ଓଡ଼ିଶା ରାଜନୀତିରେ ରାଜାଘରର ପ୍ରଭାବ ଅନେକ ଦିନରୁ ରହି ଆସିଛି। ଏବେବି ଏହା ରହିଛି। ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ରାଜ ପରିବାରର ସଦସ୍ୟମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ସାଧାରଣ ଲୋକଙ୍କ ପ୍ରତିନିଧି ହୋଇଛନ୍ତି। ଗଣତନ୍ତ୍ରର ସାରଥି ହୋଇ ଆଧୁନିକ ଓଡ଼ିଶା ଗଠନରେ ନିଜର ଗୁରୁତ୍ୱ ବଢ଼ାଇଛନ୍ତି। ଏପରିକି ଏମିତି ଜଣେ ରାଜପରିବାରର ସଦସ୍ୟ ତଥା ବଲାଙ୍ଗୀରର ପୂର୍ବତନ ମହାରାଜା ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ହୋଇଥିଲେ। ଏଣୁ ରାଜ୍ୟରେ ରାଜ ପରିବାର ସହ ଲୋକଙ୍କ ଭାବାବେଗ ସଂଯୋଗକୁ ଏଡ଼ାଇ ଦିଆଯାଇନପାରେ। ଏହାର ଫାଇଦାକୁ ନିଜର ପକ୍ଷଭୁକ୍ତ କରିବା ପାଇଁ ପ୍ରତିଟି ରାଜନୀତିକ ଦଳ ସେମାନଙ୍କୁ ଟିକଟ ମଧ୍ୟ ଦେଇଥାଆନ୍ତି। ଗତ ନିର୍ବାଚନରେ ୧୨ଟି ରାଜ ପରିବାର ସଦସ୍ୟଙ୍କୁ ବିଭିନ୍ନ ଦଳ ଟିକଟ ଦେଇଥିଲେ। ସେଥିରୁ ୮ଟି ଟିକଟ ବିଜେଡିର ଥିଲା। ହେଲେ ନିର୍ବାଚନ ପରବର୍ତ୍ତୀ ସମୟରେ ସେମାନଙ୍କୁ ବିଜେଡି କୋଣଠେସା କରିଛି। ଅର୍ଥାତ୍ ବିଜେଡି ନିଜ ସଂଗଠନ ପାଇଁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଉ ଗ୍ରହଣ କରୁନାହିଁ।
ସ୍ୱତନ୍ତ୍ର ଓଡ଼ିଶା ଗଠନ ଏବଂ ରାଜ୍ୟରେ ଗଣତନ୍ତ୍ରକୁ ଶାଣିତ ରୂପ ଦେବାରେ ରାଜ୍ୟର ରାଜା ମହାରାଜାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି। ରାଜ ପରିବାର ପ୍ରତି ଥିବା ଲୋକଙ୍କ ଭଲ ପାଇବା ଏବଂ ଭାବାବେଗ ତାଙ୍କୁ ବିଧାୟକ ଓ ସାଂସଦଭାବେ ନିର୍ବାଚିତ କରାଇଛି। ଏପରିକି ବଲାଙ୍ଗୀରର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀଭାବେ ଗାଦିସୀନ କରିଛନ୍ତି ଓଡ଼ିଶାବାସୀ। ଗଣତନ୍ତ୍ର ଯେତିକି ମଜଭୁତ ହୋଇଛି ରାଜ ପରିବାରର ସଦସ୍ୟମାନେ ମଧ୍ୟ ନିଜର ସତ୍ତା ରଖିବାକୁ ସେତିକି ଲୋକାଭିମୁଖୀ ହୋଇଛନ୍ତି ଆଉ ବିଭିନ୍ନ ରାଜନୀତିକ ଦଳର ସଦସ୍ୟ ହୋଇ ଭୋଟ୍ ଗୋଟାଇଛନ୍ତି।
ଗତ ନିର୍ବାଚନରେ ମଧ୍ୟ ରାଜ ପରିବାର ସଦସ୍ୟଙ୍କୁ ଖୋଜି ଖୋଜି ବିଭିନ୍ନ ଦଳ ଟିକଟ ବାଣ୍ଟିଥିଲେ। ସେଥିପାଇଁ ୨୦୨୪ ନିର୍ବାଚନରେ ୧୨ ରାଜା, ରାଣୀ ବା ରାଜ ପରିବାର ସଦସ୍ୟଙ୍କୁ ବିଭିନ୍ନ ଦଳ ପକ୍ଷରୁ ଟିକଟ ବଣ୍ଟା ଯାଇଥିଲା। ସେଥିରୁ ବିଜେଡିର ସର୍ବାଧିକ ସଂଖ୍ୟା ୮ ଥିଲା। ଏମାନଙ୍କ ଭିତରୁ କିଏ ଜିତିଲା କିଏ ହାରିଲା ତାହା ଭିନ୍ନ କଥା କିନ୍ତୁ ନିର୍ବାଚନ ସରିଲା ପରେ ଏ ରଜା, ରାଣୀ, ରାଜପୁତ୍ର ବା ରାଜକନ୍ୟାଙ୍କ ଭିତରୁ ଅନେକ ନିଖୋଜ ହୋଇଯାଇଛନ୍ତି। ବିଜେଡିର ସାଂଗଠନିକ ତାଲିକାକୁ ଦେଖିଲେ ତାହା ସ୍ପଷ୍ଟ ହେଉଛି। କେଉଁଠି ଦଳ ତାଙ୍କୁ ଦୂରେଇ ଦେଇଛି ତ ଆଉ କେଉଁଠି ଦଳଠାରୁ ନିଜକୁ ଏହି ନେତାମାନେ ଦୂରେଇ ନେଇଛନ୍ତି। ଏମିତି ତାଲିକାରେ ରହିଛନ୍ତି ମୟୁରଭଞ୍ଜ, ଦେବଗଡ଼, ଧରାକୋଟ, ଚିକିଟି, ଧର୍ମଗଡ଼, ଆଳି ଭଳି ପ୍ରଭାବଶାଳୀ ସଦସ୍ୟ। ଯେଉଁମାନେ ଦିନେ ବିଜେଡିର ପରିଚୟ ସାଜିଥିଲେ ସେମାନେ ଏବେ ବିଜେଡି ଅଫିସକୁ ଯିବା ପାଇଁ ବି ପଦବୀଟିଏ ଧାରଣ କରିବାକୁ ଅକ୍ଷମ ହୋଇଛନ୍ତି।
ପ୍ରଥମେ ମୟୁରଭଞ୍ଜ କଥା। ଏକଦା ଏହି ପରିବାରର ସଦସ୍ୟ ପ୍ରବୀଣ ଭଞ୍ଜଦେଓଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସୀମା ନିର୍ଦ୍ଧାରଣ ପରେ ତାଙ୍କୁ ମୋରଡ଼ାରୁ ଟିକଟ ଦେଇଥିଲା ବିଜେଡି। ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସେ ବିଜୟଲାଭ କରିଥିଲା। କିନ୍ତୁ ୨୦୧୯ ପରେ ତାଙ୍କର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିଲା ନାହିଁ। ତାଙ୍କୁ ଟିକଟ ଦେଲା ନାହିଁ ଦଳ। ଏପରିକି ତାଙ୍କ ପରିବାରରୁ କାହାକୁ ମଧ୍ୟ ଦଳରେ ଆଉ ସ୍ଥାନ ମିଳିଲା ନାହିଁ। ସେ ଦୂରେଇଲେ ନା ତାଙ୍କୁ ଦୂର କରିଦିଆଗଲା ତାହା ଏବେ ବି ପ୍ରଶ୍ନବାଚୀ ଭିତରେ ରହିଛି।
ଦ୍ୱିତୀୟରେ ଆଳି ନିର୍ବାଚନ ମଣ୍ଡଳୀ କଥା। ଏହି ନିର୍ବାଚନମଣ୍ଡଳୀରେ ଆଳି ରାଜପରିବାରର ଗୁରୁତ୍ୱ ରହି ଆସିଛି। ଏବେବି ଏହି ଆସନରୁ ପ୍ରତାପ ଦେବ ସଦସ୍ୟ ରହିଛନ୍ତି। ସମୟ ଏମିତି ଥିଲା ଯେ, ପ୍ରତାପ ଦେବ ଦଳର ପ୍ରତିଟି କାର୍ଯ୍ୟକ୍ରମରେ ଆଗୁଆ ଦିଶୁଥିଲେ। ହେଲେ ଏବେ ଦଳର ନବ ଘୋଷିତ କାର୍ଯ୍ୟକାରୀ କମିଟି ହେଉ ବା ରାଜନୀତିକ ବ୍ୟାପାର କମିଟିରେ ତାଙ୍କୁ ସ୍ଥାନୀତ କରାଯାଇନାହିଁ।
ଦେବଗଡ଼ ବା ବାମଣ୍ଡାରେ ରାଜ ପରିବାର ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲା ବିଜେଡି। ବାମଣ୍ଡା ରାଜା ନିତେଶ ଗଙ୍ଗଦେବ ବିଜେପିର ଟିକଟରୁ ସମ୍ବଲପୁର ସାଂସଦ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୨୪ ନିର୍ବାଚନରେ ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଜେଡିକୁ ଆଣିଥିଲା ଦଳ। ଖାଲି ସେତିକି ନୁହେଁ ତାଙ୍କୁ ଟିକଟ ବି ଦେଇଥିଲା। ହେଲେ କିଛି ସମୟ ପରେ ତାଙ୍କୁ ପୁଣି ସେଥିରୁ ବଞ୍ଚିତ କରାଯାଇଥିଲା। ଏବେ ଅରୁନ୍ଧତୀଙ୍କ ଠିକଣା ବିଜେଡିରେ କେଉଁଠି ତାହା ତାଙ୍କୁ ବି ଜଣାନଥିବ।
