ଯୁଦ୍ଧ ବିରାମ ଏକ ନୂଆ କଥା ନୁହେଁ, ଯାହା ଭାରତ ଓ ପାକିସ୍ତାନ ଭିତରେ ହୋଇଛି। କିନ୍ତୁ ନୂଆ କଥା ଏହା ଯେ, ଏ ଯୁଦ୍ଧ ବିରାମରେ ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ଯୁଦ୍ଧ ବିରାମରେ ମଧ୍ୟସ୍ଥିର ପ୍ରବେଶ ହୋଇଛି, ଏ ଯୁଦ୍ଧ ବିରାମ ଶତ୍ରୁପକ୍ଷର ଅନୁରୋଧରେ ହୋଇଛି। ତଥାପି ଶତ୍ରୁପକ୍ଷ ବଦଳି ନାହିଁ। ନିଜ ଭୁଲ୍କୁ ସ୍ୱୀକାର କରିନାହିଁ। ନିଜର ଅହଂକାରକୁ ପରିତ୍ୟାଗ କରିନାହିଁ କି ଆତ୍ମସମର୍ପଣ କରିନାହିଁ। ଏପରି କ୍ଷେତ୍ରରେ ଏ ବିରାମ କ’ଣ ପୂର୍ଣ୍ଣ ବିରାମ ହେବ? ଏ ପ୍ରଶ୍ନ ଏବେ ସବୁ ଭାରତବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି। ଆଉ ଏଭଳି ପରିସ୍ଥିତିକୁ ନେଇ ସରକାର କ’ଣ ଚିନ୍ତା କରୁଛନ୍ତି ତାହା ଜାଣିବା ତ ଦୂରର କଥା। ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ମହାଭାରତର ଉପାଖ୍ୟାନ କହି ଭାରତୀୟ ମାନସିକତାରେ ଶତ୍ରୁପକ୍ଷର ଦୁର୍ବଳତାକୁ ଦୁର୍ଯ୍ୟୋଧନର ଅହଙ୍କାର ସହ ତୁଳନା କରିଛନ୍ତି। ମହିଳାଙ୍କ ‘ସିନ୍ଦୂର ରକ୍ଷା’ ଲାଗି ଆରମ୍ଭ କରାଯାଇଥିବା ଅପରେସନ୍ ସିନ୍ଦୂର ଯେ ଶତ୍ରୁ ପକ୍ଷର ଅହଙ୍କାର ଯୋଗୁ ପୂର୍ଣ୍ଣ ବିରାମ ପାଇପାରିବ ନାହିଁ ତାହାକୁ ସ୍ପଷ୍ଟ କରିଛନ୍ତି।
କଥାଟି ଏହିପରି। ବିଜେପିର ବରିଷ୍ଠ ନେତା, ସୁନ୍ଦରଗଡ଼ର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କର ଗତ ଶନିବାର ବିଳମ୍ବିତ ରାତିର ଟ୍ଵିଟ୍ ବେଶ ଚର୍ଚ୍ଚିତ ହୋଇଛି।
#OperationSindooor pic.twitter.com/AYAJqOvJtv
— Jual Oram (@jualoram) May 10, 2025
ଯେତେବେଳେ ପାକିସ୍ତାନ ଯୁଦ୍ଧବିରତିକୁ ଉଲ୍ଲଙ୍ଘନ କରି ଭାରତ ଉପରେ ତା’ର ଆକ୍ରମଣ ପୁଣି ଆରମ୍ଭ କରିଥିଲା ସେତେବେଳେ ଜୁଏଲଙ୍କ ଟ୍ଵିଟ୍ ବା ସୋସିଆଲ ମିଡିଆର ‘ଏକ୍ସ’ ହାଣ୍ଡେଲରେ ଏକ ଚର୍ଚ୍ଚିତ ଲେଖା ସାମ୍ନାକୁ ଆସିଥିଲା।
ମହାଭାରତର କାହାଣୀକୁ ଉଲ୍ଲେଖ କରି କିଭଳି ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନିଶ୍ଚିତ ଯୁଦ୍ଧ ହେବ ବୋଲି କହୁଛନ୍ତି ତାହା ଜୁଏଲ ଉଲ୍ଲେଖ କରିଥିଲେ । ମହାଭାରତର ସେହି କଥାକୁ ଉଲ୍ଲେଖ କରି ଜୁଏଲ ଲେଖିଥିଲେ ଯେ ‘ଏବେ ଶ୍ରୀକୃଷ୍ଣ ଶେଷ ଚେଷ୍ଟାସ୍ୱରୂପ ଶାନ୍ତି ସନ୍ଧି ନିମନ୍ତେ ହସ୍ତିନାପୁର ଯାଉଥିଲାବେଳେ ଦ୍ରୌପଦୀ ଅତ୍ୟନ୍ତ ବ୍ୟାକୁଳତାର ସହିତ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ -କେଶବ, ଏବେ ଆଉ କ’ଣ ଯୁଦ୍ଧ ହେବ ନାହିଁ?
