ପୁରାଣ କୁହନ୍ତୁ କି ବାସ୍ତବ ଦୁନିଆରେ ଜଗନ୍ନାଥଙ୍କ ଆନେକ ଲୀଳା ଖେଳା ବିଷୟରେ ଆପଣ ଜାଣିଥିବେ ନିଶ୍ଚୟ। କେତେବେଳେ ସେ ବଡ଼ ଦାଣ୍ଡରୁ କାଠ ରଥ ଛାଡି ଭକ୍ତଙ୍କ ବାଲି ରଥକୁ ଚାଲି ଯାଆନ୍ତି, ତ ପୁଣି ଆଉ କେତେବେଳେ ଭକ୍ତକୁ ଅପେକ୍ଷା କରି ରଥ ଅଟକାଇ ରଖନ୍ତି। ଆଜି ଆମେ ସେମିତି ଗୋଟିଏ ଘଟଣା ବିଷୟରେ କହୁଛୁ, ଯେତେବେଳେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ମେଳରେ ଜଣେ ବେ-ଶ୍ୟାଙ୍କ ପାଇଁ ଜଗାର ନନ୍ଦିଘୋଷ ରଥ ଅଟକି ଯାଇଥିଲା । ଆପଣମାନେ କ’ଣ ଜାଣିଛନ୍ତି କି ରୂପଜୀବୀ ଯମୁନା ବାଈର କଥା। ରୂପଜୀବୀ ଯମୁନା ଜଡ଼ଙ୍ଗ ସାହିରେ ତାର ଘର। ଦିନେ ତାର ମନରେ ଭାବନା ଆସିଲା ଯେ, ଲୋକମାନେ ପାପ ମୋଚନ ପାଇଁ ପୁରୀ ଆସୁଛନ୍ତି। ହେଲେ ମୁଁ ଏହି ଦିବ୍ୟ ଧାମରେ ରହି ଲୋକମାନଙ୍କୁ ପାପରେ ଭାଗୀ କରାଉଛି ଆଉ ମୁଁ ବି ଭାଗୀ ହେଉଛି, ମୋ ଜୀବନରେ କଣ ମୁକ୍ତି ନାହିଁ? ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ନିଶ୍ଚୟ ଯିବି।
ହେଲେ ଭାଗ୍ୟର ବିଡ଼ମ୍ବନା ଗରୁଡ଼ ସ୍ତମ୍ବ ପାଖରେ ସେ ପହଁଚିଛି କି ନାହିଁ ପଣ୍ଡାମାନେ ତାକୁ ଘେରି ଗଲେ। ବହୁତ ତିରସ୍କାର କଲେ। କହିଲେ ତୋ ଭଳି ଅପବିତ୍ର ପାପିନୀ ଯଦି ଶ୍ରୀମନ୍ଦିର ଯିବ ରାଜା ଶୁଣିଲେ ଆମ ମୁଣ୍ଡ ରହିବନି, ତୁରନ୍ତ ଏଠୁ ଚାଲିଯା କହି ତାକୁ ସିଂହ ଦୁଆର ଆଗରୁ ତଡିବାକୁ ଲାଗିଲେ। ପଣ୍ଡାଙ୍କ କଥା ଶୁଣି ଯମୁନା ପ୍ରାଣ କାନ୍ଦି ଉଠିଲା। ଏତେ ଦିନର ଆଶା ସବୁ ମୌଳି ଯାଇଥିଲା। କିନ୍ତୁ ପ୍ରଭୁ ଜଗନ୍ନାଥ ତ ହେଉଛନ୍ତି ଭକ୍ତବତ୍ସଳ, ସମର୍ପଣର ଠାକୁର ସେ କେମିତି ଭକ୍ତର ଅପମାନ ସାହିପାରିଥାନ୍ତେ। ଯମୁନା ଅପମାନିତ ହୋଇ ସିଂହଦୁଆରରୁ ଫେରୁଥାଏ ସେତେବେଳେ ସେହି ବାଟ ଦେଇ ଯାଉଥାନ୍ତି ଭକ୍ତଶ୍ରେଷ୍ଠ ବଳରାମ ଦାସ। କ୍ଷତ୍ରିୟ ଯୁବକ ରୂପ ଗୁଣ ବଳବିଯ୍ୟରେ ପରିପୂର୍ଣ୍ଣ ଆସିଥିଲେ କାଳିଆ ପାଖକୁ। ଯମୁନା ବାଈକୁ ଦେଖିବା ପରେ ଆଉ କେ କାଳିଆ ସିଧା ତା ପଛେ ପଛେ ଧାଇଁଲେ। ଚାରି ଆଖିର ମିଳନ ପରେ ଯମୁନା ବାଈ ସହ ବଳରାମଙ୍କ ଭାବ ଦିଆନିଆ ଚାଲିଲା। ବାଇଶି ପାହାଚ ଚଢ଼ିବାକୁ ଆସିଥିବା ପାଦ ସିଧା ଜଡ଼ଙ୍ଗ ସାହିକୁ ଚାଲିଗଲା। ବେଶ୍ୟାଳୟ ଆକର୍ଷଣ ଏମିତି ହୋଇଗଲା ଯେ, ସେ ଘରକୁ ଫେରିବା ପରିବର୍ତେ ଯମୁନା ପାଖରେ ରହିବାକୁ ପସନ୍ଦ କଲେ।
ତୁଣ୍ଡବାଇଦ ସହସ୍ରକୋଷ ପରି ଏହି କଥା ସାରା ପୁରୀ ଅଞ୍ଚଳରେ ବ୍ୟାପି ଯାଇଥିଲା। ସେଦିନ ଥିଲା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଯମୁନାର କୋଳରେ ଥିଲେ ବଳରାମ। ଭାବ ଦିଆନିଆ ଚାଲିଥାଏ ସୁରା ରସରେ ଦୁଇ ପ୍ରାଣୀ ପୁରା ବୁଡ଼ି ଯାଇଥାନ୍ତି । ଠିକ ସେହି ସମୟରେ ଘଣ୍ଟ ମର୍ଦନ ହରିବୋଲ, ହୁଳହୁଳିର ଶବ୍ଦ ପୁରୀ ବଡ଼ ଦାଣ୍ଡରୁ ଯାଇ ବଳରାମ ଦାସଙ୍କ କାନରେ ଗୁଞ୍ଜରୀ ଉଠିଲା। ଯମୁନାକୁ ପଚାରିଲେ ଯେ ସଖୀ ଏ ଘଣ୍ଟ ମର୍ଦନ କାହିଁକି? ହରିବୋଲ ହୁଳହୁଳି କାହିଁକି? ଯମୁନା କହିଲା ଏ କାଳିଆ ସାନ୍ତଙ୍କର ଲୀଳା। ଆଜି ପରା ସେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ ଦାଣ୍ଡକୁ ଓଲ୍ହାଇ ଆସିଛନ୍ତି। ଏତକ ଶୁଣି ଶୁଚିମନ୍ତ ନହୋଇ ବଳରାମ ଧାଇଁଲେ ରଥ ପାଖକୁ। ଯିଏ କାଳିଆର ତାକୁ କିଏ ବା ଅଟକାଇ ପାରିବ। ବଳରାମ ମନେ ମନେ ଖୁସି ହୋଇଗଲେ। ଭାବିଲେ କାଳିଆର ରଥ ଦୌଡିକୁ ଟିକେ ଟାଣିଦେବି। ସେତେବେଳେ ଓଡ଼ିଶାର ଗଜପତି ଥାଆନ୍ତି ପ୍ରତାପରୁଦ୍ର ଦେବ ଥିଲେ। ବଳରାମ ରଥରେ ଚଢିବା ସମୟରେ ଘଟିଗଲା ଅଲଗା କିଛି। ବଳରାମଙ୍କୁ ଦେଖି ପଣ୍ଡା ପରିହାରି ମାନେ ହସିବାକୁ ଲାଗିଲେ। ଅନେକ ଟାହି ଟାପରା କଲେ। ରଥ ଉପରୁ ଦୁଇଜଣ ଦଇତାପତି ଜଣେ ତାଙ୍କ ହାତଛାଟି ଧକ୍କା ମାରି ନାନାଦି କୁଭାଷା କହି ତଳକୁ ଠେଲି ପକାଇଦେଲେ । ରଥ ଦୌଡ଼ି ଛୁଇଁବାକୁ ଦେଲେ ନାହିଁ। ଶେଷରେ ବଳରାମ ଦୁଃଖ ଅପମାନ ଜ୍ବାଳାରେ ଜଳି ଜଳି ଧାଇଁଗଲେ ମୋହଦଧି ଆଡ଼କୁ। ସମୁଦ୍ରକୂଳରେ ତୋଳି ଦେଲେ ବାଲିର ତିନି ରଥ। ଭକ୍ତିରେ ପରିପୂର୍ଣ୍ଣ ବଳରାମ ଦାସ କାଳିଆ ସାନ୍ତଙ୍କ ସହିତ ବଡ଼ ଭାଇ ବଳରାମ ଏବଂ ମା’ ସୁଭଦ୍ରାଙ୍କୁ ଭକ୍ତିରେ ବସାଇ ଦେଲେ ସେହି ବାଲି ରଥରେ। ତେବେ ବଡ଼ ଦାଣ୍ଡରେ ବିଧି ଅନୁସାରେ ଗଜପତି ରଥରେ ସୁବର୍ଣ୍ଣ ଖଡିକାରେ ଛେରାପହଁରା କରିସାରିଲେଣି । ରଥଟଣା ପାଇଁ ପ୍ରସ୍ତୁତି ସାରିଥିଲା ଶଙ୍ଖ, ଘଣ୍ଟଘଣ୍ଟା, କାହାଳୀ ଓ ମର୍ଦ୍ଦଳ ଧ୍ଵନିରେ ଚତୁର୍ଦ୍ଦିଗ ଆନନ୍ଦ ମୁଖରିତ ହୋଇଉଠିଲା । ଆଗେଇ ଚାଲିଲା ତାଳଧ୍ଵଜ ଓ ଦେବଦଳନ ରଥ କିଛି ଦୂର ଯାଏଁ । କିନ୍ତୁ ଏ କଣ ! ଜଗନ୍ନାଥଙ୍କ ରଥ ଟିକିଏ ବି ଘୁଞ୍ଚିଲା ନାହିଁ । ଅଗଣିତ ଭକ୍ତ ବଳ ଖର୍ଚ୍ଚ କରି ରଥ ଟାଣିବାକୁ ଚେଷ୍ଟା କଲେ । କିନ୍ତୁ ସବୁ ବିଫଳ । ଜଗନ୍ନାଥଙ୍କ ସେବକ ମାନଙ୍କର ଭାଳେଣି ପଡ଼ିଲା । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଆଙ୍ଗୁଳିଏ ବି ଘୁଞ୍ଚାଇ ପାରିଲେ ନାହିଁ କାଳିଆ ସାନ୍ତଙ୍କୁ। ଯାହାର ଇଛାରେ ଚାଲେ ଏହି ସାରା ବିଶ୍ୱ। ତାକୁ କିଏ ବା ଚଲାଇ ପାରିବ। ପଣ୍ଡା ପରିହାରି ମାନେ ଛାନିଆ। ରାଜାବି ଛାନିଆ। ଭକ୍ତ ମାନଙ୍କର ବୁଦ୍ଧି ହଜି ଗଲା।
ଜଗନ୍ନାଥଙ୍କ ଆଗରେ ଭକ୍ତିଭରେ ଅନେକ ସ୍ତୁତି କରି କାକୁତିମିନତୀ ହୋଇ ପ୍ରାର୍ଥନା କଲେ ଗଜପତି ମହାରାଜ। କିନ୍ତୁ ରଥ ଚକ ଇଞ୍ଚେ ମଧ୍ୟ ଘୁଞ୍ଚିଲା ନାହିଁ । ଶେଷରେ ରାଜା ନିରାଶ ହୋଇ ଫେରିଗଲେ । ଦୀର୍ଘ ତିନିଦିନ ଧରି ତିନିରଥ ସେମିତି ବଡ଼ଦାଣ୍ଡରେ ଅଟକି ରହିଲା । ରଥ ନ ଚାଲିବା ଚିନ୍ତାରେ ରାଜାଙ୍କ ଆଖିରେ ନିଦ ନଥାଏ । ରାତିଅଧ ସମୟ । ଆଖିପତା ଟିକେ ଲାଗିଯାଇଛି । ଗଜପତି ସ୍ଵପ୍ନରେ ଦେଖିଲେ, ଜଗନ୍ନାଥ କହୁଛନ୍ତି,”ଶୁଣ ରାଜନ ! ମୋର ଭକ୍ତ ବଳରାମ ଦାସ । ତାକୁ ଅପମାନ ଦେଇ ମୋ ରଥରୁ କାଢି ଫୋପାଡି ଦିଆଯାଇଛି । ହେଲେ ତାର ଅଖଣ୍ଡ ଭକ୍ତିବଳରେ ବାନ୍ଧିରଖି ମୋତେ ସେ ତା ବାଲି ରଥରେ ଅଟକାଇ ନେଇଛି । ସେ ରଥ ଉପରକୁ ନ ଆସିଲେ ମୁଁ ରଥରେ ଉଭା ହୋଇ ପାରିବି ନାହିଁ ଓ ରଥ ଚାଲିପାରିବନି । ହଠାତ ରାଜାଙ୍କର ନିଦ୍ରାଭଙ୍ଗ ହେଲା । ସେ ଏକ ନିଃଶ୍ଵାସରେ ଦୌଡିଲେ ସମୁଦ୍ର କୂଳକୁ ।
