History Of Mahashivaratri: ରାତି ପାହିଲେ ମହାଶିବରାତ୍ରି । ସନାତନ ଧର୍ମର ଏହା ଏକ ବଡ଼ ପର୍ବ । ଶିବରାତ୍ରିରରେ ଉଜାଗର ହୋଇ ଦୀପ ଜାଳିଥାନ୍ତି ଭକ୍ତମାନେ। ସେଥିପାଇଁ ଏହାକୁ ଜାଗର ମଧ୍ୟ କୁହାଯାଏ।
ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ମହାଶିବରାତ୍ରି ପାଳନ କରାଯିବ । ଏହି ଦିନ ଭଗବାନ ଶିବଙ୍କୁ ଭକ୍ତିର ସହ ପୂଜା କରିବା ଦ୍ୱାରା ସମସ୍ତଙ୍କ ମନ କାମନା ପୁରଣ ହୋଇଥାଏ । ଦିନ ତମାମ ଉପବାସ ରହିବା ପରେ ରାତ୍ରିରେ ଚାରି ପ୍ରହର ପୂଜା ଆରାଧନା କରାଯାଏ। ଭକ୍ତିରେ ଶିବଲିଙ୍ଗ ସ୍ଥପନା କରି ପଞ୍ଚାମୃତରେ ସ୍ନାନ କରାଇ ବେଲ ପତ୍ର, ଫୁଲପଳ ସମର୍ପଣ କରି, ଶିବ ମନ୍ତ୍ରରେ ମୋହ କରି ପ୍ରତି ପ୍ରହରରେ ଅର୍ଘ୍ୟ ଦେଇ ଅନାହାର ଓ ଉଜାଗର ରହି ଯିଏ ପୂଜା କରିଲେ ସେ ଭଗବାନ ଶିବଙ୍କ କୃପା ବଳରେ ପରମ ସୌଭାଗ୍ୟ ଲାଭ କରେ ଏବଂ ଅନ୍ତକାଳ ପରେ ଶିବଲୋକରେ ସ୍ଥାନ ପାଇଥାଏ।’
ହେଲେ ଆପଣମାନେ ଜାଣିଛନ୍ତି କି, କାହିଁକି ପାଳନ ହୁଏ ମହାଶିବରାତ୍ରୀ ?
ଆମେ ପାଳନ କରୁଥିବା ସବୁ ପର୍ବପର୍ବାଣୀ କିମ୍ବା ଓଷାବ୍ରତ ପଛରେ ଗୋଟିଏ ଗୋଟିଏ ସୁନ୍ଦର ପୌରାଣିକ କାହାଣୀ ରହିଛି। ଯାହା ଆମ ସମସ୍ତଙ୍କର ଜାଣିବା ଆବଶ୍ୟକ । ତେବେ ଚାଲନ୍ତୁ ଆଜି ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ ?
ପୂର୍ବ କାଳରେ ମଧ୍ୟ-ଦେଶରେ ଜଣେ ଆଦିବାସୀ ଶିକାରୀ ରହୁଥିଲେ । ସେ ସବୁବେଳେ ପଶୁପକ୍ଷୀ ଶିକାର କରି ପେଟ ପୋଷୁଥିଲା । ପ୍ରତିଦିନ ଭଳି ସେଦିନ ମଧ୍ୟ ଶିକାରୀ ଜଣକ ଶିକାର କରିବା ପାଇଁ ଜଙ୍ଗଲ ଯାଇଥିଲେ । ବୁଲୁ ବୁଲୁ ସେ ‘କାଳାଞ୍ଜନ’ ନାମକ ଏକ ପର୍ବତରେ ଯାଇ ପହଁଚିଲା । ବହୁତ ବୁଲିବା ପରେ ମଧ୍ୟ ତାକୁ କୌଣସି ଶିକାର ମିଳି ନଥିଲା। ସେଥିପାଇଁ ସେ ଶୁକ, ଶାରୀ, କୋକିଳ, ସାରସ ଭଳି ଅନେକ ପକ୍ଷୀ ଶିକାର କରିଥିଲା । ଦିନଯାକ କିଛି ଖାଇ ନଥାଏ ନ ପିଇ ଥକି ଯିବା ପରେ ସେ ସନ୍ଧ୍ୟାରେ ଘରକୁ ଫେରୁଥିଲା । ହେଲେ ଆହାର ନପାଇ ତା ଦେହ ଦୁର୍ବଳ ହୋଇଗଲା ଏବଂ ସେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇ ପାରିଲା ନାହିଁ ।
