- ପ୍ରଥମ ଖୋ ଖୋ ବିଶ୍ୱକପ୍ ପାଇଁ କାଉଂଟଡାଉନ୍ ଆରମ୍ଭ
- ଖେଳାଳିଙ୍କ ଫିଟନେସ ଉପରେ ଦିଆଯାଉଛି ଗୁରୁତ୍ୱ
ଭାରତୀୟ ଖୋ ଖୋ ସଙ୍ଘ ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୧୩ରୁ ୧୯ ତାରିଖ ମଧ୍ୟରେ ଆୟାଜିତ ହେବ ପ୍ରଥମ ଖୋ ଖୋ ବିଶ୍ୱକପ୍। ଭାରତ ପ୍ରଥମ ସଂସ୍କରଣର ଆୟୋଜନ ଅଧିକାର ହାସଲ କରିଛି। ଏହି ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବା ଲାଗି ଖୋ ଖୋ ସଙ୍ଘ (କେକେଏଫ୍ଆଇ), ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (ଏସ୍ଏଆଇ) ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହଭାଗିତାରେ ଦିଲ୍ଲୀର ଜବାହାର ଲାଲ ନେହରୁ ଷ୍ଟାଡିୟମଠାରେ ଆସନ୍ତା ଡିସେମ୍ବର ୧୦, ୨୦୨୪ରୁ ଜାନୁଆରୀ ୧୧,୨୦୨୫ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିରର ଆରମ୍ଭ ହେବାକୁ ଯାଉଛି। ଏହି ଶିବିରରେ ୬୦ ଜଣ ପୁରୁଷ ଓ ୬୦ ଜଣ ମହିଳା ଖେଳାଳି ପ୍ରଶିକ୍ଷଣ ନେବେ। ଯାହାଙ୍କୁ ୬ ଜଣ କୋଚ୍ ଏବଂ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍ ଓ ଫିଜିଓଥେରାପିଷ୍ଟ ସହଯୋଗ କରିବେ। ଭାରତବ୍ୟାପୀ ଖେଳାଳିମାନେ ଡିସେମ୍ବର ୯ ତାରିଖରୁ ଜାତୀୟ ରାଜଧାନୀରେ ଏକତ୍ରିତ ହେବେ ଏବଂ ବିଶ୍ୱକପ ପାଇଁ ଚୂଡ଼ାନ୍ତ ଦଳକୁ ଜଟିଳ ପ୍ରଶିକ୍ଷଣ ପର୍ଯ୍ୟାୟ ସମୟରେ ସେମାନଙ୍କର ପ୍ରଦର୍ଶନ ଆଧାରରେ ଚୟନ କରାଯିବ ।
କେକେଏଫ୍ଆଇ ବିଶ୍ୱାସ କରୁଛି ଯେ, “ଉତ୍କର୍ଷତାଠାରୁ ଆରମ୍ଭ କରି ପୋଡ଼ିୟମ ପର୍ଯ୍ୟନ୍ତ, ଖେଳାଳିଙ୍କ ବିକାଶର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦେବାରେ ହିଁ ପରିବର୍ତ୍ତନର ପ୍ରକୃତ ଚାବିକାଠି ଅନ୍ତର୍ନିହିତ ରହିଛି । ତେଣୁ ବିଶ୍ୱକପ୍ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ସଂଘ ପକ୍ଷରୁ ସବୁ ପ୍ରକାରର ପ୍ରୟାସ କରାଯାଉଛି, ଶୀର୍ଷସ୍ତରୀୟ ସୁବିଧା, ହାଇ-ଇଂଟେନସିଟି ଟ୍ରେନିଙ୍ଗ ସେଶନ ଓ ରିକଭରି ପ୍ରୋଗ୍ରାମ ପ୍ରଦାନ କରାଯାଉଛି, ପ୍ରତ୍ୟେକ ଖେଳାଳିଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବା ଲାଗି ଯତ୍ନର ସହିତ ସ୍ୱତନ୍ତ୍ର ଡାଏଟ ପ୍ରସ୍ତୁତ କରାଯାଉଛି, ଦେଶର