ଏକଦା ୟଙ୍ଗ ଇଣ୍ଡିଆ ବା ୟଙ୍ଗିସ୍ତାନ ଭାବେ ପରିଚିତ ହେଉଥିବା ଭାରତ ଏବେ ବୁଢ଼ା ହେବାରେ ଲାଗିଛି। ଦେଶର ଜନସଂଖ୍ୟାର ହାରାହାରି ୧୦%ଙ୍କ ବୟସ ୬୦ ବର୍ଷ ଅତିକ୍ରମ କରିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ଆରଜିଆଇ)ଙ୍କ ନମୁନା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଏବଂ ଦେଶରେ ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ଘଟିଥିବା ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁସାରେ ସମ୍ପ୍ରତି ପ୍ରତି ଦଶ ଜଣ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ଜଣେ ଏବେ ୬୦ ବର୍ଷରୁ ଅଧିକ ବୟସର ଓ ୬.୪% ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ। ୨୦୧୧ ଜନଗଣନା ସମୟରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୮.୬% ରହିଥିବା ବେଳେ ଏବେ ତାହା ୯.୭% ଅତିକ୍ରମ କରିଛି। ଲୋକଙ୍କର ଜୀବନକାଳ ବୃଦ୍ଧି ଓ ପ୍ରଜନନ କ୍ଷମତା ହ୍ରାସ ଭାରତକୁ ଏକ ବୃଦ୍ଧ ଦେଶରେ ପରିଣତ କରିବ ବୋଲି ଏଥିରେ ଆଶଙ୍କା କରାଯାଇଛି।
ଜନସଂଖ୍ୟା ନିର୍ଦ୍ଦେଶକଙ୍କ ଏହି ରିପୋର୍ଟ ସମାଜ ତତ୍ତ୍ୱବିତ୍ମାନଙ୍କୁ ଚିନ୍ତିତ କରିଛି। ଦେଶ ନିକଟ ଭବିଷ୍ୟତରେ ବୟସ୍କ ଜନସଂଖ୍ୟାର ଚାପର ସମ୍ମୁଖୀନ ହେବ ଓ ବାର୍ଦ୍ଧକ୍ୟ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ପେନସନ ଓ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ଆବଶ୍ୟକତା ଅଧିକ ଅନୁଭବ ହେବ। ସମ୍ପ୍ରତି କେରଳରେ ବୟସ୍କ ନାଗରିକଙ୍କ ହାର ସାରା ଦେଶରେ ସର୍ବାଧିକ ୧୫.୧ ପ୍ରତିଶତ ରହିଛି। ଏହା ପଛକୁ ତାମିଲନାଡୁରେ ଏହା ୧୪ %, ହିମାଚଳରେ ୧୩.୨ % ଥିବା ସୂଚନା ମିଳିଛି। ଏହାବ୍ୟତୀତ ପଞ୍ଜାବ ଓ ମହାରାଷ୍ଟ୍ରରେ ମଧ୍ୟ ବୟସ୍କ ନାଗରିକଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି। ଅନ୍ୟପକ୍ଷରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଆଦି ରାଜ୍ୟଗୁଡ଼ିକରେ ବୟସ୍କ ନାଗରିକଙ୍କ ସଂଖ୍ୟା ତୁଳନାତ୍ମକ ଭାବରେ ଅନ୍ୟ ରାଜ୍ୟଠାରୁ କମ୍ ଅର୍ଥାତ୍ ୭%ରୁ ୮% ମଧ୍ୟରେ ସୀମିତ ରହିଛି ।
ଉତ୍ତର ଭାରତରେ ଜନସଂଖ୍ୟା ଓ ନବଜାତ ଶିଶୁଙ୍କ ଜନ୍ମ ହାର ବୃଦ୍ଧି ଏକ ସ୍ଥିର ସ୍ଥିତି ସୃଷ୍ଟି କରିଥିବାବେଳେ ଦକ୍ଷିଣ ଓ ପଶ୍ଚିମ ଭାରତରେ ପ୍ରଜନନ ହାର ହ୍ରାସ ଅସ୍ଥିରତା ସୃଷ୍ଟି କରିଛି। ଅନ୍ୟପକ୍ଷରେ ସମ୍ପ୍ରତି ଭାରତୀୟ ପୁରୁଷମାନଙ୍କର ହାରାହାରି ଆୟୁ ବୃଦ୍ଧି ପାଇ ୬୮.୫ ବର୍ଷ ଓ ମହିଳାମାନଙ୍କ ହାରାହାରି ଆୟୁ ୭୨.୫ ବର୍ଷରେ ପହଞ୍ଚିଛି। କେରଳ ଓ ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକରେ ଏହି ଆୟୁ ବର୍ଗ ଯଥାକ୍ରମେ ୭୮ ବର୍ଷ ଓ ୭୪ ବର୍ଷରେ ପହଞ୍ଚିଛି । ଏକପକ୍ଷରେ ହାରାହାରି ଆୟୁ ବୃଦ୍ଧି ଓ ବୟସ୍କଙ୍କ ଜୀବନକାଳ ବଢ଼ୁଥିବାବେଳେ କମ୍ ଶିଶୁ ଜନ୍ମ ଦେଶକୁ ବୟସ୍କ କରିଦେଉଛି। ସେହିପରି ବୟସ୍କମାନଙ୍କ ସଂଖ୍ୟା ବୃଦ୍ଧି ଦେଶର ଅର୍ଥନୀତିକୁ ଅଧିକ ପ୍ରଭାବ ପକାଇବା ଆଶଙ୍କା କରୁଛନ୍ତି ସମାଜତତ୍ୱବିତ୍। ବୃଦ୍ଧ ଲୋକଙ୍କ ପାଇଁ ଅଧିକ ଚିକିତ୍ସାର ଆବଶ୍ୟକତା ସହ ମଧୁମେହ, ହୃଦରୋଗ, ଆର୍ଥାଇଟିସ୍ ପରି ଦୀର୍ଘକାଳୀନ ରୋଗର ମୁକାବିଲା, ପେନସନ ଓ ସାମାଜିକ ସୁରକ୍ଷା ଦେଶର ଆର୍ଥିକ ବ୍ୟବସ୍ଥାକୁ ଚାପଗ୍ରସ୍ତ କରିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଯୁବବର୍ଗ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଉଥିବାବେଳେ ଅଧିକ ବୃଦ୍ଧ ଥିବା ରାଜ୍ୟଗୁଡ଼ିକରେ ଶ୍ରମ ଶକ୍ତି ସଙ୍କୁଚିତ ହୋଇପାରେ ବୋଲି ମଧ୍ୟ କିଛି ଆଶଙ୍କା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ବର୍ତ୍ତମାନର ଧାରା ଜାରି ରହେ, ତେବେ ଭାରତ ଖୁବ୍ ଶୀଘ୍ର ଚୀନ୍, ଜାପାନ ଏବଂ ୟୁରୋପ ପରି ସମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି ।
Also Read https://purvapaksa.com/47-ministers-in-india-face-criminal-cases/
47% Ministers in India face criminal cases ।। ଦେଶରେ ପାଖାପାଖି ୪୭ ପ୍ରତିଶତ ନେତାଙ୍କ ଉପରେ ଆପରାଧିକ ମାମଲା
