ରାଜ୍ୟରେ ଆହୁରି ଦୁଇଦିନ ପ୍ରବଳ ବର୍ଷା। ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଆଭ୍ୟନ୍ତରଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୫ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସୁବ ଜିଲ୍ଲାରେ ବର୍ଷା ସହ ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ସେହିପରି ବୁଧବାର ପାଇଁ ବର୍ଷା ସହ ପ୍ରବଳ ବଜ୍ରପାତ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି।
ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୯୬.୯ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷାଠାରୁ ୧୩ % ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଥୁଆମୂଳ ରାମପୁରରେ ସର୍ବାଧିକ ୫୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୫.୦ ଡିଗ୍ରୀ ଓ ସର୍ବନିମ୍ନ ଫୁଲବାଣୀରେ ୨୦.୦ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ରଜ୍ୟର ବିଭିନ୍ନ ନଦୀର ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
