ବିଶ୍ୱ ଇତିହାସରେ ଏକ କଳା ଦିନ ହେଉଛି ୬ ଅଗଷ୍ଟ ୧୯୪୫। ଏହା ସେହି ଦିନ ଯେତେବେଳେ ଜାପାନର ହିରୋଶିମା ସହର ଉପରେ ଆମେରିକା ପରମାଣୁ ବୋମା ପକାଇଥିଲା। ସକାଳ ୮:୧୫ରେ ହୋଇଥିବା ଏହି ଆମେରିକୀୟ ଆକ୍ରମଣରେ କିଛି ମୁହୂର୍ତ୍ତରେ ହିରୋଶିମା ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା ଏବଂ ଏକ ଲକ୍ଷ ଚାଳିଶ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ବଞ୍ଚିଥିବା ଲୋକମାନେ ବିକିରଣ କାରଣରୁ ଦୀର୍ଘ ସମୟ ଯାଏଁ କଷ୍ଟ ସହିଥିଲେ। ଏହି ଆକ୍ରମଣ ପରମାଣୁ ଅସ୍ତ୍ରର ଭୟଙ୍କର ପରିଣାମ ବିଶ୍ୱକୁ ଜଣାଇଥିଲା। ଏହା ସେହି ପରମାଣୁ ବୋମାର ଭୟାବହତା ଦେଖାଇଥିଲା, ଯାହାର ନିର୍ମାଣ ରବର୍ଟ ଓପେନହାଇମର କରିଥିଲେ। ଆସନ୍ତୁ ଜାଣିବା ଓପେନହାଇମର କିପରି ପରମାଣୁ ବୋମା ତିଆରି କରିଥିଲେ ଏବଂ ଏହାର କୋଡନାମ ଟ୍ରିନିଟି କାହିଁକି ରଖାଯାଇଥିଲା।
ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା। ଯୁକ୍ତ ରାଷ୍ଟ୍ର ଆମେରିକା ପରମାଣୁ ବୋମା ତିଆରି ପାଇଁ ଏକ ଗୋପନୀୟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଓପେନହାଇମରଙ୍କୁ ଏହି ପ୍ରୋଜେକ୍ଟରେ ବୈଜ୍ଞାନିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ସେହି ବର୍ଷ ଥିଲା ୧୯୪୨। ଓପେନହାଇମର ମ୍ୟାନହାଟନ ପ୍ରୋଜେକ୍ଟରେ ଯୋଗଦେଇ ପରମାଣୁ ବୋମା ବିକଶିତ କରିବା ଯୋଜନା ଉପରେ କାମ ଆରମ୍ଭ କରିଥିଲେ। ଏହି ବୋମା ତିଆରି ପାଇଁ ଓପେନହାଇମର ଓ ଆମେରିକୀୟ ବୈଜ୍ଞାନିକମାନଙ୍କ ଦଳ ପରମାଣୁ ବିଖଣ୍ଡନର ବ୍ୟବହାର କରିଥିଲେ। ଏହି ପ୍ରକ୍ରିୟାରେ ଏକ ଭାରୀ ପରମାଣୁ ନାଭିକକୁ ଦୁଇଟି ନାଭିକରେ ବିଭାଜନ କରାଯାଏ। ଏଥିରୁ ପ୍ରଚୁର ଶକ୍ତି ନିର୍ଗତ ହୁଏ।
ଏହି କାରଣରୁ ବୋମାର ନାମ ରଖାଗଲା ଟ୍ରିନିଟି
ନ୍ୟୁ ମେକ୍ସିକୋର ଲସ ଆଲାମୋସରେ ଥିବା ପରୀକ୍ଷାଗାରରେ ବୋମା ତିଆରି ପାଇଁ ଓପେନହାଇମର ଓ ତାଙ୍କ ଦଳ ଉରାନିୟମ-୨୩୫ ଓ ପ୍ଲୁଟୋନିୟମ-୨୩୯ ଆଦି ତତ୍ତ୍ୱର ବ୍ୟବହାର କରିଥିଲେ। ଏଠାରେ ପରମାଣୁ ବୋମାର ସଂପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ କରି ଏହାର ବିକାଶ କରାଯାଇଥିଲା। ଏହା ଥିଲା ୧୯୪୪ ବର୍ଷର କଥା। ଓପେନହାଇମର ପ୍ରଥମ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ସାରିଥିଲେ। ବର୍ଷର ମଝିରେ ସେ ପ୍ରଥମ ପରମାଣୁ ବୋମାର ନାମ ଦେଇଥିଲେ ଟ୍ରିନିଟି, ଯାହାର ପରୀକ୍ଷଣ କରାଯିବାକୁ ଥିଲା।
