India vs England T20: ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତଠାରୁ ୧-୪ରେ ପରାସ୍ତ ହୋଇଛି।
ଏହି ଟି-୨୦ ଶୃଙ୍ଖଳାରେ ଇଂଲଣ୍ଡର ବ୍ୟାଟିଂ ଭଲ ପ୍ରଦର୍ଶନ କରିନଥିଲା କି ସେମାନଙ୍କ ବୋଲିଂ ଭାରତୀୟ ଦଳକୁ ବିଶେଷ ଅସୁବିଧାରେ ପକାଇନଥିଲା। ଏହି ଶୃଙ୍ଖଳାରେ ଇଂଲଣ୍ଡର ଏକମାତ୍ର ବିଜୟ ରାଜକୋଟରେ ଆୟୋଜକ ଦଳ ବିପକ୍ଷରେ ହୋଇଥିଲା, ଯେଉଁଠାରେ ସ୍ପିନରମାନଙ୍କୁ ବିଶେଷ ସହାୟତା ମିଳିନଥିଲା।
ଚମକିଲେ ଭାରତୀୟ ଖେଳାଳି
ଟି-୨୦ ସିରିଜରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲରଙ୍କ ଅଭିଜ୍ଞତା ମଧ୍ୟ ଇଂଲଣ୍ଡ ଦଳକୁ ସହାୟକ ହୋଇନଥିଲା। ପ୍ରଥମ ଦୁଇ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିବା ପରେ ବଟଲର ଫର୍ମରୁ ଓହରି ଯାଇ ଦଳକୁ କଠିନ ସ୍ଥିତିରେ ପହଞ୍ଚାଇଥିଲେ। ମାର୍କ ଉଡ୍ ଓ ଜୋଫ୍ରା ଆର୍ଚରଙ୍କ ଦ୍ରୁତ ଗତି ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରିବାରେ ବିଫଳ ହୋଇଥିଲା। ଉଭୟ ଦ୍ରୁତ ବୋଲର ଜୋରଦାର ରନ୍ ଦେଇଥିଲେ।
ଏହି ସିରିଜରେ ଭାରତୀୟ ଦଳର ଷ୍ଟାର ପ୍ରଦର୍ଶନ କରିଛନ୍ତି ‘ରହସ୍ୟମୟ’ ସ୍ପିନର ବରୁଣ ଚକ୍ରବର୍ତ୍ତୀ। ପୂରା ସିରିଜରେ ବରୁଣଙ୍କ ରହସ୍ୟମୟ ବୋଲିଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଚିନ୍ତାରେ ପକାଇଥିଲା। ବରୁଣ ଇଂଲଣ୍ଡ ଅଧିନାୟକ ଜୋସ ବଟଲରଙ୍କୁ ୩ ଥର ଆଉଟ୍ କରିଥିଲେ। ଉପଅଧିନାୟକ ହ୍ୟାରି ବ୍ରୁକ୍ ମଧ୍ୟ ଏହି ଭାରତୀୟ ସ୍ପିନରଙ୍କ ଦୟାରେ ଥିବା ଜଣାପଡିଛି। ବ୍ରୁକ୍ ୫ଟି ଯାକ ମ୍ୟାଚ୍ ରେ ଲେଗ୍ ସ୍ପିନ୍ ବୋଲିଂରେ ଆଉଟ୍ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ ଏହି ଟି-୨୦ ସିରିଜରେ ୧୪ ଟି ୱିକେଟ ନେଇଥିଲେ, ଯାହା କି ଜଣେ ଭାରତୀୟଙ୍କ ପାଇଁ ଏକ ରେକର୍ଡ ।
ଏହି ଟି-୨୦ ଶୃଙ୍ଖଳାରେ ଭାରତ ପାଇଁ ବ୍ୟାଟିଂ ଫ୍ରଣ୍ଟର ନେତୃତ୍ୱ ନେଇଥିଲେ ଓପନର ଅଭିଷେକ ଶର୍ମା । ଅଭିଷେକ ୫୫.୮୦ ହାରାହାରିରେ ସର୍ବାଧିକ ୨୭୯ ରନ୍ କରିଥିଲେ। ୱାଙ୍ଖଡେ ଟି-୨୦ରେ ତାଙ୍କ ବ୍ୟାଟିଂ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ମରଣୀୟ ରହିବ, ଯେଉଁଠାରେ ସେ ୧୩୫ ରନ୍ ର ଶତକୀୟ ଇନିଂସରେ ଅନେକ ରେକର୍ଡ ସ୍ଥାପନ କରିଥିଲେ। କୋଲକାତା ଟି-୨୦ରେ ମଧ୍ୟ ଅଭିଷେକ ୭୯ ରନର ଦମଦାର ଇନିଂସ ଖେଳି ଭାରତର ବିଜୟର ବାଟ ଖୋଲିଥିଲେ।
