ସାହିତ୍ୟ ସବୁବେଳେ ସମାଜରେ ପରିବର୍ତ୍ତନ ଆଣିଥାଏ। ସାହିତ୍ୟ ସମାଜକୁ ବାଟ ଦେଖାଏ। ପ୍ରତ୍ୟେକ ଲେଖକ ଓ କବିଙ୍କର ସାରସ୍ୱତ ସୃଷ୍ଟି ସମାଜ ପାଇଁ ଦିଗବାରେଣୀ ଭଳି ମାର୍ଗ ଦର୍ଶକ ହୋଇଥାଏ। ଯେତେବେଳେ ସମାଜ କୌଣସି ଲେଖାରେ ପ୍ରଭାବିତ ହୁଏ ସତେବେଳେ ତାହାକୁ ହିଁ ଲେଖକୀୟ ସଫଳତା ବାଲି କୁହାଯାଏ।
ମଇ ପହିଲାରେ ‘ପ୍ରଗତିବାଦୀ’ର ଜନ୍ମଦିନରେ ଆୟୋଜିତ ସାରସ୍ଵତ ସମାରୋହରେ ବହୁ ବିଶିଷ୍ଟ ଅତିଥି ଉପରୋକ୍ତ ମତ ପ୍ରକାଶ କରିଛନ୍ତି। ପ୍ରଗତିବାଦୀର ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଥିଲା। ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା।
ପୂର୍ବାହ୍ନରେ ସାରାଓଡ଼ିଶାରୁ ଆସିଥିବା ପ୍ରଗତିବାଦୀ ପ୍ରତିନିଧିମାନଙ୍କର ଏକ ଭେଟଭାଟ ହୋଇଥିବାବେଳେ ଅପରାହ୍ନରେ କବିତା ପାଠୋତ୍ସବ, ସାହିତ୍ୟ ଚର୍ଚ୍ଚା, ପୁସ୍ତକ ଉନ୍ମୋଚନ ଓ ସାରସ୍ୱତ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ରାଜ୍ୟର ସବୁ ଅଞ୍ଚଳରୁ ସାହିତ୍ୟିକ, ସାମ୍ବାଦିକ, କବି, ଲଖକ, ବିତରକ ଓ ପାଠକ ଯୋଗଦେଇଥିଲେ।
ପ୍ରତ୍ୟେକ ବର୍ଷ ମଇ ପହିଲାରେ ପ୍ରଗତିବାଦୀ ତା’ର ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କଲାବେଳେ ଏହି ଦିନଟିକୁ କବି ଓ ଲେଖକ, ବିତରକ, ପାଠକ ଏବଂ ସାମ୍ବାଦିକଙ୍କ ପ୍ରତି ସମର୍ପିତ କରିଥାଏ। ଚଳିତ ଥର ପ୍ରଗତିବାଦୀର ଏହି ସାରସ୍ଵତ ସମାରୋହକୁ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ବିଶିଷ୍ଟ ସମାଜସେବୀକା ଗୁରୁମା ଡକ୍ଟର ଅରୁନ୍ଧତୀ ଦେବୀ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ସାହିତ୍ୟିକ ତଥା ରାଜନେତା ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଏବଂ ଅନ୍ୟତମ ଅତିଥ୍ୟ ଭାବରେ ଗାଳ୍ପିକ ତଥା ଅନୁବାଦକ ରାଧୁ ମିଶ୍ର ଯୋଗଦେଇଥିଲେ । ଶିକ୍ଷାବିତ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ଏଥିରେ ସଭାପତିତ୍ୱ କରିଥିଲେ।
