ଭୋଟ୍ ପାଇବା ପାଇଁ ନେତାମାନେ ମତଦାତାଙ୍କୁ ମାଗଣା ପ୍ରଲୋଭନ ଦେଖାଇବା ଏବେ ପ୍ରଥାରେ ପରିଣତ ହେଲାଣି। ଭୋଟ୍ ପାଇବାକୁ ନେତାମାନେ ଏହି ମାଗଣା ଯୋଜନା ସହିତ ଏପରି ପ୍ରତିଶ୍ରୁତି ଦେଇଛନ୍ତି ଯାହାକୁ ଶୁଶିଲେ ଲଜ୍ଜ୍ୟାରେ ମୁଣ୍ଡ ନଇଁ ଯାଉଛି। ଭୋଟ୍ ଆସିଲେ ଦେଶର ନେତାମାନଙ୍କ ମନକୁ ଆସେ; ମତଦାତାଙ୍କୁ ମନୋହର କରିବାର ନୂଆ ଉପାୟ କ’ଣ?
କେହି ଦିଅନ୍ତି ଚାଉଳ, କେହି ଦିଅନ୍ତି ବିଦ୍ୟୁତ୍, କେହି ଘୋଷଣା କରନ୍ତି ମାଗଣା ଯାତ୍ରା, କେହି ଦିଅନ୍ତି ନଗଦ ହସ୍ତାନ୍ତର। ଭୋଟ୍ ଆସିଲେ, ଭାରତୀୟ ଗଣତନ୍ତ୍ର ଏକ “ମାଗଣା ମେଳା” ରୂପେ ପରିଣତ ହୋଇଯାଏ। ଏବେ ଏହି ନେତାମାନେ ଏଭଳି ମାଗଣା କଥା କହିଛନ୍ତି ଯାହାକି ଦେଶର ସମଗ୍ର ନାରୀ ଜାତି ପ୍ରତି ଅପମାନ।
ମାଗଣା ପ୍ରଲୋଭନ – ଗଣତନ୍ତ୍ରର ନୂଆ ମାନକ
ଆଜି ରାଜନୀତିରେ ଭୋଟ୍ ପାଇବା ପାଇଁ ମାଗଣା ଯୋଜନା ଘୋଷଣା ହେବା ସାଧାରଣ ପ୍ରଥା ଓ ନେତାମାନଙ୍କ ପାଇଁ ପ୍ରତିଯୋଗୀତାରେ ପରିଣତ ହୋଇଛି।
ନେତାମାନେ ପ୍ରତିଶ୍ରୁତି ଦେଉଛନ୍ତି ମାଗଣା ଚାଉଳ, ମାଗଣା ଗ୍ୟାସ ସିଲିଣ୍ଡର, ମାଗଣା ସ୍କୁଟି, ମାଗଣା ଘର, ଏବଂ ମାଗଣା ବିଦ୍ୟୁତ୍, ନଗଦ ଟଙ୍କା।
କିନ୍ତୁ ଏହି “ମାଗଣା” ରାଜନୀତି କିପରି ଆରମ୍ଭ ହେଲା? କେବେ ଏହା ଏତେ ତଳକୁ ଖସିଲା ଯେ ନେତାମାନେ ନୀତି ଛାଡ଼ି ନିଜକୁ “ ଭୋଟ କ୍ରେତା”ଭାବେ ପରିଣତ କରିଦେଲେ? ଆଉ ମତଦାମାନେ ସଚେତନ ନାଗରିକ ହେବା ପରିବର୍ତ୍ତେ ପଣ୍ୟରେ ପରିଣତ ହୋଇଗଲେ।
ଲଜ୍ଜ୍ୟା ମହତକୁ ଭୁଲିଗଲେ ଦକ୍ଷିଣ ନେତା
ଏଆଇଏଡିଏମକେ ନେତା ଏବଂ ରାଜ୍ୟସଭା ସାଂସଦ ସି.