ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିମାସରେ ଆଇଏଏସ, ଆଇପିଏସ, ଓଏଏସ, ଓପିଏସ ଅଫିସରମାନଙ୍କ ବଦଳି କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସରକାରରେ ପାଣ୍ଡିଆନଙ୍କ ଅମଳରୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗାଦିମାଡ଼ି ବସିଥିବା ଅଫିସରମାନଙ୍କ ଦେହରେ ମୋହନ ସରକାର ହାତ ମାରିବାକୁ ସାହାସ ପାଇପାରୁନାହିଁ। ଏପରିକି ପାଣ୍ଡିଆନଙ୍କ ଅମଳରେ ବିଭିନ୍ନ କେଲଙ୍କାରୀରେ ସାମିଲ ଥିବା ଅଫିସରମାନଙ୍କୁ ଅବସର ପରେ ସେମାନଙ୍କୁ ଥଇଥାନ କରିଥିବା ଖବର ପ୍ରକାଶ ପାଇଛି। ଯାହାର ପରଣତି ଏବେ ମୋହନ ସରକାର ଭୋଗୁଛନ୍ତି। ଏହିଭଳି ଅଫିସରମାନଙ୍କର ଆନୁଗତ୍ୟତା ଏବେବି ବିଜେପି ସରକାର ପରିବର୍ତ୍ତେ ପାଣ୍ଡିଆନଙ୍କ ପ୍ରତି ରହିଛି। ଯାହାର ସୂଚନା ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ଘଟଣାରେ ଦେଖିବାକୁ ମିଳିଥିଲା।
ବାଘ ମୁହଁରେ ମଣିଷ ମାଂସ ଲାଗିଲେ ଯେପରି ସେ ଏହାକୁ ଭୁଲି ପାରେ ନାହିଁ ସେହିପରି ଏହି ପାଣ୍ଡିଆନ ମାର୍କା ଦୁର୍ନୀତିଖୋର ଅଫିସରମାନେ ସରକାର ବଦଳିଥିଲେ ବି ନିଜର ପୁରୁଣା ଅଭ୍ୟାସକୁ ଛାଡ଼ିପାରୁ ନାହାନ୍ତି। ଯାହାର ପରିଣତି ହେଉଛି ରାଜ୍ୟରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲ ହେବା ଘଟଣା ଘଟୁଛି। ଏହି ଘଟଣା ପରେ ପ୍ରଭାବଶାଳୀ ଦୁର୍ନୀତିଖୋର ଅଫିସରମାନେ ଆରାମରେ ବୁଲୁଥିବାବେଳେ ଏହାର କୁପରିଣାମ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୋଗିବା ସହିତ ଅପବାଦ ମୁଣ୍ଡାଇବାକୁ ପଡ଼ୁଛି।
ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ ଗତ ୧୫ମାସ ମଧ୍ୟରେ ୧୬ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ ହୋଇଛି। ବିଜେଡି କହିଛି ୨୦ ଜୁଲାଇ, ୨୦୨୫ରେ ପେପର ଲିକ୍ ପରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ପୂର୍ବରୁ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି-୨୦୨୫ ଆରମ୍ଭ ହେବାର କିଛିଘଣ୍ଟା ପୂର୍ବରୁ ବାତିଲ କରାଯାଇଥିଲା, କିନ୍ତୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଜୁଲାଇ ୩୦-୩୧ ତାରିଖରେ ଏହାର ମିଳିତ ନିଯୁକ୍ତି ପରୀକ୍ଷା (ଆରଆଇ, ଏ ଆରଆଇ, ଅମିନ୍, ଆଇସିଡିଏସ ସୁପରଭାଇଜର, ଏସଏଫଏସ ପାଇଁ) ବାତିଲ କରିଥିଲା। ପ୍ରାଥମିକ ପ୍ରକ୍ରିୟାରେ ଅନିୟମିତତା ଦର୍ଶାଇ ଏହା ଅଗଷ୍ଟ ୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସ୍ଥିର କରାଯାଇଥିଲା।