ଏହି ନାମ ସେ ଇଂରାଜୀ କବି ଜନ ଡନଙ୍କ ଏକ କବିତା ହୋଲି ସନେଟ୍ସରୁ ପ୍ରେରଣା ନେଇ ରଖିଥିଲେ। ଏହି କବିତାରେ ଟ୍ରିନିଟିର ଅର୍ଥ ହେଉଛି ଏକ ଈଶ୍ୱର ଅର୍ଥାତ୍ ତ୍ରିମୂର୍ତ୍ତି। ଓପେନହାଇମର ଏହି ନାମ ବାଛିଥିଲେ ଯାହା ଏକ ରହସ୍ୟମୟ ଓ ଶକ୍ତିଶାଳୀ ପ୍ରତୀକାତ୍ମକ ଅର୍ଥ ପ୍ରକାଶ କରୁଥିଲା। ପରେ ଓପେନହାଇମର ନିଜେ ଖୁଲାସା କରିଥିଲେ ଯେ ଏହି ନାମର ଚୟନ ସେ ତାଙ୍କ ପ୍ରେମିକା ଜୀନ ଟାଟଲକଙ୍କ କାରଣରୁ କରିଥିଲେ, କାରଣ ୧୯୩୦ ଦଶକରେ ଜୀନ ତାଙ୍କୁ ଡନଙ୍କ ଏହି କବିତା ସହ ପରିଚିତ କରାଇଥିଲେ।
୧୬ ଜୁଲାଇ ୧୯୪୫ରେ ହେଲା ପରୀକ୍ଷଣ
ବୋମାର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇସାରିଥିଲା ଓ ନାମ ମଧ୍ୟ ରଖାଯାଇଥିଲା। ଏହାପରେ ଆସିଲା ସେହି ତାରିଖ ଯେତେବେଳେ ଏହାର ପରୀକ୍ଷଣ ହେବାକୁ ଥିଲା। ୧୬ ଜୁଲାଇ ୧୯୪୫ ସକାଳେ ନ୍ୟୁ ମେକ୍ସିକୋର ମରୁଭୂମିରେ ଏହାର ପରୀକ୍ଷଣ ହେବାକୁ ଥିଲା। ସେତେବେଳେ ମ୍ୟାନହାଟନ ପ୍ରୋଜେକ୍ଟର ବୈଜ୍ଞାନିକ ଶାଖା ପ୍ରୋଜେକ୍ଟ ୱାଇର ପରିଯୋଜନା ନିର୍ଦ୍ଦେଶକ ଓପେନହାଇମରଙ୍କ ଓଜନ ବହୁତ କମିଯାଇଥିଲା ଏବଂ ସେ ମାତ୍ର ୫୨ କିଲୋ ହୋଇଯାଇଥିଲେ। ୫ ଫୁଟ ୧୦ ଇଞ୍ଚ ଲମ୍ବା ଓପେନହାଇମର ସେତେବେଳେ ବେଶ ଉତ୍କଣ୍ଠିତ ଥିଲେ ଓ ସାରା ରାତି ଶୋଇ ପାରି ନଥିଲେ।
ଇତିହାସବିତ କାଇ ବାର୍ଡ ଓ ମାର୍ଟିନ ଜେ ଶେରୱିନ ଓପେନହାଇମରଙ୍କ ଜୀବନୀ ଲେଖିଛନ୍ତି। ଯାହାର ନାମ ଆମେରିକାନ୍ ପ୍ରୋମେଥିୟସ। ଏଥିରେ ସେମାନେ ଲେଖିଛନ୍ତି ଯେ ବୋମା ପରୀକ୍ଷଣର ଆଗଦିନ ରାତିରେ ଓପେନହାଇମର ମାତ୍ର ଚାରି ଘଣ୍ଟା ଶୋଇଥିଲେ। ପରୀକ୍ଷଣ ବିଷୟରେ ଚିନ୍ତାରେ ସେ ଅନବରତ ସିଗାରେଟ ପିଉଥିଲେ। ସକାଳେ ସେ ନିୟନ୍ତ୍ରଣ ବଙ୍କରରେ ଉପସ୍ଥିତ ଥିଲେ, ଯେଉଁଠାରୁ ୧୦ କିଲୋମିଟର ଦୂରରେ ବୋମାର ପରୀକ୍ଷଣ ହେବାକୁ ଥିଲା।
୧୬୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ବିସ୍ଫୋରଣର ଝଟକା
ଉଭୟ ଇତିହାସବିତ ଲେଖିଛନ୍ତି ଯେ ଯେତେବେଳେ ବୋମା ବିସ୍ଫୋରଣ ହେବାକୁ ଥିଲା, ଶେଷ ମୁହୂର୍ତ୍ତରେ ଜଣେ ଆମେରିକୀୟ ସେନା ଜେନେରାଲ ଓପେନହାଇମରଙ୍କ ମନୋଭାବକୁ ନିକଟରୁ ଅନୁଭବ କରିଥିଲେ। ସେହି ଜେନେରାଲଙ୍କ ମତରେ, ବିସ୍ଫୋରଣର ସମୟ ଯେମିତି ନିକଟତର ହେଉଥିଲା, ଓପେନହାଇମରଙ୍କ ଉତ୍କଣ୍ଠା ବଢୁଥିଲା ଓ ଏମିତି ଲାଗୁଥିଲା ଯେମିତି ସେ ବହୁତ କଷ୍ଟରେ ନିଶ୍ଚାସ ନେଉଛନ୍ତି। ତା’ପରେ ସେହି ମୁହୂର୍ତ୍ତ ଆସିଲା, ଯାହାର ଅପେକ୍ଷାରେ ଓପେନହାଇମର ଥିଲେ। ପ୍ରଥମ ପରମାଣୁ ବୋମାରେ ବିସ୍ଫୋରଣ ହେଲା।
