ଭାରତ ପହଲଗାମ ଆକ୍ରମଣର ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ପାକିସ୍ତାନ ଓ ପିଓକେ (PoK) ଭିତରେ ପଶି କାର୍ଯ୍ୟାନୁଷ୍ଠାନ କରିଛି ଏବଂ ଆତଙ୍କବାଦର ୯ଟି କାରଖାନାକୁ ଧ୍ୱଂସ କରିଦେଇଛି। ଯାହାକୁ ନେଇ ପାକିସ୍ତାନ ଉତ୍ତେଜିତ ଅଛି। ଗୁରୁବାର ରାତିରେ ପାକିସ୍ତାନ ପୁଣିଥରେ ଭାରତୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲା, ଯାହାକୁ ଭାରତୀୟ ସେନା ମିସାଇଲ ଡିଫେନ୍ସ ସିଷ୍ଟମ ଏବଂ ଏକୀକୃତ ମାନବରହିତ ପ୍ରଣାଳୀଦ୍ୱାରା ବିଫଳ କରିଦେଇଛି।
ଏହାପରେ ଭାରତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କରି ପାକିସ୍ତାନର ଅନେକ ସହରକୁ ଟାର୍ଗେଟ କରିଥିଲା ଏବଂ ଲାହୋରରେ ଥିବା ତା’ର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଦେଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ ଭାରତ ଉଚ୍ଚ ସତର୍କ ଅବସ୍ଥାରେ ରହିଛି ଏବଂ ପାକିସ୍ତାନର ଯେକୌଣସି ଦୁଃସାହସର ଜବାବ ଦେବାକୁ ପ୍ରସ୍ତୁତ ରହିଛି।
କିନ୍ତୁ ଏହି ସମୟରେ ଭାରତକୁ ତା’ର ଅନ୍ୟ ଏକ ପଡ଼ୋଶୀ ଉପରେ ନଜର ରଖିବାର ଆବଶ୍ୟକତା ରହିଛି, ଯିଏ ଗତ କିଛି ସମୟରେ ପାକିସ୍ତାନର ନିକଟତର ହୋଇଯାଇଛି।
ବାଂଲାଦେଶ ବାୟୁସେନାର ଅଭ୍ୟାସ
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ବାଂଲାଦେଶ ଏପରି ଅନେକ ପଦକ୍ଷେପ ନେଇଛି, ଯାହାକୁ ନେଇ ଭାରତକୁ ସତର୍କ ରହିବା ଆବଶ୍ୟକ। ଏପରି ଏକ ପଦକ୍ଷେପ ହେଉଛି ବାଂଲାଦେଶ ବାୟୁସେନାର ଅଭ୍ୟାସ ‘ଆକାଶ ବିଜୟ ୨୦୨୫’। ଏହି ଅଭ୍ୟାସ ଗତ ଏପ୍ରିଲ ମାସରେ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ବାୟୁସେନାର ଅପରେସନାଲ ତତ୍ପରତା ଏବଂ ରଣନୀତିକ କ୍ଷମତାର ପ୍ରଦର୍ଶନ। ଏହି ଅଭ୍ୟାସରେ ବାୟୁସେନାର ଯୁଦ୍ଧ ବିମାନ, ହେଲିକପ୍ଟର, ଡ୍ରୋନ, ରାଡାର ପ୍ରଣାଳୀ ଏବଂ ବିଭିନ୍ନ ରକ୍ଷା ପ୍ଲାଟଫର୍ମ ଅଂଶଗ୍ରହଣ କରିଥିଲେ।
ୟୁନୁସଙ୍କ ଭାରତ ବିରୋଧୀ ପ୍ରସ୍ତୁତି
‘ଦ ପ୍ରିଣ୍ଟ’ ରିପୋର୍ଟ ଅନୁଯାୟୀ, ଅଭ୍ୟାସ ସମୟରେ ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଉପସ୍ଥିତ ଥିଲେ। ଏହି ସମୟରେ ୟୁନୁସ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ନେଇ ବୟାନ ଦେଇଥିଲେ। ସେ କହିଥିଲେ, “ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ ଯୁଦ୍ଧର ବିପଦ ନିରନ୍ତର ଭାବେ ରହିଛି। ଭାରତ ଓ ପାକିସ୍ତାନ ସଂଘର୍ଷଆଡ଼କୁ ଗତି କରୁଛନ୍ତି– ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ,ବୋଲି କୁହାଯାଉଛି। ଏପରି ସ୍ଥିତିରେ ପ୍ରସ୍ତୁତି ବିନା ରହିବା ଆତ୍ମହତ୍ୟା ସମାନ।”
ଭାରତର ନିକଟସ୍ଥ ଏୟାରବେସରେ ୟୁନୁସଙ୍କ ଜୋର
