ନୂଆପଡ଼ା ନିର୍ବାଚନ ଲାଗି ରାଜନୀତିକ ଦଳମାନଙ୍କର ପ୍ରସ୍ତୁତି ଏବେ ଶୀର୍ଷ ପର୍ଯ୍ୟାୟରେ। ପ୍ରାର୍ଥୀ ପ୍ରସ୍ତୁତ, ଲଢ଼େଇର ତାରିଖ ନିଶ୍ଚିତ। ଭୋଟର ବି ବିଭିନ୍ନ ପକ୍ଷର ପ୍ରଚାର ଶୁଣିବାକୁ ଏବେ ଅପେକ୍ଷାରେ। ଏ ଭିତରେ କିନ୍ତୁ ବାଜି ଲାଗିଛି ନବୀନ ପଟ୍ଟନାୟକଙ୍କ ପ୍ରତିଚ୍ଛବି। ଯାହାକୁ ଆମେ ନବୀନ ବ୍ରାଣ୍ଡ ବୋଲି କହୁଛୁ। ୨୦୨୪ ନିର୍ବାଚନ ମଇଦାନରେ ଏହି ବ୍ରାଣ୍ଡ ନିମ୍ନଗାମୀ ହୋଇଥିବା ଆଲୋଚନା ହୋଇଛି। କ୍ଷମତାରୁ ବିଜେଡି ବାହାର ହେବା, ନବୀନ ନିଜେ କଣ୍ଟାବାଞ୍ଝିରୁ ଜଣେ ସାଧାରଣ କର୍ମୀଙ୍କଠାରୁ ହାରିବା, ବିରୋଧୀ ଦଳରେ ବସି ମଧ୍ୟ ଦାୟିତ୍ୱ ତୁଲାଇ ନ ପାରିବା ଭଳି ଅନେକ ଅଭିଯୋଗ ତାଙ୍କ ନାଁରେ ହୋଇଛି। ହେଲେ ନୂଆପଡ଼ା ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିବାବେଳକୁ, ସେ ଯେତିକି ଶକ୍ତି ଦେଖାଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଆଜି ବି ନବୀନ ପଟ୍ଟନାୟକ ୮୦ ବର୍ଷ ବୟସରେ ଓଡ଼ିଶା ରାଜନୀତିରେ ଓହ୍ଲାଇଲେ କେଡ଼େ କେଡ଼େ ବ୍ୟକ୍ତି ତାଙ୍କ ଆଞ୍ଚରେ ସେକି ହେବାଟା ନିଶ୍ଚିତ ବୋଲି ସେ କହିବାକୁ ଚାହିଁଛନ୍ତି। ଅର୍ଥାତ୍ ନବୀନ ବ୍ରାଣ୍ଡର ରିମେକ୍ ବା ଭାବମୂର୍ତ୍ତି ମରାମତିର ଆଭାସ ଦେଇଛି ନୂଆପଡ଼ା ନିର୍ବାଚନ। କେମିତି?