ଅଗଷ୍ଟ ୨୨ ତାରିଖରେ ପୁନଃନିର୍ଦ୍ଧାରିତ ସ୍ୱତନ୍ତ୍ର ଓଟିଇଟି -୨୦୨୫ ମଧ୍ୟ ପୁଣିଥରେ ସ୍ଥଗିତ କରାଯାଇଥିଲା, ମାଧ୍ୟମିକ ଶିକ୍ଷା ବୋର୍ଡ “ଅପରିହାର୍ଯ୍ୟ ପରିସ୍ଥିତି” ଦର୍ଶାଇ ଆଶାୟୀମାନଙ୍କୁ ହତାଶ୍ କରିଥିଲା। ଏପରି ବାରମ୍ବାର ବାଧା ଓଡ଼ିଶାର ନିଯୁକ୍ତି ବ୍ୟବସ୍ଥାରେ ଏକ ଚିନ୍ତାଜନକ ଢାଞ୍ଚାକୁ ପ୍ରକାଶ କରେ, ଯାହା ବିଶ୍ୱାସକୁ କ୍ଷୁର୍ଣ୍ଣ କରେ ଏବଂ ରାଜ୍ୟ ସାରା ଲକ୍ଷ ଲକ୍ଷ ଚାକିରି ପ୍ରତ୍ୟାଶୀଙ୍କୁ ପ୍ରଭାବିତ କରେ ବୋଲି ବିଜେଡି ଅଭିଯୋଗ କରିଛି।
କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ବିଜେପି ସରକାରକୁ ପ୍ରଶ୍ନପତ୍ର ଲିକ୍ ମାମଲାରେ ଘେରିବା ପୂର୍ବରୁ ନିଜର ଅତୀତ ସମ୍ପର୍କରେ ମନେରଖିବା ଦରକାର। କାରଣ ବିଜେଡି ଶାସନ କାଳରେ ୧୨ରୁ ଅଧିକ ଥର ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଲିକ୍ ପଛରେ ବିଜେଡି ନେତାମାନଙ୍କର ହାତ ଥିବା ନିଜେ ବିଜେଡି ସରକାର ଅନୁଭବ କରି ସେମାନଙ୍କୁ ଗିରଫ ମଧ୍ୟ କରିଥିଲା।
ପୁଲିସ୍ ସବ୍ ଇନ୍ସିପେକ୍ଟର ଲିଖିତ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ ଏବେ ସାରାରାଜ୍ୟରେ ବିଜେପି ସରକାରଙ୍କୁ ସମାଲୋଚନା କରାଯାଉଛି। ରାଜନୈତିକ ଫାଇଦା ପାଇଁ ବିଜେପି ସରକାରକୁ ସମାଲୋଚନା କରିବାରେ ବିଜେଡି ସବୁଠାରୁ ଆଗରେ ରହିଛି। କିନ୍ତୁ ବିଜେଡି ଶାସନ କାଳରେ ୨୦୧୧ରୁ ୨୦୨୪ ଫେବୃଆରୀ ମାସ ମଧ୍ୟରେ ୧୨ଥର ପ୍ରଶ୍ନପତ୍ର ଲିକ୍ ହୋଇଛି।
ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ଭାଙ୍ଗିଲା ପରେ ୨୦୧୧ରେ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଯାହାଫଳରେ ନିୟୁଟନ କଲେଜର ଛାତ୍ରଛାତ୍ରମାନେ ଟପ୍ ୪ଟି ସ୍ଥାନ ଅଧିକାର କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ବିଜେଡି ସରକାର ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। ସେହି ବର୍ଷ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ପ୍ରଶ୍ନପତ୍ର ମଧ୍ୟ ଲିକ୍ ହୋଇଥିଲା।
ଏହାପରେ ୨୦୧୨ ମାର୍ଚ୍ଚ ୨୧ ତାରିଖରେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ବାଜପୁର ଗ୍ରାମରେ ଥିବା ଭଗବତୀ ବିଦ୍ୟାପୀଠରୁ ମାଟ୍ରିକ୍ ବୋର୍ଡ ପରୀକ୍ଷା ପାଇଁ ଥିବା ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଚୋରୀ ହୋଇଯିବାରୁ ପରୀକ୍ଷା ବାତିଲ ହୋଇଥିଲା। ଏହି ମାମଲାରେ ସରକାର ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରି ଚୁପ୍ ହୋଇଯାଇଥିଲେ।
୨୦୧୧ରେ ଲିକ୍ ହୋଇଥିବା ପ୍ରଶ୍ନପତ୍ରରୁ ଲିକ୍ ମାମଲାରୁ ବିପିୟୁଟି କର୍ତ୍ତୃପକ୍ଷ କିଛି ଶିଖିପାରିଲେ ନାହିଁ। ତେଣୁ ୨୦୧୩ ଜାନୁଆରୀ ମାସରେ ପୁଣିଥରେ ବି. ଟେକ୍ ୫ମ ସେମିଷ୍ଟାରର ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଘଟଣାରେ ଏୟାରଫିଲ୍ଡ ଥାନାରେ ଏତଲା ପର୍ଯ୍ୟନ୍ତ ସରକାରଙ୍କ କାର୍ଯ୍ୟାନଷ୍ଠାନ ସୀମିତ ଥିଲା। ଏହାପରେ ସେହିବର୍ଷ ୨୦୧୩ ମାର୍ଚ୍ଚ ମାସରେ ଯୁକ୍ତ ଦୁଇର ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ଳିକ୍ ହୋଇଥିଲା। ଯାହାଫଳରେ ରାଜ୍ୟର ୫୦ହଜାର ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ର ଅସୁବିଧାର ସମ୍ମୁଖୀନ ହୋଇଥିଲେ।
୨୦୧୪ ଫେବୃୟାରୀ ୧୬ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାୟର ହୋଇଥିବା ଏମବିଏ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ଛାତ୍ରଛାତ୍ରମାନେ ଫେବୃୟାରୀ ୧୫ ତାରିଖରେ ରାଜ୍ୟପାଳ ତଥା କୁଳପତିଙ୍କୁ ଇ-ମେଲ ମାଧ୍ୟମରେ ଏହି ଲିକ୍ ହୋଇଥିବା ପ୍ରଶ୍ନପତ୍ର ପଠାଇଥିଲେ। ଏହି ଘଟଣାରେ ବିଜେଡି ସରକାର ପିଜି କାଉସିଲର ଅଧ୍ୟକ୍ଷ ଥିବା ପ୍ରଫେସର ଏ.କେ ପାଣିଗ୍ରାହୀଙ୍କୁ ପଦଚ୍ୟୁତ କରି ମାମଲାକୁ ଚପାଇ ଦେଇଥିଲେ।
୨୦୧୪ ଡିସେମ୍ବର ୭ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଗଜପତି ଜିଲ୍ଲାରେ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସରକାର ଏହାକୁ ଏକ ଗୁଜବ କହି ମାମଲାକୁ ଟାଳି ଦେଇଥିଲେ।
୨୦୧୫ ମାର୍ଚ୍ଚ ୧୫ ତାରିଖରେ ହୋଇଥିବା କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଡିଜିପି ସଞ୍ଜିବ ମାରିକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତର ଫଳାଫଳ କ’ଣ ହେଲା ତାହା ଏର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣାରେ ସେତେବେଳେ ବିଜେଡିର କର୍ମୀ ବୋଲାଉଥିବା ଶଙ୍କର ପୃଷ୍ଟି ସାମିଲ ଥିବା ଅଭିଯୋଗ ହୋଇଥିଲା।
୨୦୧୮ ଫେବୃୟାରୀ ୨୨ ତାରିଖରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର କେନ୍ଦ୍ରାପଡ଼ାର ଆଳି ଅଞ୍ଚଳରେ ହ୍ୱାଟ୍ସ ଆପରେ ଘୁରିବୁଲିଥିଲା। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଏହାକୁ ମିଥ୍ୟା ଅଭିଯୋଗ କହି ଏଡ଼ାଇ ଯାଇଥିଲେ।