ସର୍ବୋତ୍ତମ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ଅଧିନରେ ମାନସିକ ମୂଲ୍ୟାୟନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖେଳାଳିମାନଙ୍କ ପ୍ରଦର୍ଶନ ଓ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ କ୍ରୀଡା ବିଜ୍ଞାନ ପ୍ରଯୁକ୍ତିବିଦ୍ୟାକୁ ଏକତ୍ରିତ କରିଛି ।
- ଇନ୍ବଡ଼ି ୭୭୦ ବଡ଼ି କମ୍ପୋଜିଶନ ଆନାଲାଇଜର
ଏହା ଖେଳାଳିମାନଙ୍କୁ ବଡି କମ୍ପୋଜିଶନ, ସେଗମେଣ୍ଟାଲ ମସଲ ମାସ୍, ଭିସେରାଲ ଫ୍ୟାଟ୍ ଓ ହାଇଡ୍ରେଶନ ଲେଭେଲ ଉପରେ ସଠିକ ତଥ୍ୟ ଦେଇଥାଏ । ଏହି ସୂଚନା କୋଚଙ୍କୁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଡାଏଟାରୀ ପ୍ଲାନ ପ୍ରସ୍ତୁତ କରିବାକୁ ଅନୁମତି ଦେଇଥାଏ । ଏହାବ୍ୟତୀତ ହୋଲ୍ ବଡି ଫେଜ୍ ଆଙ୍ଗେଲ ଆନାଲିସିସ୍କୁ ସେଲ୍ୟୁଲାର ହେଲ୍ଥ ଓ ରିକଭରୀ ତଦାରଖ ପାଇଁ ବ୍ୟବହାର କରାଯିବ, ଯାହା ଖେଳାଳିମାନେ ଯେପରି ଉନ୍ନତ ସ୍ତରର ଫିଟ୍ନେସ୍ରେ ରହିବେ ତାହା ସୁନିଶ୍ଚିତ କରିବ ।
- ବାୟୋ ଇଲେକ୍ଟ୍ରିକାଲ ଇମ୍ପେଡାନ୍ସ ଆନାଲିସିସ୍ (ବିଆଇଏ)
ଏହି ଶିବିର ସବିଶେଷ ମସଲ ବାଲାନ୍ସ ମୂଲ୍ୟାୟନ ସହିତ ଆଘାତ ବିପଦକୁ ହ୍ରାସ କରିବା ଲାଗି ପୋସ୍ଚର ଓ ଫ୍ଲେକ୍ସିବିଲିଟି ଆନାଲିସିସ୍ ପାଇଁ ବିଆଇଏକୁ ନିୟୋଜିତ କରିବ । ଏହି ବୈଜ୍ଞାନିକ ଉପକରଣଗୁଡିକୁ ସେଗ୍ମେଂଟାଲ ପରିଧି ମାପିବା ପାଇଁ ରିଅଲ-ଟାଇମ୍ ୩ଡି ବଡି ସ୍କାନିଙ୍ଗ୍ ଟେକ୍ନୋଲୋଜି ଦ୍ୱାରା କାର୍ଯ୍ୟକାରୀ କରାଯିବ, ଯାହା ସାମଗ୍ରିକ ମାଂସପେଶୀ ବିକାଶ ଓ ପୋସ୍ଚର କରେକ୍ସନକୁ ସୁନିଶ୍ଚିତ କରିବ ।
- ହୋଲ୍ ବଡି ଇଏମ୍ଏସ୍ (ଇଲେକ୍ଟ୍ରିକାଲ ମସଲ ଷ୍ଟିମୁଲେଶନ) ଟ୍ରେନିଙ୍ଗ୍
ଏହି କ୍ୟାମ୍ପର ଅନ୍ୟତମ ହାଇଲାଇଟ୍ ହେଉଛି ହୋଲ୍ ବଡି ଇଏମ୍ଏସ୍ (ଇଲେକ୍ଟ୍ରିକାଲ ମସଲ ଷ୍ଟିମୁଲେଶନ) ଟ୍ରେନିଂକୁ ଅନ୍ତର୍ଭୁକ୍ତ କରିବା, ଏହା ହେଉଛି ଏକ ବୈପ୍ଳବିକ ପଦ୍ଧତି ଯାହା ପାରମ୍ପରିକ ତାଲିମ ତୁଳନାରେ ଅଧିକ ମାଂସପେଶୀ ତନ୍ତୁକୁ ସକ୍ରିୟ କରିଥାଏ । ଏହି ଟେକ୍ନୋଲୋଜି ଦକ୍ଷ ମସଲ ଟୋନିଂ, ଫ୍ୟାଟ୍ ଲସ୍ ଓ ରିହାବିଲିଟେଶନ ପ୍ରଦାନ କରିଥାଏ, ଯାହା ଖେଳାଳିମାନଙ୍କୁ ଗଣ୍ଠି ଉପରେ ଚାପ ବିନା ଶୀଘ୍ର ସୁଧାର ହାସଲ କରିବାକୁ ଅନୁମତି ଦେଇଥାଏ । ଇଏମ୍ଏସ୍ ସେଶନଗୁଡିକ ମାଂସପେଶୀ ଯନ୍ତ୍ରଣା ଓ ଷ୍ଟିଫ୍ନେସ୍ ଦୂର କରି ରିକଭରିରେ ସାହାଯ୍ୟ କରିଥାଏ ।