ଶ୍ରୀକୃଷ୍ଣ ସେହି ସମୟରେ ଦ୍ରୌପଦୀଙ୍କୁ କହିଥିଲେ– ତୁମେ ମୋ’ଠାରୁ ଅଧିକ ଦୁର୍ଯ୍ୟୋଧନ ଉପରେ ବିଶ୍ୱାସ ରଖ। ସେ ନିଶ୍ଚିତ ଭାବରେ ମୋର ସବୁ ଚେଷ୍ଟାକୁ ବିଫଳ କରିଦେବ। ତେଣୁ ହେ ଦ୍ରୌପଦୀ, ନିଶ୍ଚିତ ରୁହ ଯେ ଯୁଦ୍ଧ ହେବ।
ଜୁଏଲଙ୍କ ଏଭଳି ଟ୍ୱିଟ୍ ରାଜନୀତିକ ମହଲରେ ଗୁରୁତ୍ୱ ବହନ କରୁଛି। କାରଣ ଜୁଏଲ ମୋଦୀ କ୍ୟାବିନେଟ୍ର ଜଣେ ବରିଷ୍ଟ ସଦସ୍ୟ। ଦେଶରେ ଥିବା ପ୍ରାୟ ୯ ପ୍ରତିଶତ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ସେ ପ୍ରତିନିଧିତ୍ୱ କରୁଛନ୍ତି। ଯେଉଁମାନେ କି ଛନ୍ଦକପଟରେ ବିଶ୍ୱାସ କରନ୍ତି ନାହିଁ। ଯାହା ଜାଣିନ୍ତି ଓ ଶୁଣନ୍ତି ସିଧା କହିବାରେ ବିଶ୍ୱାସ କରନ୍ତି। କ୍ୟାବିନେଟ୍ର ବରିଷ୍ଠ ସଦସ୍ୟ ହୋଇଥିବାରୁ ସରକାର ଯେଉଁ ନିଷ୍ପତ୍ତି ସେ ତା’ର ଅଂଶବିଶେଷ।
ଯୁଦ୍ଧ ବିରାମ ନେଇ ମୋଦୀ ସରକାର ସହମତି ଦେଇଥିବାରୁ ଦେଶବାସୀ ବିଶେଷ କରି ସ୍ୱାମୀଙ୍କୁ ହରାଇଥିବା ମହିଳା ରୂପୀ ଦ୍ରୌପଦୀମାନଙ୍କୁ ସରକାରଙ୍କ ପ୍ରତିନିଧି ରୂପକ ଜୁଏଲ ଯୁଦ୍ଧ ହେବା ଓ ଶତ୍ରୁ ନିପାତ ନେଇ ଆଶ୍ୱାସନା ଦେଇଛନ୍ତି। ଯାହାକି ଆତଙ୍କୀ ରାଷ୍ଟ୍ର ପାକିସ୍ତାନ ଉପରେ ଜଳୁଥିବା ଦେଶବାସୀ ଓ ମହିଳାମାନଙ୍କ ମନକୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।
କିନ୍ତୁ ଅପରପକ୍ଷରେ ତାଙ୍କ ନିନ୍ଦୁକମାନେ ଭିନ୍ନ କଥା କହୁଛନ୍ତି। କାରଣ ମନ୍ତ୍ରୀ ହେବାର ବର୍ଷେ ପୂରିବାକୁ ଯାଉଛି। ରାଜ୍ୟର ବିକାଶ ତଥା ବିଶେଷ କରି ରାଜ୍ୟରେ ୨୩ ପ୍ରତିଶତ ଥିବା ଆଦିବାସୀ ମତଦାତାଙ୍କର ଉନ୍ନତି ପାଇଁ ସେଭଳି ଆଖିଦୃଶିଆ କାମ କରିନାହାନ୍ତି। ତେଣୁ ରାଜ୍ୟ ତଥା ଦେଶର ରାଜନୀତିରେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଆଲୋଚନା ହେଉଛି।
ଶ୍ରୀକୃଷ୍ଣ ଯେପରି ମଝିରେ ମଝିରେ ଅନ୍ତର୍ଦ୍ଧାନ ହୋଇଯାଇ ପୁଣି ପ୍ରକଟ ହୋଇଯାଆନ୍ତି ସେହପରି ଜୁଏଲ ଗତ ସପ୍ତାହରେ ଗୋଟିଏ ଟ୍ରେନରୁ ଅନ୍ତର୍ଦ୍ଧାନ ହୋଇ ଆଉ ଗୋଟିଏ ଟ୍ରେନରେ ଆବିର୍ଭାବ ହୋଇଥିଲେ। ଏହି ଘଟଣା ଜାତୀୟ ଗଣମାଧ୍ୟରେ ଶିରୋନାମା ପାଲଟି ଥିଲା। ଯାହାକୁ ନେଇ ଜୁଏଲ ସୁସ୍ଥ ଥିବା ଓ ଅଫିସରେ ବୈଠକ କରୁଥିବା ନେଇ ସୂଚନା ଦେବାକୁ ବାଧ୍ୟ ହୋଇଥିଲେ।