ଏହି ସମୟରେ ୟୁନୁସ ଲାଲମୁନୀରହାଲ ଏୟାରବେସର ତୁରନ୍ତ ଆଧୁନିକୀକରଣର ଆବଶ୍ୟକତା ବିଷୟରେ ମଧ୍ୟ କହିଥିଲେ। ଏହି ଏୟାରବେସ ଭାରତର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସିଲିଗୁଡ଼ି କରିଡରଠାରୁ ମାତ୍ର ୧୬୦ କିଲୋମିଟର ଦୂରରେ ଅବସ୍ଥିତ। ୨୧ କିଲୋମିଟର ଚଉଡ଼ା ଏବଂ ୬୦ କିଲୋମିଟର ଲମ୍ବା ଏହି କରିଡରର ଅନ୍ୟ ସୀମା ଚୀନ, ଭୂଟ୍ଟାନ ଏବଂ ନେପାଳ ସହିତ ଲାଗିଛି। ଏହି ବେସରୁ ବିମାନ ପରିଚାଳନା ଏହି ସମ୍ବେଦନଶୀଳ ଅଞ୍ଚଳର ନିକଟତର ହେବ। ମହମ୍ମଦ ୟୁନୁସ ଏହା ପୂର୍ବରୁ ମାର୍ଚ୍ଚ ମାସରେ ଚୀନ୍ ଗସ୍ତ ସମୟରେ ସିଲିଗୁଡ଼ି କରିଡର ନେଇ ବୟାନ ଦେଇସାରିଛନ୍ତି।
ବାଂଲାଦେଶରେ ଆଇଏସଆଇର ପ୍ରବେଶ
ଲାଲମୁନୀରହାଟ ଏୟାରବେସ ନେଇ ବାଂଲାଦେଶ ଉପରେ ସନ୍ଦେହର ଅନେକ କାରଣ ରହିଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ବାଂଲାଦେଶରେ ପୁନଃପ୍ରବେଶ। ପହଲଗାମ ଆତଙ୍କବାଦୀ ଆକ୍ରମଣରୁ ବହୁ ପୂର୍ବରୁ ଏହି ବର୍ଷ ଜାନୁଆରୀ ଶେଷରେ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇର ଚାରିଜଣ ବରିଷ୍ଠ ଅଧିକାରୀ ବାଂଲାଦେଶ ଗସ୍ତ କରିଥିଲେ। ଏହାର ନେତୃତ୍ୱ ଆଇଏସଆଇ ମୁଖ୍ୟ ତଥା ନିକଟରେ ପାକିସ୍ତାନର ନୂତନ ଏନଏସଏ ନିଯୁକ୍ତ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକ ନେଇଥିଲେ।
ଭାରତର ଭୀଷଣ ଆକ୍ରମଣରେ ପାକିସ୍ତାନରେ ହାହାକାର
ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ଅଧିକାରୀମାନେ ଢାକା ପହଞ୍ଚିବା ପରେ ଦେଶର ଅନେକ ବାୟୁ ଅଡ଼ା ଏବଂ ସୈନ୍ୟ ସୁବିଧାଗୁଡ଼ିକର ଗସ୍ତ କରିଥିଲେ। ଏହା ସହିତ ବାଂଲାଦେଶର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ମଧ୍ୟ ସେମାନଙ୍କର ବୈଠକ ହୋଇଥିଲା। ଏହା ପୂର୍ବରୁ ବାଂଲାଦେଶର ଶୀର୍ଷ ଜେନେରାଲ ଏସଏମ କମରୁଲ ହସନ ଏକ ସୈନ୍ୟ ପ୍ରତିନିଧିମଣ୍ଡଳୀ ସହିତ ଜାନୁଆରୀ ୧୩ରୁ ୧୭ ମଧ୍ୟରେ ପାକିସ୍ତାନ ଗସ୍ତ କରିଥିଲେ।
ବାଂଲାଦେଶୀ ସୈନ୍ୟ ପ୍ରତିନିଧିମଣ୍ଡଳୀ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ଏବଂ ଅନ୍ୟ ଅଧିକାରୀମାନଙ୍କୁ ଭେଟିଥିଲେ। ଏହା ସହିତ ଏହା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀଙ୍କ ସହିତ ମଧ୍ୟ ବୈଠକ କରିଥିଲା। ଏହି ସମୟରେ କଥିତରୂପେ ବାଂଲାଦେଶ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ଉପକରଣଗୁଡ଼ିକ ପ୍ରତି ଆଗ୍ରହ ପ୍ରକାଶ କରିଥିଲା, ଯେଉଁଥିରେ ଚୀନର ସାହାଯ୍ୟରେ ନିର୍ମିତ ଜେଏଫ-୧୭ ଯୁଦ୍ଧ ବିମାନ ସବୁଠାରୁ ପ୍ରମୁଖ। ଯାହାକୁ ପାକିସ୍ତାନ,ଏବେ ଚାଲିଥିବା ଯୁଦ୍ଧରେ ଭାରତ ବିରୋଧରେ ବ୍ୟବହାର କରିଛି। ବାଂଲାଦେଶରେ ହୋଇଥିବା ନିକଟର ଗତିବିଧିଗୁଡ଼ିକ ସୂଚାଉଛି ଯେ ଭାରତକୁ ତା’ର ପୂର୍ବ ସୀମା ନେଇ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି।
ପାକ୍ର ରାତିରେ କ୍ଷେପଣାସ୍ତ୍ର ମାଡ଼, ଦିନରେ ସୋସିଆଲ ମିଡିଆ ଯୁଦ୍ଧରେ ନକଲି ଭିଡିଓ