ଅନ୍ୟପକ୍ଷରେ ଅର୍ଶଦୀପ ସିଂହଙ୍କ ବୋଲିଂ ମଧ୍ୟ ଚମତ୍କାର ରହିଥିଲା। ଯଦିଓ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ଏହି ସିରିଜରେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ତାଙ୍କୁ ୨ଟି ମ୍ୟାଚ୍ ରେ ବିଶ୍ରାମ ଦିଆଯାଇଥିଲା। ଅର୍ଶଦୀପ ପ୍ରଥମ ଦୁଇଟି ମ୍ୟାଚ୍ ରେ ଭାରତୀୟ ଦଳକୁ ପାୱାରପ୍ଲେରେ ସଫଳତା ହାସଲ କରିବାରେ ସାହାଯ୍ୟ କରିଥିଲେ, ଯାହା ଅନ୍ୟ ବୋଲରଙ୍କ ପାଇଁ କାମକୁ ସହଜ କରିଥିଲା। କୋଲକାତା ଟି-୨୦ରେ ସେ ବେନ୍ ଡକେଟ୍ଙ୍କୁ ଯେଉଁଭଳି ଭାବେ ଆଉଟ୍ କରିଥିଲେ ତାହା ଉଲ୍ଲେଖନୀୟ ଥିଲା। ଅର୍ଶଦୀପ ୩ଟି ମ୍ୟାଚ୍ ଖେଳି ମୋଟ ୪ଟି ୱିକେଟ୍ ନେଇଥିଲେ।
ଏହି ସିରିଜରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ। ହାର୍ଦ୍ଦିକ ୫ଟି ମ୍ୟାଚ୍ ଖେଳି ୧୧୨ ରନ୍ କରିଥିଲେ। ସେ ୮.୮୪ ଇକୋନୋମି ରେଟ୍ ରେ ୫ ୱିକେଟ୍ ନେଇ ବଲ୍ ରେ ପ୍ରଭାବ ପକାଇଥିଲେ। ଏହି ସିରିଜ୍ ରେ ଭାରତୀୟ ଦଳ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ ରେ ପ୍ରାୟ ସମାନ ସ୍ପେଶାଲିଷ୍ଟ ଦ୍ରୁତ ବୋଲରଙ୍କୁ ନେଇ ଫିଲ୍ଡିଂ କରିଥିଲା। ଏଭଳି ସ୍ଥିତିରେ ଶେଷ ଓଭରରେ ବୋଲିଂ ଦାୟିତ୍ୱ ହାର୍ଦ୍ଦିକଙ୍କ ଉପରେ ପଡ଼ିଥିଲା, ଯାହାକୁ ଏହି ଅଲରାଉଣ୍ଡର ଚମତ୍କାର ଭାବେ ସମ୍ଭାଳିଥିଲେ।
ଏହି ସିରିଜରେ ଭାରତୀୟ ଦଳର ୫ ଜଣ ‘ପାଣ୍ଡବ’ଙ୍କ ମଧ୍ୟରୁ ଜଣେ ଥିଲେ ତିଲକ ବର୍ମା। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବାମହାତୀ ବ୍ୟାଟ୍ସମ୍ୟାନ ତିଲକ ଏକ ସ୍ମରଣୀୟ ଇନିଂସ ଖେଳି ଇଂଲଣ୍ଡ ଦଳକୁ ପରାସ୍ତ କରିଥିଲେ। ସେହି ମ୍ୟାଚ୍ ର ଏକ ସମୟରେ ଭାରତୀୟ ଦଳ ମାତ୍ର ୭୮ ରନ୍ ରେ ୫ ୱିକେଟ୍ ହରାଇଥିଲା ଏବଂ ଲାଗୁଥିଲା ଯେ ସେମାନେ ମ୍ୟାଚ୍ ହାରିଯିବେ। ତେବେ ତିଲକ ଅପରାଜିତ ୭୨ ରନ୍ କରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଏହାବ୍ୟତୀତ ତିଲକ ଏହି ସିରିଜରେ ମଧ୍ୟ କିଛି ଉପଯୋଗୀ ଇନିଂସ ଖେଳି ୪୪.୩୩ ହାରାହାରିରେ ୧୩୩ ରନ୍ କରିଥିଲେ।
ଭାରତ-ଇଂଲଣ୍ଡ ଟି-୨୦ ଶୃଙ୍ଖଳାର ଫଳାଫଳ:
ପ୍ରଥମ ଟି-୨୦ – ଜାନୁଆରୀ ୨୨ – କୋଲକାତା, ଭାରତ ୭ ୱିକେଟରେ ବିଜୟୀ
ଦ୍ୱିତୀୟ ଟି-୨୦ – ଜାନୁଆରୀ ୨୫ – ଚେନ୍ନାଇ, ଭାରତ ୨ ୱିକେଟରେ ବିଜୟୀ
ତୃତୀୟ ଟି-୨୦ – ଜାନୁଆରୀ ୨୮- ରାଜକୋଟ, ଇଂଲଣ୍ଡ ୨୬ ରନ୍ ରେ ବିଜୟୀ
ଚତୁର୍ଥ ଟି-୨୦ – ଜାନୁଆରୀ ୩୧ – ପୁଣେ, ଭାରତ ୧୫ ରନ୍ ରେ ବିଜୟୀ
ପଞ୍ଚମ ଟି-୨୦ – ଫେବ୍ରୁଆରି ୨- ମୁମ୍ବାଇ, ଭାରତ ୧୫୦ ରନ୍ ରେ ବିଜୟୀ ହୋଇଥିଲା।
ALSO READ: https://purvapaksa.com/indian-players-to-win-icc-test-cricketer-of-the-year/
ଆଇସିସି ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର: ପାଇ ନାହାନ୍ତି ତେନ୍ଦୁଲକର, ଗାଙ୍ଗୁଲି, ଲକ୍ଷ୍ମଣ