Priyanka’s political stunt: ନୂଆକରି ସଂସଦକୁ ଯାଇଥିବା ପ୍ରିୟାଙ୍କ ତାଙ୍କ ବ୍ୟାଗ୍ ଦ୍ୱାରା ପଲିଟିକାଲ ଷ୍ଟେଟମେଣ୍ଟ୍ ଦେବାକୁ ଚାହୁଁଛନ୍ତି। ଯାହାକୁ ନେଇ ରାଜନୈତିକ ଅର୍ଗଳିରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି।
କଂଗ୍ରେସ ଓ ମୁସଲିମ୍ ତୁଷ୍ଟିକରଣ ପୁରୁଣା ପ୍ରସଙ୍ଗ। କଂଗ୍ରେସ ବିରୋଧରେ ଏହି ଅଭିଯୋଗ ସ୍ୱାଧିନତା ପୂର୍ବରୁ ଥିଲା ଓ ପରେ ମଧ୍ୟ ରହିଆସିଛି। ମହାତ୍ମା ଗାନ୍ଧୀଙ୍କଠାରୁ ଜୱାହରଲାଲ ନେହେରୁ ସମସ୍ତଙ୍କ ବିରୋଧରେ ହିନ୍ଦୁ ଦକ୍ଷିଣପନ୍ଥୀ ଏହି ଅଭିଯୋଗ ଆଣିଥାନ୍ତି। ଗାନ୍ଧୀଙ୍କ ମୁସଲିମ ତୁଷ୍ଟିକରଣ ଦେଶ ବିଭାଜନର କାରଣ ହେଲା ବୋଲି ତାଙ୍କୁ ସମାଲୋଚନା କରାଯାଇଥାଏ। ମହାତ୍ମା ଗାନ୍ଧୀଙ୍କ ତୁଷ୍ଟିକରଣର ଉଦାହରଣ ଦେବାକୁ ଯାଇ ଦକ୍ଷିଣପନ୍ଥୀ ୧୯୧୯ର ଖିଲାପତ ଆନ୍ଦୋଳନକୁ ମହାତ୍ମାଙ୍କ ସମର୍ଥନର ଉଲ୍ଲେଖ କରନ୍ତି। ଖିଲାପତ ଆନ୍ଦୋଳନ ଗୋଟିଏ ଧର୍ମୀୟ ଆନ୍ଦୋଳନ ଥିଲା ଯାହାର ଦୂରଦୂର ପର୍ଯ୍ୟନ୍ତ ଭାରତ ସହିତ କୌଣସି ସମ୍ପର୍କ ନ ଥିଲା କିନ୍ତୁ କେବଳ ମୁସଲିମଙ୍କୁ ସନ୍ତୁଷ୍ଟ କରିବାକୁ ଗାନ୍ଧୀ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ। ଖିଲାପତ ଆନ୍ଦୋଳନର କିଛି ଆଗଧାଡ଼ିର ନେତା ଆଗକୁ ଚାଲି ଭାରତ ବିଭାଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ସ୍ୱାଧିନତ୍ତୋର ଭାରତରେ ଶାହାବାନୁ ମାମଲାରେ ଯେଉଁଭଳିଭାବେ ସୁପ୍ରିମକୋର୍ଟଙ୍କ ରାୟକୁ ରାଜୀବ ଗାନ୍ଧୀଙ୍କ ସରକାର ଓଲଟାଇ ଦେଇଥିଲେ ତାହା ମଧ୍ୟ ଗୋଟିଏ ତୁଷ୍ଟିକରଣ ଥିଲା। ଏବେ ଏହା ଅଧିକା କହିବାର କୌଣସି ଆବଶ୍ୟକତା ନାହିଁ ଯେ, ରାଜୀବ ଗାନ୍ଧୀଙ୍କ ସରକାର କଂଗ୍ରେସ ସରକାର ଥିଲା। ଏବେ ରାଜୀବଙ୍କ ଝିଅ ପ୍ରିୟଙ୍କାଙ୍କ ବ୍ୟାଗ୍ ରାଜନୀତିକୁ ନେଇ ସେହି ପ୍ରଶ୍ନ ଉଠୁଛି। ନୂଆକରି ସଂସଦକୁ ଯାଇଥିବା ପ୍ରିୟାଙ୍କ ତାଙ୍କ ବ୍ୟାଗ୍ ଦ୍ୱାରା ପଲିଟିକାଲ ଷ୍ଟେଟମେଣ୍ଟ୍ ଦେବାକୁ ଚାହୁଁଛନ୍ତି। ଯାହାକୁ ନେଇ ରାଜନୈତିକ ଅର୍ଗଳିରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି।
