Odia Language: ଆଜି ଓଡ଼ିଆ ଭାଷାର ଅବସ୍ଥା କେଉଁଠି? ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆଜି ସେ ବିଷୟରେ ଏଇ ବିଶେଷ ଉପସ୍ଥାପନା।
ଦିନେ ଭାଷା ବଞ୍ଚିଲେ ଆମେ ବଞ୍ଚିବା ସ୍ଲୋଗାନ ଦେଇ ଆମ ଭାଷାର ଅସ୍ତିତ୍ୱ, ପରାକାଷ୍ଠାକୁ ଇଂରେଜ ଦରବାରରେ ପ୍ରତିଷ୍ଠା କରି ବଙ୍ଗଳା ଜଞ୍ଜିରରୁ ମୁକୁଳାଇଥିଲେ ଆମର ଭାଷାପ୍ରେମୀ। ଭାଷା ଭିତ୍ତିରେ ପ୍ରଥମ ପ୍ରଦେଶକୁ ପ୍ରତିଷ୍ଠା କରିଥିଲେ। ସ୍ୱୟଂ ଜାତିର ପିତା ମହାତ୍ମା ଗାନ୍ଧି ମଧ୍ୟ ଓଡ଼ିଆଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ। ହେଲେ ଆଜି ଓଡ଼ିଆ ଭାଷାର ଅବସ୍ଥା କେଉଁଠି? ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆଜି ସେ ବିଷୟରେ ଏଇ ବିଶେଷ ଉପସ୍ଥାପନା।
ଆଜି ବିଶ୍ୱର ୨୫୦ରୁ ଅଧିକ ଭାଷାର ଅବସ୍ଥା ହୋଇଛି। ଆଉ ୪୦ଟି ଭାଷା ଉଭେଇ ଯିବାର ଭୟ ବି ସୃଷ୍ଟି ହୋଇଛି। ଆମ ଦେଶରେ ପ୍ରତିଟି ପ୍ରାଚୀନ ଭାଷା ଏବେ ଅସ୍ତିତ୍ୱ ସଙ୍କଟରେ ପଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଭିତରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ବି ଅନ୍ତର୍ଭୁକ୍ତ। ତେବେ କାହିଁକି ଏ ଅବସ୍ଥା। କିଏ ଆମ ଶତ୍ରୁ। ସ୍ୱାଧୀନତା ପୂର୍ବରୁ ‘ବଙ୍ଗଳା’ ଭାଷା ଭଳି ଓଡ଼ିଆ ଭାଷାର ନୂଆ ଶତ୍ରୁ ଆବିର୍ଭାବ ହୋଇଛି କି?
କେବଳ ଓଡ଼ିଶାରେ ନୁହେଁ ଏକଦା ଓଡ଼ିଶାର ଅଂଶ ହୋଇ ରହିଥିବା ଛତିଶଗଡ଼, ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ଓଡ଼ିଆ ବଂଶଜ ଅର୍ଥାତ୍ ଭାଷା କହୁଥିବା ଲୋକ ବାସ କରନ୍ତି। କିନ୍ତୁ ସେମାନେ ଧିରେ ଧିରେ ଓଡ଼ିଆ ଭାଷାକୁ ଭୁଲିବାରେ ଲାଗିଲେଣି। ପରିସ୍ଥିତି ଏପରି ଯେ ଆମ ରାଜ୍ୟର ଜନସଂଖ୍ୟା ସାଢ଼େ ୪ କୋଟିରୁ ଅଧିକ ହୋଇଥିଲେ ବି ସାରାପୃଥିବୀରେ ଏତିକି ଓଡ଼ିଆ କହୁଥିବା ଲୋକ ନାହାନ୍ତି।
୨୦୧୧ ଜନଗଣନାକୁ ମାପଦଣ୍ଡଭାବେ ଗ୍ରହଣ କଲେ ଆମ ଦେଶରେ ସମୁଦାୟ ୩ କୋଟି ୯୦ ଲକ୍ଷ ଓଡ଼ିଆ କହୁଥିବା ଲୋକ ରହୁଛନ୍ତି। ୧୯୭୧ ଜନଗଣନା ଅନୁସାରେ ଏହା ୦.୫ ପ୍ରତିଶତ କମ୍। ଏବେ ୧୫ ବର୍ଷ ହେଲାଣି ଜନଗଣନା ହୋଇନାହିଁ। ୨୦୨୬ ଜନଗଣନାରେ ଏହି ସଂଖ୍ୟା କେତେ ରହିବ ତାହା ଆକଳନ କରିବା ବି ଅତ୍ୟନ୍ତ ଜଟିଳ ହେବ।
ଆମ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ବ୍ୟବସାୟିକ ମେନାବୃତ୍ତିର ଅଭାବକୁ ଏଥିଲାଗି କେହି କେହି ଦାୟୀ କରିପାରନ୍ତି। କିନ୍ତୁ ଆର୍ଥିକ ପ୍ରଗତି କ୍ଷୀପ୍ର ଥିବା ତଥା ଧନୀ ରାଜ୍ୟଗୁଡ଼ିକରେ ଯେ ସେଠାର ଆଞ୍ଚଳିକ ଭାଷା ପ୍ରଗତି କରୁଛି ତାହା ଠିକ୍ ନୁହେଁ।
ଦେଶର ଜିଡିପିକୁ ସର୍ବାଧିକ ୧୩.୫୩% ଅବଦାନ ରକ୍ଷା କରୁଥିବା ମହାରାଷ୍ଟ୍ରରେ ମରାଠି ଭାଷା ବି ଦିନକୁ ଦିନ ପ୍ରାଧାନ୍ୟ ହରାଉଛି। ଏଠାରେ ପ୍ରତି ୧୦ ହଜାର ଲେକ ସଂଖ୍ୟାରେ ୧୨୮୯ ଜଣ ହିନ୍ଦି କହନ୍ତି, ସେମାନେ ମରାଠି ଜାଣନ୍ତି ନାହିଁ। ୨୦୧୧ ଜନଗଣନା ଅନୁସାରେ ଦେଶରେ ସମୁଦାୟ ୮ କୋଟି ୩୦ ଲକ୍ଷ ଲୋକ ମରାଠି କହିପାରୁଥିଲେ। ସେତେବେଳେ ମହାରାଷ୍ଟ୍ରର ଜନସଂଖ୍ୟା ୧୧ କୋଟି ୨୩ ଲକ୍ଷ ଥିଲେ।
ମହାରାଷ୍ଟ୍ର ତଳକୁ ତାମିଲନାଡ଼ୁ ଦେଶର ଅର୍ଥନୀତିକ ବିକାଶରେ ସର୍ବାଧିକ ଅବଦାନ ରକ୍ଷା କରେ। ଜିଡିପିରେ ୮.୮% ଅବଦାନ ରଖୁଥିବା ତାମିଲନାଡ଼ୁ ପ୍ରତିଦିନ ଭାଷା ପାଇଁ ସଂଗ୍ରାମ କରି ଆସୁଛି। ୨୦୧୧ ଜନଗଣନା ଅନୁସାରେ ଭାରତରେ ୬କୋଟି ୯ ଲକ୍ଷ ବ୍ୟକ୍ତି ତାମିଲ କହୁଛନ୍ତି। ୧୯୭୧ ତୁଳନାରେ ୨୦୧୧ ଜନଗଣନା ଅନୁସାରେ ଏହି ଭାଷାଭାଷୀ ଲୋକଙ୍କ ସଂଖ୍ୟା ୧.୨% କମିଛି।
୧୯୭୧ରୁ ୨୦୧୧ ଭିତରେ ବଙ୍ଗବାସୀଙ୍କ ସଂଖ୍ୟାରେ ୦.୨ ପ୍ରତିଶତ ହ୍ରାସ ହୋଇଛି । ତେଲୁଗୁ ଭାଷୀଙ୍କ ସଂଖ୍ୟାରେ ୨.୫%, ଗୁଜରାଟିରେ ୦.୧%, ମଲାୟାଲାମରେ ୧.୯%, ଉର୍ଦ୍ଦୁରେ ୧%, କନ୍ନଡ଼ ଭାଷୀଙ୍କ ସଂଖ୍ୟାରେ ୦.୬ ପ୍ରତିଶତ ହ୍ରାସ ହୋଇଥିଲା। ଏହି ୧୫ ବର୍ଷ ଭିତରେ ଭାଷାର ଅବସ୍ଥା କେଉଁଠି ପହଞ୍ଚିଥିବ ତାହା ସମସ୍ତେ ଅନୁମାନ କରିପାରୁଥିବେ।
