ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଭାରତର ଉତ୍ପାଦ ଉପରେ ୫୦% ଟାରିଫ୍ ଲଗାଇ ଚାପଗ୍ରସ୍ତ କରିବାକୁ ଚାହିଁଥିଲେ ମଧ୍ୟ ଏହାର ପରିଣାମ ଓଲଟା ହୋଇଛି। ସେଥିଲାଗି ପୂର୍ବର ବାଣିଜ୍ୟ କାରବାରକୁ ଉଦାହରଣ ଦେଇ ତାହା ଏକପାଖିଆ ବୋଲି ଅଭିଯୋଗ କରିଛି। ଆମେରିକାର ରାଷ୍ଟ୍ରପତି ଦୁଇପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ବଦଳରେ ଯେଉଁ ଏକ ପାଖିଆ ନିଷ୍ପତ୍ତି ନେଇଛନ୍ତି ତାହା ଦେଶର ବୁଦ୍ଧିଜୀବୀ ଓ ବିରୋଧୀ ଦଳର ରାଜନେତାଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦେଇଛି।
ଏପରିକି ବିଗତ ଅନେକ ବର୍ଷ ହେଲା ଋଷ୍ଠାରୁ ଭାରତକୁ ଫେରାଇ ଆମେରିକା ମୁହାଁ କରିବା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ପାଣିରେ ପଡ଼ିଯାଇଛି ବୋଲି ପୂର୍ବତନ ହ୍ୱାଇଟହାଉସ୍ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଆମେରିକାର ଅର୍ଥ ସଚିବ ସ୍କଟ ବେସେଣ୍ଟ ଦୁଇ ମହାନ ଦେଶ ନିଜ ଭିତରେ ଚାଲିଥିବା ବାଣିଜ୍ୟ ସମସ୍ୟାକୁ ଖୁଶୀଘ୍ର ସମାଧାନ କରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଭାରତ ହେଉଛି ସବୁଠାରୁ ଜନବହୁଳ ଗଣତନ୍ତ୍ର। ଏହାର ମୂଲ୍ୟବୋଧ ରୁଷ୍ଠାରୁ ଆମ ସହ ଅଧିକ ସାମଞ୍ଜସ୍ୟ ରକ୍ଷା କରେ।
ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ଭାରତ ଉପରେ ଆରୋପ ଲଗାଇବାକୁ ପଛକୁ ହଟୁ ନାହାନ୍ତି। ଟ୍ରୁଥ ସୋସିଆଲରେ ନିଜ ମନ୍ତବ୍ୟକୁ ଦର୍ଶାଇବାକୁ ଯାଇ ଟ୍ରମ୍ପ ଆମେରିକା ପୂର୍ବରୁ ଭାରତର ଉଚ୍ଚ ଟାରିଫ୍ ଯୋଗୁ ପୀଡ଼ିତ ହୋଇଥିବା କହିଛନ୍ତି। ଏହି କାରଣରୁ ଭାରତରେ ଆମେରିକୀୟ କମ୍ପାନୀମାନେ ବ୍ୟବସାୟ କରିପାରୁନଥିବା କହିଛନ୍ତି। ଏହାକୁ ଏକ ପାଖିଆ ବିପର୍ଯ୍ୟୟ ବୋଲି ଅଭିହିତ କରିବା ସହ ବହୁତ କମ୍ ଲୋକ ଏହା ଜାଣନ୍ତି ବୋଲି କହିଛନ୍ତି। ଭାରତ ଆମ ସହ ଅନେକ ବ୍ୟବସାୟ କରୁଛି। ଆମେରିକା ଭାରତର ସବୁଠାରୁ ବଡ଼ ଗରାଖ ବୋଲି ସେ ଅଭିହିତ କରିଛନ୍ତି। କିନ୍ତୁ ଏଯାଏ ଏହା କେବଳ ଗୋଟିଏ ସୂତ୍ରରେ ଚାଲି ଆସୁଥିଲା ବୋଲି ସେ କହିଛନ୍ତି। ଏବେ ଭାରତ ଶୂନ୍ୟ ଟାରିଫ୍ ପ୍ରସ୍ତାବ ଦେଇଛି, ଯାହା ସେମାନେ ଅନେକ ବର୍ଷ ପୂର୍ବରୁ କରିବାର ଥିଲା ବୋଲି କହିଛି ଆମେରିକା।
ହେଲେ ଆମେରିକା ରାଷ୍ଟ୍ରପତି ଦେଇଥିବା ତଥ୍ୟକୁ ଖଣ୍ଡନ କରିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରଦୂତ କନ୍ଓ୍ୱଲ ଶିବଲ। ସେ ଏବେ ଜବାହରଲାଲ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ କାର୍ଯ୍ୟରତ। ସେ ତଥ୍ୟ ରଖି କହିଛନ୍ତି ଆମେରିକା ନିଜକୁ ଭାରତ ଦ୍ୱାରା ପୀଡ଼ିତ ବୋଲି କହି ଡ୍ରାମା କରୁଛି। ଆମେରିକାର ଏହି ଟାରିଫ୍ ପୀଡ଼ିତ ବାର୍ତ୍ତାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟ ୨୭୦ ବିଲିୟନ ଡଲାର ହୋଇଥିବାବେଳେ ୟୁରୋପୀୟ ସଂଘ ସହ ୧୬୧ ବିଲିୟନ ଡଲାର ବାଣିଜ୍ୟିକ ନିଅଣ୍ଟ ରହିଛି। ମେକ୍ସିକୋ ସହ ବାଣିଜ୍ୟିକ ନିଅଣ୍ଟ ୧୫୭ ବିଲିୟନ ଡଲାର, ଭିଏତ୍ନାମ ସହ ୧୧୩.୧ ବିଲିୟନ ଡଲାର, ତାଇଓ୍ୱାନ ସହ ୬୭.୪ ବିଲିୟନ ଡଲାର, ଜାପାନ ସହ ୬୨.୬ ବିଲିୟନ ଡଲାର, ଦକ୍ଷିଣ କୋରିଆ ସହ ୭୦.୨ ବିଲିୟନ ଡଲାର, କାନାଡ଼ା ସହ ୫୪.୮ ବିଲିୟନ ଡଲାର ଏବଂ ଥାଇଲାଣ୍ଡ ସହ ୪୧.୫ ବିଲିୟନ ଡଲାର ବାଣିଜ୍ୟିକ ନିଅଣ୍ଟ ରହିଛି। କିନ୍ତୁ ଭାରତ ସହ ଏହି ବାଣିଜ୍ୟିକ ନିଅଣ୍ଟ ୪୧.୫ ବିଲିୟନ ଡଲାର ରହିଥିବା ସେ କହିଛନ୍ତି। ଏଣୁ ଟ୍ରମ୍ପଙ୍କ ଅଭିଯୋଗକୁ ଅସ୍ୱଭାବିକ ଅସତ୍ୟ ବୋଲି କହିଛନ୍ତି।
ସେହିପରି ଭାରତ-ଆମେରିକା ଭିତରେ ସେବା କାରବାର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଶିବଲ। ସେ ଲେଖିଛନ୍ତି ଭାରତ ଓ ଆମେରିକା ଭିତରେ ବର୍ଷକୁ ପ୍ରାୟ ୮୩.୪ ବିଲିୟନ ଡଲାର କାରବାର ହୋଇଥାଏ। ଆମେରିକା ଭାରତକୁ ୪୧.୮ ବିଲିୟନ ଡଲାରର ସେବା ରପ୍ତାନୀ କରୁଥିବା ବେଳେ ଭାରତ ଆମେରିକାକୁ ୪୧.୬ ବିଲିୟନ ଡଲାର ସେବା ରପ୍ତାନୀ କରିଥାଏ। ଭାରତ- ଆମେରିକା ଭିତରେ ପ୍ରତିରକ୍ଷା କାରବାର ବାବଦରେ ମଧ୍ୟ ତଥ୍ୟ ଉଦ୍ଧାର କରିଛନ୍ତି ଶିବଲ। ଟ୍ରମ୍ପଙ୍କ ଅଭିଯୋଗ ଅନୁସାରେ ଭାରତ ରୁଷ୍ରୁ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଛି ଏବଂ ଆମେରିକାଠାରୁ କମ୍। ଏ କ୍ଷେତ୍ରରେ ମଧ୍ୟ ବାଣିଜ୍ୟିକ ନିଅଣ୍ଟ ଅଧିକ ରହିଥିବା ସେ ଅଭିଯୋଗ କରିଥିଲେ। ଏହାର ଜବାବରେ ଶିବଲ କହିଛଛନ୍ତି, ୨୦୨୪ ମସିହାରେ ଭାରତ ଆମେରିକା ଭିତରେ ପ୍ରତିରକ୍ଷା କାରବାର ୨୨ ବିଲିୟନ ଡଲାରରେ ପହଞ୍ଚିଥିଲା। ଯେତେବେଳେ ବି ୨୦୦୦ ମସିହା ଯାଏ କୌଣସି କାରବାର ହେଉନଥିଲା। ଅପରପକ୍ଷେ ଭାରତ ଶୂନ୍ୟ ଟାରିଫ ପ୍ରସ୍ତାବ ଦେଇଥିବା ନେଇ ଟ୍ରମ୍ପ ସୋଶାଲ ମିଡିଆରେ ଯେଉଁ ଚହଳ ପକାଉଛି ତାହା ବି କିଛି ସୀମିତ ଉତ୍ପାଦ ପାଇଁ ଉଦ୍ଦିଷ୍ଟ ରହିଛି। ଆମର ଆଭିମୁଖ୍ୟ ସ୍ପଷ୍ଟ ଓ ସ୍ଥିର ରହିଛି ବୋଲି କହିଛନ୍ତି ଶିବଲ।
Also Read https://purvapaksa.com/every-3-minutes-more-than-20-people-die-in-india-by-road-accidents/