ପ୍ରିୟଙ୍କା,ବ୍ୟାଗ୍ ଓ ଭୋଟ୍ ବ୍ୟାଙ୍କ୍
କିଛିଦିନ ତଳେ ମୋଟିଭେସନାଲ ସ୍ପିକର ଜୟା କିଶୋରୀଙ୍କ ଦାମୀ ବ୍ୟାଗକୁ ନେଇ ଚର୍ଚ୍ଚା ହେଉଥିଲା। ଦୁନିଆକୁ ତ୍ୟାଗ, ଦାନ ଓ ସନ୍ତୋଷର ପାଠ ପଢ଼ାଉଥିବା ଜୟା କେମିତି ଲକ୍ଷାଧିକ ଟଙ୍କାର ବ୍ୟାଗ୍ ବ୍ୟବହାର କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ହେଲା। ଶେଷକୁ ଜୟାଙ୍କୁ ଆଗକୁ ଆସିବାକୁ ପଡ଼ିଲା। ଆଉ କହିବାକୁ ପଡ଼ିଲା, ମୁଁ ସନ୍ୟାସିନୀ ନୁହେଁ। ମୁଁ ଜଣେ ସାଧାରଣ ଝିଅ। ମୁଁ କାହାକୁ କେବେ ସବୁକିଛି ତ୍ୟାଗ କରିବାକୁ କହିନି। ଜୟାଙ୍କ ବୟାନ ପରେ ବିବାଦ ଶାନ୍ତ ପଡ଼ିଥିଲା କିନ୍ତୁ ତାଙ୍କ ବୟାନ ସମସ୍ତଙ୍କୁ ସନ୍ତୁଷ୍ଟ କରିନି, ଏହା ମଧ୍ୟ ସତ। ଏବେ ପ୍ରିୟଙ୍କାଙ୍କ ବ୍ୟାଗ ଚର୍ଚ୍ଚାରେ ଅଛି। ସଂସଦରେ ରାହୁଲଙ୍କ ତପସ୍ୟାଦ୍ୱାରା ଦେହ ଗରମ ରୁହେ ଭଳି ମହାନ ଆବିଷ୍କାର ଭଳି ଭଉଣୀ ପ୍ରିୟଙ୍କାଙ୍କ ବ୍ୟାଗକୁ ନେଇ ଏବେ ତର୍ଜମା ଚାଲିଛି।
ପ୍ରଥମ ଦିନରେ ପ୍ରିୟଙ୍କା ଯେଉଁ ବ୍ୟାଗ୍ ନେଇ ଆସିଥିଲେ ସେଥିରେ ଲେଖାଥିଲା ଆଦାନୀ-ମୋଦି ଭାଇ ଭାଇ। ଭାଇ ରାହୁଲଙ୍କ ପ୍ରିୟ ବିଷୟ ଆଦାନୀକୁ ଏହାଦ୍ୱାରା ପ୍ରିୟଙ୍କା ପୁଣିଥରେ ଲାଇମ୍ ଲାଇଟକୁ ଆଣିବାକୁ ଚାହୁଁଥିଲେ।
ଏହା ପରଦିନ ପ୍ରିୟଙ୍କା ଯେଉଁ ବ୍ୟାଗ୍ ପକାଇ ସଂସଦକୁ ଆସିଥିଲେ ତାହା କଂଗ୍ରେସ ଓ ମୁସଲିମ ତୁଷ୍ଟିକରଣର ପୁରୁଣା ଭୂତକୁ ବୋତଲରୁ ବାହାରକୁ ବାହାର କରିଥିଲା। ପ୍ରିୟଙ୍କାଙ୍କ ବ୍ୟାଗରେ ଲେଖାଥିଲା ‘ପାଲେଷ୍ଟାଇନ୍’। ପ୍ରିୟଙ୍କାଙ୍କ ବ୍ୟାଗରେ ଥିବା ଦୁଇ ଗ୍ରାଫିକ୍ସ ବିଜେପିକୁ ଅସନ୍ତୁଷ୍ଟ କରିଥିଲା। ପ୍ରଥମରେ ଯଦି ଆଦାନୀ-ମୋଦି ଥିଲେ ତେବେ ଦ୍ୱିତୀୟରେ ଥିଲା ପାଲେଷ୍ଟାଇନ୍। ବିଜେପିର ପ୍ରଚାରତନ୍ତ୍ର ତୁରନ୍ତ ସକ୍ରିୟ ହୋଇ,ପ୍ରିୟଙ୍କାଙ୍କୁ ଘେରିଥିଲା। ପ୍ରିୟଙ୍କାଙ୍କର ପାଲେଷ୍ଟାଇନ୍ ଚିନ୍ତା ଏତେ ଅଧିକ କାହିଁକି ବୋଲି ବିଜେପି ପ୍ରଶ୍ନ କରିଥିଲା। ବିଜେପି କହିବାକୁ ଚାହୁଁଥିଲା ଓ କହିଥିଲା ମଧ୍ୟ ଯେ, ବ୍ୟାଗ୍ ଦ୍ୱାରା ପ୍ରିୟଙ୍କା ଭୋଟ୍ ବ୍ୟାଙ୍କ୍ ତିଆରି କରିବାକୁ ଚାହୁଁଛନ୍ତି। ୧୯୯୦ ଦଶକଠାରୁ କଂଗ୍ରେସକୁ ଛାଡ଼ି ଯାଇଥିବା ମୁସଲମାନ ଭୋଟରଙ୍କୁ କଂଗ୍ରେସ ଆଡ଼କୁ ଟାଣିବାକୁ ଉଦ୍ୟମ ହେଉଛି ବ୍ୟାଗ୍ ଉପରେ ପାଲେଷ୍ଟାଇନ ବୋଲି ବିଜେପି କହିଥିଲା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତ ସିଧାସଳଖ ପ୍ରିୟଙ୍କାକୁ ପ୍ରଶ୍ନ କରିଥିଲେ ଯେ, ହଜାର ହଜାର ୟୁପି ଯୁବକଙ୍କୁ ଚାକିରି ଦେଉଥିବା ଇସ୍ରାଏଲ ବିରୋଧରେ ପ୍ରିୟଙ୍କା କାହିଁକି ଛିଡ଼ା ହୋଇଛନ୍ତି? ଏହାର ଉତ୍ତରରେ ପ୍ରିୟଙ୍କା ମଙ୍ଗଳବାର ଦିନ ଯେଉଁ ବ୍ୟାଗ୍ ନେଇ ଆସିଥିଲେ ସେଥିରେ ଲେଖାଥିଲା, ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହିତ ଛିଡ଼ା ହୁଅ।
ବାଂଲାଦେଶୀ ହିନ୍ଦୁଙ୍କ ପ୍ରତି ସହାନୁଭୂତି କ’ଣ ଡ୍ରାମା?
ମଙ୍ଗଳବାର ପ୍ରିୟଙ୍କାଙ୍କ ବ୍ୟାଗରେ ବାଂଲାଦେଶର ହିନ୍ଦୁଙ୍କ ପ୍ରତି ସହାନୁଭୂତି ଥିଲା। କିନ୍ତୁ ବିରୋଧୀଙ୍କ ନଜରରେ ଏହା କେବଳ ଡ୍ରାମା। ବିରୋଧୀଙ୍କ କହିବା ହେଉଛି ପ୍ରିୟଙ୍କା ପାଲେଷ୍ଟାଇନ ଓ ଗାଜାର ମୁସଲମାନଙ୍କ ପ୍ରତି ଯେତିକି ସହାନୁଭୂତି ରଖନ୍ତି ସେତିକି ବାଂଲାଦେଶର ହିନ୍ଦୁଙ୍କ ପ୍ରତି ରଖନ୍ତି ନାହିଁ। ବର୍ତ୍ତମାନ କେବଳ ସେ ରାଜନୈତିକ ସ୍କୋର କରିବାକୁ କିମ୍ବା ହିନ୍ଦୁ ହିତ ପ୍ରତି ଅସମ୍ବେଦନଶୀଳ ବୋଲି ଯେଉଁ ତାଙ୍କର ଭାବମୂର୍ତ୍ତି ତିଆରି ହୋଇଛି ତାହା ଭାଙ୍ଗିବା ପାଇଁ ଏମିତି ଡ୍ରାମା କରୁଛନ୍ତି ବୋଲି ବିରୋଧୀ କହୁଛନ୍ତି।