ସେଠାରେ ଦେଖନ୍ତି ତ ବାଲି ଉପରେ ତିନୋଟି ବାଲିରଥ ଗଢି ବଳରାମ ଦାସ ଭକ୍ତିଭରା ଅନ୍ତରରେ ବସିଥାନ୍ତି । ରାଜାଙ୍କ ଆଦେଶ କ୍ରମେ ତାଙ୍କୁ ଅପମାନିତ କରିଥିବା ଦଇତାପତି, ପାତ୍ରମନ୍ତ୍ରୀ, ପଣ୍ଡା ପଢିଆରୀ ସମସ୍ତେ ସେଠାରେ ମେଳ ହୋଇଗଲେ । ସେତେବେଳକୁ ଭକ୍ତ ବଳରାମ ଦାସଙ୍କୁ ରଥରୁ ଠେଲି ବାହାର କରି ଦେଇଥିବା ସେବକ ଦୁଇଜଣଙ୍କର ହାତ ଫୁଲି ବିନ୍ଧା ହେଉଥାଏ । ସେ ଦୁହେଁ ନିଜ ଭୁଲ ପାଇଁ ଭକ୍ତଙ୍କୁ କ୍ଷମା ମାଗିଲେ । ରାଜା ଭକ୍ତ ବଳରାମ ଦାସଙ୍କୁ ନିଜ ସ୍ଵପ୍ନକଥା କହି ନମ୍ରକଣ୍ଠରେ କହିଲେ,”ଭକ୍ତ ଦାସ, ଆପଣଙ୍କୁ ଅପମାନ ଦେଇଥିବା ସେବକମାନେ ଢେର ଦଣ୍ଡ ପାଇଲେଣି । ଏବେ ଆପଣ ବଡ଼ଦାଣ୍ଡକୁ ବିଜେ ହୁଅନ୍ତୁ । ଆପଣ ବଡ଼ଦାଣ୍ଡକୁ ବିଜେ ହୋଇ ରଥରେ ବିରାଜମାନ ନହେଲେ ରଥ ଚାଲିବନାହିଁ । ରଥ ଚାଲିବା ପରମ୍ପରା ବନ୍ଦ ହେଲେ ଏ ଓଡିଆ ଜାତିର ଅପମାନ ହେବ । ଆପଣ ନଗଲେ ଅଧିନ ଅନ୍ନ ଜଳ ସୁଦ୍ଧା ସ୍ପର୍ଶ କରିବ ନାହିଁ । ଏହା କଣ ଆପଣଙ୍କୁ ଭଲ ଲାଗିବ ? ଏସବୁ ଶୁଣି ଭକ୍ତଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେ ଜାଣିଲେ ଯେ,ଭକ୍ତର ଅପମାନକୁ ଭଗବାନ ନିଜ ଅପମାନ ଭଳି ଭାବିଛନ୍ତି । ମହା ଆଡମ୍ବରରେ ଆଦରର ସହ ଭକ୍ତ ବଳରାମଙ୍କୁ ପାଛୋଟି ନିଆଗଲା । ଭକ୍ତ ବଳରାମ ଦାସଙ୍କ ହାତ ସ୍ପର୍ଶରେ ରଥ ଘିଡିଘିଡି ଶବ୍ଦ କରି ଗଡି ଚାଲିଲା । ‘ଜୟ ଜଗନ୍ନାଥ,ଜୟ ଭକ୍ତଶ୍ରେଷ୍ଠ ବଳରାମ ଦାସ ଧ୍ଵନିରେ ବଡ଼ଦାଣ୍ଡ ଅନନ୍ଦ ମୁଖରିତ ହୋଇଉଠିଲା ସେଦିନ । ଭକ୍ତମାନେ ଜାଣିଲେ ଯେ, ମନ ମଧ୍ୟରେ ଭକ୍ତି ଓ ସମର୍ପଣ ଭାବ ଥିଲେ ବାହ୍ୟ ଶରୀର ଅପବିତ୍ର ହୋଇପାରେନା ।
Also read https://purvapaksa.com/what-does-trinity-eat-on-the-day-of-rath-yatra/
What Does Trinity eat on the day of Rath Yatra? ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କ’ଣ ହୁଏ ଭୋଗ?
