ଶୀର୍ଷକ ଦେଖି ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ। ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଆସୁଥାଇପାରେ। ଭାବୁଥିବେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଇଁ ପୁଣି ପରିଚୟପତ୍ରର କି ଆବଶ୍ୟକତା? କାଳ କାଳରୁ ସେ ଆମ ମହାଦେବତା; ତାଙ୍କରି ନାଁରେ ଆମର ଜନ୍ମ ନିର୍ଦ୍ଧାରଣ, ତାଙ୍କରି ନୀତିରେ ଆମର ଜାତକ ପ୍ରସ୍ତୁତି, ତାଙ୍କୁ ଉତ୍ସର୍ଗ କରି ତ ଏ ଜୀବନ। ପୁଣି ତାଙ୍କୁ ପରିଚୟ ମାଗିବା ଧ୍ରୁଷ୍ଟତା, ଅହଙ୍କାରର ପରିଚୟ ନୁହେଁ କି? କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବେ ଏହି ସର୍ବପୂରାତନ ମାନବୀୟ ଶୃଙ୍ଖଳା ରଥଯାତ୍ରାକୁ ଧ୍ୱସ୍ତ କରିବାକୁ ଚେଷ୍ଟା କରାଯାଉଛି ସେଠାରେ ଶ୍ରୀଜଗନ୍ନାଥଙ୍କ ପାଇଁ ବି ଆଇନଗତ ପରିଚୟ ଆବଶ୍ୟକତା ପଡ଼ିଲାଣି। ଖାଲି ସେତିକି ନୁହେଁ, ନିଜ ଧର୍ମକୁ ନଷ୍ଟ କରିବା, ନିଜ ପରମ୍ପରାକୁ ତଳିତଳାନ୍ତ କରିବା ଏବଂ ଏହି ପରମ୍ପରାରୁ ବ୍ୟାବସାୟିକ ଫାଇଦା ନେବା ପାଇଁ ଯେଉଁ ରାଜନୀତିକ ଉଦ୍ୟମ ହେଉଛି ସେଥିରେ ପରିଚୟ ଖୋଜୁଛନ୍ତି ଶ୍ରୀ ଜଗନ୍ନାଥ।
ସାରାରାଜ୍ୟରେ ଏବେ ରଥଯାତ୍ରା ଋତୁ। ସନାତନ ଆସ୍ଥାର ଉଦାରୀକରଣ ତଥା ଜଗତୀକରଣ ଭାବକୁ ବୟାନ କରୁଥିବା ଏକ ପର୍ବ ଯଦିଓ ପୁରୁଷୋତ୍ତମ ପୁରୀରେ ଅନୁଷ୍ଠିତ ହେଉଛି; କିନ୍ତୁ ସମଗ୍ର ବିଶ୍ୱ ଏହାର ଭାବାବେଗରେ ତଲ୍ଲୀନ ପ୍ରାୟ। ଅନେକ ଧର୍ମ, ଆସ୍ଥା, ବିଶ୍ୱାସ ଏଠାରେ ନତମସ୍ତକ ହୋଇଛି। ଜଗନ୍ନାଥ ପରମ୍ପରା ବି କାହାକୁ ଜାତି, ଧର୍ମ ପଚାରି ବାଛବିଚାର କରିନାହିଁ। ସମସ୍ତଙ୍କୁ ଆଲିଙ୍ଗନ କରିଛି, ଶ୍ରୀ ଜଗନ୍ନାଥଙ୍କ ଭାବରେ ଉନ୍ମାଦିତ ହେବାକୁ ପ୍ରେରିତ କରିଛି। ବର୍ଷ ବର୍ଷ ଧରି ଗଙ୍ଗା ନଦୀ ଭଳି ପବିତ୍ରତାର ସହ ଏହି ପରମ୍ପରା ପ୍ରବାହିତ ହୋଇଛି। ସେହି ପରମ୍ପରାର ପ୍ରତୀକଭାବେ ଜଗନ୍ନାଥ ପ୍ରେମୀ ବିଶ୍ୱର ଭିନ୍ନ ଭିନ୍ନ କୋଣରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି, ତାଙ୍କ ରଥଯାତ୍ରାକୁ ପାଳିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ କେହି କେବେ ଭାବି ନାହାନ୍ତି