- ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
- ଯୋଗଦେବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ
- ଆକର୍ଷଣ ଲେଜର ଶୋ
ଆଜିଠୁ ଆରମ୍ଭ ହେଉଛି ହଜାର ବର୍ଷ କଟକର ଐତିହାସିକ ବାଲିଯାତ୍ରା । ଆଜି ସନ୍ଧ୍ୟାରେ ପୂର୍ବ ଭାରତର ସବୁଠୁ ବଡ ଐତିହାସିକ ବାଣିଜ୍ୟ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିବେ। ଏଥର ଉପର ଓ ତଳ ପଡ଼ିଆ ମିଶାଇ ମୋଟ ୨୫ ଶହରୁ ଉର୍ଦ୍ଧ ଷ୍ଟଲ୍ ଖୋଲାଯିବ। ଏଥର ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ଆଜି ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ସେମାନେ ସମସ୍ତେ ମହାନଦୀ ସିଲଭର ସିଟି ବୋଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋଟରେ ଆସି ଗଡଗଡିଆରେ ଓହ୍ଲାଇବେ। ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ। ଏଥି ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ। ଏହା ଛଡା ୮ ଟି ଦେଶର କଳାକାରମାନେ ପ୍ରତିଦିନ ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସେମାନଙ୍କର ନୃତ୍ୟ ଗୀତ ପରିବେଷଣ କରିବେ। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି। ପ୍ରତିଦିନ ଗୋଟିଏ କିମ୍ବା ଦୁଇ ଦେଶର କଳାକାର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ତେବେ ପ୍ରଥମ ଦିନ ଭଜନ ସମାରୋହ ଆୟୋଜିତ ହେବ। ଚଳିତ ବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ। ଭାରତ ବ୍ୟତୀତ ବିଦେଶୀ ପିଠାର ସ୍ୱାଦ ଚାଖିବେ ଓଡିଶାବାସୀ।
ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀ ପଠାରେ ଲେଜର ଶୋ’, ଡ୍ରୋନ ଶୋ’ ଆୟୋଜିତ ହେବ। ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍ ଶୋ’ ଆୟୋଜିତ ହେବ। ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର। ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ। ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ। ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମୀ ଓ ଫ୍ରିସ-ବି ଦୋଳି। ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ। ଚଳିତବର୍ଷ ବାଲିଯାତ୍ରା ‘କଟକ ଇନ୍ କଟକ’ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ। ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି।
ବୟସ୍କଙ୍କ ପାଇଁ ୮ ସିଟ୍ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ- ରିକ୍ସା ବ୍ୟବସ୍ଥା ହୋଇଛି। ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ। ଚଳିତ ବର୍ଷ ୩୪ ଏକର ତଳ ପଡ଼ିଆ ଓ ସାଢେ ୮ ଏକର ଉପର ପଡ଼ିଆରେ ବାଲି ଯାତ୍ରା ଅନୁଷ୍ଠିତ ହେବ। ଗତ ବର୍ଷ ୨୦୦ ଶୌଚାଳୟ ହୋଇଥିବା ବେଳେ ଏଥର ସେହି ସଂଖ୍ୟାକୁ ୩୮୦କୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଚଳିତ ବର୍ଷ ‘କଟକ ଇନ୍ କଟକ’ରେ ପ୍ରଦର୍ଶୀତ ହେବ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମା। ଏଥିସହ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେବ। ସେଥିରେ ଲୋକପ୍ରିୟ ଓଡ଼ିଆ ଫିଲ୍ମ ପ୍ରଦର୍ଶୀତ ହେବ। ପ୍ରତିଦିନ ୩ ଶୋ’ରେ ଫିଲ୍ମ ଚାଲିବ। ଏଥିସହ ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟରେ ବି ଫିଲ୍ମର ସ୍କ୍ରିନିଂ ହେବ। ଏହାବାଦ ବଲିଉଡ ନାଇଟ୍ସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତ ବର୍ଷ ବାଲିଯାତ୍ରା ସମୟରେ ରିଂ ରୋଡରେ କେହି ବି ଉଠା ଦୋକାନୀ ରହିବେନି।
ଏଥିଯୋଗୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ମାତ୍ର ସେମାନଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିନିମନ୍ତେ ସେମାନଙ୍କ ପାଇଁ ତଳ ପଡ଼ିଆରେ ୮୦ ହଜାର ବର୍ଗଫୁଟ ଓ ଉପର ପଡ଼ିଆରେ ୧୭ ହଜାର ବର୍ଗଫୁଟ ଅଞ୍ଚଳ ଚିହ୍ନଟ କରାଯାଇଛି। ବାଲିଯାତ୍ରା ପଡ଼ିଆରେ କେମିକାଲ ସ୍ପ୍ରେ, ସାନିଟାଇଜେସନ, ଷ୍ଟ୍ରିଟ ଲାଇଟ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଓରମାସ ଓ ଜାତୀୟ ଗାନ୍ଧି ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମୀଣ ତଥା ଘରକରଣା ସାମଗ୍ରୀ ମିଳିବ। ଅନ୍ୟ ପକ୍ଷରେ ନଦୀକୂଳରେ ଏଥର ଲେଜର ଶୋ ବ୍ୟତୀତ ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ। ଅନ୍ୟ ପକ୍ଷରେ ବିଭିନ୍ନ ପ୍ରକାର ଦୋଳି ଓ ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବା ପାଇଁ ଦର୍ଶକ ସୁଯୋଗ ପାଇବେ।
previous article: https://purvapaksa.com/pm-narendra-modi-counter-attack-on-rahul-gandhi-over-reservation-and-caste-census/