ସଭାପତିତ୍ବ ଅଭିଭାଷଣରେ ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଗତିବାଦୀ ଓ ପ୍ରଦ୍ୟୁମ୍ନ ବଳଙ୍କ ବିଷୟକୁ ନେଇ ବିଶଦ ଭାବରେ ତାଙ୍କର ବକ୍ତବ୍ୟ ରଖିଥିଲେ। ପ୍ରଦ୍ୟୁମ୍ନ ବଳଙ୍କ ଜୀବନ ଚର୍ଯ୍ୟାରେ କିଭଳି ସ୍ପଷ୍ଟତା, ଦୂରତା ଓ ନିର୍ଭୀକତା ରହିଥିଲା, ତାହା ତାଙ୍କର ଲେଖାମାନଙ୍କରୁ ସୁସ୍ପଷ୍ଟବାଲି ସେ କହିଥିଲେ। ପ୍ରଗତିବାଦୀ ଏକ ବିଚାର ଓ ଆଦର୍ଶକୁ ନେଇ ସାଲିସ ବିହୀନ ପଥରେ ଆଗେଇ ଯାଉଥିବାବେଳେ ଜନ୍ମଦିନରେ ଏକ ଉତ୍ସବର ଆୟୋଜନ କରି ପ୍ରତ୍ୟେକ କବି, ଲଖକ, ସାହିତ୍ୟିକ, ସାମ୍ବାଦିକ, ବିତରକ ଓ ପାଠକମାନଙ୍କୁ ଏକାଠି କରିବାର ପ୍ରୟାସ ଅଭିନନ୍ଦନୀୟ ବୋଲି କହିଥିଲେ। ସମାଜରେ ଭଲ ବାଟ ଦେଖାଇବା ନିମନ୍ତେ ଲେଖନୀ ଚାଳନା ହେବାର ଆବଶ୍ୟକତା ଥିବା ସେ ମତବ୍ୟକ୍ତ କରିଥିଲେ।
ପ୍ରଗତିବାଦୀର ଅଧ୍ୟକ୍ଷା ଶାଶ୍ୱତୀ ବଳ ସମାରୋହରେ ଉପସ୍ଥିତ ରହି ଯେଉଁ ଲକ୍ଷ୍ୟ ନେଇ ପ୍ରଗତିବାଦୀ ଜନ୍ମଲାଭ କରିଥିଲା ଆଜି ୫୨ ବର୍ଷ ଅତିକ୍ରମ କଲା ପରେ ସେହି ଲକ୍ଷ୍ୟକୁ ଅବିଚଳିତ ରଖିପାରିଥିବା କହିଥିଲେ। ସମାରୋହରେ କଟକ ବାଦାମବାଡ଼ି ବସଷ୍ଟାଣ୍ଡର ଜଣେ ଖବରକାଗଜ ବିତରକ ଦିନବନ୍ଧୁ ଦେହୁରୀଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହର ମୁଖ୍ୟ ଅତିଥି ଭାବରେ ତାଙ୍କୁ ମଞ୍ଚାସୀନ କରାଯାଇଥିଲା। ଅନୁଗୁଳ ଜିଲ୍ଲାର ବଇଣ୍ଡା ଅଞ୍ଚଳର ଦିନବନ୍ଧୁ ଦେହୁରୀ ୫୮ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଖବରକାଗଜ ବିତରଣ କରିଆସୁଛନ୍ତି। ତାଙ୍କର ସେହି କାର୍ଯ୍ୟ ପାଇଁ ଜଣେ ବିତରକ ଭାବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମାରୋହରେ ପ୍ରଗତିବାଦୀର ପ୍ରତ୍ୟେକ ଲେଖକ, ଲେଖିକା, କବି ଓ ଗାଳ୍ପିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପ୍ରଗତିବାଦୀର ବାର୍ଷିକ ବିଶେଷାଙ୍କ ମଧ୍ୟ ଉନ୍ମୋଚନ ହୋଇଥିଲା।
ପ୍ରଗତିବାଦୀ ପରିସରରେ ଆୟୋଜିତ ସମାରୋହରେ ଉଦବୋଧନ ରଖି ଡକ୍ଟର ଅରୁନ୍ଧତୀ ଦେବୀ କହିଥିଲେ ଯେ, ସମାଜରେ ଭଲ ମଣିଷ ଗଢ଼ିବା ପ୍ରତ୍ୟେକଙ୍କର କାର୍ଯ୍ୟ ହେବା ଉଚିତ। ଆମେ ନିଜେ ଭଲ ହୋଇ ଅନ୍ୟକୁ ଭଲ ହେବାରେ ସହାୟକ ହେବାର ଆବଶ୍ୟକତା ରହିଛି। ସମ୍ମିଳିତ ଉଦ୍ୟମରେ ହିଁ ସମାଜର ପରିବର୍ତ୍ତନ ଘଟିଥାଏ। ସେ କହିଥିଲେ ଯେ, ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଜଣେ ଆଦର୍ଶ ପୁରୁଷ ଥିଲେ। ସତ୍ୟ, ନ୍ୟାୟ, ମୂଲ୍ୟବୋଧ ଏବଂ ନିର୍ଭୀକତା ତାଙ୍କର ବିଶେଷ ଗୁଣ ଥିଲା। ସମାଜରେ ଆବଶ୍ୟକତା ରହିଛି। ପ୍ରଗତିବାଦୀ ଭଲ କାର୍ଯ୍ୟକୁ ଆଗକୁ ସେହିପରି ଭଲ ମଣିଷଙ୍କର ସବୁବେଳେ ନେଉ ବୋଲି କହିଥିଲେ।
ମୁଖ୍ୟବକ୍ତାଭାବେ ଯାଗେଦେଇଥିବା ଡକ୍ଟର ଅରୁଣ ସାହୁ କହିଥିଲେ ଯେ, ସମାଜକୁ ଲେଖକମାନେ ହିଁ ପରିବର୍ତ୍ତନ କରିପାରିଥାନ୍ତି। ଲେଖାହିଁ ସମାଜକୁ ପ୍ରଭାବିତ କରିଥାଏ। ଯେଉଁ ଲେଖା ସମାଜକୁ ପ୍ରଭାବିତ କରେ ତାହା ଶ୍ରେଷ୍ଠ ସାରସ୍ୱତ କୃତି ବୋଲି ଆମେ କହିବା । ସମାଜରେ ଲେଖା ମାଧ୍ୟମରେ ପରିବର୍ତ୍ତନ ଆଣିପାରିଲେ ବା ସମାଜକୁ ପ୍ରଭାବିତ କରିପାରିଲେ ତାହାକୁ ଲେଖକୀୟ ସଫଳତା କୁହାଯିବ ବୋଲି ଡକ୍ଟର ସାହୁ କହିଥିଲେ। ସେ କହିଥିଲେଯ, ପ୍ରଗତିବାଦୀ ଆଜିର ସ୍ଥିତିରେ ଦିଗବାରେଣୀ ହେବାର ଆବଶ୍ୟକତା ରହିଛି।
ସମାଜ ଓ ଦେଶ ଯେଉଁ ସମୟ ଦେଇ ଗତି କରୁଛି ସେଥରେ ପ୍ରଗତିବାଦୀ ଭଳି ଖବରକାଗଜଠାରୁ ଲୋକେ ଅନେକ କିଛି ଆଶା ରଖିଛନ୍ତି। ସାହିତ୍ୟ ଓ ଗଣମାଧ୍ୟମର ସ୍ଥିତି ସମ୍ପର୍କରେ ଆଲୋଚନା କରି ସେ କହିଥିଲେ ଯେ, ବର୍ତ୍ତମାନର ସମୟରେ ଲୋକଙ୍କୁ ପ୍ରଭାବିତ କରିପାରୁଥିବା ଏହି ଦୁଇଟି ମାଧ୍ୟମ ସଙ୍କଟରେ ରହିଛି। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ ଜଣେ ଜଣେ ମାଧ୍ୟମ ହୋଇପାରୁଛନ୍ତି ସେତେବେଳେ ଆମ ସମସ୍ତଙ୍କର ଦାୟିତ୍ୱ ବେଶ ବଢ଼ିଯାଉଛି । ସମାଜକୁ ସୁଧାରିବା ଓ ଦେଶକୁ ଠିକ୍ ବାଟରେ ନେବାର ଏକ ବଡ଼ ଦାୟିତ୍ୱ ଆଜିର ସାହିତ୍ୟିକ ବା କବି ଲେଖକଙ୍କର ରହିଛି। ପ୍ରଗତିବାଦୀ ଏକ ଆଦର୍ଶ ଭିତରେ ଜନ୍ମ ହୋଇଥିବାରୁ ସମାଜରେ ସତ୍ୟ ଓ ନିଭୀକତାର ସ୍ୱର ଉଠାଇ ଆଗକୁ ବଢ଼ିବାର ଯେଉଁ ସଂକଳ୍ପ ଏବଂ ପ୍ରତିବଦ୍ଧତା ପ୍ରଗତିବାଦୀ ପାଖରେ ଅଛି ତାହାକୁ ଆହୁରି ମଜବୁତ କରିବାକୁ ହେବ।
ସମାରୋହରେ ପ୍ରଦ୍ୟୁମ୍ନ ବଳଙ୍କ ଦ୍ୱାରା ଲିଖିତ କିଛି କବିତାକୁ ନେଇ ପ୍ରକାଶ ପାଇଥିବା ସଂକଳନ ‘ପରିଭାଷାର’ ହିନ୍ଦୀ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ପରିଭାଷାର ଅନୁବାଦକ ରାଧୁ ମିଶ୍ର ପ୍ରଦ୍ୟୁମ୍ନ ବଳଙ୍କ କବିତାର ମୂଲ୍ୟାୟନ କରି ସର୍ବଶ୍ରେଷ୍ଠ କବିତା ଭାବରେ ‘ରିକ୍ସା ବାଲା’କୁ ଉଲ୍ଲେଖ କରିଥିଲେ। ପ୍ରଦ୍ୟୁମ୍ନ ବଳ ଜଣେ ପ୍ରାବନ୍ଧିକ ହଲେ ମଧ୍ୟ କବିତାରେ କିଭଳି ତାଙ୍କର ସମ୍ବେଦନଶୀଳତା, ମାନବିକତା, ବିଦ୍ରୋହ, ବିପ୍ଳବ ଏବଂ ପ୍ରେମ ଓ ପ୍ରଣୟ ରହିଥିଲା ତାହା ସେ ବର୍ଣନା କରିଥିଲେ। ସମାଜର ଚିତ୍ର ଓ ସମାଜକୁ ପ୍ରଭାବିତ କଲାଭଳି ପ୍ରତ୍ୟେକଟି କବିତା ପ୍ରଦ୍ୟୁମ୍ନ ବଳଙ୍କ ସାରସ୍ବତ ସୃଷ୍ଟିର ବିଶେଷ ପରିଚୟ ବୋଲି ସେ କହିଥିଲେ।
ଝଡ଼ ପୂର୍ବରୁ ନଅ ବର୍ଷ ଶାନ୍ତ; କାଶ୍ମୀରରେ ଆତଙ୍କବାଦର ସଂକ୍ଷିପ୍ତ ଇତିହାସ-ଭାଗ ୨