ଯେ, ସେ ଯେଉଁ ଠାକୁରଙ୍କୁ ସ୍ଥାପନ କରିଛନ୍ତି ତାହା ମୂଳପୀଣ୍ଡଠାରୁ ବଡ଼, ସମାନ ବା ଆନୁପାତିକ। ଏପରିକି କେହି କେବେ କହିନାହାନ୍ତି ଯେ, ଲଣ୍ଡନରେ ସ୍ଥାପନ କରାଯାଇଥିବା ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପୁରୀ ଶ୍ରୀଜୀଉଙ୍କ ନକଲ ବା ପ୍ରତିବିମ୍ବ। ବରଂ ସୀମିତ ରହିଛନ୍ତି ନିଜର ଭକ୍ତି ଓ ଭାବରେ। ସେହି ପ୍ରତିମୂର୍ତ୍ତିରେ ସେମାନେ ମୂଳପୀଣ୍ଡକୁ ଖୋଜିଛନ୍ତି ଆଉ ମନ ନ ମାନିଲେ ଥରେ ପୁରୀ ଆସି ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାକୁ ସୌଭାଗ୍ୟ ବୋଲି ଗ୍ରହଣ କରିଛନ୍ତି।
ହେଲେ ଆଜି କିନ୍ତୁ ସମୟ ବଦଳିଛି। ସଙ୍କୁଚିତ ବିଶ୍ୱରେ କିଛି ପାର୍ଥିବ ମଣିଷ ଶ୍ରୀ ଜଗନ୍ନାଥଙ୍କୁ ବି ପରିଚୟ ମାଗିଛନ୍ତି। ଦେଶର ଆଇନ ଅନୁସାରେ ତାଙ୍କୁ ଜଣେ ନାଗରିକ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ସମ୍ପତ୍ତି, ନାମ, ପରମ୍ପରା, ପ୍ରତୀକକୁ ପ୍ୟାଟେଣ୍ଟ କରିବାକୁ ବାଧ୍ୟ କରାଇଛନ୍ତି। ନିକଟରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ବି ଏଥିରେ ସହମତି ହୋଇ ତାଙ୍କ ନାଁକୁ ପ୍ୟାଟେଣ୍ଟ କରିବା, ତାଙ୍କୁ ଧାମକୁ ବ୍ୟାବସାୟିକ ସ୍ୱତନ୍ତ୍ରତା ଦେବା ଲାଗି ଟ୍ରେଡମାର୍କ ଦେବାକୁ ରାଜି ହୋଇଛନ୍ତି।
ମୁଁ ଏଠି ‘ବ୍ୟାବସାୟିକ ସ୍ୱୀକୃତି’ ଶବ୍ଦକୁ କାହିଁକି ବ୍ୟବହାର କରୁଛି ତାହାକୁ ନେଇ ଆପଣ ଆପତ୍ତି ଉଠାଇ ପାରନ୍ତି। କାରଣ ଭକ୍ତି ଓ ଭାବର ଠାକୁର ଶ୍ରୀଜଗନ୍ନାଥଙ୍କ ପାଖରେ ବେପାର, ବଣିଜ, ବ୍ୟାବସାୟ ଶୋଭା ପାଏ ନାହିଁ। ସେ ତ ଉତ୍ସର୍ଗ, ସମର୍ପଣର ଠାକୁର। କିନ୍ତୁ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ କିଛି ସ୍ୱଧର୍ମୀ ବିଧର୍ମୀଙ୍କ ଭଳି ତାଙ୍କ ନାଁକୁ ବ୍ୟାବସାୟିକ କରିବାକୁ ଚାହିଁଛନ୍ତି। ତାଙ୍କ ନାଁରେ ନିଜ ପରିବାର ବଢ଼ାଇବାକୁ ଚାହିଁଛନ୍ତି। ରୋଜଗାର କରିବାକୁ ଚାହିଁଛନ୍ତି। ଏଥିରେ ରାଜନୀତି ଜଡ଼ିତ ରହିଛି, ସନ୍ଦେହ ନାହିଁ। କିନ୍ତୁ ବର୍ତ୍ତମାନ ଯାହା ଚାଲିଛି ଏହା ବାସ୍ତବରେ ସନାତନ ଧର୍ମର ସର୍ବୋଚ୍ଚ ପୀଠ ଓ ଏହାର ପରମ୍ପରାକୁ ଧ୍ୱଂସ କରିବାକୁ ଏକ ପ୍ରୟାସ ନୁହେଁ କି?