ଏହାର ଶକ୍ତି ଥିଲା ୨୧ କିଲୋଟନ ଟିଏନଟି। ଏହା ମଣିଷ ଦ୍ୱାରା କରାଯାଇଥିବା ସେ ପର୍ଯ୍ୟନ୍ତର ସବୁଠାରୁ ବଡ଼ ବିସ୍ଫୋରଣ ଥିଲା, ଯାହା ଏକ ଏତେ ଜୋରଦାର ଝଟକା ସୃଷ୍ଟି କଲା ଯାହା ୧୬୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ବୋମା ବିସ୍ଫୋରଣ ପରେ ଧୂଳିର ଗୁଣ୍ଡ ଆକାଶ ଆଡ଼କୁ ବଢୁଥିବା ବେଳେ ଓପେନହାଇମରଙ୍କ ଉତ୍କଣ୍ଠା କମିବାକୁ ଲାଗିଲା। ତାଙ୍କର ଆତ୍ମବିଶ୍ୱାସ ବଢିଲା, ଯେମିତି ସେ ସପ୍ତମ ଆକାଶରେ ପହଞ୍ଚି ଯାଇଥିଲେ।
ପରୀକ୍ଷଣର ଏକ ମାସପରେ ହିରୋଶିମା ଉପରେ ପରମାଣୁ ବୋମା ଆକ୍ରମଣ
ଆମେରିକାର ଏହି ପରୀକ୍ଷଣର ଏକ ମାସ ପରେ ହିରୋଶିମାର ଧ୍ୱଂସ ପାଇଁ ପରମାଣୁ ବୋମା ପକାଯାଇଥିଲା। ଯଦିଓ ଓପେନହାଇମରଙ୍କ ବନ୍ଧୁମାନେ ଖୁଲାସା କରିଥିଲେ ଯେ ଏହି ପରୀକ୍ଷଣ ପରେ ସେ ଉଦାସ ରହୁଥିଲେ। ସେ ସବୁବେଳେ କେଉଁଠି ହଜି ରହୁଥିଲେ। ବୋଧହୁଏ ତାଙ୍କୁ ଜଣାଥିଲା କ’ଣ ହେବାକୁ ଯାଉଛି। ଓପେନହାଇମରଙ୍କ ବନ୍ଧୁମାନେ ଏମିତି ମଧ୍ୟ ଦାବି କରିଥିଲେ ଯେ ଦିନେ ସେ ଜାପାନର ଲୋକମାନଙ୍କ ଭବିଷ୍ୟତ ନେଇ ଚିନ୍ତା ମଧ୍ୟ ପ୍ରକାଶ କରିଥିଲେ। ଯଦିଓ, ଶୀଘ୍ର ସେ ଏହି ଅବସ୍ଥାରୁ ବାହାରି ଆସିଥିଲେ ଓ ସେନା ସହିତ ପରମାଣୁ ବୋମା ପକାଇବା ପାଇଁ କେଉଁ ପରିସ୍ଥିତି ଉପଯୁକ୍ତ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଲାଗିଲେ ଏବଂ ଅନ୍ତତଃ ଜାପାନକୁ ଏକ ବିନାଶକାରୀ ଆକ୍ରମଣର ସାମନା କରିବାକୁ ପଡ଼ିଥିଲା।
ଗୀତାର ଶ୍ଲୋକ ମନେ ପଡ଼ିଲା
ଏହା ୧୯୬୦ ଦଶକର କଥା। ଓପେନହାଇମର ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ ପରମାଣୁ ପରୀକ୍ଷଣ ସମୟରେ ତାଙ୍କୁ ହିନ୍ଦୁ ଧର୍ମ ଗ୍ରନ୍ଥ ଭଗବତ ଗୀତାର ଏକ ଶ୍ଲୋକ ମନେ ପଡ଼ିଥିଲା। ଗୀତାର ୧୧ତମ ଅଧ୍ୟାୟର ୩୨ତମ ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୁଁ ମହାକାଳ, ମୁଁ ବିଶ୍ୱ ବିଧ୍ୱଂଶକ । ଏହା କହି ସେ ପରମାଣୁ ବୋମାର ଭୟାବହତା କଥା କହିବାକୁ ଚେଷ୍ଟା କରିଥିଲେ ।
Also Readhttps://purvapaksa.com/tariff-war-is-a-lie-know-what-is-the-real-reason-behind-trumps-anger/
