ବିଜେଡି ବାବୁଙ୍କ ଥଇଥାନ ପାଇଁ ବିଜେପି ସରକାର। ନିର୍ବାଚନ ପୂର୍ବାରୁ ସରକାରୀ ବାବୁଙ୍କ ଉପରେ ଗର୍ଜନ କରୁଥିବା ଦଳ ଏବେ ଢାଙ୍କୁଣୀ ପକେଇବାରେ ଲାଗିଛି। ଦିନେ ବାବୁଙ୍କ କବଳରୁ ରାଜ୍ୟକୁ ମୁକ୍ତ କରିବୁ, ଦୁର୍ନୀତି ଖୋର ଅଫିସରଙ୍କୁ ଓଲଟା ଟଙ୍ଗେଇ ଦେବୁ କହୁଥିବା ବିଜେପି ବଡ଼ପଣ୍ଡାଙ୍କ କଥା ଏବେ ପାଣିର ଗାର ଭଳି ଲାଗୁଛି। ସବୁ ପାଣ୍ଡିଆନ ମାର୍କା ଅଫିସରଙ୍କୁ କ୍ଲିନ ଚିଟ୍ ଦେବାରେ ଏବେ ଦିନ ରାତି ଏକ କରୁଛି ମୋହନ ସରକାର ବୋଲି ଚର୍ଚ୍ଚା। ସରକାର ଗଢ଼ିବାର ମାତ୍ର କିଛିଦିନ ଭିତରେ ବିଜେଡି ପାଇଁ ଭୋଟ ମ୍ୟାନେଜମେଣ୍ଟ କରୁଥିବା ଆଉ ପାଣ୍ଡିଆନଙ୍କ ଖାସ ସହଯୋଗୀ କହୁଥିବା ଆଇପିଏସ ଅଧିକାରୀ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ବିଜେପି ଡେପୁଟେସନରେ ପଠେଇବା ଚର୍ଚ୍ଚା ସୃଷ୍ଟି କରିଥିଲା। ଏହାପରେ ବିଜେଡି ସରକାରଙ୍କ ସମୟର ଆଉ ଜଣେ ଆଇଏଏସ୍ ଆର ଭିନୀଲ କ୍ରୀଷ୍ଣାଙ୍କୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିବା ମୋହନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ଏହିଭଳି ମୋହନ ସରକାର ବିଜେଡି ସମୟରେ ବିବାଦରେ ଥିବା ଅନେକ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ଡେପୁଟେସନରେ ପଠେଇ ବା ବଡ ପଦ ପଦବୀରେ ନିଯୁକ୍ତି ଦେବା ଘଟଣା ସାମ୍ନାକୁ ଆସିଥିଲା। ଯାହକୁ ନେଇ ମୋହନ ସରକାର ସମଲୋଚନାର ଶିକାର ମଧ୍ୟ ହୋଇଥିଲା। ମୋହନ ସରକାର ଉପରେ ଅଧିକ ପ୍ରଶ୍ନ ସେତେବେଳେ ଉଠିଥିଲା ଯେତେବେଳେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ତତ୍କାଳ ଭିତିରେ ଖୁବ କମ ଦିନରେ ଅବସର ମଞ୍ଜୁରୀ ମିଳିଥିଲା। ଏବେ ପୁଣି ସନ୍ଦେହ ଘେରକୁ ଆସିଛି ମୋହନ ସରକାରଙ୍କ ନିଷ୍ପତି। ଏ ବିଜେପି ସରକାର ବିଜେଡି ଭଳି ଅଫିସରଙ୍କ କବଳରୁ ନିଜକୁ ରକ୍ଷା କରିପାରି ନାହିଁ ବୋଲି ଚର୍ଚ୍ଚା ହେଉଛି । ପାଣ୍ଡିଆନମାର୍କା ଅଫିସରଙ୍କୁ ଉପହାର ଦେବାରେ ନଂ-୧ ମୋହନ ସରକାର ବୋଲି କୁହାଯାଉଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ବିଜେଡିର ଗେହ୍ଲା ପୁଅ କୁହାଯାଉଥିବା ଦୁଇ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଏବଂ ଭିନୀଲ କ୍ରୀଷ୍ଣାଙ୍କୁ ମୋହନ ସରକାର ନୂତନ ଦାୟିତ୍ୱ ଦେବା ପରେ ଏହି ଚର୍ଚ୍ଚା ବଢ଼ିଛି।