ଆପଣଙ୍କୁ ଏ ସନ୍ଦର୍ଭରେ ନିକଟରେ ସୃଷ୍ଟି ହୋଇଥିବା ବିବାଦ ବିଷୟରେ ସାମ୍ୟକ ମନେପକାଇ ଦେବାକୁ ଚାହେଁ। କିଛିଦିନ ତଳେ ଦୀଘାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଗଲା। ଏହା କୌଣସି ନୂଆ କଥା ନୁହେଁ। କିନ୍ତୁ ସେଠାରେ ଜଣେ ଦଇତା ସେବକ ଉପସ୍ଥିତ ରହି ସେଠାରେ ଶ୍ରୀଜଗନ୍ନାଥଙ୍କ ଦାରୁମୂର୍ତ୍ତିକୁ ପ୍ରତିଷ୍ଠା କଲେ। ଯେଉଁ ଦାରୁମୂର୍ତ୍ତି ପ୍ରତିଷ୍ଠା କରାଗଲା ତାହାକୁ ସେ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଦାରୁର ଅଂଶ ବିଶେଷ ବୋଲି କହିଲେ। ଶ୍ରୀନ୍ଦିର ପ୍ରଶାସନ ଏହାକୁ ଖଣ୍ଡନ କଲା। କିନ୍ତୁ ସମ୍ପୃକ୍ତ ଦଇତାସେବକ ଏ ଯାଏ ନିଜେ କହିଥିବା କଥା ଯେ ମିଛ ତାହା କହିଲେ ନାହିଁ। ବିବାଦ ସେତିକିରେ ଅନ୍ତ ହେଲା ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପୃକ୍ତ ଦଇତା ସେବକଙ୍କ ଜଜମାନ ହୋଇଥିବାରୁ ସେ ସେଠାକୁ ଯାଇ ପୂଜା କରିଥିବା ବି କିଛି ପ୍ରଚାର ହେଲା। କିନ୍ତୁ ଦୀଘାରେ ଯେଉଁ ମନ୍ଦିର ହେଲା ତାହା କ’ଣ ମମତା ବାନାର୍ଜୀଙ୍କ ପୈତୃକ ବା ବ୍ୟକ୍ତିଗତ ସମ୍ପତ୍ତି କି?
ଯଦି ତାହା ନୁହେଁ, ତେବେ ସମସ୍ତ ବଙ୍ଗ ଅଧିବାସୀ କ’ଣ ସମ୍ପୃକ୍ତ ଦଇତାଙ୍କ ଜଜମାନ? ଯଦି ଏ ଦୁଇ ଉକ୍ତି ଭୁଲ ଏବଂ ସମ୍ପୃକ୍ତ ଦଇତା ଏ ବାବଦରେ କ୍ଷମା ମାଗୁ ନାହାନ୍ତି। ତେବେ ତାଙ୍କୁ ଶ୍ରୀ ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିବାକୁ ଅନୁମତି ଦେବା କେତେଦୂର ଯଥାର୍ଥ? ଏହା ନିଶ୍ଚିତ ଭାବେ ରାଜନୀତି। ଯାହାକୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ସ୍ୱୟଂ ଭଉଁରିରେ ପଡ଼ିଛି।
ଦ୍ୱିତୀୟରେ ଗଜପତି ମହାରାଜାଙ୍କ ଚିଠି। ଗଜପତି ହେଉଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଧ୍ୟକ୍ଷ। ଅର୍ଥାତ୍ ତାଙ୍କ ଚିଠିକୁ ଶ୍ରୀମନ୍ଦିରର ଚିଠି ବୋଲି ଗ୍ରହଣ କରାଯିବା ଆବଶ୍ୟକ। ବାରମ୍ବାର ଅନୁରୋଧ, ତାଗିଦ ଓ ପରାମର୍ଶ ପରେ ମଧ୍ୟ ଇସ୍କନ୍ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବିଭ୍ରାନ୍ତ କରିବା ବନ୍ଦ କରୁନାହିଁ। ଦୀଘାରେ ଯେଉଁ ପ୍ରସଙ୍ଗ ହୋଇଥିଲା ସେଥିରେ ବି ଇସ୍କନ ସମ୍ପ୍ରଦାୟ ଜଡ଼ିତ ଥିଲା। ଏବେ ଯେଉଁ ଇସ୍କନ୍ କଥା କୁହାଯାଉଛି ସେମାନେ ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ନୀତିକୁ ଭିନ୍ନ ଭିନ୍ନ ସମୟ ଓ ଢଙ୍ଗରେ ପାଳନ କରିବାକୁ ଏକ ନୂତନ ପ୍ରଥାରେ ରୂପାନ୍ତରିତ କରିଛନ୍ତି। ଏହା ସମୁଦାୟ ବିଶ୍ୱର ଶ୍ରୀଜନ୍ନାଥପ୍ରେମୀଙ୍କ ପାଇଁ ଏକ ଶକ୍ତ ଧକ୍କା। ଧର୍ମୀୟ ଭାବନାକୁ ଆଘାତ। ଏହା ଅସାମ୍ବିଧାନିକ ବା ପ୍ରଥା ବିରୋଧୀ। ତଥାପି ଆମ ରାଜନୀତି ଓ ଆମ ଭିତରେ ବିଭାଜନ, ଆମକୁ ଆମ ସାମ୍ବିଧାନିକ ଅଧିକାର ରକ୍ଷା ପାଇଁ ସୁଯୋଗ ଦେବାରେ ବିଫଳ ହେଉନାହିଁ କି?