ଭି. ଶାନମୁଗମ ଏକ ବିବାଦୀୟ ମନ୍ତବ୍ୟ ପାଇଁ ତାମିଲନାଡୁରେ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏକ ଦଳୀୟ ବୁଥ୍ କମିଟି ବୈଠକରେ ଭାଷଣ ଦେଇ ଶାନମୁଗମ କହିଛନ୍ତି ଡିଏମକେ ଭୋଟ୍ ପାଇବା ଉଦ୍ଦେଶ୍ୟରେ ମତାଦାତାମାନଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା ସ୍ତ୍ରୀ ଘୋଷଣା ମଧ୍ୟ କରିପାରନ୍ତି। କିନ୍ତୁ ଏକଥା କହିଲାବେଳକୁ ସେ ନିଜର ଗାରିମା ହରାଇବା ସହିତ ଦେଶର ସମଗ୍ର ନାରୀ ଜାତି ପ୍ରତି ଅପମାନ କରିଛନ୍ତି। ଯାହାଫଳରେ ଦେଶର ନିର୍ବାଚନୀ ରାଜନୀତି ଏବେ ସରଗରମ ହେବାରେ ଲାଗିଛି।
ଆସନ୍ତୁ ଆଲୋଚନା କରିବା ଦେଶରେ କେମିତି ଆରମ୍ଭ ହୋଇଥିଲା ମାଗଣା ଯୋଜନା। ଏହାର କିଏ ଜନକ ଥିଲେ? ସେ ସମ୍ପର୍କରେ ଆଲୋଚନା କରିବା।
୧୯୫୦ ଦଶକରେ ତାମିଲନାଡୁରେ ସାମାଜିକ ଉନ୍ନତି ପାଇଁ ଲକ୍ଷ୍ୟ ରଖି କଲ୍ୟାଣକାରୀ ନୀତି ସହିତ ଏହି ଧାରା ଆରମ୍ଭ ହୋଇଥିଲା। କୁମାରସ୍ୱାମୀ କାମରାଜ ୧୯୫୪ରେ ପୂର୍ବତନ ମାଡ୍ରାସ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା ଏବଂ ମାଗଣା ଖାଦ୍ୟ ପ୍ରଚଳନ କରିଥିଲେ।
୧୯୬୭ରେ ଡିଏମ୍.କେ. ପ୍ରତିଷ୍ଠାତା .ଏନ୍. ଆନ୍ନାଦୁରାଇ ଏହି ଧାରା ଜାରି ରଖିଥିଲେ, ଯଦି ସେମାନେ ନିର୍ବାଚନ ରଣନୀତିର ଅଂଶ ଭାବରେ ନିର୍ବାଚିତ ହେଲେ ୧ ଟଙ୍କାରେ ୪.୫ କିଲୋ ଚାଉଳ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୨୦୦୬ ନିର୍ବାଚନରେ ଡିଏମ୍.କେ ୨୦୦୬ ରାଜ୍ୟ ନିର୍ବାଚନରେ ଭୋଟରମାନଙ୍କୁ ରଙ୍ଗୀନ ଟେଲିଭିଜନ ପ୍ରଦାନ କରିବା ଧାରାକୁ ବଜାୟ ରଖିଥିଲେ।
ପ୍ରତିଯୋଗିତାମୂଳକ ମାଗଣାର ଚକ୍ରରେ ଏପରି ଏକ ଧାରା ସୃଷ୍ଟି ହୋଇଥିଲା ଯେଉଁଠାରେ ରାଜନୈତିକ ଦଳଗୁଡ଼ିକ ଗ୍ୟାସ ଚୁଲା, ନଗଦ ବଣ୍ଟନ, ଜମି ଖଣ୍ଡ, ସ୍ମାର୍ଟଫୋନ ଏବଂ ପ୍ରସୂତି ସହାୟତା ସମେତ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରି ପ୍ରତିଯୋଗିତା କରୁଥିଲେ।
୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କ “ଗରିବୀ ହଟାଓ”