ବାଜିରେ ନବୀନ ବ୍ରାଣ୍ଡ
ଆଜି ନବୀନ ପଟ୍ଟନାୟକ ୮୦ ବର୍ଷ ବୟସରେ ପଦାର୍ପଣ କଲେ। ସମୟର ସଂଯୋଗ ଯେ ଏ ବର୍ଷ ନବୀନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାହା ହେଉଛି ‘ନୂଆପଡ଼ା’। ଏ ନିର୍ବାଚନ ଜିତିଲେ ବା ହାରିଲେ ବିଧାନସଭାରେ ବିଜେଡିର କିଛି ପରିବର୍ତ୍ତନ ହେବ ନାହିଁ। ୫୧ ଆସନରୁ ଗୋଟିଏ ଆସନ ଖସିଗଲେ ବିରୋଧୀ ଦଳ ମାନ୍ୟତାରୁ ବିଜେଡିକୁ କେହି ହଟାଇ ପାରିବେ ନାହିଁ ବି ବିରୋଧୀ ଦଳ ନେତା ପଦରୁ ନବୀନଙ୍କୁ କେହି ଅଲଗା କରିପାରିବେ ନାହିଁ। ତଥାପି ଏ ନିର୍ବାଚନ ଏକ ବଡ଼ ଆହ୍ୱାନ ନବୀନଙ୍କ ଆଗରେ ଠିଆ କରିଛି। ତାହା ହେଲା ‘ନବୀନ ବ୍ରାଣ୍ଡ’। ଏହି ବ୍ରାଣ୍ଡକୁ ବ୍ୟବହାର କରି ଅତୀତରେ ଅନେକ ନେତାଙ୍କ କ୍ୟାରିୟର ଗଢ଼ା ହୋଇଛି। ଆଜି ତାହା ପୁଣି ବାଜି ଲାଗିଛି ୨୦୨୪ର ଜଣେ ହାରୁ ନେତା ସ୍ନେହାଙ୍ଗିନୀ ଛୁରିଆଙ୍କ ଲଢ଼େଇରେ। ଯଦି ସ୍ନେହାଙ୍ଗିନୀ ଛୁରିଆ ଜିତିଗଲେ ତେବେ ବିଜେଡି ତାହାର ଆସନକୁ ରକ୍ଷା କରିବା ସହ ବିଜେଡିର ସମସ୍ତ କନ୍ଦଳ, ଗୋଷ୍ଠୀବାଦକୁ ଦବାଇ ଦେବାରେ ସଫଳ ହେବ। ୨୦୨୯ରେ ବିଜେଡି ହିଁ ବିଜେପି ସହ ଲଢ଼ିବ ତାହା ସ୍ପଷ୍ଟ କରିବ। ଯଦି ହାରିବ ତେବେ ନେତା ଓ ଦଳ ସମସ୍ତେ ରାଜ୍ୟବାସୀଙ୍କ ଆସ୍ଥା ହରାଇବେ। ବିଜୁ ଜନତା ଦଳ ତଳିତଳାନ୍ତ ହୋଇଯିବ!
ନିଶ୍ଚିତ ପରାଜୟ ପାଇଁ ପ୍ରାର୍ଥୀ ଦେଇଛି ବିଜେଡି
ଅନେକ ମିଡିଆ ରିପୋର୍ଟରେ ଆଜି ନବୀନଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। ନୂଆପଡ଼ାରେ ଢୋଲକିଆ ପରିବାରର ଦାୟାଦଙ୍କୁ ନବୀନ ଛଳନା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଢୋଲକିଆ ଏକ ନିଶ୍ଚିତ ବିଜୟୀ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ଏହାକୁ ବିଜେପି ହାତକୁ ଟେକି ଦେଲା ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକିରେ ଏ ଚର୍ଚ୍ଚା ଅଟକିନି ବରଂ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥୀତ୍ୱକୁ ମଧ୍ୟ ଏହି ସମର୍ପଣ ରଣନୀତିର ଦ୍ୱିତୀୟ ସୋପାନ ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲା ଭିତରେ ଏତେ ଲୋକ ଥାଉ ଥାଉ ଜଣେ ବାହାରି ନେତାଙ୍କୁ ନୂଆପଡ଼ା ଲୋକଙ୍କ ଉପରେ ଥୋପିବାକୁ ବିଜେଡି ଯେଉଁ ଘୋଷଣା କରିଛି ତାହା ଦଳକୁ ନିଶ୍ଚିତ ପରାଜୟ ଦେବ ବୋଲି କୁହାଯାଉଛି।
ସ୍ନେହାଙ୍ଗିନୀଙ୍କ ପାଇଁ ନବୀନ ପ୍ରଚାର କରିବେ
ହେଲେ ନବୀନଙ୍କ ଭାବଭଙ୍ଗୀ ବା ବଡି ଲାଙ୍ଗୁଏଜରେ ନିରାଶା ନାହିଁ। ଏହା ପୂର୍ବରୁ ନବୀନ ମିଡିଆରେ ବାଇଟ ଦେବାବେଳେ ଯେଉଁ ଭାବଭଙ୍ଗୀ ରକ୍ଷା କରୁଥିଲେ ଏଥରର ଭାବଭଙ୍ଗୀରେ ତାହା ନାହିଁ। ବରଂ ସେ ଅଧିକ ଆତ୍ମବିଶ୍ୱାସୀ ହୋଇଥିବା ଜଣାପଡ଼ୁଛି। ତାଙ୍କ ସ୍ୱର ଅଧିକ ଶକ୍ତିଶାଳୀ ହୋଇଛି। ଆଉ ସେ ନିଜେ ସ୍ନେହାଙ୍ଗିନୀଙ୍କ ପ୍ରଚାରରେ ଯାଇ ତାଙ୍କୁ ବିଜୟୀ କରିବାକୁ ଭୋଟ୍ ମାଗିବେ ବୋଲି କହିଛନ୍ତି।
ପ୍ରଶ୍ନ ଉଠିପାରେ ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିଲେ କ’ଣ ବଡ଼ କଥା ହୋଇଯିବ? କିନ୍ତୁ ଯେଉଁମାନେ ଓଡ଼ିଶା ରାଜନୀତିକୁ ଅନୁଭବ କରିଛନ୍ତି ସେମାନେ ନିଶ୍ଚିତ ଜାଣିଛନ୍ତି ନବୀନଙ୍କ ଖଣ୍ଡି ଓଡ଼ିଆ ଭାଷଣ, ଥରୁଥିବା ହାତ ଟେକା କେମିତି ଗଭୀର ପ୍ରଭାବ ପକାଇଥାଏ ଜନତାଙ୍କ ଉପରେ, ପ୍ରତିଟି ବିଷୟରେ।
ବିନା ପାଣ୍ଡିଆନରେ ନିର୍ବାଚନକୁ ଓହ୍ଲାଇବେ ନବୀନ
କିନ୍ତୁ ଏହା ୨୦୨୪ ନିର୍ବାଚନରେ ଜନତାଙ୍କୁ ପ୍ରଭାବିତ କରିପାରିନଥିଲା। ସେଥିଲାଗି ଦଳ ଶାସନରୁ ସିଧା ବିରୋଧୀ ଦଳ ଆସନକୁ ଡେଇଁଲା। କିନ୍ତୁ ପରାଜୟର ବ୍ୟବଧାନ ସେତେ ଅଧିକ ନ ଥିଲା। ଆଉ ଏଥିଲାଗି ବିଜେଡିର କୌଣସି କର୍ମୀ, ନେତା ବା ସାଧାରଣ ଜନତା ନବୀନଙ୍କ ଉପରେ କେବେ ଦୋଷ ଦେଇ ନାହାନ୍ତି। ଏ ସବୁର ଦୋଷ ଯାଇଛି