ଲଗାତର ପଛକୁ ପଛ ମାଡି ଆସୁଛି ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ସାରା ଓଡ଼ିଶା ପାର୍ବଣରେ ଭିଜିବ ବୋଲି କୁହାଯାଉଛି । ଲଘୁଚାପ ପ୍ରଭାବରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୯ ତାରିଖ ଯାଏ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ତଥା ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୧୭୭.୧ ମିମି ବର୍ଷା ରେକର୍ଡ ହୋଇଛି । ଏହାପରକୁ କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ୧୦.୧ ମି.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
ଏହାସହ ସେପ୍ଟେମ୍ବର ୨୫ ସୁଦ୍ଧା ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାକୁ ଥିବାବେଳେ ଏହା ୨୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଅବପାତ ରୂପ ନେବ। ୨୭ତାରିଖରେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଜଣାପଡ଼ିଛି । ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି। ବୁଧବାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼କୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଜାରି ହୋଇଛି।
ସେହିପରି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ବୌଦ୍ଧ ଓ ଅନୁଗୋଳ ଜିଲାକୁ ୟେଲୋ ୱାର୍ନିଂ ଥିବାବେଳେ ବାକି ସମସ୍ତ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କି.ମି. ବେଗରେ ପବନ ବୋହିବା ନେଇ ସତର୍କତା ଜାରି କରାଯାଇଛି। ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୨୭ତାରିଖ ଯାଏ ମାଛଧରିବା ବାରଣ କରାଯାଇଛି। ଅନ୍ୟପଟେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାପାଳ ୨୮ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ହେଡ କ୍ୱାର୍ଟର୍ସ ନ ଛାଡ଼ିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
