Human Rights Day: ଆଜି ୧୦ ଡିସେମ୍ୱର । ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ । ଆମେ ମଣିଷ, ଆମର ଜାତି ମାନବ ଏବଂ ଆମେ ଏକାଠି ଓ ସମାନ ଅଧିକାର ସହ ବଞ୍ଚିବା ହିଁ ମାନବ ଅଧିକାର ଦିବସର ମୁଖ୍ୟ ବାର୍ତ୍ତା ବହନ କରେ । ଏହାକୁ ନେଇ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍ ରଖା ଯାଇଥାଏ । ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”। ମାନବ ଅଧିକାର ପ୍ରତି ସଚେତନା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଲକ୍ଷ । ମିଳିତ ଜାତିସଂଘ ପକ୍ଷରୁ ୧୯୫୦ରୁ ପ୍ରତିବର୍ଷ ଡିସେମ୍ବର ୧୦ରେ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ପାଳନ କରାଯାଉଛି। ୧୯୪୮ ମସିହା ଡିସେମ୍ବର ମାସର ଆଜିର ଦିନରେ ଜାତିସଂଘ ସାଧାରଣ ପରିଷଦ ସାର୍ବଜନୀନ ମାନବ ଅଧିକାର ଘୋଷଣାନାମା ପତ୍ରକୁ ଅନୁମୋଦନ କରିଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ମାନବ ଅଧିକାର ପ୍ରତି ବିଶ୍ୱର ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ। ସମ୍ମାନ ଏବଂ ଅଧିକାର ଦୃଷ୍ଟିରୁ ସମସ୍ତ ଲୋକ ମୁକ୍ତ ଏବଂ ସମାନ, ଅର୍ଥାତ୍ ସମସ୍ତ ମାନବଙ୍କର ସମ୍ମାନ ଏବଂ ଅଧିକାର ଦୃଷ୍ଟିରୁ ସ୍ୱାଧୀନତା ଏବଂ ସମାନତା ରହିଛି । ସେମାନେ ନିଜ ବୁଦ୍ଧି ଏବଂ ବିବେକ ଦ୍ୱାରା ସମ୍ମାନ ପ୍ରାପ୍ତ କରନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ କୌଣସି ଭେଦଭାବ ନକରି ସମସ୍ତ ପ୍ରକାରର ଅଧିକାର ଏବଂ ସ୍ୱାଧୀନତା ଦିଆଯାଇଛି ।
କ’ଣ ରହିଛି ଏହାର ମହତ୍ୱ :
ଏହି ସମାଜର ଆମେ ଯେପରି ସୁରକ୍ଷିତ ଭାବରେ ଏବଂ ସମସ୍ତ କ୍ଷେତ୍ରରେ ସ୍ୱାଧୀନତାର ସହ ବଞ୍ଚି ପାରିବା ସେଥିପାଇଁ ଆମକୁ ମାନବ ଅଧିକାର ଆବଶ୍ୟକ ହୋଇଥାଏ । ମାନବ ଅଧିକାର ମୁଖ୍ୟତଃ ସ୍ୱାଧୀନତାର ଅଧିକାର, ଦାସତ୍ୱ ତଥା ନିର୍ଯାତନାରୁ ମୁକ୍ତି, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ କାର୍ଯ୍ୟ ଏବଂ ଶିକ୍ଷା ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରେ । ଦୁନିଆରେ ସବୁ ଲୋକଙ୍କର ସମାନ ଅଧିକାର ରହିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଏବଂ କୌଣସି ଜିନିଷରେ ଭେଦ ଭାବ କରାଯାଇ ପାରିବ ନାହିଁ ଏଥିପାଇଁ ଅଧିକାରର ନିର୍ମାଣ କରାଯାଇଛି । କୌଣସି ବି ବ୍ୟକ୍ତି କିଛି ବି ପରିସ୍ଥିତିରେ କାହା ଅଧିକାରରୁ ଛଡ଼ାଇ ନେଇ ପାରିବ ନାହିଁ । ଏହାସହ କୌଣସି ସରକାର କିମ୍ବା ସଂସ୍ଥା କାହା ସହ ଭେଦ ଭାବ ମଧ୍ୟ କରିପାରିବେ ନାହିଁ ।
ମାନବ ଅଧିକାର:
ଆପଣ କିଏ ବି ହୁଅନ୍ତୁ ନା କାହିଁକି, ଏଠାରେ ଆପଣ ଆପଣଙ୍କ ସମସ୍ତ କଥା ରଖି ପାରିବେ ବା ନିଜ କଥା କହି ପାରିବେ ।
ପ୍ରତ୍ୟେକ ବ୍ୟକ୍ତି ଆଇନ ଅନୁଯାୟୀ ସମାନ ସୁରକ୍ଷା ପାଇବେ ଏବଂ ଆଇନରୁ କାହାକୁ ବାଦ ଦିଆଯିବ ନାହିଁ।
ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଗିରଫ କିମ୍ବା ନଜରବନ୍ଦୀ କରାଯାଇପାରିବ ନାହିଁ।
ସମସ୍ତଙ୍କର ଜୀବନ, ସ୍ୱାଧୀନତା ଏବଂ ନିରାପତ୍ତା ଅଧିକାର ଅଛି, ଏବଂ କୌଣସି ବ୍ୟକ୍ତିଙ୍କୁ ବେଆଇନ ଭାବେ କାରାଗାରରେ ରଖାଯାଇପାରିବ ନାହିଁ।
କୌଣସି ବ୍ୟକ୍ତି ଦାସତ୍ୱରେ ରହିପାରିବେ ନାହିଁ ଏବଂ ଦାସତ୍ୱ କିମ୍ବା ବାଣିଜ୍ୟ ଭାବେ କୌଣସି ଶୋଷଣ କାର୍ଯ୍ୟ ବେଆଇନ୍ ଅଟେ।
ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାଧୀନତା ଏବଂ ସମାନତାର ଅଧିକାର ଅଛି, ଏବଂ ସମସ୍ତଙ୍କୁ ଜନ୍ମରୁ ସମାନ ଅଧିକାର ମିଳେ।
ଜାତି, ଧର୍ମ, ଲିଙ୍ଗ କିମ୍ବା ଜାତୀୟତା କାରଣରୁ କୌଣସି ବ୍ୟକ୍ତି ଭେଦଭାବର ଶିକାର ହେବା ଉଚିତ ନୁହେଁ।
କୌଣସି ବ୍ୟକ୍ତିଙ୍କୁ ନିର୍ଯାତନା କିମ୍ବା ନିଷ୍ଠୁର, ଅମାନୁଷିକ କିମ୍ବା ଅପମାନଜନକ ବ୍ୟବହାର କିମ୍ବା ଦଣ୍ଡର ଶିକାର କରାଯାଇ ପାରିବ ନାହିଁ।
ପ୍ରତ୍ୟେକ ବ୍ୟକ୍ତି ଆଇନ ଆଗରେ ସମାନ ଏବଂ ଆଇନ ଆଗରେ ସମାନ ଅଧିକାର ପାଇବେ।
ଯଦି କାହାର ଅଧିକାର ଉଲ୍ଲଂଘନ ହୁଏ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ପ୍ରଭାବଶାଳୀ ଆଇନଗତ ପ୍ରତିକାରର ଅଧିକାର ଅଛି।
ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ନିରପେକ୍ଷ ଏବଂ ସର୍ବସାଧାରଣ ବିଚାର କରିବାର ଅଧିକାର ଅଛି, ଯାହାଦ୍ୱାରା ସେମାନେ ନ୍ୟାୟ ପାଇବେ।