୧-୦ରେ ଚୀନ୍କୁ ହରାଇଲା
ଟ୍ରଫି ଓ ୧୦,୦୦୦ ଡଲାର ପୁରସ୍କାର
ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ଅନୁଷ୍ଠିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଭାରତୀୟ ଦଳ ଫାଇନାଲରେ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ କ୍ରମାଗତ ଦ୍ୱିତୀୟ ଓ ମୋଟ ତୃତୀୟ ଟାଇଟଲ ଜିତିଥିଲା।
ଫାଇନାଲ ମ୍ୟାଚଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ହେଁ ଗୋଲ ସମ୍ଭବ ହୋଇନଥିଲା । ଭ୍ରମଣକାରୀ ଚୀନ ଘରୋଇ ଦଳକୁ କଡ଼ା ଟକ୍କର ଦେଇଥିଲା । ତୃତୀୟ କ୍ୱାର୍ଟରରେ ପରିବର୍ତ୍ତିତ ରଣନୀତି ଭାରତକୁ ଅଗ୍ରଣୀ କରାଇବାରେ ସହାୟକ ହୋଇଥିଲା। ଭାରତ ଜୋରଦାର ଆକ୍ରମଣ କରି ଚୀନର ସର୍କଲରେ ପ୍ରବେଶ କରି ହାତେଇଇଥିଲା ପେନାଲ୍ଟି କର୍ଣ୍ଣର । ଦୀପିକା ଏହି ଗୋଲଟି ସ୍କୋର କରି ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ।
ପରବର୍ତ୍ତୀ ସମୟରେ ବହୁ ପ୍ରୟାସ ସତ୍ତ୍ୱେ ଚୀନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଫଳ ହୋଇଥିଲା । ଶେଷରେ ଭାରତ ମ୍ୟାଚ୍ ଜିତି ତୃତୀୟଥର ଟାଇଟଲ ଅର୍ଜନ କରିଥିଲା ।
ସେହିପରି ବ୍ରୋଞ୍ଜ ପଦକ ମ୍ୟାଚରେ ଜାପାନ ୪-୧ ଗୋଲରେ ମାଲେସିଆକୁ ପରାଜିତ କରିଥିଲା । ପୂର୍ବରୁ ଭାରତ ୨୦୧୬ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା । ସେହିପରି ୨୦୧୩ ଓ ୨୦୧୮ରେ ଦଳକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଦକ୍ଷିଣ କୋରିଆ ମଧ୍ୟ ୩ ଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିଅନ ହୋଇଛି । ୨୦୧୩ ଓ ୨୦୨୧ରେ ଜାପାନ ଟାଇଟଲ ଜିତିଥିଲା।
୨୦୨୩ ସଂସ୍କରଣ ରାଞ୍ଚି ଏବଂ ଚଳିତ ବର୍ଷ ବିହାରର ରାଜଗିରରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଚାମ୍ପିଅନ ଦଳକୁ ୧୦,୦୦୦ ଡଲାର, ରନର୍ସ ଅପ ଦଳକୁ ୭,୦୦୦ ଡଲାର ଏବଂ ବ୍ରୋଞ୍ଜ ବିଜେତା ଜାପାନକୁ ୫୦୦୦ ଡଲାର ଆାର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସର୍ବାଧିକ ଗୋଲ ସ୍କାର କରିଥିବା ଦୀପିକା ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । ଚାମ୍ପିଅନ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଏବଂ କୋଚିଂ ସଦସ୍ୟଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
previous article: https://purvapaksa.com/future-stars-of-team-india/