ମାଗଣା ଯୋଜନାରେ କଂଗ୍ରେସ ମଧ୍ୟ ପଛରେ ନ ଥିଲା। ନିର୍ବାଚନରେ ସଫଳତା ପାଇବା ପାଇଁ ୧୯୭୦ ଦଶକ ଏବଂ ଇନ୍ଦିରା ଗାନ୍ଧୀଙ୍କ “ଗରିବୀ ହଟାଓ” ଆରମ୍ଭ ହୋଇଥିଲା। ଜାତୀୟ ସ୍ତରରେ, ଇନ୍ଦିରା ଗାନ୍ଧୀଙ୍କ “ଗରିବୀ ହଟାଓ” ସ୍ଲୋଗାନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ରାଜନୈତିକ ପ୍ରୋତ୍ସାହନ ମଧ୍ୟରେ ରେଖାକୁ ଝାପ୍ସା କରିଥିଲା। ଏହି ପଦ୍ଧତି ଦାରିଦ୍ର୍ୟ ବିରୋଧୀ ପଦକ୍ଷେପଗୁଡ଼ିକୁ ନିର୍ବାଚନ ଅଭିଯାନ ସହିତ ଯୋଡ଼ିବାର ରାଜନୈତିକ ପ୍ରଭାବଶାଳୀତା ପ୍ରଦର୍ଶନ କରିଥିଲା।
୧୯୭୦ ଦଶକ ପରେ ତାମିଲନାଡୁରେ ଏହି ଯୋଜନାର ସମ୍ପ୍ରସାରଣ
ତାମିଲନାଡୁର ପରବର୍ତ୍ତୀ ନେତାମାନେ, ଯେପରିକି ଏମ୍. ଜି. ରାମଚନ୍ଦ୍ରନ୍ (ଏମଜିଆର୍), ଅତ୍ୟାବଶ୍ୟକ କଲ୍ୟାଣ ବ୍ୟତୀତ ମାଗଣାର ପରିସରକୁ ବିସ୍ତାର କରିଥିଲେ। ଏମଜିଆର୍ ମଧ୍ୟାହ୍ନ ଭୋଜନ ଯୋଜନାକୁ ଆହୁରି ଲୋକପ୍ରିୟ କରିଥିଲେ ଏବଂ ଅନ୍ୟ ଦ୍ରାବିଡ଼ ଦଳମାନଙ୍କ ସହିତ, ସେମାନଙ୍କ ଘୋଷଣାପତ୍ରରେ ଟେଲିଭିଜନ, ମିକ୍ସର ଏବଂ ଗ୍ରାଇଣ୍ଡର ଭଳି ଉପଭୋକ୍ତା ସାମଗ୍ରୀ ପ୍ରଦାନ କରିବା ଆରମ୍ଭ କରିଥିଲେ।
ଅନ୍ୟ ରାଜ୍ୟକୁ ବ୍ୟାପିଲା ଏହି ମାଗଣା ରୋଗ
ସମୟ ସହିତ, ମାଗଣା ଉପହାର ପ୍ରଦାନ କରିବାର ଅଭ୍ୟାସ ଅନ୍ୟ ରାଜ୍ୟକୁ ବ୍ୟାପିଗଲା, ଆଞ୍ଚଳିକ ଦଳଗୁଡ଼ିକ ଭୋଟରମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ପ୍ରତିଶ୍ରୁତି ଦେଲେ। ଉଦାହରଣଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ:-
- ଓଡ଼ିଶାରେ ସବସିଡି ଚାଉଳ, ସୁଭଦ୍ରା ଟଙ୍କା
- ବିହାରରେ ସ୍କୁଲ ଛାତ୍ରୀମାନଙ୍କ ପାଇଁ ମାଗଣା ସାଇକେଲ
- ଦିଲ୍ଲୀରେ ଆମ ଆଦମୀ ପାର୍ଟି ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ମାଗଣା ବିଦ୍ୟୁତ୍ ଏବଂ ପାଣି, ଯାହା ୨୦୧୫ ବିଜୟ ପରେ ସଫଳତାର ସହିତ କାର୍ଯ୍ୟକାରୀ ହୋଇଥିଲା
