ଖୁବ୍ ଶୀଘ୍ର ବର୍ଷା ଋତୁ ଆସୁଛି । ଏଇ ମାତ୍ର ଅଷାଢ଼ ଆରମ୍ଭ ହେଲା । ପୂରା ଦୁଇ ମାସ ଏହି ଋତୁ ସାରା ଦେଶରେ ରାଜୁତି କରିବା ସହିତ ଆଉ ଦୁଇ ମାସ, ଏମିତିକି ବର୍ଷର ଯେ
କୌଣସି ସମୟରେ ଏହା ତା’ର ରୂପ ଦେଖାଇ ପାରେ । ତେବେ ଋତୁକାଳୀନ ହେଉ କି ଅସମୟରେ, ଜୋରରେ ବର୍ଷା ହେଲେ ସହରାଞ୍ଚଳଠୁ ଆରମ୍ଭ କରି ବେଶ୍ କେତେକ ଗ୍ରାମର ରାସ୍ତାଘାଟରେ ସୃଷ୍ଟି ହୁଏ ବନ୍ୟା ଭଳି ପରିସ୍ଥିତି, ଯାହା ଜନଜୀବନକୁ କରି ପକାଏ ଅସ୍ତବ୍ୟସ୍ତ– ଯେତେ କମ୍ ସମୟ ପାଇଁ ହେଉ ପଛେ । ପୁଣି କିଛି ଜୀବନ ମଧ୍ୟ ନେଇଯାଏ ; ଧନର କ୍ଷତି କଥା ତ ଛାଡ଼ନ୍ତୁ।
ସେହିପରି ସହରାଞ୍ଚଳଗୁଡ଼ିକରେ ଯାନବାହନଗୁଡ଼ିକର ଅସମ୍ଭବ ଭିଡ଼ ସାଧାରଣ ମଣିଷ ପାଇଁ ଅନ୍ୟ ଏକ ଅଶ୍ୱସ୍ତିକର ବିଷୟ । ଏବେ ଆସିବା ସାମ୍ପ୍ରତିକ ବିଷୟକୁ। ମୁମ୍ବାଇର ବୋରି ବନ୍ଦର ଏବଂ ଥାନେ ଭିତରେ ବମ୍ବେର ପ୍ରଥମ ସହରତଳି ରେଳ ସେବା ଆରମ୍ଭ କରିଥିଲା ଗ୍ରେଟ୍ ଇଣ୍ଡିଆନ୍ ପେନିସୁଲା ରେଲୱେଜ୍। ଏହା ଭିତରେ ଶହେ ବାସ୍ତରି ବର୍ଷରୁ ଅଧିକ ସମୟ ବିତି ସାରିଲାଣି ଏବଂ ରେଳଗାଡ଼ି ପାଲଟି ସାରିଛି ମୁମ୍ବାଇବାସୀଙ୍କ ଜୀବନ ରେଖା। ତେବେ ରେଳରେ ଯାତାୟାତ କରୁଥିବା ମୁମ୍ବାଇର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା କେତେ ବିପଜ୍ଜନକ, ତାହା ଗତ ସୋମବାର ଦିନ ମୁମ୍ବାଇରେ ଘଟିଥିବା ଦୁର୍ଘଟଣା ସୂଚାଇ ଦେଇଛି ।
ଏହି ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଚାରିଜଣ ଲୋକ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୁବ ପିଢ଼ିର। ସେମାନଙ୍କର ଏହି ମୃତ୍ୟୁବରଣ କରିବା ସ୍ମରଣ କରାଇ ଦେଉଛି ଯେ ଭାରତ ଖୁବ୍ ଶୀଘ୍ର ତଥାକଥିତ ଜନସଂଖ୍ୟକ ଲାଭ ଅମଳ କରିବାକୁ ଯାଉଥିବା ସମ୍ପର୍କରେ ସରକାର ଡିଣ୍ଡିମ ପିଟି ଚାଲିଥିବା ସତ୍ତ୍ବେ ସହରାଞ୍ଚଳଗୁଡ଼ିକର ଭିତ୍ତିଭୂମି କେତେ ଦୁର୍ବଳ ଯେଉଁଥିରେ ସେମାନେ ବାସ କରୁଛନ୍ତି। ମୁମ୍ବାଇ ସହରତଳି ରେଳ ସେବା ହେଉଛି ଖୋଦ୍ ଏକ ବିସ୍ମୟ : ହାରାହାରି ୨୫୦୦ ଯାତ୍ରୀଙ୍କ ପରିବହନ କରିବା ନିମନ୍ତେ ଉଦ୍ଦିଷ୍ଟ ଟ୍ରେନ୍ଗୁଡ଼ିକ ନିୟମିତ ଭାବରେ ତା’ର ଦୁଇଗୁଣ କିମ୍ବା ତା’ଠୁ ଅଧିକ ଯାତ୍ରୀଙ୍କୁ ନେବା ଅଣିବା କରିଥାନ୍ତି, ଯାହା ବିଶ୍ଵର ସର୍ବାଧିକ ଘନ ଜନବସତିପୂର୍ଣ୍ଣ ମୁମ୍ବାଇର ସହରତଳି ନେଟ୍ ୱର୍କ ଉପରେ ଅତ୍ୟଧିକ ଚାପ ପକାଇ ଥାଏ ।
