ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ୪ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । କିଙ୍ଗ୍ସମିଡ୍ ଗ୍ରାଉଣ୍ଡ୍ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଭାରତ ପୂର୍ବ ସଫଳତାକୁ ଦୋହରାଇବା ପାଇଁ ପ୍ରସ୍ତୁତ ରହିଥିବାବେଳେ ଘରୋଇ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ।
ଗତ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଏଥର ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳି ନାହାନ୍ତି । କିନ୍ତୁ ଯୁବ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ହରାଇବାର ଯଥେଷ୍ଟ କ୍ଷମତା ରଖିଛି ।
ଦକ୍ଷିଣ ଆଫ୍ରିକାର ସବୁ ବିସ୍ଫୋରକ ବ୍ୟାଟର ଆସନ୍ତା କାଲି ଗ୍ରାଉଣ୍ଡକୁ ଓହ୍ଲାଇବେ । ଡେଭିଡ୍ ମିଲର, ହେନରିକ କ୍ଲାସେନ ଓ ଆଡେନ ମାରକ୍ରମ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ଗତ ବିଶ୍ୱକପ ଫାଇନାଲ୍ ପରାଜୟର ପ୍ରତିଶୋ% ନେବାକୁ ପ୍ରୟାସ କରିବେ । ଆସନ୍ତା କାଲି ଭାରତର ପଲା ଭାରି ରହିବ । ପୂର୍ବ ରେକର୍ଡ ମଧ୍ୟ ଭାରତ ପକ୍ଷରେ ରହିଛି । ଦକ୍ଷିଣ ଆଫ୍ରିକାରେ ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି । ଏଥିରୁ ଭାରତ ୬ଟି ମ୍ୟାଚ୍ ଜିତିଛି ଓ ୩ଟିରେ ପରାଜିତ ହୋଇଛି ।
ସମ୍ପ୍ରତି ଚମତ୍କାର ଫର୍ମ ଓ ବିଧ୍ୱଂସୀ ବ୍ୟାଟିଂକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଦୁଇ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ହେନରିକ କ୍ଲାସେନଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାରଙ୍କ ଷ୍ଟ୍ରାଇକ ରେଟ୍ ୧୬୯.୪୮ ରହିଛି । ସେହିପରି କ୍ଲାସେନ ୧୬୮.୦୯ ଷ୍ଟ୍ରାଇକ ରେଟ୍ରେ ରନ୍ ସଂଗ୍ରହ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗ ସନ୍ତୁଳିତ ରହିଥିଲେ ହେଁ ଭାରତର ବୋଲିଂ ବିଭାଗ ଅଧିକ ଶକ୍ତିଶାଳୀ ମନେ ହେଉଛି । ବାମ ହାତି ପେସ୍ ବୋଲର ଅର୍ଶଦୀପ ସିଂହ ଚଳିତ ବର୍ଷ ୧୪ଟି ଟି-ଟ୍ୱେଣ୍ଟି ଖେଳି ୨୮ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଫିଟ୍ ହୋଇ ଫେରିଥିବା ବାମ ହାତି ବ୍ୟାଟର ତିଳକ ବର୍ମା ଆସନ୍ତା କାଲି ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ । ଠିକ୍ ସେହିପରି ଅଲରାଉଣ୍ଡର ରମଣଦୀପ ସିଂହ ପଦାପର୍ଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଲ୍ରାଉଣ୍ଡର ଆଣ୍ଡିଲ ସିମେଲିନ ଓ ଲେଗ ସ୍ପିନର ନକାବ୍ୟୋମଜି ଌିଟର ପଦାପର୍ଣ କରିବେ । ଅନ୍ୟ ଅଲରାଉଣ୍ଡର ଭାବେ ମାର୍କୋ ଜାନସେନ ଦଳରେ ରହିଛନ୍ତି ।
ବ୍ୟାଟିଂ ପାଇଁ ଅନୁକୂଳ ପିଚ୍
ଡର୍ବାନ ପିଚ୍ ସର୍ବଦା ବ୍ୟାଟରଙ୍କୁ ସହାୟତା କରିଛି । ଆସନ୍ତା କାଲି ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଠାରେ ଖେଳାଯାଇଥିବା ଶେଷ ୭ଟି ମ୍ୟାଚ୍ର ହାରା ହାରି ପ୍ରଥମ ଇନିଂସ ସ୍କୋର ରହିଛି ୧୮୪ । ତେଣୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ବର୍ଷା ମଧ୍ୟ ମ୍ୟାଚରେ ବାଧକ ସାଜିପାରେ ।
ସମ୍ଭାବ୍ୟ ଦଳ
ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡରିକ୍ସ, ର୍ୟାନ ରିକେଲଟନ, ଆଡେନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେନ, ଡେଭିଡ୍ ମିଲର, ମାର୍କୋ ଜାନସେନ/ଗେରାଲ୍ଡ କୋଏଜି, ଆଣ୍ଡିଲ ସିମେଲେନ, ନକାବ୍ୟୋମଜି ଌିଟର, କେଶବ ମହାରାଜ, ଓଟିନେଲ ବାର୍ଟନେଲ ।
ଭାରତ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ରମଣଦୀପ ସିଂହ, ଅକ୍ଷର ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।
Previous Articlehttps://purvapaksa.com/life-history-if-donald-trumph/
1 Comment
Pingback: Page not found – purvapaksa.com