ଏ ବିଫଳତା ଆମକୁ ବିକଳ୍ପ ଖୋଜିବାକୁ କହୁଛି। ଅଧିକାର ହାସଲ ହୋଇପାରିବ ନାହିଁ ବୋଲି ଆମେ ନିଶ୍ଚିତ ହୋଇସାରିଛୁ। ସେଥିଲାଗି ଆମେ ବ୍ୟାବସାୟିକ ଟ୍ରେଡ୍ ମାର୍କ, ପ୍ୟାଟେଣ୍ଟ ଓ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ ପଞ୍ଜିକରଣ କରିବାକୁ ଯାଉଛୁ। ଏହା ବୋଧହୁଏ ପୃଥିବୀର କୌଣସି ଧର୍ମ, ସମ୍ପ୍ରଦାୟରେ ହେଉନଥିବ। ଯାହା ଆମ ଶ୍ରୀମନ୍ଦିର ପ୍ରଶାସନ ଆମକୁ ରାସ୍ତାଭାବେ ଦେଖାଉଛି।
ପ୍ରଶ୍ନ ଆମେ ଗଣତାନ୍ତ୍ରିକଭାବେ ବାଛୁଥିବା ସରକାର ଆମର ଅଧିକାରକୁ ନିଶ୍ଚିତ କରିବାକୁ ଆମକୁ କାହିଁକି ସହାୟକ ହେଉନାହିଁ? ଯେଉଁ ସରକାରକୁ ଆମେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଡାକିଲୁ ସେମାନେ କ୍ଷମତାରେ ରହି କାହିଁକି ପ୍ରତିଶ୍ରୁତି ଭୁଲିଗଲେ?
ଯଦି ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଆସ୍ଥା ପୋପ୍ଙ୍କ ପାଇଁ ଏକ ଦେଶ ଉତ୍ସର୍ଗ କରାଯାଇପାରୁଛି, ଯଦି ମୁସଲମାନ ଧର୍ମ ଲାଗି ଏକ ସହର ଉତ୍ସର୍ଗ କରାଯାଇପାରୁଛି ତେବେ ହିନ୍ଦୁ ଧର୍ମର ପରିଚୟଗୁଡ଼ିକୁ କାହିଁକି ସୁରକ୍ଷିତ କରିବା ଲାଗି ସରକାର ଯତ୍ନବାନ ହେବେ ନାହିଁ?
ଇତିହାସ ସାକ୍ଷୀ ରହିଛି, ଯେତେବେଳେ ଧର୍ମର ସ୍ଖଳନ ହୋଇଛି, ଅଧର୍ମ ପ୍ରଭାବ ବିସ୍ତାର କରିଛି ସ୍ୱୟଂ ଭବଗବାନ ଓହ୍ଲାଇଛନ୍ତି। ଧର୍ମ ସଂସ୍ଥାପନ ପାଇଁ। ଏବେ କ’ଣ ସେଇ ବେଳ ଆସୁଛି; ସତରେ କ’ଣ କଳ୍କୀ ଅବତାର ନେବାର ସମୟ ଆସିଗଲାଣି। ଆପଣମାନେ ଚିନ୍ତା କରନ୍ତୁ। ଯଦି ଭାବୁଛନ୍ତି ତେବେ ସେଇ ଶ୍ରୀ ଜଗନ୍ନାତଙ୍କ ସ୍ମରଣ କରନ୍ତୁ। ମୋର ତ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟ ସପ୍ତମ ଶ୍ଳୋକଟି ମନେପଡ଼ୁଛି ଯେଉଁଠି ଶ୍ରୀକୃଷ୍ଣ ସ୍ୱୟଂ କହୁଛନ୍ତି:
Also readhttps://purvapaksa.com/justice-varma-controversy-congress-seeks-report-from-supreme-court-committee/