ରାତି ହେବା ପରେ ହିଂସ୍ର ପଶୁମାନେ ଶିକାର କରିବା ପାଇଁ ବାହାରକୁ ବାହାରି ଆସିଲେ । ହଠାତ୍ ଗୋଟିଏ ମହାବଳ ବାଘ ତା ଆଡ଼କୁ ମାଡ଼ି ଆସିଲା। ଶିକାରୀ ଜଣକ ତା ଜୀବନ ବଞ୍ଚାଇବା ପାଇଁ ତୀର ମାରିବା ପାଇଁ ମଧ୍ୟ ସକ୍ଷମ ହେଲା ନାହିଁ । ନିଜ ପ୍ରାଣ ବଞ୍ଚାଇବା ପାଇଁ ବେଲ ଗଛ ଉପରେ ଚଢ଼ିଗଲା। ମହାବଳ ବାଘଟି ମଧ୍ୟ ତାକୁ ଖାଇବା ପାଇଁ ବେଳ ଗଛ ମୂଳରେ ପହଞ୍ଚିଲା। ବାଘଟି ସେହି ଶିକାରୀକୁ ଖାଇବା ପାଇଁ ତଳେ ବସି ଗର୍ଜନ କରୁଥାଏ । ଶିକାରୀ ଜଣକ ସେହି ଗଛରୁ ବେଳ ପତ୍ର ଏବଂ ଡାଳ ଭାଙ୍ଗି ତା ଉପରକୁ ପକାଉଥାଏ । ହେଲେ ବାଘଟି ସେହି ଗଛ ମୂଳେ ତା ଶିକାର ପାଇଁ ଜଗି ବସିଥାଏ ।
ସେହି ରାତିଟି ଥିଲା ଶିବରାତ୍ରି ଏବଂ ସେହି ସମୟରେ ବେଲଗଛ ମୂଳେ ବିଲେଶ୍ୱର ମହାଦେବଙ୍କ ଶିବଲିଙ୍ଗିଟି ମଧ୍ୟ ଫୁଟି ବାହାରିଥାଏ। ଶିକାରୀଟି ଗଛ ଉପରରେ ଚଢ଼ୁଥିବା ସମୟରେ କିଛି ଶୁଖିଲା ବେଲ ପତ୍ର ଝଡି ପଡିଥିଲା । ଶିକାରୀ ଜଣକ ବାଘକୁ ତଡ଼ିବା ପାଇଁ ଡାଳ ପତ୍ର ଭାଙ୍ଗି ତା ଉପରକୁ ପକାଉଥିଲା, ଯାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଶିବଲିଙ୍ଗ ଉପରେ ପଡୁଥିଲା। ତେବେ ଅଜାଣତରେ ହିଁ ଶିକାରୀ ଜଣକ ଉପବାସ ରହି ଶିବଲିଙ୍ଗରେ ବେଲପତ୍ର ଚଢ଼ାଇଥିଲା । ସୂର୍ଯ୍ୟୋଦୟ ହେବା ପରେ ବାଘଟି ଘଞ୍ଚ ଅରଣ୍ୟ ଭିତରକୁ ପଳେଇଗଲା।