ପାଲେଷ୍ଟାଇନ ସମର୍ଥନରେ ପ୍ରିୟଙ୍କା ଆଗରୁ ଦେଇଥିବା ବୟାନ ଓ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟକୁ ବିରୋଧୀ ଏବେ ଖୋଜି ଖୋଜି ବାହାର କରୁଛନ୍ତି। ପାଲେଷ୍ଟାଇନ୍ ମୁସଲମାନ ଓ ବାଂଲାଦେଶୀ ହିନ୍ଦୁଙ୍କ ମଧ୍ୟରୁ କାହାପ୍ରତି ପ୍ରିୟଙ୍କା ଅଧିକ ସହାନୁଭୂତି ରଖନ୍ତି, ତା’ର ଉଦାହରଣ ଦେବାକୁ ଯାଇ ବିରୋଧୀ କୁହନ୍ତି ଯେ, ସୋମବାର ଦିନ ପ୍ରିୟଙ୍କା ଯେଉଁ ବ୍ୟାଗ ନେଇ ସଂସଦ ଆସିଥିଲେ, ସେଥିଲେ ପାଲେଷ୍ଟାଇନ୍ ସ୍ୱାଧୀନ ହେବ ବୋଲି ଲେଖା ହୋଇଥିଲା। ଏହା ସହିତ ଶାନ୍ତିର ପ୍ରତୀକ କପୋତ ଓ ତରଭୁଜ ମଧ୍ୟ ଥିଲା। ଏହା ପ୍ରଥମ ଥର ପାଇଁ ନୁହେଁ, ଯେତେବେଳେ ସେ ପାଲେଷ୍ଟାଇନ୍କୁ ସମର୍ଥନ କରୁଛନ୍ତି । ଇସ୍ରାଏଲ ଉପରେ ହମାସର ଆକ୍ରମଣବେଳେ ମଧ୍ୟ ପ୍ରିୟଙ୍କା ପାଲେଷ୍ଟାଇନ୍ ସପକ୍ଷରେ ଟ୍ୱିଟ୍ କରୁଥିଲେ। ପାଲେଷ୍ଟାଇନ୍ ପୀଡ଼ିତଙ୍କ ପାଇଁ ତାଙ୍କ ସମବେଦନା ଜଣାଇଥିଲେ। ପାଲେଷ୍ଟାଇନ୍ ମଧ୍ୟ ପ୍ରିୟଙ୍କା ସମବେଦନାର ଉତ୍ତର ଶୁଭେଛା ଜରିଆରେ ଜଣାଇ ଥିଲା।
ୱାୟନାଡ୍ ଲୋକସଭା ଉପ ନିର୍ବାଚନ ଜିତିବା ପରେ ପ୍ରିୟଙ୍କାଙ୍କୁ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ଶୁଭେଛା ଜଣାଇଥିଲେ। ମୋଟାମୋଟି ଭାବେ ପ୍ରିୟଙ୍କା ସଦାସର୍ବଦା ପାଲେଷ୍ଟାଇନ୍ ପାଇଁ ଛିଡ଼ା ହୋଇଛନ୍ତି। ପାଲେଷ୍ଟାଇନ୍ ପାଇଁ ସେ ସବୁବେଳେ ଛିଡ଼ା ହୋଇଛନ୍ତି। ପାଲେଷ୍ଟାଇନ ପାଇଁ ସେ ସବୁବେଳେ ଉଦବିଗ୍ନ ଅଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶୀ ହିନ୍ଦୁଙ୍କ ପାଇଁ ସେ ଏଭଳି କେବେ ମଧ୍ୟ ଛିଡ଼ା ହୋଇନାହାନ୍ତି। ତେଣୁ ବାଂଲାଦେଶୀ ହିନ୍ଦୁଙ୍କ ପାଇଁ ତାଙ୍କ ଦରଦ କେବଳ ରାଜନୈତିକ ବାଧ୍ୟବାଧକତା। କାରଣ ତାଙ୍କ ପାଲେଷ୍ଟାଇନ ଚିନ୍ତାଦ୍ୱାରା ହିନ୍ଦୁ ଭୋଟ୍ ପ୍ରଭାବିତ ହୋଇପାରେ ବୋଲି ତାଙ୍କୁ ନିଶ୍ଚିତଭାବେ ତାଙ୍କ ଦଳର ରାଜନୈତିକ ପଣ୍ଡିତମାନେ କହିଥିବେ।
