ବଲାଙ୍ଗୀର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। କାରଣ କଂଗ୍ରେସ ଘରେ ପ୍ରବେଶ କରିଛନ୍ତି ବିଜେପି ମନ୍ତ୍ରୀ। ସେ ପୁଣି ଏମିତି ସେମିତି କଂଗ୍ରେସ ନେତା ନୁହଁନ୍ତି କି କୌଣସି ସାଧାରଣ ମନ୍ତ୍ରୀ ନୁହଁନ୍ତି। ଏକଦା ବିରୋଧୀ ଦଳ ନେତା ଥିବା ନରସିଂହ ମିଶ୍ରଙ୍କ ଘରେ ତାଙ୍କ ଦୁଇପୁତ୍ର ଓ ପରିବାର ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ। କିନ୍ତୁ ନରସିଂହଙ୍କ ପୁଅ ତଥା କଂଗ୍ରେସର ପରାଜିତ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କରିଥିବା ଏକ କୃଷିଭିତ୍ତିକ ଫାର୍ମକୁ ଉଦ୍ଘାଟନ କରିବା ଏବଂ ଉଦ୍ଘାଟନ ପରେ ଘରେ ବସି ଅନେକ ସମୟ ଆଲୋଚନା କରିବା ନୂଆ ରାଜନୀତିକ ସମୀକରଣକୁ ସୂଚିତ କରୁଛି। ଏ ସମୀକରଣରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସୁଛି, ତାହା ହେଲା ବଲାଙ୍ଗୀରରେ ରାଜ ପରିବାରର ପ୍ରଭାବକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛନ୍ତି କି ଧର୍ମେନ୍ଦ୍ର ?
ଏକ ଅଣକଂଗ୍ରେସ ରାଜନୀତିର ମୂଳଦୁଆରେ ଠିଆ ହୋଇଥିବା ବଲାଙ୍ଗୀର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଏ ଭିତରେ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଛି। ସେଥିରୁ ମାତ୍ର ୨ଟିରେ କଂଗ୍ରେସ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ପୁଣି ୯ଟି ନିର୍ବାଚନରେ ମତଦାତାମାନେ ରାଜପରିବାରର ସଦସ୍ୟଙ୍କୁ ହିଁ ନିଜର ପ୍ରତିନିଧିଭାବେ ବାଛିଛନ୍ତି।
୨୦୦୯ ଏବଂ ୨୦୧୪ ମସିହାରେ ବିଜେଡି ଟିକଟରେ ରାଜପରିବାର ସଦସ୍ୟ କଳିକେଶ ସିଂହଦେଓ ନିର୍ବାଚନ ଜିତିଥିବାବେଳେ ୧୯୯୮, ୧୯୯୯, ୨୦୦୪, ୨୦୧୯ ଏବଂ ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀଭାବେ ସଙ୍ଗୀତା କୁମାରୀ ସିଂହ ଦେଓ ନିର୍ବାଚନ ଜିତି ଆସୁଛନ୍ତି। ସରଳ ଭାଷାରେ କହିଲେ ୧୯୯୮ରୁ ଆଜି ଯାଏ ଗୋଟିଏ ପରିବାରରୁ ହିଁ ବଲାଙ୍ଗୀରର ସାଂସଦ ହୋଇଛନ୍ତି। ନା ବିଜେଡି ନା ବିଜେପି କି କଂଗ୍ରେସ ଏହାର ବିକଳ୍ପ ପାଇବାରେ ସକ୍ଷମ ହୋଇଛନ୍ତି।
ଅଣ ରାଜପରିବାର କହିଲେ ବଲାଙ୍ଗୀର ରାଜନୀତିରେ ନରସିଂହଙ୍କ ପରିବାରକୁ ହିଁ ଲୋକମାନେ ବୁଝିଥାଆନ୍ତି। ଅବଶ୍ୟ ପୂର୍ବରୁ ତାଙ୍କରି ସମ୍ପର୍କୀୟ ବାଳ ଗୋପାଳ ମିଶ୍ର ପଶ୍ଚିମାଞ୍ଚଳ ରାଜନୀତିରେ ଜଣେ ଦାମ୍ଭିକ ଚେହେରା ଥିଲେ କିନ୍ତୁ ଭୋଟର ନରସିଂହଙ୍କୁ ବେଶୀ ପସନ୍ଦ କରି ତାଙ୍କୁ ବିଧାନସଭାକୁ ଅନେକଥର ପଠାଇଛନ୍ତି। ନରସିଂହ ମଧ୍ୟ ବିଧାନସଭାରେ ମନ୍ତ୍ରୀ, ବିଧାୟକ ଓ ବିରୋଧୀ ଦଳ ନେତାଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ହେଲେ ଲୋଇସିଂହା ନିର୍ବାଚନମଣ୍ଡଳୀ ସଂରକ୍ଷିତ ହୋଇଗଲା ପରେ ନରସିଂହ ବଲାଙ୍ଗୀରରୁ ସାଂସଦ ହେବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଏବେ ବଲାଙ୍ଗୀରରେ ଉଭୟ ସାଂସଦ ଓ ବିଧାୟକ ହେଉଛନ୍ତି ବିଜେପି ପ୍ରତିନିଧି। ଜଣେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଉଜଣେ ବରିଷ୍ଠ ସାଂସଦ। ପୁଣି ସାଂସଦଙ୍କ ପତି ହେଉଛି ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ।