ସମାନ ଅବସ୍ଥା ଅନ୍ୟ ଭାଷାଭାଷୀଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ। କିନ୍ତୁ ହିନ୍ଦି ଭାଷା କ୍ଷେତ୍ରରେ ଏହି ପରିସଂଖ୍ୟାନ ବିପରୀତ ଦିଗ ପ୍ରଦାନ କରେ। ବିଗତ ଦୁଇ ଦଶନ୍ଧି ଭିତରେ କେବଳ ହିନ୍ଦି ଭାଷାର ପରିବ୍ୟାପ୍ତି ଭାରତ ବର୍ଷରେ ୨୫ ପ୍ରତିଶତ ବଢ଼ିଛି । ଜନଗଣନା ରିପୋର୍ଟକୁ ଆଧାର କଲେ ଦେଶର ମାତ୍ର ୩୭ ପ୍ରତିଶତ ଲୋକ ୧୯୭୧ ମସିହାରେ ହିନ୍ଦିଭାଷୀ ଥିବାବେଳେ ୨୦୧୧ ମସିହାରେ ଏହି ସଂଖ୍ୟା ୪୩.୬ ପ୍ରତିଶତ ବଢ଼ିଛି। ଏବେ ଏହା ୬୦ ପ୍ରତିଶତ ଉପରକୁ ଯାଇଥିବା ଅନୁମାନ କରାଯାଏ।
ଏଥିରୁ ନିର୍ଣ୍ଣୟ କରନ୍ତୁ ଭାରତୀୟ ଭାଷାର ପ୍ରଗତି କ୍ଷେତ୍ରରେ କିଏ ସାଜେ ପ୍ରତିବନ୍ଧକ? ପରିସଂଖ୍ୟାନ ଓ ତଥ୍ୟକୁ ଦେଖିଲେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ବଢ଼ୁଥିବା ହିନ୍ଦି ହିଁ ପ୍ରତିଟି ପ୍ରାଦେଶିକ ଭାଷାର ଶତ୍ରୁ। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ ପ୍ରୋତ୍ସାହନ ଦେଇ ଶିକ୍ଷା, ବାଣିଜ୍ୟ, ଯୋଗାଯୋଗ କ୍ଷେତ୍ରରେ ସେହି ଅଞ୍ଚଳର ଭାଷାଗୁଡ଼ିକୁ ଗୌଣ କରିବାର ମାନସିକତା କେବେ ଭାରତକୁ ଗୌରବାନ୍ୱିତ କରିବ ନାହିଁ। ତାହା ଗଣତନ୍ତ୍ରରେ ବି ପରିସ୍ଫୁଟିତ ହୋଇଛି।
ନିକଟରେ ଓଡ଼ିଶାରେ ‘ଅସ୍ମିତା’ ରକ୍ଷା ନାଁରେ ବିଜେପି ଶାସନକୁ ଆସିବା ଏହି ପ୍ରମାଣିତ କରିଛି। ପ୍ରଶ୍ନ ଉଠୁଛି ଓଡ଼ିଆ ସମେତ ଭାରତର ପ୍ରତିଟି ଭାଷା କର୍ମ ନିଯୁକ୍ତି, ବାଣିଜ୍ୟ ଓ ପ୍ରଶାସନ ତଥା ଜ୍ଞାନର ଭାଷା ହୋଇପାରିବ ତ? ଯଦି ଏଥିଲାଗି ଭାରତ ସରକାରଙ୍କ ସହ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ପ୍ରୟାସ ନ କରିବେ ତେବେ ଭାଷା କେବଳ ଘରେ କିଛି ଲୋକଙ୍କ ଭିତରେ ସୀମିତ ରହି ଦିନେ ଇତିହାସ ହୋଇଯିବ।
Also readhttps://purvapaksa.com/how-abvp-odisha-bjp-helped-india-avert-a-diplomatic-row/
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା; ବିଦ୍ୟାର୍ଥୀ ପରିଷଦକୁ ଚାରିଆଡ଼ୁ ପ୍ରଶଂସା