ଏହାପରେ ପରବର୍ତ୍ତୀ ବର୍ଷ ୨୦୧୯ରେ ମଧ୍ୟ ଦଶମ ବୋର୍ଡ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ନୂଆପଡ଼ା ଓ ଢେଙ୍କାନାଳ ଜିଲ୍ଲାରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହି ଘଟଣାକୁ ଗୁରତର ସହିତ ବିଚାର କରିବା ପରିବର୍ତ୍ତେ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ମିଛ ବୋଲି କହି ଏଡ଼ାଇ ଯାଇଥିଲେ।
୨୦୨୩ ଜୁଲାଇ ମାସରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ପକ୍ଷରୁ ସିଭିଲ ଜୁନିୟର ଇଞ୍ଜିନିୟର ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ପୂର୍ବରୁ ଜୁଲାଇ ୧୫ ରାତି ଓ ୧୬ ତାରିଖ ସକାଳୁ ପ୍ରଶ୍ନପତ୍ର ପରୀକ୍ଷାର୍ଥୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ଏହି ଘଟଣାରେ ବାଲେଶ୍ୱରର ସହଦେବ ଖୁଣ୍ଟା ଅଞ୍ଚଳରୁ ୮ଜଣଙ୍କୁ ଗରିଫ କରାଯାଇଥିବା ତତ୍କାଳୀନ ଏସପି ସାଗରିକା ନାଥ ସୂଚନା ଦେଇଥିଲେ । ଏହି ମାମଲାରେ ବିଜେଡି ନେତା ତଥା ବଣିକ କୋଚିଂ ସେଣ୍ଟରର ମାଲିକ ସୁବ୍ରତ ଛାଟୋଇ ସାମିଲ ଥିବା ଚର୍ଚ୍ଚା ହୋଇଥିଲା।
୨୦୨୪ ଫେବୃୟାରୀ ମାସରେ ହୋଇଥିବା ମାଟ୍ରିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର କେନ୍ଦୁଝର ଓ ମୟୁଭଞ୍ଜ ଜିଲ୍ଲାରେ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ବୋର୍ଡର ସଭାପତି ନିସହାର ରଞ୍ଜନ ମହାନ୍ତି ଏ ସମ୍ପର୍କରେ କୌଣସି ଅଭିଯୋଗ ପାଇନଥିବା କହିଥିଲେ।
ଏଭଳି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ବିଜେଡି ନେତାମାନେ ମୋହନ ସରକାରଙ୍କୁ ସମାଲୋଚନା କରିବା କେତେଦୂର ସମିଚୀନ ତାହା ବିଚାର କରିବା କଥା। ଆଉ ବଡ଼ କଥା ହେଉଛି ମୋହନ ସରକାର ବିଜେଡି ସରକାର ତଥା ପାଣ୍ଡିଆନଙ୍କ ପାପ ପେଡ଼ିକୁ ଆଉ କେତେଦିନ ବୋହି ଚାଲିବେ ନା ଏଥିରୁ ମୁକ୍ତି ପାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପାଇଁ ପ୍ରଶ୍ନପତ୍ର ମାମଲାକୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେ। କାରଣ ପୁଲିସ ବିଭାଗର ଉଚ୍ଚ ଅଧିକାରୀମାନେ ଏଥିରେ ସାମିଲ ଥିବାର ଅଭିଯୋଗ ହେଉଥିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କ ନିକଟରେ ପହଞ୍ଚି ପାରିବ ବୋଲି ଆଶା କରାଯାଇନପାରେ।
Also readhttps://purvapaksa.com/bjd-splits-in-west-odisha-over-sujata/
BJD splits in West Odisha over Sujata II ସୁଜାତାଙ୍କୁ ନେଇ ପଶ୍ଚିମ ଓଡ଼ିଶାରେ ବିଜେଡି ଦୁଇଫାଳ
