High drama outside Parliament: ଡ. ବିଆର୍ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ ବିଜେପି ଓ କଂଗ୍ରେସ ସାଂସଦମାନେ ଆକ୍ରମଣ ଅଭିଯୋଗ ଆଣିବା ପରେ ଗୁରୁବାର ସଂସଦ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ପକ୍ଷ ଶାରୀରିକ ମୁହାଁମୁହିଁ ହୋଇଥିବା ଅଭିଯୋଗ କରିଛନ୍ତି।
ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦ ଏଣ୍ଟ୍ରି ଗେଟରେ ଆଜି କିଛି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି।
‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ହୋଇଥିଲା ଠେଲାପେଲା। ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲିଥିଲେ । ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଏନେଇ ସାଂସଦ ଷଡଙ୍ଗୀ କହିଛନ୍ତି, ମୁଁ ସିଡ଼ିରେ ଛିଡ଼ା ହୋଇଥିଲି। ଉକ୍ତ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଥମେ ଜଣେ ସାଂସଦଙ୍କୁ ଠେଲିଦେଲେ। ଉକ୍ତ ସାଂସଦଜଣକ ମୋ’ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଯାଇଥିଲି।
ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦ ରୋକିଥିଲେ । ସେ ମୋତେ ଧକ୍କା ମାରିବା ସହ ଧମକାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ସେ ଧକ୍କା ମାରିଥିଲେ। ସେ ଆମକୁ ସଂସଦ ଭିତରେ ପ୍ରବେଶ କରିବାରୁ ରୋକୁଥିଲେ। ସଂସଦରେ ପ୍ରବେଶ କରିବା ନିମନ୍ତେ ଆମର ଅଧିକାର ଅଛି। କୌଣସି ବିଜେପି ସାଂସଦ ଆମକୁ ଏଥିରୁ ରୋକି ପାରିବେନି। ଠେଲାପେଲା କଲେ ଆମର କିଛି ହେବନି ବୋଲି କହିଛନ୍ତି ରାହୁଲ ।
ବିଜେପି ଏହି ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ରାହୁଲ ଗାନ୍ଧି ବିଜେପି ସାଂସଦଙ୍କୁ ଠେଲିଥିବାର ଭିଡିଓ ହସ୍ତଗତ ହେଲେ ବିଜେପି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଚଳାଇଛି।
ରାହୁଲ ଗାନ୍ଧୀଙ୍କ ବଢ଼ିବ ସମସ୍ୟା? ସଂସଦରେ ‘ଗୁଣ୍ଡାଗର୍ଦ୍ଦି’ ବିରୋଧରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲା ବିଜେପି
ବିଜେପି ସାଂସଦଙ୍କ ସହ ରାହୁଲଙ୍କ ଝଗଡା ପ୍ରସଙ୍ଗ ବଢ଼ିବାରେ ଲାଗିଛି ଏବଂ ଦଳ ରାହୁଲ ଗାନ୍ଧୀଙ୍କ ଉପରେ ଲଗାତାର ଟାର୍ଗେଟ୍ କରୁଛି। ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ଏବଂ ଅନୁରାଗ ଠାକୁର ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। ସାଂସଦମାନେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବିରୋଧରେ ଅଭିଯୋଗ କରିବେ।
ରାହୁଲଙ୍କୁ ଚାରିଆଡୁ ଟାର୍ଗେଟ୍: ବିଜେପି ନେତା କହିଲେ, ସଂସଦ ଇତିହାସରେ ଏହା କଳା ଦିନ
ଚାରିଆଡୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ କରାଯାଉଛି ଟାର୍ଗେଟ୍। ଏପରିକି ତାଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଅଣ୍ଟା ଭିଡିଲାଣି ବିଜେପି। ଏହି ଘଟଣା ପରେ ବିଜେପି ନେତାମାନେ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି।
ସଂସଦ ଇତିହାସରେ ଏହା କଳା ଦିନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ। ସମସ୍ତ ମର୍ଯ୍ୟାଦା ଉଲ୍ଲଙ୍ଘନ କରାଯାଇଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଯେଉଁ ଦାଦାଗିରି କରିଛନ୍ତି ତାହାର ଦ୍ୱିତୀୟ କୌଣସି ଉଦାହାରଣ ମିଳିବ ନାହିଁ। ସେମାନେ ଏବେ ଏଭଳି ଦାଦାଗିରି କରିବେ। ଭାରତର ସାଂସ୍କୃତିକ ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ଆଚରଣ ଦେଖିବାକୁ ମିଳି ନାହିଁ। ସେମାନଙ୍କୁ ଏକ ସ୍କୁଲରେ ତାଲିମ ଦିଆଯିବା ଉଚିତ୍। ଗଣତନ୍ତ୍ରରେ କିପରି କାମ କରିବେ ତାହା ସେମାନେ ଶିଖିବେ। ଏହି ପ୍ରକାରର ଆଚରଣକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଦାବି କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ରକ୍ତସ୍ରାବ ବନ୍ଦ ହେଉନାହିଁ। ମୁକେଶ ରାଜପୁତ ଚେତାଶୂନ୍ୟ ଅଛନ୍ତି। ରାହୁଲ ଗାନ୍ଧିଙ୍କ ଗୁଣ୍ଡାଗର୍ଦ୍ଦି ତାଙ୍କ ନିରାଶାକୁ ପ୍ରତିଫଳିତ କରୁଛି। ଯାହା ବି ଆଇନଗତ ପ୍ରକ୍ରିୟା ଆବଶ୍ୟକ, ତାହା କରାଯିବା ଉଚିତ ବୋଲି ସେ କହିଛନ୍ତି।
ଏହି ଘଟଣାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ନିନ୍ଦା କରିଛନ୍ତି। ସଂସଦ କାହାର ବ୍ୟକ୍ତିଗତ ସ୍ଥାନ ନୁହେଁ, କି ଏହା କୁସ୍ତି ଆଖଡ଼ା ନୁହେଁ। ବରିଷ୍ଠ ସାଂସଦଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟ ଓ ନିନ୍ଦାଜନକ। ନିଜ ନିଜ ମୁଦ୍ଦା ନେଇ ସାଂସଦ ଆସନ୍ତି, ବିପକ୍ଷଙ୍କୁ ବିରୋଧ ମଧ୍ୟ କରନ୍ତି। କାହାକୁ ଶାରୀରିକ ଆଘାତ ଦେବା ଠିକ୍ ନୁହେଁ। କଥାରେ କହିପାରିଥାନ୍ତେ, କେଉଁ ଆଇନ ରାହୁଲଙ୍କୁ ଧକ୍କା ମାରିବାକୁ କ୍ଷମତା ଦେଲା ରିଜିଜୁ ପ୍ରଶ୍ନ କରିଛନ୍ତି।
ସେହିପରି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସଂସଦ ପରିସରରେ ଠେଲାପେଲା ଘଟଣାକୁ ନିନ୍ଦା କରିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏହାକୁ ଦାୟିତ୍ୱହୀନତା ଓ ଅହଂକାର କାର୍ଯ୍ୟ ବୋଲି କହିଛନ୍ତି। ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଏପରି କାର୍ଯ୍ୟ ଚିନ୍ତାଜନକ। ଗଣତନ୍ତ୍ରରେ ଏପରି କାର୍ଯ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।
