Heat Wave Alert : ପାଣିପାଗକୁ ନେଇ ବଡ଼ ଅପଡେଟ୍ । ଏପ୍ରିଲରୁ ଜୁନ ମଧ୍ୟରେ ଦେଶରେ ପ୍ରବଳ ଗ୍ରୀଷ୍ମପ୍ରହାବ ସମ୍ଭାବନା ରହିଛି। ହିଟ ୱେଭ ଅବଧି ବି ଅଧିକ ରହିବ ବୋଲି ପୂର୍ବାନୁମାନ କଲା ଆଇଏମଡି । ଏହି ୩ ମାସ ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।
ସୋମବାର ଆଇଏମଡି କହିଛି ଯେ, ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। କେନ୍ଦ୍ରୀୟ ଏବଂ ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଭୀଷଣ ଗ୍ରୀଷ୍ମପ୍ରବାହ ହେବ। ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ସର୍ବାଧିକ ତାପମାତ୍ରା ରହିବ, ପଶ୍ଚିମ ଏବଂ ପୂର୍ବ ଭାରତର କିଛି ଅଞ୍ଚଳ ବ୍ୟତୀତ ଯେଉଁଠାରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି। ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିବ।
ଏପ୍ରିଲରୁ ଜୁନ୍ ମଧ୍ୟରେ ସାଧାରଣତଃ ୪ରୁ ୭ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଏଥର କିନ୍ତୁ ତାଠୁ ଅଧିକ ୨ କିମ୍ବା ୪ ଦିନ ରହିବ ଗ୍ରୀଷ୍ମପ୍ରବାହ। ବିଶେଷକରି ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ।
ଅନ୍ୟପକ୍ଷରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆ ପଥର ବର୍ଷିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି।
ଏପ୍ରିଲ ୫ ତାରିଖ ସୁଦ୍ଧା ଓଡ଼ିଶାରେ ବଜ୍ରପାତ ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ: ଆଇଏମଡି