ବର୍ତ୍ତମାନର ବିତର୍କ ଏବଂ ଚିନ୍ତା
ଏହି ଅଭ୍ୟାସ ଭାରତୀୟ ନିର୍ବାଚନ ରାଜନୀତିର ଏକ ମୁଖ୍ୟ ବୈଶିଷ୍ଟ୍ୟ ହୋଇ ରହିଛି, ଯାହା ଜାରି ରହିଥିବା ବିତର୍କକୁ ଜନ୍ମ ଦେଉଛି।
ସୁପ୍ରିମକୋର୍ଟ ସମେତ ସମାଲୋଚକମାନେ ଚିନ୍ତା ପ୍ରକାଶ କରିଛନ୍ତି ଯେ ବ୍ୟାପକ, ଅସ୍ଥାୟୀ ମାଗଣା ଉପହାର ପ୍ରତିଶ୍ରୁତି ସାଧାରଣ ଆର୍ଥିକ ଚାପ ପକାଇପାରେ, ଦୀର୍ଘକାଳୀନ ବିକାଶକୁ ବାଧା ଦେଇପାରେ ଏବଂ ଏକ ନିର୍ଭରଶୀଳତା ସଂସ୍କୃତି ସୃଷ୍ଟି କରିପାରେ।
ତେଣୁ ସୁପ୍ରିମକୋର୍ଟ “ଅଯୌକ୍ତିକ ମାଗଣା ଉପହାର” ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଭାରତୀୟ ନିର୍ବାଚନ କମିଶନ (ECI) ଠାରୁ ହସ୍ତକ୍ଷେପ ଲୋଡ଼ିଛି। ଭାରତୀୟ ନିର୍ବାଚନ କମିଶନ, ପରିବର୍ତ୍ତନରେ, ଆଦର୍ଶ ଆଚରଣ ସଂହିତା ଅନୁଯାୟୀ ନିର୍ଦ୍ଦେଶାବଳୀ ଜାରି କରିଛି, ଦଳଗୁଡ଼ିକୁ ସେମାନଙ୍କର ପ୍ରତିଶ୍ରୁତି ଦିଆଯାଇଥିବା ମାଗଣା ଉପହାର ପାଇଁ ଯଥାର୍ଥତା ପ୍ରଦାନ କରିବାକୁ ଅନୁରୋଧ କରିଛି।
ନେତା ଓ ମତଦାତା – ଏକ ନୂଆ ଚକ୍ର
ଆଜି ରାଜନୀତି ଓ ମତଦାତାଙ୍କ ସମ୍ପର୍କ ଏକ “ବୁଝାମଣା”ରେ ପରିଣତ ହୋଇଛି; ତାହା ହେଲା ନେତା ଦେଉଛନ୍ତି ମାଗଣା ଜିନିଷ, ମତଦାତା ଦେଉଛନ୍ତି ଭୋଟ।
ନୀତି, ଦାୟିତ୍ୱ, ଦେଶପ୍ରେମ ଓ ବିକାଶ – ଏହି ସବୁ ଶବ୍ଦ ଏବେ ପଛକୁ ହଟିଯାଉଛି। ସମାଜରେ ଏକ ନୂଆ ସଂସ୍କୃତି ଜନ୍ମ ନେଉଛି – “ସୁବିଧା ଅଧିକ, ଉତ୍ତରଦାୟୀ କମ।’’
ସାମାଜିକ ପରିଣାମ – ନିର୍ଭରଶୀଳତାର ଜାଲ
ମାଗଣା ଯୋଜନା ଆରମ୍ଭରେ ଏହା ଲାଗେ ଯୋଜନାଟି ଲୋକ କଲ୍ୟାଣକାରୀ, କିନ୍ତୁ ଦୀର୍ଘକାଳରେ ଏହା ମଣିଷଙ୍କ ମଧ୍ୟରେ ଆତ୍ମନିର୍ଭରତାକୁ ନଷ୍ଟ କରୁଛି। “ମାଗଣା ମିଳିବ” ମନୋଭାବ ଦେଶର ଯୁବପିଢ଼ୀକୁ କାମ କରିବା ମନୋବଳ ହ୍ରାସ କରୁଛି।
