An Autobiography: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆତ୍ମଜୀବନୀ ‘ମୋ କାହାଣୀ‘ରେ ମୋଗଲ ସମ୍ରାଟ୍ ଫରୁଖସିୟାରଙ୍କ ନିମନ୍ତ୍ରଣକ୍ରମେ କାଶ୍ମୀରରୁ ଦିଲ୍ଲୀ ଆସିଥିବା ତାଙ୍କ କାଶ୍ମୀର ପୂର୍ବପୁରୁଷଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ନେହେରୁ ପରିବାରର ଉପନାମ ମୂଳତଃ କୌଲ ଥିଲା, ଯାହା ପରବର୍ତ୍ତୀ ସମୟରେ ନେହେରୁରେ ପରିଣତ ହୋଇଥିଲା।
ରାହୁଲଙ୍କ ବୈଦେଶିକ ନୀତିକୁ ନେଇ ବୟାନ ପରେ ଗାନ୍ଧୀ ନେହେରୁ ପରିବାରର ଇତିହାସ ପୁଣି ଚର୍ଚ୍ଚା ଭିତରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସିଆଇଏ ଅଧିକାରୀଙ୍କ ଲିଖିତ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇ ମାହୋଲକୁ ଅଧିକ ଉଷ୍ମ କରିଦେଇଛନ୍ତି। ଏହାରି ଭିତରେ ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସୁଥିବ ଯେ, ନେହେରୁ ପରିବାରର ଇତିହାସ କ’ଣ? କେମିତି ଏହି ପରିବାର ସ୍ୱାଧିନତ୍ତୋର ଭାରତର ପ୍ରଥମ ରାଜନୈତିକ ପରିବାର ପାଲଟିଥିଲା? ଆସନ୍ତୁ ଇତିହାସର ପୃଷ୍ଠା ଓଲଟାଇବା ଓ ଜାଣିବାକୁ ଚେଷ୍ଟାକରିବା କ’ଣ ଥିଲା ନେହେରୁ ପରିବାରର ଇତିହାସ।
ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟ ଜଣେ ପ୍ରସିଦ୍ଧ ଲେଖକ ଥିଲେ। ଜବାହରଲାଲ ନେହେରୁ ପ୍ରଥମରୁ ଲେଖାଲେଖିରେ ଆଗ୍ରହୀ ଥିଲେ। ଜେଲରେ ସେ ଲେଖିଥିବା ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି,‘ଲେଟର୍ସ ଫ୍ରମ୍ ଏ ଫାଦର ଟୁ ହିଜ୍ ଡଟର’, ‘ଆନ୍ ଅଟୋବାୟୋଗ୍ରାଫି’, ‘ଗ୍ଲିମ୍ପସେସ୍ ଅଫ୍ ୱାର୍ଲ୍ଡ ହିଷ୍ଟ୍ରି’ ଏବଂ ‘ଦି ଡିସ୍କଭରୀ ଅଫ୍ ଇଣ୍ଡିଆ’ ସାରାବିଶ୍ୱରେ ପଢ଼ାଯାଇଥିଲା ଏବଂ ପ୍ରଶଂସିତ ହୋଇଥିଲା। ନେହେରୁ ୧୭ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ତୁଲାଇଥିଲେ।
୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଆଲାହାବାଦରେ ଜନ୍ମଗ୍ରହଣ କରିଥିବା ଜବାହରଲାଲ ନେହେରୁ ୧୫ ବର୍ଷ ବୟସରେ ପାଠପଢ଼ା ପାଇଁ ଇଂଲଣ୍ଡ ଯାଇଥିଲେ। ହାରୋରେ ଦୁଇ ବର୍ଷ ରହିବା ପରେ, ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ। ଯେଉଁଠାରୁ ସେ ତାଙ୍କର ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୨ ମସିହାରେ ଭାରତ ଫେରିବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ଲବଣ ସତ୍ୟାଗ୍ରହ ଏବଂ ଅନ୍ୟାନ୍ୟ କଂଗ୍ରେସ ଆନ୍ଦୋଳନ ଯୋଗୁଁ ଜବାହରଲାଲ ନେହେରୁଙ୍କୁ ୧୯୩୦-୧୯୩୫ ମଧ୍ୟରେ ଅନେକ ଥର ଜେଲ୍ କରାଯାଇଥିଲା। ସେ ତାଙ୍କ ସମଗ୍ର ଜୀବନରେ ନଅ ଥର ଜେଲ ଯାଇଥିଲେ। ସେ ଏହି ସମୟକୁ ଭାରତର ଇତିହାସ ବିଷୟରେ ତାଙ୍କର ଧାରଣା ଲେଖିବା ପାଇଁ ବ୍ୟବହାର କରିଥିଲେ।
ଜେଲର ନିଃସଙ୍ଗତା ଦୂର ପାଇଁ ବହି ଲେଖା
ଜେଲରେ ଥିବାବେଳେ ଜବାହରଲାଲ ନେହେରୁ ତାଙ୍କର ଜୀବନୀ ‘ଆନ୍ ଅଟୋବାୟୋଗ୍ରାଫି’ ଲେଖିଥିଲେ। ସମ୍ପ୍ରତି ଏହାର ହିନ୍ଦୀ ରୂପାନ୍ତର ‘ମେରି କାହାଣୀ’ ପେଙ୍ଗୁଇନ୍ ସ୍ୱଦେଶଦ୍ୱାରା ପ୍ରକାଶିତ ହୋଇଛି। ଏହାକୁ ଶ୍ରୀରାମନାଥ ସୁମନ ଅନୁବାଦ କରିଛନ୍ତି। ଜବାହରଲାଲ ନେହେରୁ ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି, “ଏହି ପୁସ୍ତକ ଲେଖିବାର ଉଦ୍ଦେଶ୍ୟ ଥିଲା ମୋତେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ କରିବା ଯାହା ଜେଲ ଜୀବନର ଏକାନ୍ତତା ବିତାଇବା ପାଇଁ ଆବଶ୍ୟକ। ଏହା ସହିତ, ମୁଁ ଭାରତରେ ଘଟିଥିବା ସାମ୍ପ୍ରତିକ ଘଟଣାବଳୀ ବିଷୟରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଥିଲି, ଯାହା ସହିତ ମୁଁ ଜଡ଼ିତ।”
ମୋଗଲଙ୍କ ଡାକରାରେ ଦିଲ୍ଲୀ ଆସିଥିଲେ ନେହେରୁଙ୍କ ପୂର୍ବଜ
ଜବାହରଲାଲ ନେହେରୁ ‘ମେରି କାହାଣୀ’ରେ ତାଙ୍କ କାଶ୍ମୀର ପରିବାର ବିଷୟରେ କହିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କ ପୂର୍ବପୁରୁଷମାନେ କେଉଁ ପରିସ୍ଥିତିରେ କାଶ୍ମୀର ଛାଡି ଦିଲ୍ଲୀରେ ବସତି ସ୍ଥାପନ କରିଥିଲେ। ସେ ଲେଖିଛନ୍ତି, “ଆମେ କାଶ୍ମୀରର ବାସିନ୍ଦା। ଦୁଇଶହ ବର୍ଷରୁ ଅଧିକ ବର୍ଷ ପୂର୍ବେ, ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ, ଆମର ପୂର୍ବପୁରୁଷମାନେ କାଶ୍ମୀରର ସୁନ୍ଦର ଉପତ୍ୟକାରୁ ଖ୍ୟାତି ଏବଂ ଧନ ସନ୍ଧାନରେ ସମତଳ ଭୂମିକୁ ଆସିଥିଲେ। ସେସମୟ ଥିଲା ମୋଗଲ ସାମ୍ରାଜ୍ୟର ପତନର କାଳ। ଔରଙ୍ଗଜେବର ମୃତ୍ୟୁ ହୋଇ ସାରିଥିଲା। ଫାରୁଖସିଆର ମୋଗଲ ସାମ୍ରାଜ୍ୟର ନାମମାତ୍ର ସମ୍ରାଟ୍ ଥିଲେ। ଦିଲ୍ଲୀ ଆସିଥିବା ଆମ ପ୍ରଥମ ପୂର୍ବପୁରୁଷଙ୍କ ନାମ ରାଜ କୌଲ ଥିଲା। କାଶ୍ମୀରର ସଂସ୍କୃତ ଏବଂ ପାରସୀ ବିଦ୍ୱାନମାନଙ୍କ ମଧ୍ୟରେ ସେ ଏକ ଜଣାଶୁଣା ନାମ ଥିଲେ। ଯେତେବେଳେ ଫାରୁଖସିଆର କାଶ୍ମୀରରେ ରାଜ କୌଲଙ୍କୁ ଦେଖିଥିଲେ ଏବଂ ସମ୍ଭବତଃତ ତାଙ୍କ ପରାମର୍ଶରେ ତାଙ୍କ ପରିବାର ଦିଲ୍ଲୀ ଆସିଥିଲେ।
କୌଲରୁ କେମିତି ହେଲେ ‘ନେହେରୁ’?
