ପାକିସ୍ତାନର ଧର୍ମପିତ ତୁର୍କୀର ଜଳସୀମା ନିକଟରେ ଡେରା ଜମାଇଛି ଭାରତୀୟ ଯୁଦ୍ଧ ଜାହଜ । ଭାରତୀୟ ଯୁଦ୍ଧ ଜାହଜ ତୁର୍କୀ ନିକଟରେ ଡେରା ପକାଇବାକୁ ଅନେକ ତୁର୍କୀକୁ ଭାରତର ଯବାବ ବୋଲି ମନେ କରୁଛନ୍ତି ।କାରଣ ଅପରେସନ୍ ସିନ୍ଦୂର କାଳରେ ତୁର୍କୀ କରାଚୀ ବନ୍ଦରକୁ ତାହାର ଯୁଦ୍ଧ ଜାହଜ ପ୍ରେରଣ କରିଥିଲା । ଭାରତ,ତୁର୍କୀକୁ ଉତ୍ତର ଦେବାକ ଯାଇ ଏହାର ପରମ ଶତ୍ରୁ ସାଇପ୍ରସ ସହିତ ସାମରିକ ସମ୍ବନ୍ଧକୁ ମଜବୁତ କରୁଛି । ସେହି କ୍ରମରେ ସାଇପ୍ରସର ଗୋଟିଏ ବନ୍ଦରରେ ପହଂଚିଛି ଆଇଏନଏସ ତ୍ରିକଣ୍ଡ ।
ଭାରତୀୟ ନୌସେନାର ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍ ମଧ୍ୟରୁ ଗୋଟିଏ ଆଇଏନଏସ ତ୍ରିକଣ୍ଡ ରବିବାର ସାଇପ୍ରସର ଲିମାସୋଲ ବନ୍ଦରରେ ପହଞ୍ଚିଛି। ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତ ପରେ ଏହି ଯୁଦ୍ଧପୋତ ଲିମାସୋଲରେ ପହଞ୍ଚିଛି। ମୋଦୀଙ୍କ ଏହି ଗସ୍ତ ସମୟରେ ଉଭୟ ଦେଶ ରକ୍ଷା, ପ୍ରଶିକ୍ଷଣ ଓ ସାମୁଦ୍ରିକ ସୁରକ୍ଷା ଉପରେ ସହଯୋଗ ବୃଦ୍ଧି ପାଇଁ ଚାରି ବର୍ଷିଆ କାର୍ଯ୍ୟ ଯୋଜନା ଉପରେ ସହମତି ହାସିଲ କରିଥିଲେ। ଭାରତର ସାଇପ୍ରସ ସହ ଏହି ବଢ଼ୁଥିବା ନିକଟତାକୁ ତୁର୍କୀକୁ ଜବାବ ଦେବାର ଚେଷ୍ଟା ଭାବେ ଦେଖାଯାଉଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ବର୍ଷ ଏକ ଭୟଙ୍କର ସାମରିକ ସଂଘର୍ଷ ଦେଖାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ସିନ୍ଦୁର ସମୟରେ ୭ରୁ ୧୦ ମେ ପର୍ଯ୍ୟନ୍ତ ତୁର୍କୀ ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିଥିଲା। ଏହି ସମୟରେ ଏକ ବଡ଼ ଘଟଣା ଦେଖାଯାଇଥିଲା, ଯେତେବେଳେ ତୁର୍କୀ ନୌସେନାର ବୁଡ଼ା ଜାହଜ ନିରୋଧୀ ଯୁଦ୍ଧପୋତ ଟିସିଜି ବୁୟୁକାଡା କରାଚୀରେ ପହଞ୍ଚିଥିଲା। ଭାରତୀୟ ନୌସେନାର ଶକ୍ତିଶାଳୀ ଆଇଏନଏସ ତ୍ରିକଣ୍ଡର ସାଇପ୍ରସର ଲିମାସୋଲ ବନ୍ଦରରେ ପହଞ୍ଚିବା ଏହାର ଜବାବ ଭାବେ ଦେଖାଯାଉଛି।
