ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପଡିଛି କର୍ମଚାରୀ ମରୁଡ଼ି। ୪୩ଟି ମଞ୍ଜୁରୀପ୍ରାପ୍ତ ପଦ ଥିବା ବେଳେ ମାତ୍ର ୨ ଜଣ ନିୟମିତ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଫଳରେ ପ୍ରାୟ ୨ ଲକ୍ଷରୁ ଅଧିକ ବହିର ରକ୍ଷଣାବେକ୍ଷଣରେ ବାଧା ଉପୁଜୁଛି। କର୍ମଚାରୀ ଅଭାବରୁ ଗବେଷକମାନେ ମଧ୍ୟ ବହି ପାଇ ପାରୁନାହାନ୍ତି। ଦୈନିକ ୬ ଶହରୁ ଅଧିକ ପିଲା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରିବାକୁ ଏଠାରେ ପଢୁଛନ୍ତି। ସେମାନଙ୍କ ଲାଇବ୍ରେରୀ କାର୍ଡ କରିବା ସହ ପାଠପଢ଼ା ସୁବ୍ୟବସ୍ଥିତ କରିବାରେ କର୍ମଚାରୀ ଅଭାବ ପ୍ରମୁଖ ପ୍ରତିବନ୍ଧକ ସାଜିଛି ।
ଅନୁରୂପ ଭାବେ ପ୍ରତି ଜିଲ୍ଲାରେ ଥିବା ପାଠାଗାର, ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନେକ କର୍ମଚାରୀ ପଦ ଖାଲି ପଡ଼ିଛି। ସେହିପରି ଦୀର୍ଘ ଦିନରୁ ଲାଇବ୍ରେରିଆନ୍ ପଦ ମଧ୍ୟ ଖାଲି ପଡ଼ିଛି। ଫଳରେ ପାଠାଗାରର ଗୌରବ ଦିନକୁ ହ୍ରାସ ପାଇବାରେ ଲାଗିଛି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ସମସ୍ତ ଓଏଭି ଏବଂ ଆଇକନିକ୍ ଓଏବି ପାଇଁ ୩୧୫ଟି ଗ୍ରନ୍ଥାଗାରିକ ପଦ ଅନୁମୋଦନ ହୋଇଛି। ହେଲେ ଏହି ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେଉନି। ସେହିପରି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରତିବର୍ଷ ପ୍ରାୟ ୭ଶହ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି। ଲାଇବ୍ରେରୀ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଦୀର୍ଘ ବର୍ଷରୁ ନିଯୁକ୍ତି ହେଉ ନଥିବାରୁ ୧୦ହଜାରରୁ ଅଧି ଗ୍ରନ୍ଥାଗାରିକ ପଦ ଖାଲି ପଡ଼ିଛି । ଗ୍ରନ୍ଥାଗାରିକ ପଦ ପାଇଁ ଆଶାୟୀ ବେକାର ହୋଇ ବସିଛନ୍ତି।
ରାଜ୍ୟ ସାରା ସବୁଠି ସମାନ ଅବସ୍ଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ପରିଚାଳନା କରୁଛନ୍ତି। ଗବେଷକମାନେ ବିଭିନ୍ନ ପୁସ୍ତକ ଓ ଆନୁସଙ୍ଗିକ ସହାୟତା ପାଇ ପାରୁନାହାନ୍ତି। ଅପରପକ୍ଷେ, ଏସବୁ ପଦରେ ନିଯୁକ୍ତି ଦିଆଯାଉନଥିବାରୁ ଆଶାୟୀମାନେ ନିରାଶ ହେଉଛନ୍ତି। ରାଜ୍ୟର ୬ଟି ସରକାରୀ ବିଶ୍ଵବିଦ୍ୟାଳୟରୁ ବ୍ୟାଚଲର୍ ଇନ୍ ଲାଇବ୍ରେରୀ ଆଣ୍ଡ ଇନଫରମେସନ୍ ସାଇନ୍ସ ରହିଛି। କ୍ରମାଗତ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ପଠନ ହ୍ରାସ ପାଉଥିବା ଗବେଷକମାନେ ମତବ୍ୟକ୍ତ କରୁଛନ୍ତି। ଆଧୁନିକ ଯୁଗରେ ଛାତ୍ରଛାତ୍ରୀମାନେ ବହିଠାରୁ ଦୂରେଇ ଯାଇ ଭିଡିଓ ଏବଂ ୟୁଟ୍ୟୁବ ଉପରେ ନିର୍ଭରଶୀଳ ହେଉଛନ୍ତି। ଏପରି ସ୍ଥିତିରେ ପିଲାମାନଙ୍କୁ ପାଠ୍ୟପୁସ୍ତକ ପ୍ରତି ଆକର୍ଷିତ କରିବା ସ୍ବାଭାବିକ।
ବିଭିନ୍ନ ଲାଇବ୍ରେରୀଆନ୍ ପଦରେ ତୁରନ୍ତ ନିଯୁକ୍ତି କରିବା ପାଇଁ ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ଦାବି କରିଛନ୍ତି । ଅନ୍ୟ ରାଜ୍ୟରେ ଲାଇବ୍ରେରି ପାଇଁ ସ୍ଵତନ୍ତ୍ର ମାନୁଆଲ ସହ ନିଯୁକ୍ତି ଦିଆଯାଉଛି। ତେଣୁ ଓଡ଼ିଶାରେ ମଧ୍ୟ ସମସ୍ତ ସରକାରୀ ବିଦ୍ୟାଳଉରେ ଲାଇବ୍ରେରୀଆନ୍ ପଦ ସୃଷ୍ଟି କରିବାକ ଦାବି ହେଉଛି। ତେବେ ଦେଖାଯାଉ ସରକାରଙ୍କ ଦୃଷ୍ଟି କେବେ ଏହା ଉପରେ ପଡ଼ୁଛି।