ପାଣ୍ଡିଆନ୍ଙ୍କ ମୁଣ୍ଡ ଉପରେ। ବରିଷ୍ଠ ନେତା ଆଜି ଅସନ୍ତୁଷ୍ଟ ରହିବାର କାରଣ ହେଉଛନ୍ତି ପାଣ୍ଡିଆନ୍। କନିଷ୍ଠ ସଂଗଠିତ ନ ହୋଇପାରିବାର କାରଣ ହେଉଛନ୍ତି ପାଣ୍ଡିଆନ୍। ଏଣୁ ନବୀନ ଏଥର ବିନା ପାଣ୍ଡିଆନରେ ନିର୍ବାଚନକୁ ଓହ୍ଲାଇବାକୁ ଯାଉଛନ୍ତି। ଅର୍ଥାତ୍ ନବୀନଙ୍କ ପାଇଁ ଏ ନିର୍ବାଚନ କ୍ଷମତାରେ ଥାଇ କ୍ଷମତା ପାଇଁ ଖେଳ ନୁହେଁ ବରଂ କ୍ଷମତା ବାହାରେ ଦଳକୁ ସଂଗଠିତ କରିବାର ଏକ ପ୍ରୟାସ। ଏଣୁ ନବୀନଙ୍କ ଆତ୍ମ ବିଶ୍ୱାସ ବିଜେପି ଓ କଂଗ୍ରେସ ପାଇଁ କାଳ ହୋଇପାରେ।
ସ୍ନେହାଙ୍ଗିନୀ ହେଉଛନ୍ତି ଜିଲ୍ଲା ବାହାରର ପ୍ରାର୍ଥୀ
ଏବେ ପ୍ରାର୍ଥୀ ଚୟନ କଥା ଆଲୋଚନା କରିବା। ନବୀନ ୫୬ ବର୍ଷୀୟ ସ୍ନେହାଙ୍ଗିନୀଙ୍କୁ ବାଛିଛନ୍ତି। ଏହା ଏକ ଦୁର୍ବଳ ଚୟନ ବୋଲି ଅଭିଯୋଗ ହୋଇଛି। ଜାଣିଶୁଣି ବିଜେପି ହାତକୁ ଏହି ଆସନ ଟେକି ଦେବା ଲାଗି ଏହା ଆଉ ଏକ ପ୍ରୟାସ ବୋଲି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି। ଏହା ସୋଶାଲ୍ ମିଡିଆ ଓ ମେନ୍ଷ୍ଟ୍ରିମ ମିଡିଆରେ ଅନେକ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ସେହିପରି ସମାଲୋଚକଙ୍କ କହିବା ଅନୁସାରେ ସେ ହେଉଛନ୍ତି ଜିଲ୍ଲା ବାହାରର ପ୍ରାର୍ଥୀ। ଜିଲ୍ଲା ଭିତରେ ପ୍ରାର୍ଥୀ ଥାଉ ଥାଉ ଲୋକେ ସ୍ନେହାଙ୍ଗିନୀଙ୍କୁ ଭୋଟ୍ ଦେବେ କାହିଁକି? କିନ୍ତୁ ଟିକେ ସାମ୍ପ୍ରତିକ ପରିସ୍ଥିତିକୁ ଅତୀତର ଘଟଣା ଓ ସ୍ଥାନୀୟ ଭୋଟରଙ୍କ ଅବସ୍ଥିତିକୁ ଲକ୍ଷ୍ୟରେ ରଖି ଅନୁଶୀଳନ କରନ୍ତୁ।
ନୂଆପଡ଼ାର ଭୋଟର ଆଦିବାସୀଙ୍କ ଅପେକ୍ଷା ଅଣ ଆଦିବାସୀଙ୍କୁ ଅଧିକ ପସନ୍ଦ କରନ୍ତି
ନୂଆପଡ଼ାରେ ସବୁଠାରୁ ଅଧିକ ଭୋଟ୍ର ହେଉଛନ୍ତି ଆଦିବାସୀ। ଏକ ଆକଳନ ଅନୁସାରେ ଆଦିବାସୀ ଭୋଟ୍ରଙ୍କ ପରିମାଣ ପ୍ରାୟ ୩୪ ପ୍ରତିଶତ। ଅନୁସୂଜିତ ଜାତିଙ୍କ ପରିମାଣ ପ୍ରାୟ ୧୩ ପ୍ରତିଶତ। କିନ୍ତୁ ନୂଆପଡ଼ାର ନିର୍ବାଚନୀ ଇତିହାସରେ ଜଣେମାତ୍ର ଆଦିବାସୀ ଘାସିରାମ ମାଝୀ ହିଁ ଆଦିବାସୀ ସମାଜର ଟେକ ରଖିଛନ୍ତି। ଏ ବିଷୟକୁ ଆଉ ଟିକେ ଉଜାଗର କରିବାକୁ ଚାହିଁବି। ୧୯୫୧ ମସିହାରୁ ନୂଆପଡ଼ା ନିର୍ବାଚନମଣ୍ଡଳୀ ଓଡ଼ିଶା ବିଧାନସଭାକୁ ଋଦ୍ଧିମନ୍ତ କରିଆସୁଛି। ୨୦୨୪ ନିର୍ବାଚନକୁ ମିଶାଇ ଏଠାରେ ୧୮ ଥର ନିର୍ବାଚନ ହୋଇଛି। ଏଥିରୁ ୮ ଥର ଆଦିବାସୀ ନେତା ଘାସିରାମ ମାଝୀ ନିର୍ବାଚିତ ହୋଇଛନ୍ତି। ତାଙ୍କର ମୃତ୍ୟୁ ଯାଏ ବି ନୂଆପଡ଼ାବାସୀ ତାଙ୍କୁ ବିଧାୟକ ଦେଖିବାକୁ ଚାହିଁଥିଲେ। ତାଙ୍କର ମୃତ୍ୟୁ ପରେ ୧୯୯୭ରେ ପ୍ରଥମ ଉପ ନିର୍ବାଚନ ହୋଇଥିଲା ଆଉ ତା’ ପରଠୁ ଆଜିଯାଏ କୌଣସି ଆଦିବାସୀ ନେତା ନୂଆପଡ଼ାକୁ ପ୍ରତିନିଧିତ୍ୱ କରି ନାହାନ୍ତି। ଅର୍ଥାତ୍ ନୂଆପଡ଼ାର ଭୋଟର ଆଦିବାସୀଙ୍କ ଅପେକ୍ଷା ଅଣ ଆଦିବାସୀଙ୍କୁ ଅଧିକ ପସନ୍ଦ କରି ଆସିଛନ୍ତି। ସେଥିଲାଗି ଏଠାରୁ ବ୍ରାହ୍ମଣ, କରଣ, ଗୁଜରାଟୀ ସମ୍ପ୍ରଦାୟର ପ୍ରତିନିଧି ବିଧାୟକ ହୋଇଛନ୍ତି। ସର୍ବାଧିକ ୪ଥର ଜଣେ ଗୁଜରାଟୀ ବିଧାୟକ ହୋଇଛନ୍ତି ସେ ହେଉଛନ୍ତି ରାଜେନ୍ଦ୍ର ଢୋଲକିଆ। ଆଜି ତାଙ୍କ ଅବର୍ତ୍ତମାନରେ ଉପ ନିର୍ବାଚନ ହେବାକୁ ଯାଉଛି। ଆଉ ତାଙ୍କ ପୁଅଙ୍କୁ ବିଜେପି ପ୍ରାର୍ଥୀ କରିଛି।
କେବେ ଅନୁସୂଚିତ ଜାତି ବର୍ଗର କେହି ନୂଆପଡ଼ାକୁ ପ୍ରତିନଧିତ୍ୱ କରି ନାହାନ୍ତି
ଏହି ପୃଷ୍ଠଭୂମିରେ ଆଉ ଗୋଟିଏ ବିଷୟ ଅନ୍ତର୍ନିହିତ ରହିଛି। ତାହା ହେଲେ ୭୪ ବର୍ଷର ଏହି ଗଣତାନ୍ତ୍ରିକ ଯାତ୍ରାରେ କେବେ ଅନୁସୂଚିତ ଜାତି ବର୍ଗର କେହି ନୂଆପଡ଼ାକୁ ପ୍ରତିନଧିତ୍ୱ କରି ନାହାନ୍ତି। କିନ୍ତୁ ଏଠାରେ ଏହି ବର୍ଗର ଭୋଟରଙ୍କ ପରିମାଣ ପ୍ରାୟ ୧୩ ପ୍ରତିଶତ। ଆଉ ଯେତେବେଳେ ବିଜୁ ଜନତା ଦଳ ଏହି ବର୍ଗର ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନରେ ଉତ୍ତାରିଛି ଏହା ସେ ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ନାହିଁ କି?