କେକେଏଫ୍ଆଇ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ମିତଲ ଖୋଖୋ ବିଶ୍ୱକପକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ଆମେ ଭାରତୀୟ ମାଟିକୁ ଖୋ ଖୋ ବିଶ୍ୱ କପ୍ ଆଣି ଉତ୍ସାହିତ ଅନୁଭବ କରୁଛୁ । ଏହି ପ୍ରଶିକ୍ଷଣ ଶିବିର ଖେଳାଳିମାନଙ୍କ ପାଇଁ ନିଜର ପ୍ରତିଭାକୁ ପ୍ରମାଣିତ କରିବା ଏବଂ ଏହି ଐତିହାସିକ ମୁହୂର୍ତର ଅଂଶ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । ପ୍ରତିଭାମାନଙ୍କ ଉପରେ ଏକ ସ୍ପଷ୍ଟ ନଜର ସହିତ ଆମର ଉତ୍ସର୍ଗୀକୃତ ପ୍ରଶିକ୍ଷକମାନେ ଏହି ଆନ୍ତର୍ଜାତୀୟ ଇଭେଂଟ ପାଇଁ ଟିମ୍ ଗଠନ କରିବାରେ ସାହାଯ୍ୟ କରିବେ ।”
ସେହିପରି କେକେଏଫ୍ଆଇର ସାଧାରଣ ସମ୍ପାଦକ ଶ୍ରୀ ଏମ୍.ଏସ୍ ତ୍ୟାଗୀ କହିଛନ୍ତି, “ଏସ୍ଏଆଇ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଏହି ତାଲିମ ଶିବିର ଆମର ବିଶ୍ୱକପ୍ ପ୍ରସ୍ତୁତିର ଏକ ମୂଳଦୁଆ ଅଟେ । ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଓ ଅତ୍ୟାଧୁନିକ ବ୍ୟବସ୍ଥା ଅଧିନରେ ୧୨୦ ଜଣ ଖେଳାଳି ପ୍ରଶିକ୍ଷିତ ହେବା ସହିତ ଆମେ ଏକ ଉନ୍ନତ ଟିମ ଗଠନ କରିବୁ ବୋଲି ନିଶ୍ଚିତ ଅଛୁ । ଆମେ ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବା କ୍ଷେତ୍ରରେ ତାଙ୍କର ଦୃଢ ସହଯୋଗ ପାଇଁ ଶ୍ରୀ ସୁଧାଂଶୁ ମିତଲଙ୍କ ପ୍ରତି ଅଶେଷ କୃତଜ୍ଞତା ଜଣାଉଛୁ ।”
କାଉଂଟଡାଉନ ଆରମ୍ଭ ହୋଇଥିବାରୁ ଭାରତର ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ ଏକ କ୍ରୀଡ଼ାର ଏହି ବିଶାଳ ଉତ୍ସବ ପାଇଁ ଉତ୍ସାହ ବୃଦ୍ଧି ପାଇଛି । ସମଗ୍ର ଦେଶ ବର୍ତ୍ତମାନ ବିଶ୍ୱର ସର୍ବୋତ୍ତମ ଖୋଖୋ ଖେଳାଳିଙ୍କୁ ସ୍ୱାଗତ କରିବା ଏବଂ ଏକ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଶଂସିତ ହେବା ପାଇଁ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବ।
previous article: https://purvapaksa.com/team-india-fail-again-india-team-allout-for180-in-first-innings/