ଖଣି କମ୍ପାନୀମାନେ ଲୁହା ପଥର ଗ୍ରେଡରେ ଯେଉଁ ହେରଫେର କରି ୧୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ବୋଲି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଉପସ୍ଥାପିତ ୨୦୨୨ ରିପୋର୍ଟରେ ଦର୍ଶାଯାଇଥିଲା । ସେହି ରିପୋର୍ଟକୁ ନେଇ ଓଡ଼ିଶାର ଖଣି କମ୍ପାନିମାନଙ୍କ ଉପରେ ଆଇଟି ବିଭାଗର ଚଢ଼ଉ ହୋଇଥିଲା ବୋଲି ଜଣାପଡ଼ିଛି ।
ଆଇଟି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ ଓ ମେସର୍ସ ଏସ୍ ଏନ୍ ମହାନ୍ତି ଖଣି କମ୍ପାନି ଲୁହାପଥରର ଉଚ୍ଚମାନର ଗୁଣବତ୍ତାକୁ ଭୁଲ ଭାବେ ଉପସ୍ଥାପନ କରିବା ସହ ଜାଣିଶୁଣି ଏହାର ଗ୍ରେଡ୍କୁ କମ୍ ଆକଳନ କରିଛନ୍ତି ।
୨୦୨୨ ସିଏଜି ରିପୋର୍ଟରେ ଅତି କମ୍ରେ ୨୫ଟି ଲୁହାପଥର ଖଣି କମ୍ପାନିର କାର୍ଯ୍ୟରେ ଅସଙ୍ଗତି ଥିବା ଜଣାପଡ଼ିଥିଲା । ରିପୋର୍ଟ ଯାଞ୍ଚ ପରେ ଏମ୍ଜିଏମ୍ ଓ ଏସ୍ଏନ୍ ମହାନ୍ତି ଦୁର୍ନୀତିର ପ୍ରାଥମିକ ହିତାଧିକାରୀ ବୋଲି ଜଣାପଡ଼ିଥିଲା । ଯାହାଫଳରେ ୧୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା କୁହାଯାଉଛି ।
ଏହି ଦୁର୍ନୀତିର ପ୍ରାଥମିକ ରିପୋର୍ଟ ମିଳିବା ପରେ ଆୟକର ବିଭାଗ ପକ୍ଷରୁ ଗତ ମଙ୍ଗଳବାର ସମଗ୍ର ଭାରତରେ ଏକକାଳୀନ ଚଢ଼ାଉ ହୋଇଥିଲା ।
ଆଇଟି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନିଗୁଡ଼ିକ ଲୁହାପଥରର ଗୁଣବତ୍ତାକୁ ଭୁଲ ଭାବେ ଉପସ୍ଥାପନ କରିବା ସହ ଜାଣିଶୁଣି ଏହାର ଗ୍ରେଡ୍କୁ କମ୍ ଆକଳନ କରିଛନ୍ତି । ଏହା ଫଳରେ କମ୍ପାନିଗୁଡ଼ିକ କମ୍ ହାରରେ ରୟାଲଟି ଦେଇଛନ୍ତି । ଯାହା ଫଳରେ ଓଡ଼ିଶା ସରକାରଙ୍କୁ ବହୁ ପରିମାଣର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।
ଲୁହାପଥରର ଗ୍ରେଡ୍ ହ୍ରାସ ସୂଚାଉଛି ଯେ ଅଧିକ ରୟାଲଟି ଏବଂ ଉଚ୍ଚ ଗ୍ରେଡ୍ ଉପରେ ଦେୟ ଯୋଗ୍ୟ ପ୍ରିମିୟମକୁ ଏଡ଼ାଇବା ପାଇଁ ଲିଜ୍ଧାରୀମାନେ ସେମାନଙ୍କ ଖଣିରୁ ଉତ୍ପାଦିତ ଲୁହାଥରର ଗ୍ରେଡ୍କୁ ନିରନ୍ତରଭାବେ ଭୁଲ୍ ରିପୋର୍ଟ କରୁଛନ୍ତି ।
ହାୱାଲା କାରବାର ଓ ପାଣ୍ଠି କାରବାରରେ ଏମ୍ଜିଏମ୍ ଓ ଏସ୍ଏନ୍ ମହାନ୍ତିଙ୍କ ସମ୍ପୃକ୍ତି ଥିବା ଅଧିକ ତଦନ୍ତରୁ ଜଣାପଡ଼ିଛି । ଏହି ବେଆଇନ ଆୟକୁ ବ୍ରିଟିଶ ଭର୍ଜିନ୍ ଦ୍ୱିପୁଞ୍ଜକୁ ହସ୍ତାନ୍ତର କରାଯାଇ ପରେ ଭାରତକୁ ଫେରାଇ ଅଣାଯାଇଥିଲା ।
ଏସ୍ଏନ୍ ମହାନ୍ତି ଗ୍ରୁପ୍ ଏହି ପାଣ୍ଠିକୁ ଅନ୍ୟ ଏକ ଖଣି କମ୍ପାନି କାଇ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ଏହି ବେଆଇନ କାରବାର ପଛରେ ତକ୍ରାଳୀନ ସରକାରର ଅଧିକାରୀ ଓ ଶାସକ ଦଳର ନେତାମାନଙ୍କର ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇନପାରେ । ଖଣି କମ୍ପାନୀମାନଙ୍କ ସହିତ ସେହି ସମୟରେ ଖରି ବିଭାଗର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଉପରେ ଆଇଟି ଚଢ଼ଉ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।
Also readhttps://purvapaksa.com/evm-the-target-of-blame-for-failures/