ଜୁନ୍ ୨୦୨୪ରେ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁହୁଙ୍କୁ ସମାଲୋଚନା କରିଥିଲେ। ପାଲେଷ୍ଟାଇନର ହିଂସା ପାଇଁ ସେ ନେତନ୍ୟୁହୁଙ୍କୁ ଦାୟୀ କରିଥିଲେ। ଟ୍ୱିଟ୍ କରି ଦୁନିଆର ସବୁ ସରକାରଙ୍କୁ ସେ ଇସ୍ରାଏଲର ନିନ୍ଦା କରିବାକୁ ଆହ୍ୱାନ କରିଥିଲେ। ଖାଲି ଏତିକି ନୁହେଁ, ହମାସ ସହିତ ଇସ୍ରାଏଲ ଯୁଦ୍ଧକୁ ଅକ୍ଟୋବର ମାସରେ ବର୍ଷେ ପୂରିବାବେଳେ ମଧ୍ୟ ସେ ସୋସିଆଲ ମିଡିଆରେ ଇସ୍ରାଏଲକୁ ଟାର୍ଗେଟ୍ କରିବାକୁ ଭୁଲି ନ ଥିଲେ। କେରଳର ୱାୟନାଡ୍ ଲୋକସଭା ଉପନିର୍ବାଚନ କାଳରେ ସେ ପାଲେଷ୍ଟାଇନ୍ ପ୍ରସଙ୍ଗ ବାରମ୍ବାର ଉଠାଇ ଇସ୍ରାଏଲକୁ ଟାର୍ଗେଟ୍କୁ ନେଇଥିଲେ। କିନ୍ତୁ ଆଗରୁ କେବେ ବା ଏବେ ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ସେ ଏଭଳି ମୁଖର ଥିବାର କୌଣସି ପ୍ରମାଣ ନାହିଁ।
ଏସବୁ କେବଳ ଗୋଟିଏ ଦିଗଆଡ଼କୁ ଅଙ୍ଗୁଳି ନିର୍ଦ୍ଧେଶ କରୁଛି। ଆଉ ତା’ ହେଲା ପ୍ରିୟଙ୍କା ରାଜନୈତିକ ଏଜେଣ୍ଡାରେ ଦେଶର ମୁସଲିମ୍ ଭୋଟରଙ୍କୁ କଂଗ୍ରେସ ସହିତ ଯୋଡ଼ିବା। କଂଗ୍ରେସକୁ ତଲାକ ଦେଇସାରିଥିବା ମୁସଲମାନ ଭୋଟ୍ ବ୍ୟାଙ୍କକୁ ଯେନତେନ ପ୍ରକାର କଂଗ୍ରେସ ସହିତ ଯୋଡ଼ିବାକୁ ପ୍ରିୟଙ୍କା ଉଦ୍ୟମ କରୁଛନ୍ତି। ତେଣୁ ଭାରତଠାରୁ ୪ ହଜାର ୫୭୨ କିମି ଦୂରରେ ଥିବା ଗାଜା ପ୍ରିୟଙ୍କାଙ୍କ ବ୍ୟାଗରେ ଆଗ ସ୍ଥାନ ପାଇଥିଲା। ଅଥଚ ନୂଆଦିଲ୍ଲୀଠାରୁ ମାତ୍ର ୧୮୧୮ କିଲୋମିଟର ଦୂରରେ ଥିବା ବାଂଲାଦେଶ ନାମକ ଦେଶର ୭ ପ୍ରତିଶତ ହିନ୍ଦୁ ପ୍ରିୟଙ୍କାଙ୍କ ପଲିଟିକାଲ ନ୍ୟାରେଟିଭରେ ପଛରେ ଆସନ୍ତି।
ଏକ ଦେଶ, ଏକ ନିର୍ବାଚନ: ମଧ୍ୟାବଧି ନିର୍ବାଚନ ମଧ୍ୟ ହେବ, କିନ୍ତୁ କେବଳ ବାକି ଥିବା କାର୍ଯ୍ୟକାଳ ପାଇଁ