ପୁଣି ନୂଆପଡ଼ାରେ ମହିଳା ଭୋଟରଙ୍କ ପରିମାଣ ହେଉଛି ପ୍ରାୟ ୫୦ ପ୍ରତିଶତ। ବିଜେଡିକୁ ଛାଡ଼ିଦେଲେ କେହି ମହିଳା ବା ଅନୁସୂଚିତ ଜାତି ବର୍ଗଙ୍କୁ ପ୍ରାର୍ଥୀ କରିନାହାନ୍ତି। ଅର୍ଥାତ୍ ଯେଉଁ ଅଙ୍କ ନବୀନ କସିଛନ୍ତି ସେଥିରେ ବୁଦ୍ଧି, ବିବେକ ତଥା ଜାତିଗତ ଅନୁଶୀଳନ ବି ରହିଛି।
କୁଆଡ଼େ ଯିବ ବିଭାଜିତ ଭୋଟ୍
ସ୍ନେହାଙ୍ଗୀନୀଙ୍କ ପ୍ରାର୍ଥୀତ୍ୱକୁ ସମାଲୋଚନା କରୁଥିବା ସମାଲୋଚକଙ୍କ ଯୁକ୍ତି ଅନୁସାରେ ଯେହେତୁ ସେ ଜିଲ୍ଲା ବାହାରର, ଏଣୁ ସେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଦୁର୍ବଳ। କିନ୍ତୁ ନୂଆପଡ଼ାର ଭାଷା, ସଂସ୍କୃତି ଓ ପରମ୍ପରାରେ ପୂର୍ବରୁ ଅନେକ ବାହାରି ନେତା ପରୀକ୍ଷା ଦେଇଛନ୍ତି ଓ ପାସ୍ କରିଛନ୍ତି। ବରଂ ଏଠାରେ ଜନତା ବାହାରି ନେତାଙ୍କୁ ହିଁ ପସନ୍ଦ କରନ୍ତି। କେବଳ ନୂଆପଡ଼ା ନୁହେଁ, ଅତୀତରେ ବିଜେଡି ଯେଉଁ ନିର୍ବାଚନମଣ୍ଡଳିରେ ଅନେକ ଦ୍ୱନ୍ଦ୍ୱ ଥାଏ ସେଠାରେ ବାହାରି ନେତାଙ୍କୁ ଦେଇ ଗଡ଼ ଜିତିବାରେ ସକ୍ଷମ ହୋଇ ଆସିଛି। ୨୦୨୪ ନିର୍ବାଚନରେ ଯଦିଓ ଏହା ଦେଖିବାକୁ ମିଳି ନ ଥିଲା କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡିର ୫ଟି ନିର୍ବାଚନମଣ୍ଡଳିରେ ଏପରି ପରୀକ୍ଷାନିରୀକ୍ଷା ସଫଳ ହୋଇଥିଲା। ପଟ୍ଟାଙ୍ଗୀ ସହ କୌଣସି ପୂର୍ବ ସମ୍ପର୍କ ନ ଥାଇ ପ୍ରୀତମ ପାଢ଼ୀ ଜିତିଥିଲେ। ସେହିପରି ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ମାଲକାନଗିରିରୁ ମୁକୁନ୍ଦ ସୋଦି, କେନ୍ଦ୍ରପଡ଼ାରୁ ଶଶୀଭୂଷର ବେହେରା ଏବଂ ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି ନିର୍ବାଚନ ଜଚିତିଥିଲେ।