‘ମୋ କାହାଣୀ’ ଅନୁସାରେ, ‘‘ଏହା ପ୍ରାୟ ୧୭୧୬ ମସିହାର ଘଟଣା ଥିଲା। ରାଜ କୌଲଙ୍କୁ ଗୋଟିଏ ଘର ଏବଂ କିଛି ସମ୍ପତ୍ତି ଦିଆଯାଇଥିଲା। ଘରଟି କେନାଲ ବା ‘ନହର’ କୂଳରେ ଥିଲା, ତେଣୁ ତାଙ୍କୁ ସ୍ଥାନୀୟ ଲୋକ ନେହେରୁ ଡାକିବା ଆରମ୍ଭ କରିଥିଲେ। କୌଲ, ଯାହା ସେମାନଙ୍କର ପାରିବାରିକ ନାମ ଥିଲା, ତାହା କୌଲ-ନେହେରୁକୁ ପରିବର୍ତ୍ତନ ହୋଇଥିଲା ଏବଂ ପରେ କୌଲ ଅଦୃଶ୍ୟ ହୋଇ କେବଳ ନେହେରୁ ରହିଯାଇଛି ବୋଲି ଜୱାହର ତାଙ୍କ ଆତ୍ମଜୀବନୀରେ ଲେଖିଥିଲେ। ନେହେରୁଙ୍କ ଆନୁସାରେ ଏହାପରେ ଏପରି ଏକ ଅଶାନ୍ତ ସମୟ ଆସିଲା ଯେତେବେଳେ ଆମ ପରିବାରର ଗୌରବ ଶେଷ ହୋଇଗଲା ଏବଂ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଗଲା। ମୋର ଜେଜେବାପା ଲକ୍ଷ୍ମୀନାରାୟଣ ନେହେରୁ ଦିଲ୍ଲୀ ସମ୍ରାଟ୍ଙ୍କ ନାମମାତ୍ର ଅଦାଲତରେ କମ୍ପାନୀ ସରକାରଙ୍କର ପ୍ରଥମ ଓକିଲ ହୋଇଥିଲେ। ମୋ ଜେଜେବାପା ଗଙ୍ଗାଧର ନେହେରୁ ୧୮୫୭ ବିଦ୍ରୋହର କିଛି ସମୟ ପୂର୍ବରୁ ଦିଲ୍ଲୀର କଟୁଆଳ ଥିଲେ। ୧୮୬୧ ମସିହାରେ ମାତ୍ର ୩୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।”
ଦିଲ୍ଲୀରୁ ଆଗ୍ରା ଯାତ୍ରା
ନେହେରୁ ଲେଖିଛନ୍ତି, “୧୮୫୭ ବିଦ୍ରୋହ ଯୋଗୁଁ ଆମ ପରିବାରର ସମ୍ପୂର୍ଣ୍ଣ ଗୌରବ ନଷ୍ଟ ହୋଇଯାଇଥିଲା। ଆମ ପରିବାରର ସମସ୍ତ କାଗଜପତ୍ର ଏବଂ ଡକ୍ୟୁମେଣ୍ଟ ନଷ୍ଟ ହୋଇଗଲା। ଏହିପରି ଭାବରେ ସବୁକିଛି ହରାଇବା ପରେ, ଆମ ପରିବାର, ଦିଲ୍ଲୀ ଛାଡ଼ିଥିବା ଅନେକ ଲୋକଙ୍କ ସହିତ ଆଗ୍ରା ଚାଲି ଆସିଥିଲୁ। କିଛିବର୍ଷ ପାଇଁ ଆଗ୍ରାରେ ମୋ ପରିବାର ରହିଥିଲେ ଏବଂ ମୋ ବାପା (ମୋତିଲାଲ ନେହେରୁ) ୬ ମଇ ୧୮୬୧ରେ ସେଠାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ମୋ ଜେଜେବାପାଙ୍କ ମୃତ୍ୟୁର ତିନିମାସ ପରେ ତାଙ୍କ ଜନ୍ମ ହୋଇଥିଲେ। ଆମ ପାଖରେ ମୋ ଜେଜେବାପାଙ୍କର ଏକ ଛୋଟ ଫଟୋ ଅଛି, ଯେଉଁଥିରେ ସେ ମୋଗଲ ଦରବାର ପୋଷାକ ପିନ୍ଧିଛନ୍ତି ଏବଂ ହାତରେ ଏକ ବଙ୍କା ଖଣ୍ଡା ଧରିଛନ୍ତି। ଏଥିରେ ସେ ଜଣେ ମୋଗଲ ସର୍ଦ୍ଦାର ପରି ଦେଖାଯାଉଥିଲେ, ଯଦିଓ ତାଙ୍କର ରୂପ ଜଣେ କାଶ୍ମୀରୀ ପରି ଥିଲା।”
ମୋତିଲାଲଙ୍କୁ ପାଳିଥିଲେ ତାଙ୍କ ବଡ଼ବାପା
‘ମୋ କାହାଣୀ’ ଅନୁଯାୟୀ, ‘‘ତା’ପରେ, ଆମ ପରିବାରର ପ୍ରତିପାଳନ ଦାୟିତ୍ୱ ମୋ ଦୁଇ ବଡ଼ବାପାଙ୍କ ଉପରେ ପଡ଼ିଲା, ଯେଉଁମାନେ ମୋ ବାପାଙ୍କଠାରୁ ବହୁତ ବଡ଼ ଥିଲେ। ବଡ଼ ବାପା ବଂଶୀଧର ନେହେରୁ କିଛିଦିନ ପରେ ବ୍ରିଟିଶ ସରକାରଙ୍କ ନ୍ୟାୟ ବିଭାଗରେ ଚାକିରି କଲେ। ମୋର ସାନ ବଡ଼ବାପା ନନ୍ଦଲାଲ ନେହେରୁ ରାଜପୁତନାର ଏକ ଛୋଟ ଗଡ଼ଜାତ ରାଜ୍ୟ କ୍ଷେତିର ଦିୱାନ ହୋଇଥିଲେ ଏବଂ ସେଠାରେ ଦଶବର୍ଷ ଧରି ରହିଥିଲେ। ପରେ ସେ ଆଇନ ପାଠପଢ଼ି ଆଗ୍ରାରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ମୋ ବାପା ମଧ୍ୟ ତାଙ୍କ ସହିତ ରହିଥିଲେ ।’’
ପରିବାର ଆଗ୍ରାରୁ ଆହ୍ଲାବାଦକୁ ଚାଲିଆସିଥିଲେ
ଜବାହରଲାଲ ନେହେରୁ ଲେଖିଛନ୍ତି, “ମୋ ବାପା ସବୁଠାରୁ ସାନ ହୋଇଥିବାରୁ, ମୋ ଜେଜେମା’ ତାଙ୍କୁ ବହୁତ ଭଲ ପାଉଥିଲେ। ମୋ ଜେଜେମା’ ଜଣେ ବହୁତ ଶକ୍ତିଶାଳୀ ମହିଳା ଥିଲେ। ତାଙ୍କ କଥାକୁ ଅସ୍ୱୀକାର କରିବା ପାଇଁ କାହାରି ସାହସ ନ ଥିଲା। ମୋ ବାପାଙ୍କ ବଡ଼ବାପା ନୂତନ ହାଇକୋର୍ଟକୁ ଯାଉଥିଲେ ଏବଂ ଯେତେବେଳେ ସେହି ହାଇକୋର୍ଟ ଆହ୍ଲାବାଦକୁ ସ୍ଥାନାନ୍ତରିତ ହେଲା, ଆମ ପରିବାରର ସଦସ୍ୟମାନେ ମଧ୍ୟ ସେଠାକୁ ଚାଲିଯାଇଥିଲେ। ସେବେଠାରୁ, ଆହ୍ଲାବାଦ ଆମର ଘର ହୋଇଗଲା ଏବଂ ସେଠାରେ, ଅନେକ ବର୍ଷ ପରେ, ମୋର ଜନ୍ମ ହୋଇଥିଲା ।’’
Also readhttps://purvapaksa.com/pm-modi-attacks-nehrus-foreign-policy-read-about-jfk-forgotten-crisis/
