ଭୁବନେଶ୍ବର, ଗତ ଡିସେମ୍ବର ୯ ତାରିଖ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଯାହା ବିଧାୟକଙ୍କ ମାସିକ ଦରମାକୁ ୧ ଲକ୍ଷ ୧୧ ହଜାରରୁ ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଞ୍ଚାଇବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମାକୁ ୩ ଲକ୍ଷ ୭୪ ହଜାର ଟଙ୍କାରେ, ତତସହିତ ପୂର୍ବତନ ବିଧାୟକଙ୍କ ପେନସନକୁ ୩୦ ହଜାର ଟଙ୍କାରୁ ୮୦ ହଜାର ଟଙ୍କାରେ ପହଞ୍ଚାଇବ, ଏବଂ ଯାହାକି ଏମାନଙ୍କ ପାଇଁ ପିଛିଲା ୫ ଜୁନ ୨୦୨୪ରୁ ଲାଗୁ କରାଯିବ, ଏହାରି ବିରୋଧରେ ନବନିର୍ମାଣ କୃଷକ ସଂଗଠନର ରାଜ୍ଯ ସଂଯୋଜକ ଶେଷଦେବ ନନ୍ଦ ଏବଂ ଯୁବଛାତ୍ର ରାଜ୍ଯ ସଂଯୋଜକ ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ନବନିର୍ମାଣର କର୍ମକର୍ତ୍ତାମାନେ ଭୁବନେଶ୍ବର ଲୋୟର ପିଏମଜିରେ ଯୋଗଦେଇ ବିକ୍ଷୋଭ କରିବା ସହିତ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ଦେଇଛନ୍ତି।
ଯେତେବେଳେ ଗତ ନିର୍ବାଚନରେ ୩,୦୦୦ ଟଙ୍କା ବାର୍ଦ୍ଧକ୍ଯ ଭତ୍ତା ପାଇଁ ପ୍ରତିଶୃତି ଦେଇଥିବା ସରକାର ୬୦ ବର୍ଷରୁ ହଜାର ଟଙ୍କା ଦେଲେ। ନବନିର୍ମାଣ ଦୀର୍ଘ ୧୬ ବର୍ଷର କ୍ରମାଗତ ଆନ୍ଦୋଳନ କରି ଚାଷୀ ସୁରକ୍ଷା ଭତ୍ତାକୁ ୨୦ବର୍ଷରୁ ୫,୦୦୦ ଟଙ୍କା ଦେବା ପାଇଁ ଦାବୀ କରିଆସୁଥିବା ବେଳେ ସରକାର ଏ ବିଷୟରେ ଚିନ୍ତା କଲେନାହିଁ କି ପ୍ରଶ୍ନ ବି ଉଠାଇଲେ ନାହିଁ , ସେତେବେଳେ ଜନପ୍ରତିନିଧି ବୋଲାଉଥିବା ବିଧାୟକମାନେ ନିଜ ହାତରେ ୩ ଗୁଣ ନେଇଯିବା କେବଳ ଅନୈତିକତାର ପରିଚୟ ନୁହେଁ, ବରଂ ରାଷ୍ଟ୍ରଦ୍ରୋହଭଳି ବଡ଼ ଅପରାଧ ଭିତରେ ଗଣାଯିବା ଉଚିତ୍ ।

ଯେତେବେଳେ ଓଡିଶାରେ ୫୦ ଲକ୍ଷ ଯୁବକ ବାହାରକୁ ଦାଦନ ଖଟିବାକୁ ଯାଇ ସୁରତ୍, ବମ୍ବେ, ଦିଲ୍ଲୀ, ଅହମଦାବାଦ, କଲିକତା, ପୁନେ, ଚେନ୍ନାଇ ଓ ଚଣ୍ଡିଗଡ଼ରେ ଦାଦନ ଖଟିବା ପାଇଁ ବାହାରେ ମୁଣ୍ଡ ବିକୁଛନ୍ତି, ହାରାହାରି ୧୨ ଲକ୍ଷ ଶିକ୍ଷିତ ଯୁବକ (୨ ଲକ୍ଷ ବୈଷୟିକ ଶିକ୍ଷା ପ୍ରାପ୍ତ କରିବାଥିବା ଯୁବକ), ଚାକିରି ନପାଇ ବାରଦୁଆର ସୁଣ୍ଡିପିଣ୍ଡା ହେଉଛନ୍ତି। ଯେତେବେଳେ ସାଧାରଣ ଚାଷୀଟି ବାତ୍ଯା, ବର୍ଷା, ବନ୍ଯାରେ ଧାନ ଟିକେ କଳା ପଡିଗଲେ କ୍ବିଣ୍ଟାଲ ପିଛା ୧୦ କେଜି କାଟି ଦିଆଯାଏ ଏବଂ ତା ପାଇଁ କୌଣସି କ୍ଷତିପୂରଣ ଦିଆଯାଏନାହିଁ। ସେତେବେଳେ ବିଧାୟକମାନେ ତାଙ୍କ ହାତରେ ୩ ଗୁଣ ଟଙ୍କା ଲେଖିଦେଇ ନେଇଯିବା ରାଷ୍ଟ୍ରର ସମ୍ପତ୍ତିକୁ ଆଇନଗତ ଭାବେ ଆତ୍ମସାତ୍ କରିଦେବା କେତେଦୂର ବିବେକ ସମ୍ମତ ? ଥରେ ମଧୁବାବୁ ଓଡିଶା ବିହାର ବିଧାନ ପରିଷଦର ସଦସ୍ଯ ଥିବାବେଳେ ସେ ଦରମା ନେଇ ଲୋକ ପ୍ରତିନିଧି ହେବାର ବ୍ଯବସ୍ଥାକୁ ଖଣ୍ଡନ କରିଥିଲେ । କିନ୍ତୁ ଆଜି ଯେତେବେଳେ ପୂରା ଦେଶ ଉପରେ 181 ଲକ୍ଷ କୋଟି ଏବଂ ଓଡିଶା ଉପରେ 1ଲକ୍ଷ ୨୬ ହଜାର ୭୯୯ କୋଟି ଋଣ, ଯେତେବେଳେ ମା‘ ଗର୍ଭରୁ ଜନ୍ମ ହେଉଥିବା ନବଜାତ ଶିଶୁ ପ୍ରତି ମୁଣ୍ଡ ପିଛା ୨୬,୯୭୮ ଟଙ୍କା ଋଣ ଥିବା ବେଳେ ଲୋକପ୍ରତିନିଧିମାନେ ଦିନକୁ ସାଢେ ୧୧ ହଜାର ଟଙ୍କା ନେଇଯିବା ଆଇନଗତ ଭାବେ ରାଷ୍ଟ୍ରଦ୍ରୋହ ଅନ୍ତର୍ଭୁକ୍ତ ହେବନାହିଁକି ?
ଯେତେବେଳେ ଓଡିଶାରେ ଆଜି ବି ଜଣେ ସାଧାରଣ ମଣିଷ ଟି ଦିନକୁ ୫୦୬ ଟଙ୍କା ରୋଜଗାର କରୁଥିବା ବେଳେ ଜନପ୍ରତିନିଧି ଜଣଙ୍କ ରାଜ୍ଯ ତହବିଲରୁ ଦିନକୁ ସାଢେ ୧୧ ହଜାର ଟଙ୍କା ନେଇଯିବା ଆଇନଗତ ଭାବରେ ଦେଶଦ୍ରୋହୀର ତାଲିକାର ଅନ୍ତର୍ଭୁକ୍ତ ନୁହେଁ କି ? ଏଭଳି ପରିସ୍ଥିତିରେ ଜନପ୍ରତିନିଧିମାନେ ଏହି ବିଲକୁ ସମର୍ଥନ କରି ବିବୃତ୍ତି ଦେବା କୁରୁ ସଭା ସ୍ଥଳରେ ଦ୍ରୌପଦୀର ଚିର ହରଣ ବେଳେ ଦୁର୍ଯ୍ଯୋଧନର କୁତର୍କ ସହିତ ସମାନ ବୋଲି ଅନୁଭବ ହେଉଛି। ଯେଉଁ ରାଜ୍ଯରେ ବୁଢାବୁଢ଼ିମାନେ ଦିନକୁ ୩୩ ଟଙ୍କା ପାଉଛନ୍ତି, ଚାଷୀଟି ସୁରକ୍ଷା ଭତ୍ତା ନପାଇ ଶସ୍ଯହାନୀ ହେଲେ ଆତ୍ମହତ୍ଯା ରାସ୍ତା ବାଛି ନେଉଛି, ସେଠାରେ ସରକାରର ଏହି ବିଧାୟକଙ୍କ ଦରମା ଓ ଭତ୍ତା ବିଲକୁ ବଢାଇବାକୁ ନବନିର୍ମାଣ ବିରୋଧ କରି ଏହାକୁ ରଦ୍ଦ କରିବା ପାଇଁ ବିକ୍ଷୋଭ କରିବା ସହ ରାଜ୍ଯପାଳକୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ସର୍ବଶ୍ରୀ ଅମିତ୍ ଜେନା, ବିଶ୍ବ ଭୂଷଣ ମହାନ୍ତି, ଏମ.ଡ଼ି ମୁନାଓ୍ବର, ଜୟନ୍ତ ଗୋସ୍ବାମୀ, ଏସ.କେ. ହେଦାଇ, ଏମ.ଡ଼ି ଇମତିଆଜ, ରୁଦ୍ର ଦାଶ, ଦିବ୍ଯ ରଂଜନ ସାହୁ, ସତ୍ଯଜିତ୍ ରାଉତ, ଯଶ୍ବବନ୍ତ ଦାସ, ଆୟୁଶ କୁମାର ଦାସ, ସୃତି ରଂଜନ ସାମଲ, ସାଇ କିରଣ ବିଶ୍ବାଳ, ବିବେକ ପାଇଟାଲ, ସମ୍ବିତ ସାହୁ, ମହମ୍ମଦ ଫୈୟାଜ ଖାନ, ରାହୁଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
AlsoRead;https://purvapaksa.com/why-does-india-need-more-minerals-to-power-its-future-production/