ଏହି ନେଟ୍ୱର୍କ୍ ୪୫୦ କିଲୋମିଟରରୁ ଅଧିକ ପଥ ଉପରେ ପରିବ୍ୟାପ୍ତ ଏବଂ ଦୈନନ୍ଦିନ ୭.୫ ମିଲିଅ ରୁ ଅଧିକ ଯାତ୍ରୀ ଯାତାୟାତ କରନ୍ତି ଏହା ଉପରେ, ଯେଉଁମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଶହ ଶହ ବିନା ଟିକେଟ୍ର ଯାତ୍ରୀ। କେନ୍ଦ୍ରୀୟ ରେଳବାଇର ୧,୮୧୦ ଦୈନିକ ରେଳ ସେବାଗୁଡ଼ିକ ଯାହା ଉପରେ ଏହି ଦୁର୍ଘଟଣା ଘଟିଲା, ବାର୍ଷିକ ଚାରି ମିଲିଅନ୍ ଯାତ୍ରୀଙ୍କୁ ନେବା ଆଣିବା କରିଥାଏ, ଯେଉଁମାନଙ୍କ ସଂଖ୍ୟାରୁ ବିନା ଟିକେଟ୍ ଯାତ୍ରୀଙ୍କୁ ବାଦ୍ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ଉପରୋକ୍ତ ନେଟ୍ ର୍କରେ ଦୈନିକ ସାତ ଜଣ ଯାତ୍ରୀ ପ୍ରାଣ ହରାଇଥାନ୍ତି । ତେଣୁ ଏହି ନେଟ୍ ର୍କରେ ସୁରକ୍ଷା ବ୍ୟବସ୍ଥାର ଉନ୍ନତି ଘଟାଇବା ଉପରେ ଗୁରୁତ୍ଵର ସହିତ ଦୃଷ୍ଟିପାତ କରିବାର ଯେ ସମୟ ଉପଗତ ହୋଇଛି, କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଏତିକି କାମ ମଧ୍ୟ ଯଥେଷ୍ଟ ନୁହେଁ । ବିଭିନ୍ନ ଅଧ୍ୟୟନ ଅନୁସାରେ, ଭାରତର ଜନସଂଖ୍ୟା ପ୍ରତି ୩୨ ବର୍ଷରେ ପ୍ରାୟ ଦୁଇଗୁଣ ବୃଦ୍ଧି ପାଉଛି, କିନ୍ତୁ ଦେଶ ସେହି ଅନୁସାରେ ବର୍ଦ୍ଧିତ ଜନସଂଖ୍ୟା ସହିତ ତାଳ ଦେଇ ପରିବହନ ଭିରିଭୂମି ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ କ୍ଷେତ୍ରରେ କ୍ଵଚିତ୍ର ସେପରି ଉନ୍ନତିକୁ ପରିଲକ୍ଷିତ କରୁଛି ।
ଦୁଇ ଦଶନ୍ଧି ପୂର୍ବେ ଦିଲ୍ଲୀ ମେଟ୍ରୋ କାର୍ଯ୍ୟକାରୀ କରାଯିବା ପରେ ଏବଂ କେତେକ ପ୍ରମୁଖ ସହରରେ ସୀମିତ ମେଟ୍ରୋ ରେଳ ସେବା ଆରମ୍ଭ କରାଯିବା ପରେ ସାଧାରଣ ନାଗରିକ ଓ ଯାତ୍ରୀମାନଙ୍କ ଜୀବନକୁ ଅଧିକ ସହଜ, ସରଳ ଏବଂ ବିପଦମୁକ୍ତ କରିବା ପାଇଁ କୌଣସି ଯୋଜନାବଦ୍ଧ ବିକାଶ କରାଯାଇ ନାହିଁ ।
ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ଭାରତ ସହିତ ସର୍ବଶ୍ରେଷ୍ଠ ସମାନ୍ତରାଳ ଦେଶ ଭାବରେ ନିଆଯାଇପାରେ ଆମର ପଡ଼ୋଶୀ ଦେଶ ଚୀନ୍କୁ, ଯାହା ମାତ୍ର କିଛି ମାସ ପୂର୍ବରୁ ବିଶ୍ବର ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ଦେଶ ଥିଲା । ଏହି ଦେଶ ନିଜର ଅର୍ଥନୀତି ଯେତେ ଯେତେ ପ୍ରଗତି କରି ଚାଲିଲା, ସେତେ ସହରାଞ୍ଚଳର ଭିତ୍ତିଭୂମିକୁ ଦ୍ରୁତ ଗତିରେ ପରିବର୍ତ୍ତନ କରାଇ ଗଲିଲା।
ବିଭିନ୍ନ ଅଧ୍ୟୟନ ଅନୁସାରେ, ଚୀନ୍ରେ ୧୯୭୮ରୁ ୨୦୧୫ ମଧ୍ୟରେ ସହର ସଂଖ୍ୟା ୧୯୩ରୁ ୬୫୦କୁ ବୃଦ୍ଧି ପାଇଥିଲା, ଯାହାର ଅର୍ଥ, ପ୍ରାୟ ତିନି ଗୁଣ । ଭାରତ କିନ୍ତୁ ସେହି ତୁଳନାରେ ନୂଆ ସହରଗୁଡ଼ିକର ବିକାଶକୁ ପରିଲକ୍ଷିତ କରି ନାହିଁ, କେବଳ ଯାହା ପରିଲକ୍ଷିତ କରିଛି ଯେଉଁଗୁଡ଼ିକ ଥୁଲା, ସେଗୁଡ଼ିକର ଜୈବିକ ବୃଦ୍ଧିକୁ। ୨୦୧୪ରେ ଏନ୍ଡିଏ ସରକାର ଯେତେବେଳେ କ୍ଷମତାକୁ ଆସିଲା, ସେତେବେଳେ ଏହା ସାରା ଦେଶରେ ୧୦୦ଟି ସ୍ମାର୍ଟ ସିଟି କରିବା କଥା କହିଥିଲା, କିନ୍ତୁ ଏହି ପ୍ରକଳ୍ପ ଆଜିକା ଦିନରେ ସେମିତି କିଛି ଉଲ୍ଲେଖନୀୟ ପ୍ରଗତି କରିଥିବା କଦାଚିତ୍ କୁହାଯାଇ ପାରିବ । ଗତ ତିନି ଦଶନ୍ଧି ଧରି ଭାରତ ଏକ ଯୋଜନାବଦ୍ଧ ଉପାୟରେ ସଡ଼କ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ କରି ଆସୁଛି । ଏହା ମଧ୍ୟରେ ଅନ୍ତର୍ଭୁକ୍ତ ୧୯୯୦ ଦଶକର ଶେଷ ଭାଗରେ ଆରମ୍ଭ କରାଯାଇଥିବା ସ୍ଵର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ । ଏହା ସହରାଞ୍ଚଳଗୁଡ଼ିକର ସଂଯୋଗ ସେତୁ ଭାବରେ କାମ କରିବା ସଙ୍ଗେ ସଙ୍ଗେ ଜାତୀୟ ନେଟ୍ୱର୍କର ଉପଲବ୍ଧତା ପାଇଁ ଗ୍ରାମାଞ୍ଚଳମାନଙ୍କୁ ସୁଯୋଗ ପ୍ରଦାନ କରିଛି ।
ବର୍ତ୍ତମାନ ସମୟ ଆସିଚି, ସରକାର ୨୦୪୭ ସୁଦ୍ଧା ଭାରତକୁ ବିଶ୍ବ ଦରବାରରେ ଏକ ବିକଶିତ ରାଷ୍ଟ୍ରର ପରିଚିତି ପ୍ରଦାନ କରିବା ଭଳି ମହତ ଉଦ୍ଦେଶ୍ୟ ବହନ କରୁଥିବା ବେଳେ ସହରାଞ୍ଚଳଗୁଡ଼ିକର ଭିଭିଭୂମି ବିକାଶ ଉପରେ ଧ୍ୟାନ ଦେଇ ସେ ଦିଗରେ କାମକୁ ତ୍ୱରାନ୍ବିତ କରିବା ଉଚିତ।
Also readhttps://purvapaksa.com/iran-missile-strikes-israel/