ତୁର୍କୀ ଓ ସାଇପ୍ରସ ମଧ୍ୟରେ ସମ୍ପର୍କ ଠିକ ନାହିଁ
ତୁର୍କୀ ଓ ସାଇପ୍ରସ ମଧ୍ୟରେ ଅନେକ ଦଶନ୍ଧି ସମ୍ପର୍କ ଖରାପ ରହି ଆସିଛି । ଖାସକରି ୧୯୭୪ରେ ହୋଇଥିବା ଯୁଦ୍ଧ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅତ୍ୟନ୍ତ ଖରାପ କରିଦେଇଥିଲା। ୧୯୭୪ର ଯୁଦ୍ଧ ସାଇପ୍ରସକୁ ସ୍ଥାୟୀ ଭାବେ ଦୁଇ ଭାଗରେ ବିଭାଜନ କରିଥିଲା। ଏହା ତୁର୍କୀ ଓ ସାଇପ୍ରସ ମଧ୍ୟରେ ନିରନ୍ତର ଶତ୍ରୁତାର କାରଣ ହୋଇଛି। ଉଭୟ ଦେଶ ପରସ୍ପରକୁ ଶତ୍ରୁ ଭାବେ ଦେଖନ୍ତି। ଏଭଳି ପରିସ୍ଥିତିରେ ସାଇପ୍ରସରେ ଘଟୁଥିବା କୌଣସି ଘଟଣା ତୁର୍କୀର ଚିନ୍ତା ବଢ଼ାଇ ଦେଇଥାଏ।
ସାଇପ୍ରସରେ ଇସ୍ରାଏଲର ଏୟାର ଡିଫେନ୍ସ ମୁତୟନ ହେଉ ବା ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସେନସର ଓ ଷ୍ଟେଲ୍ଥ ପ୍ରଯୁକ୍ତିରେ ସଜ୍ଜିତ ଆଇଏନଏସ ତ୍ରିକଣ୍ଡର ଆଗମନ, ତୁର୍କୀ ଏଥି ପାଇଁ ଚିନ୍ତାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବର୍ଷ ଜୁନ୍ ମାସରେ ସାଇପ୍ରସ ଗସ୍ତ କରିଥିଲେ। ୨୩ ବର୍ଷ ପରେ ଭାରତର ଜଣେ ପ୍ରଧାନମନ୍ତ୍ରୀ ସାଇପ୍ରସ ଗସ୍ତ କରିଥିଲେ। ସେ ସାଇପ୍ରସର ରାଷ୍ଟ୍ରପତିଙ୍କୁ ଭେଟି ଅନେକ ବିଷୟ, ଖାସକରି ରକ୍ଷା ସହଯୋଗ ଉପରେ ଆଲୋଚନା କରିଥିଲେ। ଏହା ପରେ ତୁର୍କୀ ଚିନ୍ତିତ ଦେଖାଯାଉଛି।
ସାଇପ୍ରସରେ ୪ ଦିନ ପାଇଁ ଆଇଏନଏସ ତ୍ରିକଣ୍ଡ
ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନଏସ ତ୍ରିକଣ୍ଡ ସାଇପ୍ରସ ନୌସେନା ସହ ମିଳିତ ନୌସୈନିକ ସହଯୋଗ ଅଭ୍ୟାସରେ ଅଂଶଗ୍ରହଣ କରିବ। ୨୧ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତ ସମୟରେ ହୋଇଥିବା ଚୁକ୍ତି ପରେ ଦ୍ୱିପାକ୍ଷିକ ରକ୍ଷା ସହଯୋଗକୁ ଆହୁରି ଗଭୀର କରିବାର ଏକ ଅଂଶ। ଆଇଏନଏସ ତ୍ରିକଣ୍ଡ ଅନେକ ବ୍ୟବସାୟିକ ଓ ରାଜନୈତିକ ଗତିବିଧିରେ ଅଂଶଗ୍ରହଣ କରିବ। ଭାରତ ଓ ସାଇପ୍ରସ ମଧ୍ୟରେ ୨୪ ସେପ୍ଟେମ୍ବରରେ ମିଳିତ ପାସେକ୍ସ ଅଭ୍ୟାସ ହେବାକୁ ଯାଉଛି।