ଦଳର ଶକ୍ତି ହିଁ ପ୍ରାର୍ଥୀଙ୍କଠାରୁ ଅଧିକ ଗୁରୁତ୍ୱ ବହନ କରିବ। ରାଜେନ୍ଦ୍ର ଢୋଲକିଆ ପୁଅ ଯେହେତୁ ବିଜେଡି ନିଜେ ଛାଡ଼ି ବିରୋଧୀଙ୍କ ଶିବିରର ପ୍ରାର୍ଥୀ ହୋଇଛନ୍ତି ବିଜେଡି ସମର୍ଥକମାନେ ତାଙ୍କୁ ଗ୍ରହଣ କରିନପାରନ୍ତି। ଏହାବାଦ୍ ବିଜେପିରେ ପୁରୁଣା ବସନ୍ତ ପଣ୍ଡାଙ୍କ ପରିବାର ଓ ତାଙ୍କ ସଂଗଠନ ଢୋଲକିଆଙ୍କୁ ପସନ୍ଦ କରିନପାରନ୍ତି। ଏ ଭୋଟ ବିଭାଜନ ବି ହୋଇପାରେ। ଯଦି ବିଭାଜିତ ଭୋଟ୍ କଂଗ୍ରେସ ନ ଯାଇ ବିଜେଡିକୁ ଆସିଲା ତେବେ ସ୍ନେହାଙ୍ଗିନୀ ୨୦୨୪ ପରାଜୟକୁ ଏକ ସାମୟିକ ବୋଲି ଧରିନେବେ।
ଉଜ୍ଜ୍ୱଳ ହେବ ବି ନବୀନଙ୍କ ବ୍ରାଣ୍ଡ
ଆପଣମାନେ ଜାଣିଛନ୍ତି ୨୦୧୯ ନିର୍ବାଚନରେ ଭିକେ ପାଣ୍ଡିଆନ୍ଙ୍କ ଆଗମନ ପ୍ରତ୍ୟକ୍ଷ ରାଜନୀତିକୁ ସ୍ପଷ୍ଟ ନ ଥିଲା। ୨୦୨୪ ନିର୍ବାଚନରେ ନବୀନଙ୍କ ଅପେକ୍ଷା ତାଙ୍କର ନିର୍ବାଚନ ପ୍ରଚାର ଜନତାଙ୍କୁ ବିତୃଷ୍ଣା ଦେଇଥିଲା। ଏବେ ସେହି ପରିସ୍ଥିତି ସୃଷ୍ଟି କରାଯାଇଛି। ବିଜେଡି ଗଡ଼ରେ ପାଣ୍ଡିଆନ୍ ଥିଲେ ବି ଆଉ ପ୍ରତ୍ୟକ୍ଷ ପରଦାକୁ ଆସୁ ନାହାନ୍ତି। ଏଣୁ ନବୀନଙ୍କ ସହ ବା ବ୍ୟତିକରେ ସେ ଯଦି ପ୍ରଚାର ମଇଦାନକୁ ନ ଓହ୍ଲାନ୍ତି ତେବେ ବିଜେଡିର ପ୍ରତିଚ୍ଛବିରେ ଆଉ କାଦୁଅ ପଡ଼ିନପାରେ। ଅର୍ଥାତ୍ ନବୀନଙ୍କ ବ୍ରାଣ୍ଡ ପୁଣିଥରେ ଉଜ୍ଜ୍ୱଳ ହୋଇପାରେ।
ଏବେ ବିଭିନ୍ନ ଜାତି, ଭାଷା, ସମ୍ପ୍ରଦାୟ, ଗୋଷ୍ଠି ଭିତ୍ତିରେ ବିଭାଜିତ ହେଉ ନଥିବା ନୂଆପଡ଼ାର ଜନତାଙ୍କ ଶକ୍ତି ଓ ମନୋଭାବ ହିଁ ବାସ୍ତବ ଆକଳନ କରିବ। ନଭେମ୍ବର ୧୧ରେ କାହାକୁ ସେମାନେ ଭୁକୁଟ ପିନ୍ଧାଇବେ ତାହା ସ୍ପଷ୍ଟ ହେବ।
Also readhttps://purvapaksa.com/worlds-most-powerful-currency/
