗ୍ରାମରେ ୧ ଲକ୍ଷ ୩୧ ହଜାର ଫଲୋଅର୍ସ ଅଛନ୍ତି। ଇନଷ୍ଟାଗ୍ରାମରେ ଜ୍ୟୋତି ଗତବର୍ଷ ପାକିସ୍ତାନ ଯାତ୍ରାର ଅନେକ ଭିଡିଓ ସେୟାର କରିଛନ୍ତି। ଏହା ବ୍ୟତୀତ, ସେ ଦୁବାଇ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ବୁଲିଛନ୍ତି। ଜ୍ୟୋତିଙ୍କ ପ୍ରୋଫାଇଲ ଅନୁଯାୟୀ, ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଡିଗ୍ରି ପାଇଛନ୍ତି। ୟୁଟ୍ୟୁବରେ ଜ୍ୟୋତିଙ୍କର ପ୍ରାୟ ୩ ଲକ୍ଷ ଫଲୋଅର୍ସ ଅଛନ୍ତି।
ଏଫଆଇଆରରେ କ’ଣ ଲେଖାଯାଇଛି?
ହିସାର ଥାନାରେ ପୁଲିସ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ପଚରାଉଚରା ସମୟରେ ଜ୍ୟୋତି ମଲହୋତ୍ରା ପୁଲିସକୁ କହିଛନ୍ତି ଯେ ୨୦୨୩ରେ ପାକିସ୍ତାନ ଯିବାକୁ ଭିସା ପାଇଁ ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନକୁ ଯାଇଥିଲେ, ଯେଉଁଠାରେ ତାଙ୍କର ଆହସାନ-ଉର-ରହିମ ଉର୍ଫ ଦାନିଶ ନାମକ ବ୍ୟକ୍ତିଙ୍କ ସହ ଦେଖା ହୋଇଥିଲା।
ଏହି ସମୟରେ ଆହସାନ-ଉର-ରହିମ ଉର୍ଫ ଦାନିଶଙ୍କ ମୋବାଇଲ ନମ୍ବର ନେଇଥିଲେ ଏବଂ ତା’ପରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ମହିଳାଙ୍କ କହିବା ଅନୁଯାୟୀ, ସେ ଦୁଇଥର ପାକିସ୍ତାନ ଯାତ୍ରା କରିସାରିଛନ୍ତି ଏବଂ ଆହସାନ-ଉର-ରହିମଙ୍କ ଜଣାଶୁଣା ଅଲୀ ପାକିସ୍ତାନରେ ତାଙ୍କ ବୁଲାବୁଲି ଓ ରହଣୀର ବ୍ୟବସ୍ଥା କରିଥିଲେ। ଅଲୀ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଦେଖା କରାଇଥିଲେ। ପରେ ସେ ଶାକିର ଏବଂ ରାଣା ଶେହବାଜଙ୍କ ସହ ମଧ୍ୟ ଦେଖା କରିଥିଲେ।
ଭାରତ ଫେରିବା ପରେ ସେ ହ୍ୱାଟସଆପ, ସ୍ନାପଚାଟ ଏବଂ ଟେଲିଗ୍ରାମ ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗରେ ରହିଥିଲେ। ଏହି ସମୟରେ ସେ ପାକିସ୍ତାନ ହାଇକମିଶନରେ ଅଧିକାରୀ ଆହସାନ-ଉର-ରହିମ ଉର୍ଫ ଦାନିଶଙ୍କ ସହ ମଧ୍ୟ ଅନେକଥର ଦେଖା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବିଦେଶ ମନ୍ତ୍ରାଳୟ ଗୁଇନ୍ଦାଗିରି ଅଭିଯୋଗରେ ୧୩ ମଇରେ ଦାନିଶଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଏବେ ଜ୍ୟୋତି, ଯିଏକି ହିସାରର ନ୍ୟୁ ଅଗ୍ରସେନ ଏକ୍ସଟେନସନରେ ରହୁଛନ୍ତି, ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଧାରା ୧୫୨ ବିଏନଏସ ଏବଂ ୧୯୨୩ର ଅଫିସିଆଲ ସିକ୍ରେଟ ଆକ୍ଟର ଧାରା ୩, ୪, ୫ ଅନୁଯାୟୀ ମାମଲା ରୁଜୁ ହୋଇଛି।