ବାଘଟି ଜଙ୍ଗଲରେ ପଳେଇଥିବ ଭାବି ଶିକାରୀ ଜଣକ ଗଛରୁ ତଳକୁ ଓଲ୍ହାଇ ଆସିଲା ଏବଂ ନିଜ ଘରକୁ ଯିବା ପାଇଁ ଆଗକୁ ବଢ଼ିଲା । ହେଲେ ଚତୁର ବାଘଟି ସେହି ଶିକାରୀ କୁ ଶିକାର କରିବା ପାଇଁ ସେହି ପାଖ ଜଙ୍ଗଲରେ ଛପି ବସିଥିଲା । ଶିକାରୀ ଜଣକ ଗଛରୁ ତଳକୁ ଓଲ୍ହାଇବା ସଙ୍ଗେ ସଙ୍ଗେ ବାଘଟି ଆକ୍ରମଣ କରି ଶିକାରୀ ଜଣକୁ ମାରିଦେଲା । ମରିବା ପରେ ଯମଦୂତମାନେ ତା’ର ଆତ୍ମାକୁ ନେବା ପାଇଁ ଆସି ପହଞ୍ଚିଲେ। ମାତ୍ର ଅନ୍ୟ ଦିଗରୁ ଶିବଙ୍କ ଦୂତମାନେ ଆସି ତା’ ଆତ୍ମାକୁ ଶିବଲୋକକୁ ନେବା ପାଇଁ ଚାହିଁଲେ। ଯମଦୂତ ଓ ଶିବଦୂତ ମାନଙ୍କ ମଧ୍ୟରେ ତର୍କବିତର୍କ ଚାଲିଲା। ଶିକାରୀ ଜୀବନଯାକ ବହୁ ପଶୁପକ୍ଷୀ ମାରି ଅଶେଷ ପାପ ଅର୍ଜନ କରିଥିବାରୁ, ବିଚାର ପାଇଁ ଯମପୁର ଯିବା ଉଚିତ ବୋଲି ଯମଦୂତମାନେ ଯୁକ୍ତି ଦେଇଥିଲେ । ହେଲେ ଶିତ ରାତିରେ ଉପବାସ ଓ ଉଜାଗର ରହି ଶିବଙ୍କୁ ବେଲପତ୍ର ଚଢ଼ାଇଥିବାରୁ ଶିକାରୀର ସବୁ ପାପ ନାସ ହୋଇଯାଇଛି ବୋଲି ଶିବଦୂତମାନେ କହିଥିଲେ । ତେଣୁ ତାକୁ ଶିବଲୋକ ପ୍ରାପ୍ତ ହେବ।
ଏହାପରେ ବଳବାନ ଶିବଦୂତମାନେ ଯମଦୂତମାନଙ୍କୁ ତଡ଼ିଦେଇ ଶିକାରୀର ଆତ୍ମାକୁ ଶିବଲୋକ ନେଇ ଆସିଲେ । ସେଠାରେ ହୋଇଥିବା ସମସ୍ତ ତର୍କବିତର୍କ ବିଷୟରେ ଯମଦୂତମାନେ ଯମଙ୍କୁ ଜଣାଇଲେ । ଯମ ଦେବତାଙ୍କ ନିର୍ଦ୍ଦେଶରେ ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ- ‘ହେ ଯମଦେବ ! ବାସ୍ତବରେ ଶିବଦୂତମାନଙ୍କ ଯୁକ୍ତି ଠିକ୍। ଶିକାରୀ ଅଜାଣତରେ ଶିବରାତ୍ରି ବ୍ରତ ପାଳନ କରି ଥିବାରୁ ତାର ସକଳ ପାପ ଖଣ୍ଡନ ହୋଇଛି। ଏହା ଶୁଣି ଯମଦେବତା ନିଜେ କୈଳାସପୁରୀ ଯାଇ, ଶିବ ଦର୍ଶନ କରି ନିଜ ଦୂତମାନଙ୍କ ଅଜ୍ଞତା ପାଇଁ କ୍ଷମା ପ୍ରାର୍ଥନା କଲେ। ଏହାପରେ ଶିକାରୀ ଜଣକ ଶିବଙ୍କ ସେବକ ରୂପରେ ଚିରକାଳ ପାଇଁ ଶିବଲୋକରେ ରହିଲେ ।
ALSO READ: https://purvapaksa.com/kashi-is-not-just-a-city-it-is-a-symbol-of-indias-eternal-spiritual-heritage/
କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ: ମୁଖ୍ୟମନ୍ତ୍ରୀ