କେବଳ ସେତିକି ନୁହେଁ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ୨୬ଜଣ ଅନୁସୂଚିତ ବର୍ଗର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସ୍ୱୀକାର କରିଛନ୍ତି। ଏପରିକି ଆଦିବାସୀ ହଷ୍ଟେଲରେ ରହି ପାଠପଢ଼ୁଥିବା ନାବାଳିକାମାନେ ଗର୍ଭବତୀ ହେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ଏହାର ନିରାକରଣ ଦିଗରେ କ’ଣ ପଦକ୍ଷେପ ନିଆଯାଉଛି କେନ୍ଦ୍ରମନ୍ତ୍ରୀ ହିସାବରେ ଜୁଏଲ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ରାଜ୍ୟର ଆଦିମ ଅଧିବାସୀମାନଙ୍କର ଉନ୍ନତି ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ବିନିଯୋଗ ନ ହୋଇ ଫେରିଯାଉଛି। ଏହି କେନ୍ଦ୍ରୀୟ ଅନୁଦାନ କିପରି ରାଜ୍ୟର ଆଦିବାସୀମାନଙ୍କର ଉନ୍ନତି ପାଇଁ ବିନିଯୋଗ ହେବ ସେ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ କୌଣସି ଚିଠି ଲେଖି ପରାମର୍ଶ ଦେଇନାହାନ୍ତି। କିନ୍ତୁ ଓଡ଼ିଶା କ୍ୟାଡ଼ର ଆଇଏଏସ ତଥା ସୁନ୍ଦରଗଡ଼ର ତତ୍କାଳୀନ ଜିଲ୍ଲାପାଳଙ୍କୁ ସେ ନିଜର ବ୍ୟକ୍ତିଗତ ସଚିବ ଭାବରେ ନେଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।
ଯେଉଁ ରାଜ୍ୟରୁ ଜୁଏଲ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ସେ ରାଜ୍ୟ ତଥା ରାଜ୍ୟର ଅନୁସୂଚିତ ଜନଜାତିଙ୍କର ଉନ୍ନତି ପାଇଁ ଉଦାସୀନ ରହିବା ପରେ କୌରବଙ୍କ ବିରୋଧରେ ଶ୍ରୀକୃଷ୍ଣଙ୍କର ଦ୍ରୌପଦୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ଟ୍ୱିଟ୍ରରେ କହି ପୁରୁଣା କଥାକୁ ଭୁଲି ଯିବାକୁ ଅପଚେଷ୍ଠା କରିଛନ୍ତି। ତାଙ୍କର ଏପରି ଚତୁର ଉଦ୍ୟମ କେତେଦୂର କାମ ଦେବ ତାହା ସମୟ କହିବ।
Also readhttps://purvapaksa.com/akash-have-10-eye-that-helped-the-indian-air-force-in-hitting-targets/
ଆକାଶର ୧୦ ଆଖି, ଯାହା ଟାର୍ଗେଟ୍ ଭେଦ କରିବାରେ ଭାରତୀୟ ବାୟୁସେନାକୁ କରିଥିଲା ସାହାଯ୍ୟ