ଜିଦରେ ଅଟଳ ଭାରତ
ପାକିସ୍ତାନ ଯିବାକୁ ନାରାଜ
ପାକିସ୍ତାନ ହରାଇପାରେ ଆୟୋଜନ ଅଧିକାର
ଏକଦା ରୋମାଞ୍ଚ ହରାଇ ଆଇସିସି କ୍ରୀଡ଼ାସୂଚୀରୁ ବାଦ ପଡ଼ିଥିବା ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନକୁ ଆୟୋଜନ ଅଧିକାର ମିଳିଛି। ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଭାରତୀୟ ଦଳ ବର୍ତ୍ତମାନ ପାକିସ୍ତାନ ଯାତ୍ରା କରିବାକୁ ଚାହୁଁନାହିଁ। ଫଳରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି।
ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । କରାଚୀ, ଲାହୋର ଓ ରାୱଲପିଣ୍ଡିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛି । ଷ୍ଟାଡିୟମ ଗୁଡ଼ିକର ପୁନରୁଦ୍ଧାର ହେଉଛି । କିନ୍ତୁ ବିସିସିଆଇର ନିଷ୍ପତ୍ତିକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢି ଯାଇଛି। ଭାରତ ସରକାର ଟିମ୍ ଇଣ୍ଡିଆକୁ ପାକିସ୍ତାନ ଗସ୍ତରେ ପଠାଇବାକୁ ରାଜି ନୁହଁନ୍ତି । ଏ ବିଷୟ ବିସିସିଆଇ ଏକ ସପ୍ତାହ ପୂର୍ବେ ଆଇସିସିକୁ ଅବଗତ କରାଇଥିଲା । ଆଇସିସି ଗତ ଶୁକ୍ରବାର ଦିନ ବିସିସିଆଇର ଆଭିମୁଖ୍ୟ ସଂପର୍କରେ ପିସିବିକୁ ଇ-ମେଲ କରି ଜଣାଇଥିଲା ।
ଆଇସିସିର ଇ-ମେଲ ପାଇବା ପରେ ପିସିବି ଘୋର ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛି । ସେମିତି ପୂର୍ବତନ ପାକ୍ କ୍ରିକେଟର ଏବଂ କ୍ରିକେଟ୍ ପ୍ରଶଂସକ ବିଭିନ୍ନ ସ୍ଥାନରେ ଭାରତର ନିଷ୍ପତ୍ତିକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।
ପାକିସ୍ତାନର ରାଗ
ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସଂପର୍କ ନାହିଁ । ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ସାମ୍ନା ସାମ୍ନି ହେଉଛନ୍ତି । ପୂର୍ବରୁ ଭାରତ ଯେତେ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି, ପାକିସ୍ତାନ ଭାରତ ଗସ୍ତରେ ଆସି ଖେଳିଛି । ଭଲ ଆତିଥ୍ୟ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଦଳକୁ ଯୋଗାଇ ଦିଆଯାଇଛି ।
ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ ନହେଲା ନାହିଁ, ପିସିବି ଆୟୋଜନ କରୁଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ଗସ୍ତରେ ଆସୁ ଏବଂ ଟୁର୍ଣ୍ଣାମେଣ୍ଟ ଖେଳୁ ବୋଲି ପିସିବି ଚାହୁଁଛି । ମାତ୍ର ଭାରତ ଏବେ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ପିସିବି ରାଗରେ ନିଆଁବାଣ ହୋଇ ପଡ଼ିଛି । ‘ଆମ ଦଳ ଭାରତ ଯାଇ ଟୁର୍ଣ୍ଣାମେଣ୍ଟ ଖେଳୁଛି, ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଆସିବ ନାହିଁ କାହିଁକି?’ ବୋଲି ପାକିସ୍ତାନ ବୋର୍ଡ ସମେତ ବହୁ ପୂର୍ବତନ ଖେଳାଳି ମଧ୍ୟ ଯୁକ୍ତି ବାଢିଛନ୍ତି।
ନବୀକରଣରେ ଖର୍ଚ୍ଚ
ଚାମ୍ପିଅନ୍ସ ଟ୍ରଫି ଆୟୋଜନ ନେଇ କରାଚୀ, ରାୱଲପିଣ୍ଡି ଓ ଲାହୋର ଷ୍ଟାଡିୟମର ନବୀକରଣରେ ପାକିସ୍ତାନ ବହୁ ଅର୍ଥ ଖର୍ଚ୍ଚ କରି ଦେଇଛି । କିନ୍ତୁ ଭାରତ ନଖେଳିଲେ ମ୍ୟାଚ୍ ପ୍ରସାରଣ, ବିଜ୍ଞାପନ ଏବଂ ଅନ୍ୟାନ୍ୟ ଦିଗରେ ବେଶ ପ୍ରଭାବ ପଡ଼ିବ। ଯାହା ଫଳରେ ପିସିବିକୁ ବହୁ ଆର୍ଥିକ କ୍ଷତି ସହିବାକୁ ହେବ । ଏମିତିବି ଦୁଇ ଦେଶ ଦ୍ୱିପାକ୍ଷିକ ସିରିଜ ଖେଳୁ ନଥିବାରୁ ପିସିବିର ବହୁ କ୍ଷତି ହେଉଛି । ତୃତୀୟ କାରଣ ହେଉଛି ପିସିବି ସର୍ବଦା ବିସିସିଆଇର ନିଷ୍ପତ୍ତିରେ ରାଜି ହେବାକୁ ପ୍ରସ୍ତୁତ ନୁହେଁ।
କାହିଁକି ପାକ୍ ଗସ୍ତ କରିବନି ଭାରତ
ଏ କଥା କାହାକୁ ଅଜଣା ନାହିଁ ଯେ ଭାରତରେ ପୂର୍ବରୁ ଘଟିଥିବା ବହୁ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି । ଯାହା ବାରମ୍ବାର ପ୍ରମାଣିତ ହୋଇ ସାରିଛି । ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନକୁ ଆଶ୍ରୟ ଦେଇ ଭାରତରେ ହିଂସା ଘଟାଉଛି। ପାକିସ୍ତାନ ହିଂସା ଛାଡ଼ିଲେ ଦୁଇ ଦେଶ ମଧ୍ୟରେ ରାଜନୈନିକ ସମ୍ପର୍କରେ ଉନ୍ନତି ହୋଇପାରବ।
୨୦୦୯ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ କରିଥିବା ଶ୍ରୀଲଙ୍କା ଖେଳାଳିଙ୍କ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ମାହେଲା ଜୟବର୍ଦ୍ଧନେଙ୍କ ସମେତ ମୋଟ ୬ ଜଣ ଖେଳାଳି ଆହତ ହୋଇଥିଲେ । ସେବେଠୁ କୌଣସି ଦଳ ପାକିସ୍ତାନ ଯାତ୍ରା କରୁନଥିଲେ। ହେଲେ ବର୍ତ୍ତମାନ ସମୟ ବଦଳିଛି। ଅନ୍ୟ ସବୁ ଦେଶ ପାକିସ୍ତାନ ଯାତ୍ରା କରୁଛନ୍ତି। ମାତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ। ଭାରତ ଯେତେଥର ବନ୍ଧୁତାର ହାତ ବଢାଇଛି, ପାକିସ୍ତାନ ସେତେଥର ଆତଙ୍କବାଦୀ ଆକ୍ରମଣ କରିଛି। ତେଣୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସଂପର୍କ ଏବଂ ସୁରକ୍ଷା ଦୃଷ୍ଟିରୁ ଟିମ୍ ଇଣ୍ଡିଆ କେବେବି ପାକିସ୍ତାନ ଗସ୍ତ କରିବ ନାହିଁ । ପାକିସ୍ତାନର କୌଣସି ଦାବିକୁ ଭାରତ ଗ୍ରହଣ କରିବ ନାହିଁ ।