ବିଜେଡି ସରକାରରେ ଏମାନେ ଥିଲେ ଅନ୍ୟତମ କ୍ଷମତାଶାଳୀ ଅଧିକାରୀ। ଧାନ ବିକ୍ରି ଦୁର୍ନୀତି, ମିଲର୍ସଙ୍କୁ ଅନୁକମ୍ପା, କଟନିଛଟନିରୁ ଆରମ୍ଭ କରି କ୍ରିଡା ବିଭାଗରେ ମାଳମାଳ ଦୁର୍ନୀତିରେ ଏମାନେ ସାମିଲ ଥିଲେ ବୋଲି ଚର୍ଚ୍ଚା କରାଯାଏ। ତୃତୀୟ ମହଲାରେ ମଧ୍ୟ ଏମାନେ ବେଶ ଆକ୍ଟିଭ ଥିଲେ। ଏବେ ସେମାନଙ୍କୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ନିଯୁକ୍ତି ମିଳିଛି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଯଥାକ୍ରମେ ଢେଙ୍କାନାଳ ଏବଂ ବଲାଙ୍ଗୀର ଦାୟିତ୍ୱରେ ରହିବେ ଏହି ଦୁଇ ଆଇଏଏସ। ସାମାଜିକ-ଅର୍ଥନୈତିକ ଭାବରେ ପ୍ରତିବନ୍ଧକ ଥିବା ୨୨ ଜିଲ୍ଲାରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ ପ୍ରଭାରି ଅଧିକାରୀ (ସିପିଓ)ଙ୍କ ମଧ୍ୟରେ ଏହି ଆଇଏଏସ୍ ଅଧିକାରୀମାନେ ସାମିଲ ହୋଇଛନ୍ତି। ଏହି ଅଧିକାରୀମାନଙ୍କୁ ବିକାଶ ସୂଚକଗୁଡ଼ିକୁ ତଦାରଖ କରିବା ଏବଂ ଏହି ଜିଲ୍ଲାଗୁଡ଼ିକରେ ସରକାରୀ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସହଜ କରିବା ଦାୟିତ୍ୱ ଦିଆଯାଇଛି। କର୍ମଚାରୀ ଏବଂ ତାଲିମ ବିଭାଗ (ଡିଓପିଟି) ଦ୍ୱାରା ଗୁରୁବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅଧିକାରୀମାନେ ସେମାନଙ୍କର ବିଦ୍ୟମାନ ସରକାରୀ ଦାୟିତ୍ୱ ବ୍ୟତୀତ ସେମାନଙ୍କର ସିପିଓ ଦାୟିତ୍ୱ ମଧ୍ୟ ତୁଲାଇବେ। ବୀର ବିକ୍ରମ ଯାଦବ ବର୍ତ୍ତମାନ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିବା ବେଳେ ଭିନୀଲ କ୍ରୀଷ୍ଣା କ୍ରୀଡା ବିଭାଗରେ ଯୁଗ୍ମ ସଚିବ ଅଛନ୍ତି। ତେବେ ଏହି ବିଜ୍ଞପ୍ତି ପରେ ବିଜେପି – ବିଜେଡ଼ି ଭିତିରି ମେଣ୍ଟ ରହିଥିବା କହି ଲୋକେ ସମାଲୋଚନା କରୁଛନ୍ତି।
Also read https://purvapaksa.com/11000-mba-btech-graduates-pg-students-apply-for-240-home-guard-posts/