ଏଭଳି ଏକ ପରିସ୍ଥିତିରେ ନରସିଂହଙ୍କ ପରିବାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆବିର୍ଭାବ ନିଶ୍ଚିତଭାବେ ରାଜନୀତିକ ଅଙ୍କ କସିବାକୁ ସୁଯୋଗ ଦେଉଛି। ଏ ସମୀକରଣ ଦୁଇଟି ଭାଗରେ ଆଲୋଚନା କରାଯାଇପାରେ। ଗୋଟିଏ ହେଉଛି ରାଜପରିବାରକୁ ଧ୍ୱଂସ କରିବା ଦ୍ୱିତୀୟଟି ହେଉଛି କଂଗ୍ରେସ ସଂଗଠନକୁ ଅକ୍ତିଆର କରିବା।
ଅବଶ୍ୟ କଂଗ୍ରେସ ସଂଗଠନ କହିଲେ ନରସିଂହଙ୍କୁ ହିଁ ମୁଖିଆଭାବେ ବୁଝାଇଥାଏ। ପୁଣି ନରସିଂହଙ୍କ ରାଜନୀତିକ କ୍ୟାରିୟର ପ୍ରଥମେ କମ୍ୟୁନିଷ୍ଟରୁ ଆରମ୍ଭ ହୋଇ ଜନତା ଦଳ ଦେଇ କଂଗ୍ରେସରେ ପହଞ୍ଚିଛି। ଏବେ ରାଜ୍ୟରେ କଂଗ୍ରେସର ଅବସ୍ଥା ଶୋଚନୀୟ ଥିବାରୁ ନରସିଂହଙ୍କ ପୁଅ ବାପାଙ୍କ ଉତ୍ତରାଧିକାର ସୂତ୍ରରେ କଂଗ୍ରେସ ଟିକଟ ସହଜରେ ପାଉଥିଲେ ବି ଏଥିରେ ସନ୍ତୁଷ୍ଟ ନ ଥାଇପାରନ୍ତି। ସେ ଆଶଙ୍କା କରୁଥାଇପାରନ୍ତି ଯେ ନିକଟ ଭବିଷ୍ୟତ କଂଗ୍ରେସର ନୁହେଁ। ୨୦୨୪ ନିର୍ବାଚନରେ ସେ ଯେପରି ପରାଜୟ ଭୋଗିଛନ୍ତି ତାହାକୁ ସଜାଡ଼ିବା ପାଇଁ ହୁଏତ ସେ ବ୍ୟବସାୟକୁ ଆଳ କରି ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କ ଯୋଡ଼ୁଥାଇପାରନ୍ତି। ଅବଶ୍ୟ ଏ ବିଷୟକୁ ସେ ଗଣମାଧ୍ୟମରେ ପ୍ରତ୍ୟାଖ୍ୟାନ କରିଛନ୍ତି କିନ୍ତୁ ଜିଲ୍ଲା ବିଜେପି ସଭାପତି କହିବା ପରି ରାଜନୀତିରେ ତ ସବୁକିଛି ସମ୍ଭବ।
ଯଦି ତାହା ନୁହେଁ ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚୁପ୍ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ବଭାବିକ। କିନ୍ତୁ ସେ ଯଦି ପଦଟିଏ ରାଜନୀତିକ କଥା କହିବେ ତେବେ ବଲାଙ୍ଗୀର ବିଜେପିରେ ବଡ଼ ଧରଣର ବିସ୍ଫୋରଣ ହୋଇପାରେ। କାରଣ ଏବେ ବଲାଙ୍ଗୀର ବିଧାନସଭା ଏବଂ ଲୋକସଭା ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣଭାବେ ବିଜେପି କବଜାରେ ରହିଛି। ପୁଣି ସାଂସଦଙ୍କ ପତି ବି ରାଜ୍ୟର ଉପମୁଖ୍ୟମନ୍ତ୍ରୀ। ଏଣୁ ରାଜପରିବାର ଓ ସଂଗଠନକୁ ନୀଚ୍ଚା ଦେଖାଇବା ପାଇଁ ଧର୍ମେନ୍ଦ୍ର କେବେବି ଚାହିଁବେ ନାହିଁ। ଯଦି ଚାହାନ୍ତି ତେବ ବିଜେପି ପାଇଁ ଏହା ଆହ୍ୱାନ ସୃଷ୍ଟି କରିବ। ଏଥିପ୍ରତି କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ସତର୍କ ହେବା ଦରକାର। କିନ୍ତୁ ଦଳର ଫାଇଦା ପାଇଁ ସମରେନ୍ଦ୍ରଙ୍କୁ ଅନ୍ୟବାଟ ଦେଖାଇପାରନ୍ତି।
Also readhttps://purvapaksa.com/odisha-cm-holds-public-grievance-hearing-for-the-first-time-in-sambalpur/