ଏପରି ପରିସ୍ଥିତି ରାଜନୀତିକ ନେତାଙ୍କୁ ଦାୟିତ୍ୱହୀନ ଏବଂ ମତଦାତାଙ୍କୁ ନିର୍ଭରଶୀଳ କରୁଛି- ଯେଉଁଠି ଦୁହେଁ ତଳକୁ ଖସୁଛନ୍ତି।
ମାଗଣାରେ ଲୁଚି ରହିଛି ରାଜନୀତିକ ଚତୁରତା
ପ୍ରତ୍ୟେକ ମାଗଣା ଘୋଷଣାର ମୂଳରେ ରହିଛି ରାଜନୀତିକ ହିସାବ। ମାଗଣା ବିଦ୍ୟୁତ୍ମାନେ ହେଲା “ସରକାରୀ ଚାପ”, ମାଗଣା ଚାଉଳ ମାନେ “ସାମାଜିକ ସନ୍ତୋଷ”, ମାଗଣା ଟିଭି ମାନେ “ପ୍ରଚାର ମାଧ୍ୟମ”।
ନେତା ଯେତେ ଦେଉଛନ୍ତି, ତାହାର ଗୁପ୍ତ ମୂଲ୍ୟ ସେ ଭୋଟ ଆକାରରେ ଫେରାଇ ନେଉଛନ୍ତି। ଯାହାକି ମତଦାତାମାନେ ଚିନ୍ତା କରିପାରୁନାହାନ୍ତି।
ମାଗଣା ଯୋଜନା ସୁବିଧା ନ ହେଉ; ସମ୍ଭାବନା ହେଉ
ସରକାର ଯଦି ମାଗଣା ଦେବାକୁ ଚାହୁଁଛି, ତେବେ ତାହା “ସୁବିଧା” ନୁହେଁ, “ସମ୍ଭାବନା” ହେବା ଉଚିତ।
ମାଗଣା ଶିକ୍ଷା, ମାଗଣା ଚିକିତ୍ସା- ଏହା ହେଉଛି ଅଧିକାର। କିନ୍ତୁ ସରକାର ମତଦାତାଙ୍କ ମୁହଁକୁ ମାଗଣା ଯୋଜନାରେ ବନ୍ଦ କରି ଏହି ଦୁଇଟି କ୍ଷେତ୍ରକୁ ସରକାର ଅଣଦେଖା କରିବା ସହ ଘରୋଇ ସଂସ୍ଥାଗୁଡ଼ିକୁ ଟେକି ଦେଇଛନ୍ତି। ଯାହା ଫଳରେ ବିଚରା ମତଦାତାମାନେ ଏହି ମୌଳିକ ସେବାରୁ ବଞ୍ଚିତ ହୋଇ କେବଳ ମାଗଣା ପଛରେ ଦୌଡ଼ିବାରେ ଲାଗିଛନ୍ତି।
କିନ୍ତୁ ମାଗଣା ମୋବାଇଲ୍, ଟିଭି, ନଗଦ ହସ୍ତାନ୍ତର – ଏହା ହେଉଛି ଆଶ୍ରୟବାଦ। ଦେଶ ଆଗକୁ ବଢ଼ିବା ପାଇଁ ଆବଶ୍ୟକ- ସମର୍ଥ ନାଗରିକ, ନୁହେଁ ନିର୍ଭର ଭୋଟର।
ଗଣତନ୍ତ୍ରର ମୂଳ ଚିନ୍ତା
ଭୋଟ୍ ରାଜନୀତି ଯେତେବେଳେ “ମାଗଣା”ରେ ଅଟକିଯାଏ, ସେତେବେଳେ ଗଣତନ୍ତ୍ର ଦିଗଭ୍ରାନ୍ତ ହୋଇପଡ଼େ। ନେତାମାନେ ଦେଶର ଭବିଷ୍ୟତ ଭୁଲି ନିଜ ସିଂହାସନ ସୁରକ୍ଷିତ କରିବାରେ ଲାଗିଛନ୍ତି। କିନ୍ତୁ ବିଚରା ମତଦାତା ଭକୁଆ।
Also readhttps://purvapaksa.com/gujarat-reshuffle-harsh-sanghavi-is-deputy-chief-minister/