ପଶ୍ଚିମାଞ୍ଚଳରେ ଅନ୍ୟତମ ପ୍ରତିଷ୍ଠିତ ରାଜ ପରିବାର ସଦସ୍ୟ ହେଉଛନ୍ତି ପୁଷ୍ପେନ୍ଦ୍ର ସିଂହ ଦେଓ। ତାଙ୍କୁ ରାଜ୍ୟରେ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା। କିନ୍ତୁ ତାଙ୍କ ସ୍ଥିତି ଦଳରେ ଏବେ କ’ଣ ତାହା କହିବା ମୁସ୍କିଲ।
ସେହି ବଲାଙ୍ଗୀର ରାଜପରିବାରର ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓଙ୍କ ସେଲ ଓ ତାଙ୍କ ପୁତ୍ର କଳିକେଶଙ୍କୁ ରାଜ୍ୟ କମିଟିରେ ସ୍ଥାନ ଦେଇ ଚୁପ୍ କରିବାକୁ ଚେଷ୍ଠା କରିଛନ୍ତି।
ଅନୁଗୁଳ ରାଜପରିବାର ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହଙ୍କୁ ଦଳ ସମ୍ମାନ ଦେବାକୁ ଯାଇ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇଥିଲା। ସେ ହାରିଲେ ସତ୍ୟ କିନ୍ତୁ ନିଜର ସତ୍ତା ହରାଇଲେ ତାହା ଅସତ୍ୟ ନୁହେଁ।
ଧରାକୋଟ ରାଣୀ ଗୀତାଞ୍ଜଳୀ ଦେବୀ ଏବଂ ଚିକିଟି କୁମାର ଶ୍ରୀରୂପ ଦେବଙ୍କ ଅବସ୍ଥା ନ କହିଲେ ଭଲ। ଏମାନେ ନବାଗତ ଚେହେରା। ହେଲା ବିଜେଡିର କୋର ଟିମରେ ସେମାନଙ୍କୁ ବି ସ୍ଥାନ ଦିଆଯାଇ ପାରିନାହିଁ।
ଏହା ପ୍ରମାଣିତ କରୁଛି ଯେ, ନିର୍ବାଚନ ଆସିଲେ ହିଁ ଦଳ ରାଜ ପରିବାରର ସଦସ୍ୟଙ୍କୁ ଖୋଜୁଛି। କିନ୍ତୁ ସଂଗଠନ ମଜଭୁତ କରିବା ବା ସେମାନଙ୍କୁ ପୂରା୍ଣ୍ଣକାଳୀନ ରାଜନେତାଭାବେ ଗଢ଼ିବା ପାଇଁ ଚାହୁଁନି ଦଳ।
ଅତୀତରେ ଏହି ହିନିମାନିଆ ଆଚରଣରେ ଅତିଷ୍ଠ ହୋଇ କିଛି ରାଜପରିବାର ସଦସ୍ୟ ବିଜେଡି ଛାଡ଼ି ଅନ୍ୟ ଦଳକୁ ବି ଯାଇଥିଲେ। ସେମାନଙ୍କ ଭିତରେ କଳାହାଣ୍ଡି ଓ ନୟାଗଡ଼ କଥା ଉଲ୍ଲେଖ କରାଯାଇପାରେ। ନୟାଗଡ଼ରେ ରାଣୀ ପ୍ରତ୍ୟୁଷା କୁମାରୀଙ୍କୁ ଦଳ ସାଂସଦଭାବେ ପଠାଇଥିଲା। କିନ୍ତୁ ଏହା ପରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରି ପ୍ରତ୍ୟୁଷା ଦଳ ଛାଡ଼ିଥିଲେ।
ଠିକ୍ ସେହିପରି କଳାହାଣ୍ଡିରେ ପୂର୍ବରୁ ସାଂସଦ ଥିବା ଅର୍କ କେଶରୀ ଦଳ ଛାଡ଼ି ବିଜେପି ଶିବିରରେ ରହିଛନ୍ତି। ତାଙ୍କ ପତ୍ନୀ ବିଜେପି ଟିକଟରେ ଏବେ ସାଂସଦ ରହିଛନ୍ତି।
ବିଜେଡିର ଏହି ଆଚରଣ ସ୍ପଷ୍ଟ କରୁଛି ଯେ, ରାଜା ବା ଏହି ପରିବାରର ସଦସ୍ୟମାନେ ପୂର୍ଣ୍ଣକାଳୀନ ରାଜନେତା ନୁହନ୍ତି। କିନ୍ତୁ ଏମାନଙ୍କ ପାଖରେ ଭୋଟ ରହିଛି। ଏଣୁ ଦଳର କୋର ଟିମରେ ତାଙ୍କୁ ନନେଇ ଯେମିତି ଚାହିଁଲେ ସେମିତି ନଚାଇବାକୁ ଶ୍ରେଷ୍ଠ ଭାବିଛି ଦଳ। ଆଉ କେବଳ ନିଜର ସ୍ୱାର୍ଥକୁ ଜାବୁଡ଼ି ରାଜ ପରିବାରର ସଦସ୍ୟମାନେ ବି ସେଇ ଇଙ୍ଗିତରେ ନାଚୁଛନ୍ତି।
Also readhttps://purvapaksa.com/backward-class-tensions-will-increase-what-will-the-leader-do/