ହାଇବ୍ରିଡ୍ ମଡେଲରେ ବି ନାରାଜ
ପାକିସ୍ତାନ ୨୦୨୩ ଏସିଆ କପକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରିଥିଲା । ଭାରତ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । ଏଥର ବି ପାକିସ୍ତାନକୁ ସମାନ ମଡେଲ ଆପଣେଇବାକୁ ଆଇସିସି ପ୍ରସ୍ତାବ ଦେଉଛି। ମାତ୍ର ପାକିସ୍ତାନ ବୋର୍ଡ ରାଜି ହେଉନାହିଁ। ପିସିବି ଅଧ୍ୟକ୍ଷ ମୋସିନ ନକଭି କହିଛନ୍ତି, ‘ଗତ ଦୁଇ ମାସ ହେଲା ଭାରତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଯେ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତରେ ଆସିବ ନାହିଁ । ଯଦି ଏଠାରେ କିଛି ସମସ୍ୟା ଅଛି, ସେମାନେ ଲିଖିତ ଭାବେ ଜଣାଇବା ଦରକାର । ତା ପରେ ଆମେ ଗ୍ରହଣ କରିବୁ । ବିସିସିଆଇ ସହ ହାଇବ୍ରିଡ୍ ମଡେଲକୁ ନେଇ କିଛି କଥାବାର୍ତ୍ତା ହୋଇ ନାହିଁ । ଆମେ ବି ଏଭଳି କଥାବାର୍ତ୍ତା ନେଇ ପ୍ରସ୍ତୁତ ନୁହଁ । ଆମେ ଚାହୁଁଛୁ କ୍ରିକେଟକୁ ରାଜନୀତି ଠାରୁ ଦୂରେଇ ରଖାଯାଉ।’ ପାକିସ୍ତାନ ବାରମ୍ବାର ବିସିସିଆଇ ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁ ନାହିଁ । ତେଣୁ ଏଥର ବିଦ୍ରୋହ ଆରମ୍ଭ କରିଛି। ଆଇସିସି ଠାରୁ ମେଲ ପାଇବା ପରେ ନକଭି ପ୍ରଥମେ ପାକିସ୍ତାନ ସରକାରଙ୍କ ପ୍ରସ୍ତାବ ମାଗିଥିଲେ ।
ଚାମ୍ପିଅନ୍ସ ଟ୍ରଫିରୁ ଓହରିବ ପାକିସ୍ତାନ
ଭାରତ ଯଦି ପାକିସ୍ତାନ ଗସ୍ତରେ ନଆସେ ତେବେ ଆମେ ଚାମ୍ପିଅନ୍ସ ଟ୍ରଫିରୁ ଓହରି ଯିବୁ ବୋଲି ପିସିବିର ଜଣେ ଅଧିକାରୀ ‘ଡନ’ ଖବର କାଗଜକୁ କହିଛନ୍ତି । ଏବିଷୟରେ ପିସିବି ପକ୍ଷରୁ ଅଫିସିଆଲ ଭାବେ କିଛି କୁହାଯାଇ ନାହିଁ । ଚାମ୍ପିଅନ୍ସ ଟ୍ରଫିକୁ ଆଉ ୧୦୦ରୁ କମ୍ ଦିନ ରହିଲା । ଭାରତ ସିନା ପାକିସ୍ତାନ ଗସ୍ତ କରିବ ନାହିଁ, ମାତ୍ର ଟୁର୍ଣ୍ଣାମେଣ୍ଟରୁ ଓହରିବ କି ନାହିଁ କିଛି କହି ନାହିଁ । ନିଜର ଆଭିମୁଖ୍ୟ ଆଇସିସିକୁ ଜଣାଇ ବିସିସିଆଇ ଚୁପ ରହିଛି ।ଯାହା ଲାଗୁଛି, ପାକିସ୍ତାନ ଏବେ ଏମିତି ଉତ୍ତେଜିତ ହୋଇ ଶେଷ ମୁହୂର୍ତ୍ତରେ ହୁଏତ ହାଇବ୍ରିଡ୍ ମଡେଲକୁ ଆପଣାଇ ପାରେ । ନଚେତ ଟୁର୍ଣ୍ଣାମେଣ୍ଟ ଆୟୋଜନ ବାବଦକୁ ଯେଉଁ କ୍ଷତି ହେବ ତାହା ଭରଣା କରିବା ପିସିବି ପକ୍ଷେ କଷ୍ଟକର ହୋଇ ପଡ଼ିବ ।
previous article: https://purvapaksa.com/trial-by-australian-media/